ଯାତ୍ରାଭିନୟରେ ଆପଣଙ୍କ କ୍ୟାରିୟର୍‌ ସୀମିତ। ଜଣେ କଳାକାର କ’ଣ ଗୋଟାଏ ମାଧ୍ୟମରେ ସୀମିତ ରହିବା ଉଚିତ? ଆପଣଙ୍କର କେବେ ଧାରାବାହିକ କିମ୍ବା ସିନେମାରେ ଅଭିନୟ କରିବାକୁ ଇଚ୍ଛା ହୁଏନି?
ଯାତ୍ରାରେ ମୁଁ ବହୁତ ଭଲରେ ଅଛି। ମୋତେ ଲୋକ ଅଜସ୍ର ଭଲପାଇବା ଦେଉଛନ୍ତି। ଲୋକ ଜାଣୁଛନ୍ତି, ଡଲି ଭୂୟାଁ ବୋଲି ଜଣେ କଳାକାର ଅଛି। ସେଇଟା ହିଁ ହେଉଛି ମୋ ଜୀବନର ବଡ଼ ସଫଳତା। ମୋତେ ଭିନ୍ନ ମାଧ୍ୟମରୁ ସୁଯୋଗ ଆସିଛି। ହେଲେ ମୁଁ ସମୟ ଦେଇପାରିନାହିଁ। ଜଣେ ଯାତ୍ରା କଳାକାର ଭାବରେ ମୁଁ ଢେର୍ ସନ୍ତୁଷ୍ଟ।

Advertisment

ଗୋଟେ ନାଟକ କେତେବେଳେ ହିଟ୍ ହୁଏ? ଭଲ କାହାଣୀ ହେଲେ ନା ଭଲ କଳାକାର ଥିଲେ?
ଦୁଇଟାଯାକ ପରିପୂରକ। ଯଦି କାହାଣୀ ମନଛୁଆଁ ହୋଇଥାଏ ହେଲେ ତାକୁ ମଞ୍ଚରେ ଫୁଟାଇବା ଭଳି କଳାକାର ନଥାନ୍ତି; ତେବେ ନାଟକ ମାନ୍ଦା ଲାଗେ। ଯଦି କଳାକାର ଭଲଥାଆନ୍ତି ହେଲେ କାହାଣୀର ଦମ୍ ନଥାଏ ତ ସେ ନାଟକ ଭଲ ଲାଗେନି। ଗୋଟାଏ ସଫଳ ନାଟକ ପାଇଁ ଉଭୟ କାହାଣୀ ଓ କଳାକାର ସମାନ ଗୁରୁତ୍ବ ରଖନ୍ତି ବୋଲି ମୁଁ ବିଶ୍ବାସ କରେ।

ଆପଣଙ୍କର ପ୍ରିୟ କଳାକାର କିଏ?
ମୋତେ ସୁରେଶ ପଣ୍ଡା ଓ ଦଇତାରୀ ପଣ୍ଡାଙ୍କ ସହ ଅଭିନୟ କରିବାକୁ ବହୁତ ଭଲ ଲାଗେ। 

ଆପଣଙ୍କ ବୈବାହିକ ଜୀବନ ବିବାଦପୂର୍ଣ୍ଣ ବୋଲି ଶୁଣିବାକୁ ମିଳେ। ଏହାର କାରଣ ସଂପର୍କରେ କହିବାକୁ ଆପଣଙ୍କର ଆପତ୍ତି ନାହିଁ ତ?

ନା। ଆମ ଭିତରେ କିଛି ବି ବିବାଦ ନାହିଁ। ମୋ ସ୍ବାମୀ ବହୁତ ଭଲ। ଆପଣ ଯାହା ଶୁଣିଛନ୍ତି; ତାହା କିଛି ମାତ୍ରାରେ ସତ ହୋଇପାରେ। ମାତ୍ର ପ୍ରକୃତ ସତ୍ୟ କେହି ଜାଣନ୍ତି ନାହିଁ। ଲୋ‌େକ ଭାବନ୍ତି, ଆମ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପଡ଼େନାହିଁ। ମାତ୍ର ଆମେ ପରସ୍ପରକୁ ଖୁବ୍ ଭଲପାଉ। ଭଲମନ୍ଦରେ ପାଖରେ ଛିଡ଼ାହେଉ ଓ ସମର୍ଥନ ବି ଦେଉ। ଏକ ଭଲ ଦାମ୍ପତ୍ୟ ପାଇଁ ଆଉ କ’ଣ ଦରକାର?

