ଖଣ୍ଡଗିରି: ବାଟବଣା ହୋଇ ରାଜଧାନୀ ଭିତରକୁ ପଶିଆସିଥିବା ଦନ୍ତାର ଭବିଷ୍ୟତ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଦେଢ଼ ବର୍ଷରେ ଦୁଇ ଥର ରାଜଧାନୀକୁ ପ୍ରବେଶ କରିବା ସହ ଟ୍ରାଙ୍କୁଲାଇଜ୍ ହୋଇଥିଲେ ମଧ୍ୟ ସ୍ବଭାବରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦନ୍ତା ଏବେ ଜଙ୍ଗଲ ଭିତରକୁ ଯିବାକୁ ବାଟ ଖୋଜୁଛି। ବନ କର୍ମଚାରୀମାନେ ମଧ୍ୟ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ହାତୀଟି ବାରମ୍ବାର ସହର ମୁହାଁ ହେଉଥିବାରୁ ତାହାକୁ ଜଙ୍ଗଲରେ ଛଡ଼ାଯିବ ନା କୁମାରଖୁଣ୍ଟିରେ ସ୍ବତନ୍ତ୍ର ତାଲିମ ଦିଆଯିବ ସେନେଇ ବିଚାରବିମର୍ଶ ଚାଲିଛି। ହାତୀର ବଣୁଆ ପ୍ରବୃତ୍ତି ରହିଥିବାରୁ ତାହାକୁ ପୁଣିଥରେ ବଣରେ ଛାଡ଼ିବାକୁ ମତପ୍ରକାଶ ପାଇଛି। ତେବେ ପୁଣିଥରେ ବଣରେ ଛାଡ଼ିବା ପୂର୍ବରୁ ତା’ ବେକରେ ରେଡିଓ କଲାର ପକାଇବାକୁ ବନ ବିଭାଗର ଅଧିକାରୀମାନେ କହୁଛନ୍ତି।
ପୂର୍ବରୁ ଅନେକ ଥର ସହର ମଧ୍ୟକୁ ହାତୀ ପ୍ରବେଶ କରିଥିଲେ ମଧ୍ୟ ଏହା ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବନ କର୍ମଚାରୀମାନେ କହିଛନ୍ତି। କାରଣ ହାତୀଟି ଖୋର୍ଦ୍ଧା ବନଖଣ୍ଡରୁ ବାହାରି ବାରମ୍ବାର ସହରମୁହାଁ ହେଉଛି। ଖୋର୍ଦ୍ଧା ଜଙ୍ଗଲକୁ ଲାଗି ଚନ୍ଦକା ଜଙ୍ଗଲ ରହିଛି। ସେଠାକୁ ନ ଯାଇ ବାରମ୍ବାର ଦିଗ ବଦଳାଇ ଭୁବନେଶ୍ବର ଆସୁଛି। ପୂର୍ବଥର ପୁରୀର ଡେଲାଙ୍ଗ, ପିପିଲି ରାସ୍ତା ଦେଇ ଭୁବନେଶ୍ବରକୁ ପ୍ରବେଶ କରିଥିବା ବେଳେ ଏଥର କିନ୍ତୁ ଜଟଣୀ ପାର୍ଶ୍ବ ଦେଇ ଆସିଛି। କାହାର କୌଣସି କ୍ଷତି କରୁ ନ ଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ପୂର୍ବରୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟ ସଂଲଗ୍ନ ଭରତପୁର ସଂରକ୍ଷିତ ଜଙ୍ଗଲରେ ଥିବା ଦନ୍ତା ହାତୀ ‘ରାମୁ’ ବାରମ୍ବାର ଭୁବନେଶ୍ବରକୁ ପ୍ରବେଶ କରୁଥିଲା। କେବେ ଅନ୍ଧାରୁଆ ଭରତପୁରରେ ତ ଆଉ କେବେ ଶିଖରଚଣ୍ଡୀ ଅଞ୍ଚଳକୁ ପଶି ଆସୁଥିଲା। ରାମୁ’ର ମୃତ୍ୟୁ ପରେ ଲାଗୁଥିବା ସହର ମଧ୍ୟକୁ ହାତୀ ପ୍ରବେଶ କିଛି ମାତ୍ରରେ କମିଯିବ। ମାତ୍ର କମିବା ବଦଳରେ ଖୋର୍ଦ୍ଧା ଆଡ଼ୁ ହାତୀଙ୍କ ପ୍ରବେଶ ଏବେ ନୂଆ ଆହ୍ବାନ ସୃଷ୍ଟି କରିଛି।
ଜଙ୍ଗଲରେ ଛଡ଼ାଯିବ ନା କୁମାରଖୁଣ୍ଟିରେ ରହିବ
ବେକରେ ରେଡିଓକୋଲାର ପକାଇବାକୁ ଯୋଜନା
ଚନ୍ଦକାରୁ ଆସୁନାହାନ୍ତି, ଖୋର୍ଦ୍ଧାରୁ ଆସୁଛନ୍ତି
ଯଦି ଦେଖାଯାଏ ଆଗରୁ ଭରତପୁର ଜଙ୍ଗଲରୁ ବାହାରୁଥିବା ହାତୀଗୁଡ଼ିକ ମୁଖ୍ୟତଃ ଖାଦ୍ୟ ଅନ୍ବେଷଣରେ ଓୟୁଏଟି ଫାର୍ମ ହାଉସ୍ କିମ୍ବା ଜୟଦେବ ବାଟିବାରେ ଡେରା ପକାଉଥିଲେ। ୨୦୧୮ ଫେବ୍ରୁଆରିରେ ଘାଟିକିଆସ୍ଥିତ ଓୟୁଏଟି ଫାର୍ମ ହାଉସରେ ଦନ୍ତାହାତୀ ପ୍ରବେଶ କରି ଉତ୍ପାତ କରିଥିଲା। ୨୦୨୧ ବେଳକୁ ଜୟଦେବ ବାଟିକାରେ ମଧ୍ୟ ଏକ ଦନ୍ତା ପଶି ପାଚେରି ଭାଙ୍ଗିବା ସହ ବ୍ୟାପକ ଗଛ ନଷ୍ଟ କରିଥିଲା। ତେବେ ଗତକାଲି ଟ୍ରାଙ୍କୁଲାଇଜ୍ ହୋଇଥିବା ଦନ୍ତା ଖୋର୍ଦ୍ଧା ଆଡ଼ୁ ଆସୁଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି। କାରଣ ହାତୀ ଯେଉଁ ରାସ୍ତା ଦେଇ ଆସୁଛି ନିକଟରେ କୌଣସି ଜଙ୍ଗଲ ନ ଥିବାରୁ ତାହାକୁ ପୁଣିଥରେ ଜଙ୍ଗଲ ଭିତରକୁ ନେବାକୁ କୌଣସି ବାଟ ନାହିଁ। ୨୦୨୨ ନଭେମ୍ବରରେ ଏହି ହାତୀଟି ଖୋର୍ଦ୍ଧା ଜରିପୁଟ ଦେଇ ଡେଲାଙ୍ଗ ଅଞ୍ଚଳକୁ ଚାଲି ଯାଇଥିଲା। ପରେ ହାତୀକୁ ପିପିଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ସେଠାରେ ବ୍ୟାପକ ପାଚିଲା ଧାନ ଫସଲ ନଷ୍ଟ କରିଥିଲା। ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ତାକୁ ଘଉଡ଼ାଇ ପୁଣି ଜଙ୍ଗଲମୁହାଁ କରିବାକୁ ଲାଗିଥିଲେ। ଏହାପରେ ପିପିଲି ପୁରୁଣା ବଜାର ଦେଇ କୌଶଲ୍ୟାଗଙ୍ଗ ଫାଣ୍ଡିରୁ ଜାତୀୟ ରାଜପଥ ଅଞ୍ଚଳକୁ ଚାଲିଆସିଥିଲା। ହାତୀଟି ଧଉଳିରୁ ଗ୍ୟାରେଜ୍ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ତାପରେ ସେଠାରୁ ସୁନ୍ଦରପଦା, ପୋଖରୀପୁଟ ଦେଇ ଆଇଗିଣିଆ ଆଡ଼େ ଯାଇଥିଲା। ଏଥର ଜଟଣୀ ଅଞ୍ଚଳର ଜନବସତି ଭିତରେ ପଶି ଆସିଥିବାରୁ ତାହାକୁ ଘଉଡ଼ାଇବାର କୌଣସି ବାଟ ହିଁ ନ ଥିବା ବନ ଅଧିକାରୀମାନେ କହିଛନ୍ତି।
ଜଣେ ଅଧିକାରୀ କହିଛନ୍ତି ଯେ, ଏପାଖରେ ଜାତୀୟ ରାଜପଥ ରହିଛି। ତାହା ପାର୍ କରି ଘଉଡ଼ାଇବାକୁ ହେଲେ ଜନସବତି ଭିତରେ ପଶିବାକୁ ପଡ଼ିବ। ଓଭରବ୍ରିଜ୍ ତଳେ ଗଳି ହାତୀ ଯିବା ସମ୍ଭବପର ନୁହେଁ। ଜାତୀୟ ରାଜପଥ ପାରି କରିବାକୁ ହେଲେ ନିର୍ଦ୍ଦିଷ୍ଟ ଭାବେ ଶନିମନ୍ଦିର ଛକ ନ ହେଲେ ୱେଲକମ୍ ହୋଟେଲ ସମ୍ମୁଖ ଜାତୀୟ ରାଜପଥରେ ପାରି କରାଯାଇପାରିଥାନ୍ତା। ମାତ୍ର ଘଉଡ଼ାଇବା ସମୟରେ ହାତୀ ଉତ୍ପାତ କରିବାର ଆଶଙ୍କା ମଧ୍ୟ ରହିଥିଲା। ଲୋକଙ୍କର କ୍ଷତି ହେବାର ଆଶଙ୍କା ମଧ୍ୟ ରହିଥିବାରୁ ବାଧ୍ୟ ହୋଇ ଟ୍ରାଙ୍କୁଲାଇଜ୍ କରି ସ୍ଥାନାନ୍ତର କରିବାକୁ ପଡ଼ିଲା ବୋଲି ଅଧିକାରୀ ଜଣକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/13/DrKIz3HvudnJU8edpK21.jpg)