କୁଆଡ଼େ ଯାଉଛି ଜବତ ବ୍ରାଉନସୁଗାର?

୮ ବର୍ଷ ହେଲା ଥରୁଟିଏ ନଷ୍ଟ ହୋଇନି, ସବୁ ପୁଲିସ ଜିଲ୍ଲାରେ ରହିଛି ଡ୍ରଗ୍ ଡିସ୍‌ପୋଜାଲ୍ କମିଟି

ମାମଲାର ଶୁଣାଣି ଚାଲିଥିବା ବେଳେ କିପରି ନଷ୍ଟ କରାଯିବ?
ନିଶାଦ୍ରବ୍ୟ ନଷ୍ଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟ ସରକାର ଏକ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ପୁଲିସ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ, ନୋଡାଲ୍ ଅଫିସର୍‌ ଭାବେ ଜଣେ ଡିଏସପି ଓ କମିସନରେଟ୍‌ ପୁଲିସରେ ଏସିପି ନିଯୁକ୍ତ ହେବେ। ସମ୍ପୃକ୍ତ ଜିଲ୍ଲାର କୋର୍ଟରେ କେଉଁ ନିଶାଦ୍ରବ୍ୟ ମାମଲାର ଶୁଣାଣି ଚାଲିଛି, ତାହାର ଏକ ତାଲିକା ପ୍ରସ୍ତୁତ କରିବେ ନୋଡାଲ୍ ଅଫିସର୍‌। ତାଲିକା ପ୍ରସ୍ତୁତ କରିବା ପରେ ଯେଉଁ ଥାନା ଅଧୀନରେ ମାମଲା ରହିଥିବ, ସେହି ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରିବେ। ଏହା ପରେ ସମ୍ପୃକ୍ତ ଥାନାଧିକାରୀ ଏକ ରିପୋର୍ଟ ପ୍ରସ୍ତୁତ କରି ନିଶାଦ୍ରବ୍ୟକୁ ନଷ୍ଟ କରିବା ଲାଗି ସମ୍ପୃକ୍ତ କୋର୍ଟରେ ଆବେଦନ କରିବେ। ଆବେଦନ ମଞ୍ଜୁର ହେଲା ପରେ ଯେଉଁ କୋର୍ଟରେ ମାମଲାର ଶୁଣାଣି ଚାଲଥିବ, ସେହି କୋର୍ଟର ବିଚାରପତିଙ୍କ ସମ୍ମୁଖରେ ଜବତ ନିଶାଦ୍ରବ୍ୟକୁ ଉପସ୍ଥାପନ କରାଯିବ। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଫଟୋ ନିଆଯିବ। ଏହି ଫଟୋ ସତ୍ୟ ବୋଲି ବିଚାରପତି ତାହାକୁ ସାର୍ଟିଫାଏ କରିବେ। ଏହାପରେ ନିଶାଦ୍ରବ୍ୟର ନମୁନା ସଂଗ୍ରହ କରାଯିବ। ଉଭୟ ଫଟୋ ଓ ନମୁନାକୁ କୋର୍ଟ ମାଲଖାନା, ପୁଲିସ ମାଲଖାନାକୁ ପଠାଯିବ। ଥାନାଧିକାରୀ ସେହି ମାମଲାର ସମ୍ପୂର୍ଣ୍ଣ ବିବରଣୀ, ନମୁନା ଓ ଫଟୋକୁ ନେଇ ଡ୍ରଗ୍ ଡିସପୋଜାଲ୍ କମିଟି ନିକଟରେ ଦାଖଲ କରିବେ। ଯଦି ଏହି ଜବତ ନିଶାଦ୍ରବ୍ୟର ଶୁଣାଣି ବେଳେ ଆଉ ଆଇନଗତ ଆବଶ୍ୟକତା ନ ଥିବା ନେଇ କୋର୍ଟ ସ୍ପଷ୍ଟ କରିବେ, ତାହାଲେ କମିଟି ପ୍ରତ୍ୟକ୍ଷ ଭାବେ ଏହାର ଓଜନ, ଜବତ ତାଲିକା, କେମିକାଲ ପରୀକ୍ଷା ରିପୋର୍ଟ ଓ ଆବଶ୍ୟକ କାଗଜପତ୍ରକୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କ ନିକଟକୁ ପଠାଇବେ। ଏହା ପରେ ନିଶାଦ୍ରବ୍ୟ ନଷ୍ଟ କରାଯିବା ଲାଗି ଏକ ତାରିଖ ଧାର୍ଯ୍ୟ ହେବ। କଡ଼ା ସୁରକ୍ଷା ବଳୟରେ ମାଲଖାନାରୁ ଚିହ୍ନଟ ହୋଇଥିବା ସ୍ଥାନକୁ ନିଶାଦ୍ରବ୍ୟ ନିଆଯିବ। ଏହାସହ ମାଲଖାନାରେ ଥିବା ନମୁନାକୁ ମଧ୍ୟ ସେଠାକୁ ନିଆଯିବ। ନିଶାଦ୍ରବ୍ୟ ସମ୍ପର୍କରେ ଜ୍ଞାନ ଥିବା ଫୋରେନସିକ୍ ଲାବରେଟୋରିର ଜଣେ ସାଇଣ୍ଟିଫିକ ଅଫିସର ଉପସ୍ଥିତ ରହି ନମୁନା ସହ ନଷ୍ଟ କରାଯିବାକୁ ଥିବା ନିଶାଦ୍ରବ୍ୟର ମେଳ କରାଇବେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ୍‌ଲାଇନକୁ ପାଳନ କରି ଏହି ନିଶାଦ୍ରବ୍ୟକୁ ନଷ୍ଟ କରାଯିବ। ନିଶାଦ୍ରବ୍ୟ ନଷ୍ଟ ହେଲା ପରେ ତାହାର ରିପୋର୍ଟ ପ୍ରସ୍ତୁତ କରିବେ କମିଟି ଅଧ୍ୟକ୍ଷ। ଏହି ରିପୋର୍ଟର ୩ଟି ନକଲ ପ୍ରସ୍ତୁତ କରିବେ ଅଧ୍ୟକ୍ଷ। ଗୋଟିଏ ରିପୋର୍ଟ ମାଲଖାନାରେ ରହିବ। ଆଉ ଗୋଟିଏ ରିପୋର୍ଟ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିପିଙ୍କୁ ଦିଆଯିବା ସହ ତୃତୀୟଟି ଯେଉଁ ମାମଲାର ଶୁଣାଣି ଚାଲିଥିବ ସେହି ଫାଇଲରେ ସଂଲଗ୍ନ କରାଯିବ। ଶୁଣାଣି ଶେଷ ହେବା ପରେ ମାଲଖାନାରେ ରଖା ଯାଇଥିବା ନମୁନାକୁ ମଧ୍ୟ ନଷ୍ଟ କରାଯିବ ବୋଲି ସରକାରଙ୍କ ଗାଇଡ୍‌ଲାଇନ୍ ରହିଛି।

କମିଟିରେ ଏସ୍‌ପି ଅଧ୍ୟକ୍ଷ, ଡିଏସ୍‌ପି ନୋଡାଲ୍ ଅଫିସର୍‌
ଭୁବନେଶ୍ବର (ଶୁଭକାନ୍ତ ପଢ଼ିହାରୀ): କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ, ପୁଲିସ, ଅବକାରୀ ଟିମ୍ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରୁଛନ୍ତି। କିନ୍ତୁ ଏହି ଜବତ ବ୍ରାଉନସୁଗାର ଯାଉଛି କୁଆଡ଼େ? ରହୁଛି କେଉଁଠି? ହେଉଛି