ଦୁହିଁଙ୍କ ମଧ୍ୟରେ ଯଦି ସବୁ ଠିକ୍, ତେବେ କାହିଁକି ଅଲଗା ରହୁଛନ୍ତି?

ମୋତେ ବିବାହ କରିବା ପୂର୍ବରୁ ସେ ବିବାହ କରିଥିଲେ। ଏବେ ସେ ତାଙ୍କ ପ୍ରଥମ ପରିବାର ସହ ଅଛନ୍ତି। ତାଙ୍କର ସ୍ତ୍ରୀ, ପିଲା ଅଛନ୍ତି। ମୁଁ ଚାହେ ସେ ପରିବାର ସହ ଖୁସିରେ ରହନ୍ତୁ। ସେ ଭଲରେ ରହିଲେ ମୁଁ ଖୁସି। ମୋ ପାଇଁ ତାଙ୍କ ସଂସାରରେ କୌଣସି ବିବାଦ ହେଉ ବୋଲି ମୁଁ ଚାହେନି। ମୋ ପୁଅ ବଡ଼ ହୋଇଗଲାଣି। ମୋର ଆଉ କୌଣସି ଅସୁବିଧା ନାହିଁ। ପୁଅର ଦରକାର ବେଳେ ତା’ ବାପା ଛିଡ଼ା ହେଉଛନ୍ତି, ସେତିକି ମୋ ପାଇଁ ଯଥେଷ୍ଟ।

ଜଣେ ବିବାହିତ ପୁରୁଷଙ୍କୁ କାହିଁକି ବିବାହ କଲେ?

ମୁଁ ଜାଣି ନଥିଲି ସେ ବିବାହିତ ବୋଲି। ମୋ ଅଭିନୟ ଦେଖି ସେ ମୋତେ ପସନ୍ଦ କଲେ ଓ ବିବାହ ପ୍ରସ୍ତାବ ନେଇ ଆମ ଘରକୁ ଗଲେ। ମୋତେ ବି ସେ ଭଲ ଲାଗିଲେ। ହେଲେ ବିବାହ ପରେ ମୁଁ ଜାଣିଲି ଯେ ସେ ଆଗରୁ ବାହା ହୋଇଛନ୍ତି। ମୋ ସ୍ବାମୀଙ୍କର ଏଇ ଗୋଟାଏ କଥା ମୋତେ ଖରାପ ଲାଗିଥିଲା। ଏହାକୁ ଛାଡ଼ିଲେ ତାଙ୍କର ଆଉ କୌଣସି ଖରାପ ଗୁଣ ନାହିଁ। ସେ ଅଲଗା ରହୁଛନ୍ତି ସତ, ହେଲେ ତାଙ୍କ ପ୍ରତି ମୋ ଭଲପାଇବା ଜୀବନଯାକ ରହିବ। ମୁଁ ଜାଣେ, ସେ ମଧ୍ୟ ମୋତେ ଖୁବ୍ ଭଲପାଆନ୍ତି।

ଆପଣ ସିଙ୍ଗଲ୍-ମଦର୍‌ ହେବା ସହ ଜଣେ ଯାତ୍ରା କଳାକାର। ରାତି ରାତି ବାହାରେ ରହନ୍ତି। ପୁଅକୁ ବଡ଼ କରିବା ତ କଷ୍ଟକର ହୋଇଥିବ?

ବିଶେଷ କଷ୍ଟକର ହୋଇନି। କାରଣ ମୋର ଦୁଇ ଭଉଣୀଙ୍କ ପାଖରେ ସେ ବଡ଼ ହୋଇଛି। ମୋ ପୁଅ ଯଦି ଆଜି ଭଲ ମଣିଷ ହୋଇଛି, ତାହାର ଶ୍ରେୟ ମୋର ଭଉଣୀଙ୍କୁ ଦେବି। ମୁଁ ରାତି ରାତି ବାହାରେ ଥିଲେ ବି ମୋ ପୁଅ କେବେ ମା’ର ଅଭାବ ଅନୁଭବ କରିନାହିଁ। ମାଉସୀଙ୍କଠାରୁ ସ୍ନେହ ପାଇଛି।