ଭୁବନେଶ୍ବର: ରବିବାର। ଦିନ ପାଖାପାଖି ୧୧ଟା ହେବ। ୧ ନମ୍ବର ହାଟରୁ ସଉଦାପତ୍ର ବ୍ୟାଗ୍‌ରେ ଧରି ବେଶ୍‌ ହସଖୁସିରେ ବାହାରିଲେ ଦୁଇଜଣ ଯୁବତୀ। ରାସ୍ତା ଉପରକୁ ଆସି ଦେଖିଲେ ଗାଡ଼ି ନାହିଁ। ‘ଗାଡ଼ି କୁଆଡ଼େ ଗଲା’ ବୋଲି ସେ ହଲ୍ଲା ପକାଇଲେ। କିଛି ବାଟ ଏଜି ଛକ ଆଡ଼କୁ ଗଲେ, ପୁଣି କିଛି ବାଟ ରାଜମହଲ ଛକ ଆଡ଼କୁ ଫେରିଲେ। ଭାବିଲେ ଆଉ କୋଉଠି ଗାଡ଼ି ରଖି ଦେଇଥିଲେ କି? ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବତୀ କହିଲେ, ଗାଡ଼ି ଚୋରି ହୋଇଗଲା! ଏଭଳି ହୋ ହଲ୍ଲା ଭିତରେ ସେଠାରେ ଭିଡ଼ ଜମୁଥିଲା। ରାସ୍ତାରେ ଯାଉଥିବା ଗାଡ଼ି ଚାଳକ ଅଟକି ଯାଉଥିଲେ।

Advertisment

କିଏ ଗାଡ଼ି ନମ୍ବର ପଚାରୁଥିଲା। କିଏ ପୁଲିସକୁ ଫୋନ୍‌ କରିବାକୁ କହୁଥିଲା। କିଏ ଖୋଜୁଥିଲା ସିସିଟିଭି କୋଉଠି ଲାଗିଛି। ଏତିକିବେ‌ଳେ ହାଟ ଭିତରୁ ବାପ-ପୁଅ ଦୁଇଜଣ ହାତରେ ସଉଦା ଧରି ବାହାରିଲେ। ସେ ବି ଗାଡ଼ି ଖୋଜିଲେ। ଗାଡ଼ି କିଏ ନେଇଗଲା ବୋଲି ବାଉଳା ହେଲେ। ଏଭଳି ଜଣକ ପରେ ଜଣେ ଆସି ଗାଡ଼ି ଖୋଜିଲେ। ଶେଷରେ ଜଣେ ଠେଲା ଗାଡ଼ି ବ୍ୟବସାୟୀ କହିଲେ ପୁଲିସ ଉଠାଇ ନେଇଛି। ସେଠାରୁ ପ୍ରାୟ ୧୩ ଜଣ ଗାଡ଼ି ମାଲିକ ଟ୍ରାଫିକ୍‌ ଥାନା ଆଡ଼େ ଚାଲିଲେ। ସେଠାରେ ହିଁ ଗାଡ଼ି ଥିବା ଦେଖିବା ସହ ହଜାରେ ଲେଖାଏଁ ତଣ୍ଡ ଗଣି ଗାଡ଼ି ମୁକାଳିଲେ। କାନମୁଣ୍ଡା ଆଉଁସି ଆଉଁସି ଫେରିବା ବେଳେ ‘କାହା ମୁହଁ ସକାଳୁ ଚାହିଁଥିଲି’ ବୋଲି କହୁଥିଲେ।