ଭୁବନେଶ୍ବର: ଲକ୍ଡାଉନ୍ ପୂର୍ବରୁ ଭୁବନେଶ୍ବର ମୁଖ୍ୟ ରେଳଷ୍ଟେସନସ୍ଥିତ ପାର୍କିଂସ୍ଥଳରେ ରଖି ଯାଇଥିବା ୮୦ରୁ ଅଧିକ ବାଇକ୍ ଓ ସାଇକେଲ ମାଲିକଙ୍କ ଦେଖା ନାହିଁ। ସ୍ଥିତି ଏଭଳି ହେଲାଣି ଯେ ସାଇକେଲର ପାର୍କିଂ ଫି’ ସାଇକେଲ ମୂଲ୍ୟଠୁ ବି ଟପିଲାଣି। ତେଣୁ ସେମାନେ ସାଇକେଲ ନେବେ ନାହିଁ ଏହା ନିଶ୍ଚିତ। କିନ୍ତୁ ବର୍ଷେ ତଳେ ୭୦-୮୦ ହଜାରରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କାର ବାଇକ୍ ପାର୍କିଂ କରି ଯାଇଥିବା ମାଲିକମାନେ ନେବାକୁ ଆସୁନାହାନ୍ତି କାହିଁକି? କରୋନାରେ ସେମାନଙ୍କର କିଛି ହୋଇ ଯାଇନି ତ? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ବାଇକ୍ର ନମ୍ବରଗୁଡ଼ିକ ହେଲା, ଓଆର୍-୦୧-ଓ-୦୬୯୦, ଜେଏଚ୍-୦୫-ଜେ-୭୬୮୮, ଏପି-୦୪-ଜେ-୯୨୨୫, ଓଡି-୦୧-ଡବ୍ଲୁ-୮୮୮୧। ଏହିଭଳି ୪୦ ବାଇକ୍ ମାଲିକଙ୍କ ମଧ୍ୟରୁ କିଛି ଜାନୁଆରି -ଫେବ୍ରୁଆରି ଏବଂ ଅଧିକାଂଶ ମାର୍ଚ୍ଚ ମାସରୁ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପାର୍କିଂସ୍ଥାନରେ ନିଜ ଗାଡ଼ି ରଖିଯାଇଛନ୍ତି ଯେ ଆଉ ଫେରିନାହାନ୍ତି। ବାଇକ୍ଗୁଡ଼ିକ ମଧ୍ୟରୁ ୮ଟିରେ ରାଜ୍ୟ ବାହାରର ଯଥା ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ ଏବଂ ମହାରାଷ୍ଟ୍ରର ନମ୍ବର ପ୍ଲେଟ୍ ରହିଛି। ଅନ୍ୟଗୁଡ଼ିକରେ ଓଡ଼ିଶାର ନମ୍ବର ପ୍ଲେଟ୍ ଲାଗିଛି। ପାର୍କିଂସ୍ଥଳରେ କେବଳ ଗାଡ଼ି ନମ୍ବର ଏବଂ ସମୟ ପଞ୍ଜୀକୃତ ରଖାଯାଏ, ଗାଡ଼ି ମାଲିକଙ୍କ ନାମ, ଠିକଣା କିମ୍ବା ଗନ୍ତବ୍ୟସ୍ଥଳ ସମ୍ପର୍କରେ ସୂଚନା ଦେବା ଆବଶ୍ୟକ ହୁଏନାହିଁ। ଏଥିଯୋଗୁଁ ଗାଡ଼ି ମାଲିକ ଗାଡ଼ି ରଖି କୁଆଡ଼େ ଗଲେ, କାହିଁକି ଆସିବା ନେଇ ଏତେ ବିଳମ୍ବ ହେଉଛି ତାହା ଜାଣିବାର ଅବକାଶ ନାହିଁ। ଲକ୍ଡାଉନ୍, କରୋନା ସେମାନଙ୍କ ବିଳମ୍ବର କାରଣ କି ବୋଲି ପ୍ରଶ୍ନ ଉଠୁଥିଲେ ବି ଉତ୍ତର କିନ୍ତୁ ମିଳୁନି।
ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ରେଳଷ୍ଟେସନର ଏହି ପାର୍କିଂସ୍ଥଳରେ ଦୈନିକ ପ୍ରାୟ ୨ ହଜାରରୁ ୨୨ ଶହ ବାଇକ୍, ସାଇକେଲ ସହିତ ହେଲମେଟ୍ ବି ରଖାଯାଏ। ସାଇକେଲ ମାଲିକମାନେ ଭୁବନେଶ୍ବରରେ ରହି ନିକଟସ୍ଥ ବାଲୁଗାଁ, ଗଙ୍ଗାଧରପୁରକୁ ମଜୁରି ପାଇଁ ଲୋକାଲ ଟ୍ରେନରେ ଯାଆନ୍ତି, ସଂଧ୍ୟା ହେଲେ ଫେରି ଆସନ୍ତି। ଗାଡ଼ି ମାଲିକମାନେ ୨/୩ ଦିନ, ସପ୍ତାହେ, କିମ୍ବା ସର୍ବାଧିକ ୨ରୁ୩ ମାସ ପର୍ଯ୍ୟନ୍ତ ଗାଡ଼ି ରଖିଯାଆନ୍ତି। କାଁଭାଁ ଗାଡ଼ି ଏତେ ଦିନ ଧରି ରହିଲେ ବି ବର୍ଷେରୁ ଅଧିକ ସମୟ ଧରି ଏକାବେଳକେ ଏତେ ସଂଖ୍ୟକ ବାଇକ୍, ସାଇକେଲ୍ ମାଲିକ ଫେରି ନ ଆସିବା ଘଟଣା ଆଗରୁ କେବେ ଦେଖାଯାଇନି ବୋଲି ପାର୍କିଂ କର୍ମଚାରୀମାନେ କହିଛନ୍ତି। ମାର୍ଚ୍ଚ ମାସରେ ଲକ୍ଡାଉନ୍ ଘୋଷଣାର ଠିକ୍ ପୂର୍ବରୁ ଲୋକେ ପ୍ରାୟ ୨୦୦ ଗାଡ଼ି ରଖି ଅନ୍ୟତ୍ର ଯାଇଥିଲେ। ଲକ୍ଡାଉନ୍ କୋହଳ ସହିତ ଗାଡ଼ି ଚଳାଚଳ ଆରମ୍ଭ ହେବା ପରେ କିଛି ଗାଡ଼ିକୁ ମାଲିକମାନେ ନେଇ ଯାଇଥିଲେ। ଗତ ୨/୩ ମାସ ମଧ୍ୟରେ ସର୍ବାଧିକ ପ୍ରାୟ ୧୨୦ରୁ ୧୩୦ ଗାଡ଼ିର ମାଲିକମାନେ ପାର୍କିଂ ଫି’ ଦେଇ ଗାଡ଼ି ନେଇ ଯାଇଛନ୍ତି। ଗତ ମାସରେ ଲକ୍ଷାଧିକ ଟଙ୍କାର ବାଇକ୍ ଛାଡ଼ିଯାଇଥିବା ମାଲିକ ପାର୍କିଂସ୍ଥଳକୁ ଆସିଥିଲେ; କିନ୍ତୁ ପାର୍କିଂ ଫି’ ୪ ହଜାର ଟଙ୍କା ହୋଇଗଲାଣି ବୋଲି ଜାଣିବା ପରେ, ପରେ ଆସିବେ ବୋଲି କହି ଫେରି ଯାଇଥିଲେ। ଆଉ ସେବେଠୁ ଏଯାଏ ଆସିନାହାନ୍ତି।
କରୋନା ଭୟ ସହିତ ଲକ୍ଡାଉନ୍ ଘୋଷଣା ଯୋଗୁଁ ରାଜଧାନୀରେ ରହି କାର୍ଯ୍ୟ କରୁଥିବା ବାହାର ରାଜ୍ୟ ଓ ଜିଲ୍ଲାର କର୍ମଚାରୀ, ଶ୍ରମିକମାନେ ପାର୍କିଂରେ ନିଜନିଜ ସାଇକଲ ଓ ବାଇକ୍ ରଖି ଟ୍ରେନ୍ରେ ଘରକୁ ବାହୁଡ଼ି ଯାଇଥିଲେ। ଲକ୍ଡାଉନ୍ ସ୍ଥିତି ସୁଧୁରିବା ପରେ ସେମାନଙ୍କ ମଧ୍ୟରୁ କିଛି ଫେରି ଆସିଥିବା ବେଳେ ଅନେକ ଏଯାଏ ଫେରିନାହାନ୍ତି। ସମ୍ଭବତଃ କୌଣସି କାରଣରୁ ଫେରିପାରି ନ ଥିବା ଏହି ପ୍ରବାସୀଙ୍କ ଗାଡ଼ି ଏଠାରେ ବର୍ଷେ ହେଲା ପଡ଼ି ରହିଥିବା ଅନୁମାନ କରାଯାଉଛି। ତେବେ ଏହା ପଛରେ ଆଉ କିଛି କାରଣ ବା କାହାଣୀ ଥିବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନ ପାରେ।