ବାଇକ୍‌ ସହଯାତ୍ରୀଙ୍କୁ ହେଲ୍‌ମେଟ୍‌ କେବେ?

ସଚିବାଳୟରେ ନିଷ୍ପତ୍ତି ହେଲା, ରାଜଧାନୀରେ କାର୍ଯ୍ୟକାରୀ ହେଲାନି

ଭୁବନେଶ୍ୱର: ବାଇକ୍‌ କିମ୍ବା ସ୍କୁଟର୍‌ରେ ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ। ଛ’ ମାସ ତଳେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏପରି ନିଷ୍ପତ୍ତି ନିଆଗଲା। ଏହା ତୁରନ୍ତ ଲାଗୁ ହେବ ବୋଲି ସୂଚନା ଦିଆଗଲା। ଏହି ନିଷ୍ପତ୍ତି ଗଣମାଧ୍ୟମର ଶିରୋନାମା ପାଲଟିଲା। କିନ୍ତୁ ପାଞ୍ଚ ମାସ ପରେ ଏହି ନିୟମ କେଉଁଠି ଲାଗୁ ହୋଇଛି, ତାହା ଜଣାପଡ଼ୁନି। ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ କରି ବରିଷ୍ଠ ଅଧିକାରୀମାନେ ତାଙ୍କ ଦାୟିତ୍ୱ ସାରିଦେଲେ। ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଗଲା ବୋଲି ଧରି ନେଲେ। କିନ୍ତୁ ତଳସ୍ତରରେ ଏହାର ପ୍ରଭାବ ଆଦେଁ ପଡ଼ି ନାହିଁ। ରାଜ୍ୟର ଅନ୍ୟ ସ୍ଥାନ ଦୂରର କଥା, ଖୋଦ୍‌ ରାଜଧାନୀରେ ହିଁ ଏହି ନିୟମ ଲାଗୁ କରାଯାଇ ନାହିଁ। ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଉଭୟ ବାଇକ ଚାଳକ ଓ ସହଯାତ୍ରୀଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ରହିଛି। କିନ୍ତୁ ଓଡ଼ିଶାରେ କେବଳ ମୋଟର୍‌ ସାଇକେଲ୍‌ ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରାଯାଇଛି। ଏବେ ରାଜ୍ୟରେ ମୋଟର୍‌ସାଇକେଲ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ଗତ ବର୍ଷ ଅଗଷ୍ଟ ମାସରେ ଉଭୟ ଚାଳକ ଓ ସହଯାତ୍ରୀଙ୍କୁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯଦି ସେମାନେ ଏହି ଆଇନର ଉଲ୍ଲଂଘନ କରିବେ, ତେବେ ସେମାନଙ୍କ ବିରୋଧରେ ମୋଟର ଯାନ ଆଇନ ଆଧାରରେ ପୁଲିସ ମାମଲା ରୁଜୁ କରିବ।

ପୁଲିସ୍‌ ଓ ପରିବହନ ବିଭାଗ ମଧ୍ୟରେ ସମନ୍ଵୟ ନାହିଁ

ସାଧାରଣତଃ କୌଣସି ଏକ ନିୟମ ଲାଗୁ କରାଗଲା ବେଳେ ତାହା ପୂର୍ବରୁ ସେ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଏ। ଭୁବନେଶ୍ୱର ଓ କଟକରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ମୋଟର୍‌ ସାଇକେଲ୍‌ ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ଓ କାର୍‌ ଚାଳକଙ୍କ ପାଇଁ ସିଟ୍‌ ବେଲ୍‌ଟ୍‌ ବାଧ୍ୟତାମୂଳକ କରାଗଲା ବେଳେ ବ୍ୟାପକ ସଚେତନତା କରାଯାଇଥିଲା। ତାହା ପରେ ଅତର୍କିତ ଯାଞ୍ଚ୍‌ କରାଯାଇ ଜରିମାନା ଆଦାୟ କରାଗଲା। କିନ୍ତୁ ମୋଟର୍‌ ସାଇକେଲ୍‌ର ସହଯାତ୍ରୀ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରାଯିବା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସଚେତନତା ସୃଷ୍ଟି କରାଯାଇ ନାହିଁ। କମିସନରେଟ୍‌ ପୁଲିସ୍‌ ଏହି ନିୟମ ସମ୍ପର୍କରେ ଅଜ୍ଞ ନା ଏହାକୁ କାର୍ଯ୍ୟକାରୀ କରି ଅଯଥା କାମ ଚାପ ନେବାକୁ ଚାହୁଁନି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଟ୍ରାଫିକ ଏସିପି ଯତୀନ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ଏହି ନିୟମ ଲାଗୁ କରାଯିବା ସମ୍ପର୍କରେ କୌଣସି ନିର୍ଦ୍ଦେଶ ଆମ ପାଖକୁ ଆସି ନାହିଁ। ନିର୍ଦ୍ଦେଶ ଆସିଲେ ନିଶ୍ଚିତ ଭାବେ ଆଇନ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନିଆଯିବ। ପ୍ରଥମେ ସଚେତନତା ସୃଷ୍ଟି କରାଯିବ ଓ ପରେ ତାହାକୁ ଲାଗୁ କରାଯିବ। ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କ କହିବା କଥା ହେଲା, ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଛି। ସେଥିପାଇଁ ପିଲିଅନ ରାଇଡର୍‌ ହେଲ୍‌ମେଟ୍‌ ପିନ୍ଧିବାର ବ୍ୟବସ୍ଥା କରାଯାଇଛି। ଏହି ନିୟମ ବଳବତ୍ତର ଅଛି। ତେଣୁ ଏହାକୁ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେବା କଥା। ପରିବହନ ଅଧିକାରୀ ନିୟମ ଲାଗୁ ହୋଇଛି ବୋଲି କହୁଥିଲା ବେଳେ ପୁଲିସ୍‌ ଅଧିକାରୀ ନିୟମ ସମ୍ପର୍କରେ ନିଜ ଅଜ୍ଞତା ପ୍ରକାଶ କରୁଛନ୍ତି। ଖୋଦ୍‌ ରାଜଧାନୀରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ କରିବା ନେଇ ଦୁଇଟି ବିଭାଗ ମଧ୍ୟରେ ସମନ୍ଵୟ ନ ରହିବା ଆଶ୍ଚର୍ଯ୍ୟର ବିଷୟ। ଯେହେତୁ ଶତ ପ୍ରତିଶତ ଚାଳକ ଏ ଯାଏଁ ହେଲ୍‌ମେଟ୍‌ ପିନ୍ଧିପାରି ନାହାନ୍ତି, ତେଣୁ ପଛରେ ବସୁଥିବା ଯାତ୍ରୀଙ୍କୁ ହେଲ୍‌ମେଟ୍‌ ପିନ୍ଧାଇବାକୁ ପୁଲିସ୍‌ ସମ୍ଭବତଃ ଚାହୁଁ ନାହିଁ।

ସମ୍ବନ୍ଧିତ ଖବର