ଭୁବନେଶ୍ବର : ବର୍ତ୍ତମାନ କମିସନରେଟ୍‌ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା କେବିଏନ୍‌ ମୁଖିଆ ବୁବୁର ପତ୍ତା ମିଳୁନି। ଗତ ୪ ଦିନ ତଳେ ପୁରୀରେ ସେ ସ୍ପେସାଲ୍‌ ସ୍କ୍ବାଡ୍‌କୁ ଚକ୍‌ମା ଦେଇ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏହା ପରେ ଆଉ ତା’ ଟେର୍‌ ପାଉନି ପୁଲିସ। କେବଳ ବୁବୁ ନୁହେଁ, ତା’ କେବିଏନ୍‌ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବାରୁ ପୁଲିସ ଚିନ୍ତା ବଢ଼ିଯାଇଛି। ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଏହି ଗ୍ୟାଙ୍ଗ୍‌ର ଭୟଙ୍କର ଭିଡିଓ ବଜାରକୁ ଆସୁଥିବା ‌ବେଳେ ପୁଲିସ ସେମାନଙ୍କୁ ଠାବ କରିପାରୁନଥିବାରୁ ରାଜଧାନୀବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଲାଣି।

Advertisment

ମୁଖିଆ ବୁବୁ ଓ ତା’ କେବିଏନ୍‌ ଗ୍ୟାଙ୍ଗ୍‌କୁ ଧରିବା ପାଇଁ କମିସନରେଟ୍ ପୁଲିସ ବିଭିନ୍ନ ସହରରେ ଜାଲ ବିଛାଇଛି। ବିଶେଷକରି ପୁରୀ, ବ୍ରହ୍ମପୁର, କଟକ ଓ କେନ୍ଦ୍ରାପଡ଼ାରେ ପୁଲିସ ନେଟ୍‌ୱର୍କ ଚଳଚଞ୍ଚଳ ହୋଇପଡ଼ିଛି। ମାତ୍ର ଧୂର୍ତ୍ତ ବୁବୁ ଓ ତା’ ଗ୍ୟାଙ୍ଗ୍‌ ପୁଲିସ ଜାଲରେ ପଡ଼ୁନାହାନ୍ତି। ଗତ ୪ ଦିନ ତଳେ ନୂଆପଲ୍ଲୀ ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ ପୁରୀରେ ଜାଲ ବିଛାଇଥିଲେ। ଖବର ବି ସତ ଥିଲା। ଏକ ସ୍କୁଟିରେ ବୁବୁ ବୁଲୁଥିବା ଦେଖିବାକୁ ମିଳିଥିଲା। ମାତ୍ର ପୁଲିସ ତାକୁ ଘେରିଗଲାଣି ବୋଲି ସେ ବି ଜାଣିପାରିଲା। ତେଣୁ ପୁଲିସ ଟିମ୍‌ ତା’ ପାଖରେ ପହଞ୍ଚିବା ବେଳକୁ ସେ ଏକ ଗଳିରେ ପଶି ଚମ୍ପଟ୍ ମାରିଥିଲା। ପୁଲିସ ଗାଡ଼ି ତାକୁ ପ୍ରାୟ ୪/୫ କିମି ପିଛା କଲା, କିନ୍ତୁ ଗଳି ରାସ୍ତା‌ରେ ତାକୁ ଗୋଡ଼ାଇବା ସମ୍ଭବ ହେଲା ନାହିଁ। ଏହା ପରେ ପୁଲିସ ପୁରୀରେ ଡେରା ପକାଇଲେ ବି ବୁବୁ ସେଠାରୁ ବାହାରକୁ ଖସି ପଳାଇଥିବା ଜଣାପଡ଼ିଥିଲା।

publive-image

ଖସି ଯାଉଛି କେମିତି?
କେବିଏନ୍‌ ଗ୍ୟାଙ୍ଗ୍‌ର ମୁଖିଆ ଦେବୀପ୍ରସାଦ ଜେନା ଓରଫ ବୁବୁ ହେଉଛି ଜଣେ ପୂର୍ବତନ ପୁଲିସ କର୍ମଚାରୀଙ୍କ ପୁଅ। ପିସିଆର୍‌ ଡ୍ରାଇଭର ଥିବା ବୁବୁର ବାପାଙ୍କୁ ବିଭିନ୍ନ ସଂଗିନ୍‌ ଅଭିଯୋଗ କାରଣରୁ ଚାକିରିରୁ ବହିଷ୍କାର କରାଯାଇଛି। ମାତ୍ର ଏବେ ବି କିଛି ପୁଲିସ କର୍ମଚାରୀଙ୍କ ସହ ବୁବୁ ବାପାଙ୍କର ଘନିଷ୍ଠତା ରହିଛି। ତେଣୁ ପୁଲିସ ଚଢ଼ଉ ବାବଦରେ ଆଗୁଆ ସୂଚନା ପାଇ ବୁବୁ ସହଜରେ ଚକ୍‌ମା ଦେଇପାରୁଛି ବୋଲି ସନ୍ଦେହ କରାଯାଉଛି। ସେହିଭଳି ବାରମ୍ବାର ରାଜଧାନୀରେ ଗଣ୍ଡଗୋଳ କରୁଥିଲେ ବି କିଛି ପୁଲିସ ଅଧିକାରୀ ତା’ ବିରୋଧରେ କୋହଳ ଦଫା ଲଗାଉଥିବା କୁହାଯାଉଛି। ଫଳରେ ସେ ସହଜରେ ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳି ଆସୁଛି। ମାତ୍ର ଏବେ ସେ କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଲକ୍ଷ୍ମୀପୂଜା ଅବସରରେ ସିଆର୍‌ପି ଛକ ଅମ୍ରିତା ମାର୍କେଟ୍ କମ୍ପ୍ଲେକ୍ସରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ଓ ମାରଣାସ୍ତ୍ରରେ ସଜ୍ଜିତ ଏହି ଗ୍ୟାଙ୍ଗ୍‌ର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସର ଚିନ୍ତା ବଢ଼ିଛି। ରାତିରେ ରାଜଧାନୀ‌ ରାଜରାସ୍ତାରେ ଏଭଳି ଗ୍ୟାଙ୍ଗ୍‌ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି ଓ ଉକ୍ତ ଗ୍ୟାଙ୍ଗ୍‌କୁ ତୁରନ୍ତ ଠାବ କରିବାକୁ ପୁଲିସ ଉପରେ ଚାପ ବଢ଼ିଛି। ଅଭ୍ୟାସଗତ ଅପରାଧୀମାନଙ୍କୁ ନେଇ ଗଠିତ ଏହି ଗ୍ୟାଙ୍ଗ୍‌ର ମୁଖିଆ ବୁବୁ ଓ ଅନ୍ୟମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି।