ଭୁବନେଶ୍ବର: ଗ୍ରାହକଙ୍କୁ ତଟକା ପରିବା ଏବଂ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ। ଏହିଭଳି ବଡ଼ ବଡ଼ ପ୍ରତିଶ୍ରୁତି ସହିତ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତରେ ସରକାର ଏବଂ ଘରୋଇ ସହଭାଗିତାରେ ବ୍ୟାପକ ପ୍ରଚାର ପ୍ରସାର ସହିତ ୨୦୧୩ ମସିହାରେ ଭୁବନେଶ୍ବରରେ ୧୪ଟି ସ୍ଥାନରେ ଖୋଲିଥିଲା ଉଦ୍ୟାନ ଫ୍ରେସ୍। ସେଥିମଧ୍ୟରୁ ଏବେ ୧୩ଟି ଯାକ ପରିବା କ୍ଲଷ୍ଟର ବନ୍ଦ ହୋଇଗଲାଣି। ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଦୋକାନଗୁଡ଼ିକ ପର୍ଯ୍ୟାୟକ୍ରମେ ବନ୍ଦ ହେବା ଆରମ୍ଭ ହୋଇଥିଲା। ୨୦୧୪ ମସିହାରେ ଭୁବନେଶ୍ବରର ଯେଉଁ ଉଦ୍ୟାନ ଫ୍ରେସ୍ ଶୈଳୀରେ ପିପିପି ମୋଡ୍ରେ ସମ୍ବଲପୁର, ବ୍ରହ୍ମପୁର ଏବଂ ରାଉରକେଲାରେ ଓଡ଼ିଶା ଫ୍ରେସ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏ ସମ୍ପର୍କରେ ପଚାରିଲେ କୃଷି ନିର୍ଦ୍ଦେଶାଳୟଠାରୁ ଭୁବନେଶ୍ବର ଉଦ୍ୟାନ ବିଭାଗ ପଦସ୍ଥ ଅଧିକାରୀ କେହି କହି ପାରୁନାହାନ୍ତି। ଜିଏ ବିଭାଗ ପକ୍ଷରୁ ଉଦ୍ୟାନ୍ ଫ୍ରେସ୍ ପାଇଁ ଘରୋଇ ସଂସ୍ଥାକୁ ଦିଆଯାଇଥିବା ଦୋକାନଗୁଡ଼ିକ ଫେରାଇ ନିଆଯାଇଥିବା ସୂଚନା ଦିଆଯାଇଛି।
ଟଙ୍କା ଦେଇ ଭୁଲିଗଲା ଉଦ୍ୟାନ ବିଭାଗ
ମିଳିଲାନି ଚାଷୀଙ୍କୁ ପ୍ରାପ୍ୟ କି ଗ୍ରାହକଙ୍କୁ ତଟକା ପରିବା
ରାଜ୍ୟରେ ପରିବା ବଜାରର ସ୍ଥିତି ଏଭଳି ଯେ ଗ୍ରାହକଙ୍କ ପକେଟ୍ ହାଲକା ହୁଏ କିନ୍ତୁ ଚାଷୀଙ୍କୁ ପ୍ରାପ୍ୟ ମିଳେ ନାହିଁ। ରାଜଧାନୀ ବିଭିନ୍ନ ବଜାରରେ ଗ୍ରାହକଙ୍କ ବନ୍ଧାକୋବିର ଚାହିଦା ପୂରଣ ହେଉନି କିନ୍ତୁ ବରଗଡ଼ ଜିଲ୍ଲା ସଦର ବ୍ଲକ ରଙ୍ଗିଆଟିକ୍ରାରେ କୋବି ବିକ୍ରି କରି ନପାରି ଚାଷୀ ଟ୍ରାକ୍ଟର ମଡ଼ାଇ ଦେଉଛନ୍ତି। ଖାଲି ବର୍ତ୍ତମାନ ନୁହେଁ, ବର୍ଷାଧିକ ସମୟ ହେଲା ଏଭଳି ସ୍ଥିତି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦୧୩ ସେପ୍ଟେମ୍ବରରେ ଉଦ୍ୟାନ ବିଭାଗ ପକ୍ଷରୁ ଏୟାରକଣ୍ଡିସନ୍ ଆଉଟଲେଟ୍ ଖୋଲିଥିଲା। ଘରୋଇ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ସରକାରଙ୍କ ଲକ୍ଷ୍ୟ ଥିଲା, ବିଭିନ୍ନ ଗାଁରେ ପରିବାର ଚାଷୀଙ୍କ ଗ୍ରୁପ୍ ଗଠନ କରାଯିବ। ଘରୋଇ ସଂସ୍ଥା ସେମାନଙ୍କଠାରୁ ଉଚିତ ମୂଲ୍ୟରେ ତଟ୍କା ପରିବା କ୍ରୟ କରି ସୁଲଭ ମୂଲ୍ୟରେ ସହରର ପ୍ରମୁଖ ସ୍ଥାନରେ ଥିବା ଆଉଟଲେଟ୍ରେ ବିକ୍ରି କରିବ। ଏଥିପାଇଁ ତ୍ରିଶୁଳିଆରେ ସରକାରଙ୍କ ସହଯୋଗରେ ଶୀତଳ ଭଣ୍ଡାର ଖୋଲା ଯାଇଥିଲା। ପ୍ରତିଦିନ ଅନେକ ସଂଖ୍ୟାରେ ଗାଡ଼ି ଚାଷୀଙ୍କଠାରୁ ପରିବା ଆଣି ଆଉଟଲେଟ୍କୁ ଦେଉଥିଲା।
ରିହାତିରେ ତଟ୍କା ପରିବା ମିଳୁଥିବାରୁ ଗ୍ରାହକମାନେ ମଧ୍ୟ ଏହି ଆଉଟଲେଟ୍କୁ ପସନ୍ଦ କରୁଥିଲେ। ଏହାର ଜନପ୍ରିୟତା ଏତେ ବଢ଼ିଥିଲା ଯେ ଯୋଜନା କମିସନ ଉପାଧ୍ୟକ୍ଷ ମଣ୍ଟେକ୍ ସିଂ ଆଲୱାଲିଆ ଗୋଟିଏ ଆଉଟଲେଟ୍କୁ ବୁଲି ଆସି ଅନେକ ପ୍ରଶଂସା କରିଥିଲେ। ଏହାର ବ୍ୟବସାୟର ପ୍ରଭାବ ଅନ୍ୟ ଘରୋଇ ସଂସ୍ଥାକୁ ପ୍ରଭାବିତ କରିଥିଲା। ଅନଲାଇନ୍ରେ ମଧ୍ୟ ଏହା ଗ୍ରାହକଙ୍କୁ ପରିବା ବିକ୍ରି କରିବା ଆରମ୍ଭ କରିଥିଲା। ଏପରିକି ବର୍ତ୍ତମାନ ମଧ୍ୟ ଆଉଟଲେଟ୍ଗୁଡ଼ିକ ବନ୍ଦ ହୋଇଯାଇଥିଲେ ମଧ୍ୟ ୱେବସାଇଟ୍ରେ ନମ୍ବର ମହଜୁଦ ରହିଛି। ପ୍ରଥମ ବର୍ଷ ଭଳି ତଟ୍କା ପରିବା କିମ୍ବା ଗ୍ରାହକଙ୍କ ଚାହିଦା ଅନୁସାରେ ପରିବା ନ ମିଳିବାରୁ ଆଉଟଲେଟ୍ ଗୁରୁତ୍ବ ରହିଲା ନାହିଁ। ପର୍ଯ୍ୟାୟକ୍ରମେ କିନ୍ତୁ ଆଉଟଲେଟ୍ ବନ୍ଦ ହେବା ଆରମ୍ଭ ହୋଇଥିଲା। ଉଦ୍ୟାନ ବିଭାଗ ମଧ୍ୟ ସରକାରୀ ଅର୍ଥରେ ଖୋଲି ଦେଇ କାହିଁକି ବନ୍ଦ ହେଲା, ତାକୁ ମଧ୍ୟ ଗୁରୁତ୍ବ ଦେଲା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। କେବଳ ଏହି ଗୋଟିଏ ଯୋଜନା ନୁହେଁ, ପରିବା ମାର୍କେଟିଂ ନେଇ ଅଧିକାଂଶ ସରକାରୀ ଯୋଜନା ଏହି ଦଶା ଭୋଗନ୍ତି। ପ୍ରଚାରପ୍ରସାର ସହିତ ଏହାର ଆରମ୍ଭ ହୁଏ କିନ୍ତୁ ପରବର୍ତ୍ତୀ ସମୟରେ ତାହା ଉଭାନ୍ ହୋଇଯାଏ।