ଭୁବନେଶ୍ବର: ଅର୍ଚ୍ଚନା ନାଗ ଭଳି ୧୦ବର୍ଷ ତଳେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିଲେ କୁମ୍‌କୁମ୍ ସ ନାମକ ଜଣେ ମହିଳା। ଏକାଧିକ ବ୍ୟକ୍ତିଙ୍କୁ ବିଭିନ୍ନ ଉପାୟରେ ଠକି କୋଟିକୋଟି ଟଙ୍କା ଲୁଟି ନେଇଥିଲେ ସେ। ପ୍ରବାସୀ ଭାରତୀୟଙ୍କଠାରୁ ଆରମ୍ଭ କରି ଡାକ୍ତର, ଇଂଜିନିୟର, ପୁଲିସ ଓ ଠିକାଦାରମାନେ ତାଙ୍କ ମାୟାଜାଲରେ ପଡ଼ିଥିଲେ। ଏନେଇ ରାଜଧାନୀର ବିଭିନ୍ନ ଥାନାରେ କୁମ୍‌କୁମ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୁଲିସ ତାଙ୍କୁ ଧରିନ ପାରିବାରୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିବାର ୧୦ବର୍ଷ ହୋଇଗଲାଣି। କିନ୍ତୁ ତାଙ୍କର ପତ୍ତା ନ ପାଇବାରୁ ଏହି ମାମଲା ବନ୍ଦ ହୋଇଗଲାଣି ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।

Advertisment

କୁମ୍‌କୁମ୍‌ କୁଆଡ଼େ ଗଲେ, ତାହା ଏବେ ବି ରହସ୍ୟମୟ ହୋଇରହିଛି। ତାଙ୍କୁ କେହି ହତ୍ୟା କରିଛି ନା ପରିଚୟ ବଦଳାଇ ସେ କେଉଁଠି ଆତ୍ମଗୋପନ କରିଛନ୍ତି, ତାହା ଜାଣିବା କଷ୍ଟକର ହୋଇପଡ଼ିଛି। ପରିବାରଲୋକ ମଧ୍ୟ ଏ ସମ୍ପର୍କରେ ପୁଲିସ ଡିସିପିଙ୍କଠାରୁ ଆରମ୍ଭ କରି ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ।

ଗୌତମନଗର ଅଞ୍ଚଳରେ ରହୁଥିବା କୁମ୍‌କୁମ୍‌ ୨୦୧୦ ମସିହାରେ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦେଇଥିଲେ ଯେ ଭୁବନେଶ୍ବରରେ ଥିବା ତାଙ୍କର ସୁନାଗହଣା ଦୋକାନ, ବାରିପଦା ଓ ଭୁବନେଶ୍ବରରେ ଥିବା ପେଟ୍ରୋଲ ପମ୍ପ, ବଡ଼ଗଡ଼ ଅଞ୍ଚଳରେ ଥିବା ଏକ ଫ୍ଲାଟ ବିକ୍ରି କରିବାକୁ ଚାହୁଛନ୍ତି। ବିଜ୍ଞାପନ ଦେଖି ଏକାଧିକ ଶିଳ୍ପପତି, ଖଣି ମାଲିକ, ଜଣେ ପ୍ରବାସୀ ଭାରତୀୟ ତାଙ୍କୁ ଯୋଗାଯୋଗ କରିଥିଲେ। କୁମ୍‌କୁମ୍ ସମସ୍ତଙ୍କୁ ଅଲଗା ଅଲଗା ଏକ ତାରକା ହୋଟେଲକୁ ଡାକି ଡିଲ୍ କରିଥିଲେ। ୫ଜଣଙ୍କ ସହିତ ରାଜିନାମା କରି ୫କୋଟି ଟଙ୍କା ଅଗ୍ରିମ ନେଇଥିଲେ। କିନ୍ତୁ ବଦଳରେ ଯେଉଁ ଫ୍ଲାଟ୍‌, ପେଟ୍ରୋଲ ପମ୍ପ, ସୁନାଗହଣା ଦୋକାନ ସମ୍ପର୍କରେ କହିଥିଲେ, ତାହା ବାସ୍ତବରେ କିନ୍ତୁ ନ ଥିଲା।

ସେମାନଙ୍କୁ କୁମ୍‌କୁମ୍ ଜାଲ କାଗଜପତ୍ର ପ୍ରଦାନ କରିଥିଲେ। ଏହା ଜଣାପଡ଼ିବା ପରେ ଠକେଇର ଶିକାର ବ୍ୟକ୍ତିମାନେ ବଡ଼ଗଡ଼, କ୍ୟାପିଟାଲ, ଲକ୍ଷ୍ମୀସାଗର ଓ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଶେଷରେ ଅଭିଯୋଗକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଆସିବା ପରେ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ।