ବାରଙ୍ଗ: ସପ୍ତାହକ ପରେ ଧଳାବାଘୁଣୀ ରୂପା କୋଳକୁ ଫେରିଛି ସାଧାରଣ ନାଲିରଙ୍ଗର ଅଣ୍ଡିରା ଶାବକ। ୭ମାସର ଏହି ବାଘଛୁଆ ଅସୁସ୍ଥ ହୋଇପଡ଼ିଥିବାରୁ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଆଜି ମାଆ କୋଳକୁ ଫେରାଇ ନିଆଯାଇଛି। କିନ୍ତୁ ବାଘୁଣୀ ମୌସୁମୀର ଶାବକ ଏବେ ବି କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ଇନ୍‌କୁବେଟର୍‌ରେ ରହି ଚିକିତ୍ସିତ ହେଉଛନ୍ତି। ତେଣୁ ଧଳା ବାଘୁଣୀ ରୂପା ରହୁଥିବା ଖୁଆଡ଼ରେ ଖୁସିର ମାହୋଲ ଥିବା ବେଳେ ଧଳା ବାଘୁଣୀ ମୌସୁମୀ ଖୁଆଡ଼ରେ ଗୁମ୍‌ସୁମ୍‌ ମାହୋଲ ଲାଗିରହିଛି।  

Advertisment

ଗତ ସପ୍ତାହ‌ରେ ଧଳା ବାଘୁଣୀ ରୂପାର ସାଧାରଣ ନାଲିରଙ୍ଗର ଅଣ୍ଡିରା ଶାବକଟି ହଠାତ୍ ଅସୁସ୍ଥ ଥିବା ଜଣାପଡ଼ିଥିଲା। ତା’ର ପଛ ଦୁଇଗୋଡ଼ ଭଲ ନଥିବାରୁ ସେ ଛୋଟେଇ ଛୋଟଇ ଚାଲୁଥିଲା। ତେଣୁ ତୁରନ୍ତ ତାକୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରସ୍ଥ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଥିଲା। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ବାଘ ଛୁଆଟିର ଶରୀରରେ ଆବଶ୍ୟକ ପରିମାଣର ଧାତୁସାର ନାହିଁ। ଧାତୁସାର ଅଭାବରୁ ଅସ୍ଥି ଓ ସ୍ନାୟୁଜନିତ ସମସ୍ୟା ଦେଖାଦେଇଛି। ସେଥିଲାଗି ତାକୁ ନିୟମିତ ଭାବେ ଭିଟାମିନ୍,  ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ ଦେଇ ଚିକିତ୍ସା କରାଯାଉଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଆଜି ତାକୁ ମାଆ ରୂପା ରହୁଥିବା ୨୧(ଖ) ଖୁଆଡ଼ରେ ଛଡ଼ାଯିବା ବେଳେ ଅନ୍ୟ ୨ ଛୁଆ ତାକୁ ଦେଖିବା ମାତ୍ରେ ତା’ ସହ ଖେଳକୁଦରେ ମାତି ଯାଇଥିଲେ। ସେହିଭଳି ମାଆ ରୂପା ମଧ୍ୟ ତାକୁ ଖୁସିରେ ଚାଟି ପକାଇଥିଲା। ୨୦୨୪ ନଭେମ୍ବର ୨ରେ ରୂପା ୪ଟି ଛୁଆ ଜନ୍ମ ଦେଇଥିଲା। ବିରଳ କଳାରଙ୍ଗର ମହାବଳ ମିଳନରୁ ଏହି ଛୁଆଗୁଡ଼ିକ ଜନ୍ମ ନେଇଥିଲେ। ଜନ୍ମ ହେବା ପରେପରେ ଗୋଟିଏ ଧଳାରଙ୍ଗର ଶାବକର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ ଯେ ଚଳିତ ମାସ ୮ ତାରିଖରେ ଧଳାବାଘୁଣୀ ମୌସୁମୀ ୨ଟି ଶାବକ ଜନ୍ମ ଦେଇଥିଲା। ମହାବଳ ରାଜେଶ ସହ ମିଳନରୁ ଏହି ଶାବକ ଜନ୍ମ ନେଇଛନ୍ତି। କିନ୍ତୁ ଧଳାରଙ୍ଗର ଛୁଆଟିର ଓଜନ ଆବଶ୍ୟକଠାରୁ କମ୍‌ ଥିବାରୁ ତାକୁ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ରଖି ଚିକିତ୍ସା କରାଯାଉଛି। ମୌସୁମୀ ଛୁଆମାନଙ୍କ ଯତ୍ନ ନେଇ ପାରୁନଥିବାରୁ ଅନ୍ୟ ଶାବକଟିକୁ ମଧ୍ୟ ମାଆଠାରୁ ଅଲଗା କରି ଚିକିତ୍ସାକେନ୍ଦ୍ରରେ ରଖାଯାଇଛି।