କେଉଁ ବହି ପଢ଼ିବେ ପିଲା? ଏନ୍‌ସିଇଆର୍‌ଟି ପୁସ୍ତକ ନା ଘରୋଇ ପ୍ରକାଶନୀ ସଂସ୍ଥାଙ୍କ ବହି

ଅଭିଭାବକ ମହାସଂଘ-ଘରୋଇ ସ୍କୁଲ ମହାସଂଘ ମୁହାଁମୁହିଁ, ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ, ଅଭିଭାବକ, ରାଜ୍ୟ ସରକାର ଚୁପ୍‌

ଭୁବନେଶ୍ବର: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟଗୁଡ଼ିକରେ କେଉଁ ବହି ପଢ଼ାଯିବ? କୋମଳମତି ଛାତ୍ରଛାତ୍ରୀ ଏନ୍‌ସିଇଆରଟି ଦ୍ବାରା ପ୍ରଚଳିତ ବହି ବଢ଼ିବେ ନା ଘରୋଇ ପ୍ରକାଶନୀ ସଂସ୍ଥାଙ୍କ ଦ୍ବାରା ଛପା ଯାଇଥିବା ପାଠ୍ୟପୁସ୍ତକ ପଢ଼ିବେ? କେଉଁଟା ଠିକ୍‌? ଏଭଳି ଦୋଛକିରେ ଛନ୍ଦି ହୋଇପଡ଼ିଛନ୍ତି ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ। ଗୋଟିଏପଟେ ରାଜ୍ୟରେ ଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଘରୋଇ ସଂସ୍ଥାଙ୍କ ଦ୍ବାରା ପ୍ରକାଶିତ ବହି ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଉଛନ୍ତି। ଅନ୍ୟପଟେ ସିବିଏସ୍‌ଇ, ଏନ୍‌ସିପିସିଆର ପରି କେନ୍ଦ୍ର ସରକାରଙ୍କ ସଂସ୍ଥା ବିଭିନ୍ନ ସମୟରେ ବିଜ୍ଞପ୍ତି ପ୍ରକାଶ କରି ଛାତ୍ରଛାତ୍ରୀଙ୍କୁ କେବଳ ଏନ୍‌ସିଇଆରଟି ଦ୍ବାରା ପ୍ରଚଳିତ ପାଠ୍ୟ ପୁସ୍ତକ ପଢ଼ାଇବାକୁ ନିର୍ଦେଶ ଦେଉଛନ୍ତି। ପରବର୍ତୀ ସମୟରେ ନିଷ୍ପତ୍ତିରେ ସଂଶୋଧନ ବି କରୁଛନ୍ତି। ଏନେଇ ଦେଶର ଏକାଧିକ ହା‌ଇକୋର୍ଟରେ ଏବେ ମାମଲା ଚାଲିଛି।

ଏଭଳି ସ୍ଥିତିକୁ ନେଇ ଓଡ଼ିଶାର ଅଭିଭାବକଙ୍କ ଚିନ୍ତା ବଢ଼ି‌ବାରେ ଲାଗିଛି। ସେମାନେ ଏବେ ପ୍ରଶ୍ନ କରୁଛନ୍ତି, ପିଲାଙ୍କୁ କେଉଁ ବହି କିଣି ପଢ଼ିବାକୁ ଦେବୁ? କାରଣ ସିବିଏସ୍‌ଇ ପକ୍ଷରୁ ବିଭିନ୍ନ ସମୟରେ ପ୍ରକାଶିତ ବିଜ୍ଞପ୍ତି ଓ ଏନ୍‌ସିପିସିଆର ନିର୍ଦେଶକୁ ଦେଖାଇ ଓଡ଼ିଶା ଅଭିଭାବକ ମହାସଂଘ ଦୀର୍ଘ ଦିନ ହେଲା ଆନ୍ଦୋଳନ ଜାରି ରଖିଛି। ନିୟମକୁ କଡ଼ାକଡ଼ି କରିବା ଦାବିରେ ମହାସଂଘର ସଦସ୍ୟମାନେ ସ୍କୁଲଠାରୁ ଆରମ୍ଭ କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସୁଛନ୍ତି। କିଛି ଦିନ ହେଲା ସାରା ଓଡ଼ିଶାରେ ଏଭଳି ସମସ୍ୟା ଉପୁଜିଛି। ଅଭିଭାବକମାନେ ଦୋଛକିରେ ଥିବା ସମୟରେ ଓଡ଼ିଶା ଘରୋଇ ସ୍କୁଲ ମହାସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ‌ରେ ଓଡ଼ିଶା ଅଭିଭାବକ ମହାସଂଘର ଅଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଯାଇଛି। ଏଥିସହ ଗତ ୨୯ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ପ୍ରକାଶିତ ରାୟକୁ ବି ପ୍ରଦର୍ଶିତ କରାଯାଇଛି। ଓଡ଼ିଶା ଘରୋଇ ସ୍କୁଲ ମହାସଂଘର ବଦ୍ରି ପଟ୍ଟନାୟକ କହିଛନ୍ତି ଯେ ଶିକ୍ଷା ପ୍ରଣାଳୀ ଓ ଶିକ୍ଷା ପଦ୍ଧତିକୁ ନିମ୍ନଗାମୀ କରିବା ପାଇଁ ଅଭିଭାବକ ମହାସଂଘ ଉଦ୍ୟମ କରୁଛି। ଏହା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଛି। ହାଇକୋର୍ଟଙ୍କ ନିର୍ଦେଶକୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନୁ ନାହାନ୍ତି କହିବା ସମ୍ପୂର୍ଣ୍ଣ ଭିତ୍ତିହୀନ। ୨୦୧୯ ମେ’ ୯ ତାରିଖରେ ଏନ୍‌ସିପିସିଆର ଚିଠି ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ନିର୍ଦେଶକୁ ହାଇକୋର୍ଟ ସ୍ଥଗିତ କରିବାକୁ ପାଇଁ ଆଦେଶ ପ୍ରଦାନ କରିଛନ୍ତି। ସ୍କୁଲ୍‌ବ୍ୟାଗ୍‌ ଓଜନ କମାଇବା ପାଇଁ ରାଜ୍ୟ ସରକାର ଓ ସିବିଏସ୍‌ଇର ପ୍ରତ୍ୟେକ ନିୟମକୁ ସ୍କୁଲ କର୍ତୃପକ୍ଷ ପାଳନ କରୁଛନ୍ତି। ୨୦୧୮ ଜୁନ୍‌ ୨୧ରେ ସିବିଏସ୍‌ଇ ପକ୍ଷରୁ କୁହାଯାଇଥିଲା ଯେ ପ୍ର‌ତ୍ୟେକ ବିଦ୍ୟାଳୟ ଏନ୍‌ସିଇଆର୍‌ଟି ବହି ବ୍ୟତୀତ ଅନ୍ୟ ବହି, ସ୍କୁଲ ୟୁନିଫର୍ମ, ନୋଟବୁକ୍‌ ଓ ନିତ୍ୟ ବ୍ୟବହାର୍ଯ୍ୟ ପାଠ୍ୟ ସାମଗ୍ରୀ ବିକ୍ରି କରିପାରିବେ। ତେଣୁ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଓ ସରକାରୀ କର୍ତୃପକ୍ଷ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟରେ ବିଶ୍ବାସ ନ କରି ଶିକ୍ଷାର ପ୍ରଗତି ପାଇଁ କାମ କରିବାକୁ ମହାସଂଘ ପକ୍ଷରୁ ଆହ୍ବାନ କରାଯାଇଛି।

ଅନ୍ୟପକ୍ଷରେ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁ‌ଦେବ ଭଟ୍ଟ କହିଛନ୍ତି ଯେ ୨୦୧୮ ଅଗଷ୍ଟ ୧୩ରେ ସିବିଏସ୍‌ଇ ପକ୍ଷରୁ ନ୍ୟାସନାଲ କରିକୁଲମ୍‌ ଫ୍ରେମ୍‌ୱାର୍କ ମଧ୍ୟରେ କ’ଣ କରାଯାଇପାରିବ, ସେନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏବେ ଘରୋଇ ବିଦ୍ୟାଳୟଗୁଡ଼ିକ ବେପାର କରୁଛନ୍ତି। ଗତ ୨୯ ତାରିଖରେ ଓଡ଼ିଶା ହାଇକୋର୍ଟ ଏନ୍‌ସିପିସିଆରର ରିକୋମୋଡେସନ୍‌କୁ ସ୍ଥଗିତ କରିଛନ୍ତି। ଘରୋଇ ସ୍କୁଲ ମହାସଂଘ ଘରୋଇ ପ୍ରକାଶନୀ ସଂସ୍ଥାଙ୍କ ବହି ବିକ୍ରି କରିବାକୁ ଚକ୍ରାନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର