ବାରଙ୍ଗ: ଶନିବାର ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୮ ନମ୍ବର (ଖ) ଖୁଆଡ଼ ମଧ୍ୟରେ ଧଳା ବାଘୁଣୀ ‘ମୌସୁମୀ’ର ଦ୍ୱିତୀୟ ଗର୍ଭରୁ ଦୁଇ ଶାବକ ଜନ୍ମ ନେଇଛନ୍ତି। ନବଜାତ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ଓ ଗୋଟିଏ ସାଧାରଣ ନାଲି ରଙ୍ଗର ଅଛି। ମା’ ବାଘୁଣୀ ସେମାନଙ୍କୁ ଚାଟିବା ଓ କୋଳରେ ଧରି କ୍ଷୀର ପାନ କରାଇ ଯତ୍ନ ନେଉଥିବାର ଦୃଶ୍ୟ ସିସି କ୍ୟାମେରାରେ ଦେଖିବାକୁ ମିଳିଛି। ମୌସୁମୀ ଯଥାକ୍ରମେ ରାତି ୯ଟା ୧୫ ମିନିଟରେ ପ୍ରଥମ ଓ ୧୧ଟା ୩ ମିନିଟରେ ୨ୟ ଶାବକକୁ ଜନ୍ମ ଦେଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗତକାଲି ଶାବକ ଦୁଇଟି ଜନ୍ମ ନେବା ପରେ ନନ୍ଦନକାନନରେ ମୋଟ୍ ବାଘ ସଂଖ୍ୟା ୨୯କୁ ବୃଦ୍ଧିପାଇଛି। ଏଥିରେ ଲିଙ୍ଗ ଚିହ୍ନଟ ହୋଇନଥିବା ୨ ଶାବକ, ୧୭ ମହାବଳ ବାଘ ଓ ୧୦ ବାଘୁଣୀ ଅଛନ୍ତି। ଏହାର ମଧ୍ୟରେ ୬ଟି ଧଳାବାଘଙ୍କ ମଧ୍ୟରେ ୩ଟି ମହାବଳ,୨ଟିବାଘୁଣୀ ଓ ଗୋଟିଏ ଲିଙ୍ଗ ଚିହ୍ନଟ ହୋଇ ନଥିବା ଶାବକ ଅଛନ୍ତି। ଏଥି ସହିତ ୪ଟି ବିରଳ କଳା ରଙ୍ଗର ବାଘଙ୍କ ମଧ୍ୟରେ ୩ଟି ମହାବଳ ଓ ଗୋଟିଏ ବାଘୁଣୀ ଅଛନ୍ତି।
ଧଳା ରଙ୍ଗର ମୌସୁମୀ ସହ ସାଧାରଣ ମହାବଳ ରାଜେଶ ମିଳନରୁ ଏହି ଶାବକ ଜନ୍ମ ନେଇଛନ୍ତି। ଗତ ଫେବ୍ରୁଆରି ୨୭ ଓ ୨୮ରେ ମୌସୁମୀର ରାଜେଶ ସହ ମିଳନ ହୋଇଥିଲା ଓ ଗର୍ଭଧାରଣର ୯୮ ଦିନରେ ଶାବକ ଜନ୍ମ ନେଇଥିବା ସୂଚନା ଦିଆଯାଇଛି। ଗତ ବର୍ଷ ଜାନୁଆରୀ ୮ ତାରିଖ ବ୍ୟାଘ୍ର ଦିବସରେ ମୌସୁମୀ ପ୍ରଥମ ଗର୍ଭରୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଅପରିପକ୍ବ ଶାବକ ୩ଟି ଜନ୍ମ କରିଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏଥର ଜନ୍ମିତ ଶାବକ ଦୁଇଟି ସୁରକ୍ଷିତ ଥିବା ଓ ବିଶେଷ କରି ଏହା ମଧ୍ୟରେ ଏକ ଧଳା ଶାବକ ଥିବାରୁ କର୍ତ୍ତୃପକ୍ଷ ଆଶ୍ୱସ୍ତ ହୋଇଛନ୍ତି। କାରଣ ଧଳା ଶାବକ ଜନ୍ମ ଦେଉଥିବା ଧଳାବାଘୁଣୀ ସ୍ନେହାର ଗତ ୨୦୨୪ ମସିହା ଏପ୍ରିଲ ୧୯ ତାରିଖରେ ମୃତ୍ୟୁ ହୋଇଛି। ଗତ ବର୍ଷ ନଭେମ୍ବର ୨ ତାରିଖରେ ରୂପା ଜନ୍ମ ଦେଇଥିବା ଧଳା ଶାବକର ଚଳିତ ବର୍ଷ ଜାନୁଆରି ୧୫ ତାରିଖରେ ମୃତ୍ୟୁ ହୋଇଥିଲା।
ଏହା ପୂର୍ବରୁ ଗତ ୨୦୨୩ ଜାନୁଆରି ୨ ତାରିଖରେ ଶିବା ଓ ୨୦୨୨ ମାର୍ଚ୍ଚ ୧୧ ତାରିଖରେ ହିମାଂଶୀ ଜନ୍ମ ଦେଇଥିବା ଧଳାବାଘ ଓ ବାଘୁଣୀ ଏବେ ନନ୍ଦନକାନନରେ ଅଛନ୍ତି। ବହୁଦିନର ବ୍ୟବଧାନରେ ଶାବକ ଜନ୍ମ ଓ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁ କାରଣରୁ ଧଳା ବାଘ ସଂଖ୍ୟା କମିବାରେ ଲାଗିଥିଲା। ଫଳରେ ଅଦ୍ୟାବଧି ୧୬୫ ଧଳାବାଘ ଜନ୍ମ ହୋଇଥିବା ନନ୍ଦନକାନନ ପ୍ରାଣୀଉଦ୍ୟନରେ ଧଳାବାଘ ବଂଶ ବୃଦ୍ଧି ନେଇ ଆଶଙ୍କା ଦେଖାଦେଇଥିଲା। ଏତିକି ବେଳେ ଦୁଇବର୍ଷର ବ୍ୟବଧାନରେ ମୌସୁମୀ ଏକ ସୁସ୍ଥ ଧଳା ଶାବକ ଜନ୍ମ ଦେବା ଏକ ପ୍ରକାର ବଂଶ ବୃଦ୍ଧିର ଆଶା ସଂଚାର କରିଛି।