କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟର ଏନ୍ଆଇଆରଏଫ୍ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକାରେ ଭୁବନେଶ୍ୱରର ଶିକ୍ଷାନୁଷ୍ଠାନଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି। ଆଇଆଇଟି, ସୋଆ, କିଟ୍ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶହେ ମଧ୍ୟରେ ରହିଛନ୍ତି। ସିଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ନିଜର ସ୍ଥିତିକୁ ପୁଣିଥରେ ଦୋହରାଇଛି। ଜାଭିଅର ବିଶ୍ୱବିଦ୍ୟାଳୟ ମଧ୍ୟ ର୍ୟାଙ୍କ ପାଇବାରେ ସକ୍ଷମ ହୋଇଛି। କେତେକ ଶିକ୍ଷାନୁଷ୍ଠାନ ତଳ ର୍ୟାଙ୍କକୁ ଖସିଥିବା ବେଳେ ଆଉ କେତେକଙ୍କର ଉନ୍ନତି ହୋଇଛି। ପ୍ରଥମ ଥର ଲାଗି ଓୟୁଏଟି ର୍ୟାଙ୍କ ମଧ୍ୟକୁ ଆସିଥିବାରୁ ରାଜ୍ୟ ସରକାରଙ୍କୁ ମିଳିଛି କିଛିଟା ଆଶ୍ୱସ୍ତି। ଉତ୍କଳ ସମେତ ରମାଦେବୀ, ଉତ୍କଳ ସଂସ୍କୃତି ବିଶ୍ୱବିିଦ୍ୟାଳୟ, ସିଇଟି, ବିଜେବି, ରାଜଧାନୀ କଲେଜ ପରି ଶିକ୍ଷାନୁଷ୍ଠାନ ନିରାଶ କରାଇଛନ୍ତି। ର୍ୟାଙ୍କିଙ୍ଗ୍ ପ୍ରକାଶ ପାଇବା ପରେ କେଉଁଠି ଖୁସି ଦେଖିବାକୁ ମିଳିଛି ତ ଆଉ କେଉଁଠି ଖେଳିଯାଇଛି ନିରାଶ।
ଆଇଆଇଟି ପାଇଁ ଖୁସି ଖବର
୨୦୧୭ରେ ୬୬ତମ ସ୍ଥାନରେ ରହିଥିଲା ଭୁବନେଶ୍ୱର ଆଇଆଇଟି। ଏଥର ଉନ୍ନତ ପ୍ରଦର୍ଶନ କରିଛି। ଶ୍ରେଷ୍ଠ ୫୦ ମଧ୍ୟକୁ ଆସିବାକୁ ଗୋଟିଏ ମାତ୍ର ପାଦ ପଛରେ ରହିଯାଇଛି। ଖୁବ୍ କମ୍ ଦିନରେ ଆଇଆଇଟି ଭଲ ପ୍ରଦର୍ଶନ କରିଛି। ଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଷ୍ଠା ହୋଇଥିବା ଆଇଆଇଟିଗୁଡ଼ିକ ମଧ୍ୟରେ ଆଗରେ ରହିଛି ଭୁବନେଶ୍ୱର ଆଇଆଇଟି। ଏଠାକାର ଛାତ୍ରଛାତ୍ରୀ ବାହାରେ ଭଲ ନିଯୁକ୍ତି ପାଉଛନ୍ତି। ଗବେଷଣା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ୨୦୧୯ ସୁଦ୍ଧା ସ୍ଥାୟୀ କ୍ୟାମ୍ପସ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଆହୁରି ଭଲ ର୍ୟାଙ୍କ ମିଳିବ।
-ପ୍ରଫେସର ଆର.ଭି. ରାଜାକୁମାର, ନିର୍ଦେଶକ, ଭୁବନେଶ୍ୱର ଆଇଆଇଟି
ଓୟୁଏଟି ପାଇଁ ଗୌରବ
କିଛି ମାସ ପୂର୍ବରୁ ଦେଶର କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକକୁ ନେଇ କରାଯାଇଥିବା ସର୍ଭେରେ ଭଲ ର୍ୟାଙ୍କ ପାଇଥିଲା। ପୂର୍ବାଞ୍ଚଳରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲୁ। ଏବେ ପୁଣି ଜାତୀୟସ୍ତରରେ ଏକ ମାନ୍ୟତା ମିଳିବା ଖୁସିର ବିଷୟ। ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ମିଳିବ ବୋଲି ଆଶା ରଖିଥିଲୁ। କିନ୍ତୁ ଦେଶର ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ମିଳିଛି। ଓୟୁଏଟିର ପ୍ରଫେସର, ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ଉଦ୍ୟମ ଯୋଗୁଁ ଏଭଳି ସଫଳତା ମିଳିଛି। ରାଜ୍ୟର ଏକ ନମ୍ବର ପବ୍ଲିକ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିବା ଗର୍ବ ଓ ଗୌରବର ବିଷୟ। ଆସନ୍ତାବର୍ଷକୁ ଆହୁରି ଭଲ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ହାତକୁ ନିଆଯିବ।
-ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, କୁଳପତି, ଓୟୁଏଟି
ଆବେଦନରେ ତ୍ରୁଟି ରହୁଛି
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଦେଶର ୬୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ୭ମ ସ୍ଥାନରେ ରହିଛି। ନାକ୍ ‘ଏ+’ ଗ୍ରେଡ୍ ମିଳିଛି। ଏବେ ଯେଉଁ ତାଲିକା ପ୍ରକାଶ ପାଇଛି ସେଥିରେ ତ୍ରୁଟି ରହୁଛି। ଅନେକ ସମୟରେ ତାଲିକା ଠିକ୍ ବାହାରୁନି। ଏନ୍ଆଇଆରଏଫ୍ର ଆବେଦନ ପୋର୍ଟାଲ ଖୋଲୁନି। ଯେଉଁଥିପାଇଁ ଅନେକ ବିଶ୍ୱବିଦ୍ୟାଳୟ ଆବେଦନ କରି ନ ପାରି ନିରାଶ ହେଉଛନ୍ତି। ଏହି ର୍ୟାଙ୍କିଙ୍ଗ୍ରେ ଯେଉଁ ସ୍କୋର ମିଳୁଛି ସେଥିରେ କୌଣସି ପ୍ରକାର ଗ୍ରାଣ୍ଟ ମିଳିବାର ନାହିଁ। ଏହାକୁ ଏତେ ଗୁରୁତ୍ୱର ସହ ନେବା ଉଚିତ୍ ନୁହେଁ। ଅବଶ୍ୟ ଉତ୍କଳର ଭିତ୍ତିଭୂମି ବଢ଼ାଇବାକୁ ହେବ। ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ଦିଆଯାଉ ନାହିଁ। ଲାବୋରୋଟାରି ଆଜି ପର୍ଯ୍ୟନ୍ତ ଠିକ୍ ହୋଇପାରିନି। ନୂତନ ଭାବେ ନିଯୁକ୍ତ ଅଧ୍ୟାପକଙ୍କୁ ପ୍ରୋଜେକ୍ଟ ଲାଗି ଅର୍ଥ ଦିଆଯାଉନି। ସେହି ତୁଳନାରେ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ବାହାର ଗବେଷକଙ୍କୁ ଡାକି ଭାତିଆ ଦେଇ ରଖୁଛନ୍ତି। ଓୟୁଏଟିକୁ ଆଇସିଏଆରରୁ ପ୍ରଚୁର ଅର୍ଥ ପାଉଛି। ଯେଉଁଥିପାଇଁ ସେମାନେ ଭିତ୍ତିଭୂମି ବିକାଶ କରିପାରୁଛନ୍ତି।
-ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, କୁଳାଧିପତି, ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ପୁଷା, ବିହାର
‘ଦେଶରେ ଏକ ନମ୍ବର ସ୍ଥାନ ଆମର ଲକ୍ଷ୍ୟ’
ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ୍ ଫ୍ରେମଓ୍ଵାର୍କ(ଏନ୍ଆଇଆରଏଫ୍) ପକ୍ଷରୁ ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ଦେଶରେ ୩୮ତମ ସ୍ଥାନ ହାସଲ କରିବା ସହ ରାଜ୍ୟରେ ଏକ ନମ୍ବର ସ୍ଥାନ ପାଇଛି। ଏହି ସର୍ଭେରେ ଶିକ୍ଷା ଓ ଅନୁସନ୍ଧାନ ଲଗାତର ଭାବେ ରାଜ୍ୟର ଏକ ନମ୍ବର ଶିକ୍ଷାନୁଷ୍ଠାନର ମାନ୍ୟତା ପାଇ ଆସୁଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଶିକ୍ଷାନୁଷ୍ଠାନ କେବେ ବି ସାଲିସ୍ କରେ ନାହିଁ। ଶିକ୍ଷା କ୍ଷେତ୍ରରେ ସମଗ୍ର ଦେଶରେ ରାଜ୍ୟର ଗୌରବ ବଢ଼ାଇବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ଯଥାସମ୍ଭବ ଚେଷ୍ଟା ଜାରି ରଖିଛି। ସାରା ଦେଶରେ ଏକ ନମ୍ବର ସ୍ଥାନ ଆମର ଲକ୍ଷ୍ୟ। ସେହି ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ।
-ମନୋଜ ନାୟକ, ପ୍ରତିଷ୍ଠାତା ତଥା ସଭାପତି, ସୋଆ
ସ୍ଥାନ ନ ମିଳିବା ହାସ୍ୟାସ୍ପଦ ଘଟଣା
ଶ୍ରେଷ୍ଠ ଶହେରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାନ ନ ପାଇବା ହାସ୍ୟାସ୍ପଦ ଘଟଣା। ଏହାକୁ ଗୁରୁତ୍ୱର ସହ ନେବାକୁ ପଡ଼ିବ। ଦେଶର କାଟାଗୋରି-୧ ଶିକ୍ଷାନୁଷ୍ଠାନ ମଧ୍ୟରେ ଉତ୍କଳ ସ୍ଥାନ ପାଇଥିଲେ ମଧ୍ୟ ଭଲ ର୍ୟାଙ୍କ ନ ମିଳିବା ପଛର କାରଣ ଖୋଜିବାକୁ ପଡ଼ିବ। ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧ୍ୟାପକମାନେ ବିଶ୍ୱବିଦ୍ୟାଳୟର ଇଜ୍ଜତ ରଖିବା ଲାଗି ଉଦ୍ୟମ କରନ୍ତୁ। ଭିତ୍ତିଭୂମି ଅନୁଯାୟୀ କେନ୍ଦ୍ରୀୟ ବୈଷୟିକ ଓ ଘରୋଇ ଶିକ୍ଷାନୁଷ୍ଠାନ ସହ ଆମେ ସମକକ୍ଷ ହୋଇପାରିନୁ। ଯଦିଓ ଗବେଷଣାରେ ଉତ୍କର୍ଷ ରହିଛି କିନ୍ତୁ ଛାତ୍ର ନିଯୁକ୍ତି କ୍ଷେତ୍ରରେ ଆମେ ବହୁତ ପଛରେ। ଶିକ୍ଷାଦାନ ପ୍ରଣାଳୀ ମଧ୍ୟ ମନ୍ଥର ଗତିରେ ଚାଲିଛି। ଅଧ୍ୟାପକ ପଦବି ଖାଲି ରହିଛି। କ୍ରମାଗତ ନିଯୁକ୍ତି ହେଉ ନ ଥିବାରୁ ଏଭଳି ଅବସ୍ଥା ଉପୁଜିଛି। ଛାତ୍ର-ଶିକ୍ଷକ ଅନୁପାତ, ସ୍ୱତନ୍ତ୍ର ପାଠ୍ୟକ୍ରମ ଖୋଲିବା ବହୁତ ପଛରେ ରହିଛୁ।
-ପ୍ରଫେସର ସନ୍ତୋଷ ତ୍ରିପାଠୀ, ସଭାପତି, ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