ପାଣି ବାଟରେ ବେଆଇନ ନିର୍ମାଣ, ବାଟ ବନ୍ଦ କରିବାକୁ ଠିକା‌ଦାରଙ୍କୁ ଅନୁମତି ଦେଲା କିଏ ?

ମୋଟା ଅଙ୍କ ନେଇ ଚୁପ୍‌ ବସିଛନ୍ତି ବିଭାଗୀୟ ଅଧିକାରୀ

ଭୁବନେଶ୍ବର: ପାଣି ନିଷ୍କାସନ ବାଟ ଜବରଦଖଲ କରାଯାଉଛି। ସେଠାରେ ବେଆଇନ ନିର୍ମାଣ କରାଯାଇ ସବୁଦିନ ପାଇଁ ପାଣି ଯିବା ବାଟକୁ ବନ୍ଦ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀ ଦେଖି ଅଣଦେଖା କରୁଛନ୍ତି। ହାତ ଗଣତି କିଛି ଠିକା ସଂସ୍ଥା, ଅସା‌ଧୁ ଅଧିକାରୀଙ୍କ ପାଇଁ ସମୟକ୍ରମେ ଏହାର କୁପ୍ରଭାବ ଲକ୍ଷାଧିକ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଭୁବନେଶ୍ବର କଟକ-ପୁରୀ ବାଇପାସ୍‌ରେ ପାଣି ନିଷ୍କାସନ ବାଟକୁ ଅବରୋଧ କରାଯାଇ ବେଆଇନ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି।

ସାମାନ୍ୟ ବର୍ଷ‌ା ହେଲେ ଭୁବନେଶ୍ବର ଜଳାର୍ଣ୍ଣବ ହୋଇଯାଉଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ରାଜଧାନୀକୁ ଜଳବନ୍ଦୀ ନ କରିବାକୁ ବିଏମ୍‌ସି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ପ୍ରତିବର୍ଷ ବର୍ଷାରେ ରାଜଧାନୀର ବହୁ ଅଞ୍ଚଳ ଜଳମଗ୍ନ ହେଉଛି। ବର୍ଷାରେ ରାଜଧାନୀ ଜଳବନ୍ଦୀ ହେଲେ ବର୍ଷା ଜଳ ନିଷ୍କାସନ ପାଇଁ ପମ୍ପ ଲଗାଯାଏ। ଏଥିପାଇଁ ମଧ୍ୟ ସରକାରୀ ତହବିଲ୍‌ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଏ। ଏଭଳି ଘଟଣା ପ୍ରତିବର୍ଷ ଘଟୁଛି। ଜଳ ନିସ୍କାସନ ନହେବାର ପ୍ରକୃତ କାରଣ କ’ଣ? କ’ଣ ପାଇଁ ସାମାନ୍ୟ ବର୍ଷାରେ ରାଜଧାନୀ ଉବୁଟୁବୁ ହେଉଛି?

ଏହାର କାରଣ ଖୋଜାଯାଏ ନାହିଁ। କାରଣ ଜାଣିଲେ ମଧ୍ୟ କାର୍ଯ୍ୟକାରୀ ହୁଏନାହିଁ। ଭୁବନେଶ୍ବର ସହରରେ ଥିବା ଡ୍ରେନ୍‌(ପାଣିଯିବା ବାଟ)କୁ ମୁଷ୍ଟିମେୟ ଲୋକମାନେ ଅବରୋଧ କରି କୋଠା ନିର୍ମାଣ କରିଛନ୍ତି। ତିନି ବର୍ଷ ତଳେ କିଛି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପାଇଁ ବିଏମ୍‌ସି ଯୋଜନା କରିଥିଲେ ହେଁ ଅଦୃଶ୍ୟ ଚାପ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ଏବେ ଭୁବନେଶ୍ବର ସହର ଚାରି ପଟେ ପଞ୍ଚାୟତ ଆଡକୁ ବଢ଼ି ବଢ଼ି ଯାଉଛି। କୋଠା ପରେ କୋଠା ନିର୍ମାଣ ହେଉଛି। କିନ୍ତୁ ଅଧିକାଂଶ ସ୍ଥାନରେ କିଛି ସରକାରୀ ଅସାଧୁ ଅଧିକାରୀଙ୍କୁ ହାତ ମୁଠାରେ ରଖି ବିଲଡର୍‌ମାନେ ପାଣିଯିବା ବାଟକୁ ଅବରୋଧ କରି କୋଠା ନିର୍ମାଣ କରୁଛନ୍ତି।

କଟକ-ପୁରୀ ବାଇପାସ୍‌ ୩୧୬ ନମ୍ବର ଜାତୀୟ ରାଜପଥ ଟଙ୍କପାଣି ଟ୍ରାଫିକ୍‌ର କିଛି ଦୂରରେ ବଡ଼ଗଡ଼ ପଟରୁ ସାଇ ମନ୍ଦିର ପଟକୁ ପାଣି ଯିବା ପାଇଁ ଏକ ଡ୍ରେନ୍‌ ରହିଛି। ଏହି ବାଟ ଦେଇ ଉଦ୍‌ବୃତ୍ତ ଜଳ ନଦୀକୁ ବାହାରି ଯାଇଥାଏ। କିନ୍ତୁ ଏବେ ସେହି ସ୍ଥାନରେ ବିଲ୍‌ଡିଂ କାମ ଚାଲିଛି। ଏନେଇ ସ୍ଥାନୀୟ ଲୋକ ଅଭିଯୋଗ କଲେ ବି କିଛି ଲାଭ ହେଉନାହିଁ। ଅନ୍ୟପଟେ ମୋଟା ଅଙ୍କର ଲାଞ୍ଚ ନେଇ ଚୁପ୍‌ ବସିଛନ୍ତି ବିଭାଗୀୟ ଅଧିକାରୀ। କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଗଙ୍ଗୁଆ ନାଳ ଓ ଏହାକୁ ସଂଯୋଗ କରୁଥିବା ଛୋଟ ଛୋଟ ନାଳକୁ ଏକାଧିକ ସ୍ଥାନରେ ଅବରୋଧ ଓ ସଙ୍କୁଚିତ କରାଯାଇ କୋଠା ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି। ରାଜସ୍ବ ବିଭାଗ, ଡ୍ରେନେଜ୍‌ ବିଭାଗ ଓ ବିଏମ୍‌ସି ଏନେଇ ତୁରନ୍ତ ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଭୟଙ୍କର ହେବ ଏଥିରେ ସ‌ନ୍ଦେହ ନାହିଁ।

ସମ୍ବନ୍ଧିତ ଖବର