କ’ଣ? ମାମଲା ଶେଷ ହେବା ପରେ ଏହାକୁ କ’ଣ କରାଯାଉଛି? ସାଧାରଣର ଲୋକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ। କେବଳ ଲୋକ ନୁହେଁ, ଅନେକ ପୁଲିସ କର୍ମଚାରୀ, ଅବକାରୀ କର୍ମଚାରୀ ମଧ୍ୟ ଏ କଥା ଜାଣନ୍ତି ନାହିଁ ଯେ ଜବତ ବ୍ରାଉନସୁଗାର କୁଆଡ଼େ ଯାଉଛି। ମିଳିଥିବା ସୂଚନା ଅନୁସାରେ, ଜବତ ବ୍ରାଉନସୁଗାରକୁ ନଷ୍ଟ କରିବା ପାଇଁ ସବୁ ପୁଲିସ ଜିଲ୍ଲାରେ ଏକ ଡ୍ରଗ୍ ଡିସପୋଜାଲ୍ କମିଟି ରହିଛି। ଏହି କମିଟିରେ ପୁଲିସ ଜିଲ୍ଲାର ଏସ୍‌ପି ଅଧ୍ୟକ୍ଷ ଥିବା ବେଳେ ସଦସ୍ୟ ଭାବେ ଅବକାରୀ ଅଧୀକ୍ଷକ, ଜଣେ ‌‌ଗେଜେଟେଡ୍‌ ଅଫିସର୍‌, ଜଣେ ଡିଏସ୍‌ପି କିମ୍ବା କମିସନରେଟ ପୁଲିସରେ ଏସିପି ନୋଡାଲ୍ ଅଫିସର ଭାବେ ରହିଛନ୍ତି।

ଜବତ ହୋଇଥିବା ବ୍ରାଉନସୁଗାର କିମ୍ବା ଗଞ୍ଜେଇକୁ ଦୁଇପ୍ରକାରେ ନଷ୍ଟ କରାଯିବାର ଏସ୍‌ଓପି ରହିଛି। କୋର୍ଟରେ ବିଚାର ପ୍ରକ୍ରିୟା ଜାରି ରହିଥିବା ସମୟରେ ଓ ମାମଲାର ବିଚାର ଶେଷ ହେବା ପରେ ନିଷିଦ୍ଧ ନିଶାକୁ ନଷ୍ଟ କରାଯାଇଥାଏ। ବ୍ରାଉନସୁଗାର ଓ ହେରୋଇନ୍‌କୁ ଖୋର୍ଦ୍ଧା ଟାଙ୍ଗିଆପଡ଼ାସ୍ଥିତ ବାୟୋ ମେଡିକାଲ ବର୍ଜ୍ୟ ପରିଚାଳନା ପାଇଁ ଥିବା ସାନି କ୍ଲିନ ପ୍ଲାଣ୍ଟରେ ନଷ୍ଟ କରାଯାଇ ପାରିବ ବୋଲି ପ୍ରଦୂଷଣ ବୋର୍ଡ ପକ୍ଷରୁ ସ୍ବୀକୃତି ରହିଛି। ୨୦୧୨ରୁ ସ୍ବୀକୃତି ଥିଲେ ବି ଗତ ୮ବର୍ଷ ଭିତରେ ସେହି ପ୍ଲାଣ୍ଟରେ ଥରୁଟିଏ ବି ନଷ୍ଟ କରାଯାଇ ନାହିଁ। କେବେ, କେଉଁଠି ବ୍ରାଉନସୁଗାର ନଷ୍ଟ କରାଯାଇଛି, ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। କେଉଁଠି ଦୋଷତ୍ରୁଟି ରହୁଛି, ତାକୁ ନେଇ ଉଠିଛି ପ୍ରଶ୍ନ।

କେବଳ ଖୋର୍ଦ୍ଧାରେ କରାଯାଇପାରିବ
ବାୟୋ ମେଡିକାଲ ବର୍ଜ୍ୟବସ୍ତୁ (ପରିଚାଳନା) ନିୟମ-୧୯୯୮ ଅନୁସା‌ରେ, ନିଶାଦ୍ରବ୍ୟକୁ ନଷ୍ଟ କରାଯାଇପାରିବ ବୋଲି ପ୍ରଦୂଷଣ ବୋର୍ଡ ଏ ନେଇ ୨୦୧୨ରେ କ୍ରାଇମବ୍ରାଞ୍ଚକୁ ଅବଗତ କରାଇଥିଲା। ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଯୋଗେଶ ବାହାଦୂର ଖୁରାନିଆଙ୍କୁ ଏ ନେଇ ପ୍ରଦୂଷଣ ବୋର୍ଡ ଅବଗତ କରାଇଥିଲା। ନିୟମ ଅନୁସାରେ ହେରୋଇନ୍ କିମ୍ବା ବ୍ରାଉନସୁଗାରକୁ କେବଳ ଖୋର୍ଦ୍ଧାରେ ନଷ୍ଟ କରାଯାଇ ପାରିବ। ଖୋର୍ଦ୍ଧା ଟାଙ୍ଗିଆପଡ଼ାରେ ମେଡିକାଲ ବର୍ଜ୍ୟବସ୍ତୁ ନଷ୍ଟ ହେଉଥିବା ସଂସ୍ଥା ସାନିକ୍ଲିନ୍ ପ୍ରାଇ‌ଭେଟ୍‌ ଲିମିଟେଡ୍‌ରେ ଏହା ନଷ୍ଟ କରାଯିବ ବୋଲି ପ୍ରଦୂଷଣ ବୋର୍ଡର ଚିଠି ରହିଛି। ଗଞ୍ଜେଇ, ଅଫିମ, ଭାଙ୍ଗ ଭଳି ନିଶାଦ୍ରବ୍ୟକୁ ସମ୍ପୃକ୍ତ ଜିଲ୍ଲାରେ ଥିବା ଶିଳ୍ପ କାରଖାନାରେ ନଷ୍ଟ କରାଯାଇ ପାରିବ। କିନ୍ତୁ ଯଦି ସମ୍ପୃକ୍ତ ଜିଲ୍ଲାରେ ଶିଳ୍ପ କାରଖାନା ନାହିଁ, ତାହାଲେ ଇଟାଭାଟିରେ ନଷ୍ଟ କରାଯିବାର ନିୟମ ରହିଛି। କିନ୍ତୁ ନିଶାଦ୍ରବ୍ୟର ପରିମାଣ ଇଟାଭାଟିର ମୋଟ ଜାଳେଣିର ୫ପ୍ରତିଶତ ହୋଇଥିବା ଜରୁରୀ। କାରଣ ଇଟାଭାଟିରେ ନିଶାଦ୍ରବ୍ୟ ନଷ୍ଟ ସମୟରେ ବାହାରୁଥିବା ଧୂଆଁର ପରିଚାଳନା ବ୍ୟବସ୍ଥା ନ ଥିବାରୁ ଏଭଳି ନିୟମ ରଖାଯାଇଛି।

ପ୍ରଶ୍ନ ଉଠାଇଲେ ଆଇନଜୀବୀ
କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ ହେଉଥିବା ବେଳେ ଏହା ମାଲଖାନାରେ ପଡ଼ି ରହୁଛି। ଏହାକୁ ନଷ୍ଟ କରାଯିବା ପାଇଁ ଗାଇଡଲାଇନ୍ ରହିଥିଲେ ବି କେହି ଏହାକୁ ପାଳନ କରୁ ନାହାନ୍ତି। ନୋଡାଲ୍ ଅଫିସର ମଧ୍ୟ ଠିକ୍‌ ଭାବେ ପରିଚା​ଳନା କରୁନାହାନ୍ତି ବୋଲି କହିଛନ୍ତି ଆଇନଜୀବୀ ସିଦ୍ଧାର୍ଥ ଦାସ। ବ୍ରାଉନସୁଗାର ନଷ୍ଟ କରା ନ ଯିବା ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଆଇନଜୀବୀ ପ୍ରଶାନ୍ତ ପଟ୍ଟନାୟକଙ୍କ ମତରେ ଏଭଳି ନିଶାଦ୍ରବ୍ୟର କେହି ଦାବିଦାର ନ ଥିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ନିଲାମ କରାଯିବାର ନ ଥିବାରୁ ଏହାକୁ ନଷ୍ଟ କରାଯିବା ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର