ଭୁବନେଶ୍ବର: କଳା, ସଂସ୍କୃତି ଏବଂ ଐତିହ୍ୟ ପାଇଁ ଓଡ଼ିଆ ସାରା ଦେଶରେ ଗର୍ବ କରେ। କଳାକାରମାନେ ଏହାକୁ ବିଭିନ୍ନ ନାଟକ, ଯାତ୍ରା ଏବଂ ଧାରାବାହିକ କାର୍ଯ୍ୟକ୍ରମ ମାଧ୍ୟମରେ ବଞ୍ଚାଇ ରଖିଛନ୍ତି। କିନ୍ତୁ କରୋନା ଭଳି ମହାବିପତ୍ତି ସମୟରେ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ କିଛି ନିୟମ କୋହଳ କରାଯାଇଥିଲେ ମଧ୍ୟ ଥିଏଟର୍‌ କିମ୍ବା ଧାରାବାହିକ ସୁଟିଂ ଉପରୁ କଟକଣା ହଟିନି। ସାମାଜିକ ଦୂରତା କଡ଼ାକଡ଼ି ପାଳନ କରିବାକୁ ନିୟମ ଥିବାରୁ ନିକଟ ଭବିଷ୍ୟତରେ କଟକ‌ଣା ହଟିବା ନେଇ ବି ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ କରୋନା ପାଇଁ ପ୍ରଭାବିତ ହୋଇଥିବା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସରକାରୀ ସହ‌ାୟତା ଦିଆଯାଉଥିବା ବେଳେ କଳାକାରଙ୍କ ସଂପର୍କରେ କୌଣସି ସାହାଯ୍ୟ ସହଯୋଗ ଘୋଷଣା କରାଯାଇନାହିଁ। ଫଳରେ କଳାକାରମାନଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଏପରିକି କିଛି କଳାକାରଙ୍କ କହିବା କଥା ହେଲା, କରୋନା ମାରିବା ପୂର୍ବରୁ ଆମେ ଭୋକରେ ମରିଯିବୁ।

Advertisment

କଳାକାରଙ୍କ କଥା କେହି ଉଠାଉ ନାହାନ୍ତି
ଏହି ମହାବିପତ୍ତି ସମୟରେ କଳାକାର କଥା କେହି ଉଠାଉ ନାହାନ୍ତି। କଳାକାର ଭତ୍ତା ୧୨୦୦ ଟଙ୍କା ମିଳୁଛି। ହେଲେ ସେଥିରେ ଘରଭଡ଼ା, ଖାଇବା ଏବଂ ଔଷଧ କିଣିବା ଅସମ୍ଭବ ହୋଇପଡ଼ୁଛି। ଏପରି ସ୍ଥିତି ଲାଗିରହିଲେ, କରୋନା ମାରିବା ପୂର୍ବରୁ ଭୋକରେ ଆମେ ମରିଯିବୁ। ସାମାଜିକ ସଚେତନତା ସମୟରେ କଳାକାରଙ୍କୁ ଡକାଯାଉଛି, ଆମ ମାଧ୍ୟମରେ ବିଭିନ୍ନ ବିଜ୍ଞାପନ କରାଯାଉଛି। କୁହାଯାଉଛି, କଳାକାର ସମାଜର ଦର୍ପଣ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କଳାକାରକୁ କେହି ପଚାରୁ ନାହନ୍ତି। ସରକାର ଆମ କଥା ନ ଶୁଣିଲେ ଆମେ କହିବୁ କାହାକୁ। ୬୦ ବର୍ଷ ପର୍ଯ୍ୟନ୍ତ କଳାକୁ ବଞ୍ଚାଇ ରଖିବାର ପରିଣାମ କ’ଣ ଏଇଆ।
-ମମତା ମହାନ୍ତି, ନାଟକ ଏବଂ ଧାରାବାହିକ କଳାକ‌‌ାର

ସରକାରୀ କିମ୍ବା ବେସରକାରୀ ସୁବିଧା ନାହିଁ
ବର୍ତ୍ତମାନ ପ୍ରାୟ ସବୁକିଛି ଖୋଲିଗଲା। କିନ୍ତୁ ଥିଏଟର୍‌ ବନ୍ଦ ରହିଛି। ଅଡିଟୋରିୟମ୍‌ ବନ୍ଦ ମାନେ ନାଟକ ବନ୍ଦ। ଆମେ ସାମାଜିକ ନାଟକ ତିଆରି କରୁ। ବର୍ତ୍ତମାନ କିଛି କାମ ନାହିଁ। ଯଦି ଥିଏଟର ଅନୁମତି ମିଳେ ତେବେ ନୂଆ କାମ ‌ପାଇଁ ୨‌/୩ ମାସ ଲାଗିଯିବ। ସେତିକି ଦିନ ପର୍ଯ୍ୟନ୍ତ ଆମେ ଚଳିବୁ କିପରି। ମାଲିକମାନେ ପୂର୍ବରୁ ବାକି ଥିବା ଅର୍ଥ ବି ଦେଉନାହାନ୍ତି। ଆମ ପାଇଁ ତ ସରକାରୀ କିମ୍ବା ବେସରକାରୀ କୌଣସି ସୁବିଧା ନାହିଁ। ନାଟକ କଲେ ହିଁ ପଇସା ମିଳିବ ଓ ସେଥିରେ ଚଳିବା କଥା।
- ସନ୍ତୋଷ ମହାପାତ୍ର, ନାଟ୍ୟକାର

ନିର୍ମାତାମାନେ ବି ହାତ ଛ‌‌ାଡ଼ି ଦେଲେ
ସରକାର ତ କିଛି ସୁବିଧା ଦେଉନାହନ୍ତି, ନିର୍ମାତାମାନେ ମଧ୍ୟ ହାତ ଛାଡ଼ି ଦେଇଛନ୍ତି। ସୁଟିଂ କରିବା ପାଇଁ ଚ୍ୟାନେଲ୍ ପକ୍ଷରୁ କଲ୍‌ ଆସିଥିଲା। ସେମାନେ କହିଲେ ଆମେ କାମ ଆରମ୍ଭ କରିବାକୁ ଭାବୁଛୁ, କିନ୍ତୁ ୨ଟା ସର୍ତ୍ତ‌‌ରେ। ପୂର୍ବରୁ ଯେଉଁ ଦରମା ଦିଆଯାଉଥିଲା, ସେଥିରୁ ୪୦% କଟାଯିବ। ଦ୍ବିତୀୟଟି ହେଲା, ଏତେ ଲୋକ କାମ କଲେ ନିଶ୍ଚିତ ଭାବେ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି। ଯଦି ଆପଣ ସଂକ୍ରମଣ ହେବେ, ତେବେ ସେଥିପାଇଁ ଆମ ଚ୍ୟାନେଲ କି ନିର୍ମାତା ଦାୟୀ ରହିବେ ନାହିଁ। ତାଙ୍କ କଥାରେ ରାଜି ହୋଇ ଟଙ୍କା ପାଇଁ ଯଦି କାମ କରିବାକୁ ଧାଇଁବୁ, ସେମାନେ ଆମକୁ କେବଳ ବ୍ଲାକ୍‌ମେଲିଂ କରିବେ।
- ଧରିତ୍ରୀ ଖଣ୍ଡୁଆଳ
ଧାରାବାହିକ କଳାକାର

ଦିନମଜୁରିଆଠୁ ବି ହୀନ ଜୀବନ
ଦିନେ କାମ କଲେ ଦିନମଜୁରିଆଙ୍କୁ ପଇସା ମିଳିଯାଏ। ହେଲେ ନାଟକ ସମ୍ପୂର୍ଣ୍ଣ ସରିବା ପରେ ହିଁ ଆମ‌କୁ ପଇସା ଦିଆଯାଏ। ଏଥିପାଇଁ ୨/୩ମ‌ାସ ଲାଗି ଯା‌ଉଛି। ସେଥିପାଇଁ ଆମ ଜୀବନ ଦିନମଜୁରିଆଙ୍କ ଠୁ ବି ହୀନ ହୋଇଯାଇଛି। ଲକ୍‌ଡାଉନ୍‌ ପରଠାରୁ କିଛି କାମ ନାହିଁ। ମନୋରଂଜନ ଜଗତ ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କାମ ସରି ନଥିବାରୁ ନିର୍ମାତାମାନେ ପଇସା ବାକି ରଖିଛନ୍ତି। ଟଙ୍କା ମାଗିଲେ ଅଧାକାମ ହୋଇଛି, କେମିତି ପଇସା ଦେବୁ ବୋଲି କହୁଛନ୍ତି। କିଛି ନିର୍ମାତା ଅଧ‌ା ଅଧା କରି ପଇସା ଦେଉଛନ୍ତି। ଯେଉଁମାନେ ସିନେମା, ଧାରାବାହିକ, ଯାତ୍ରା ସବୁ ଏକାଠି କରୁଛନ୍ତି ତାଙ୍କ କଥା ଅଲଗା। କିନ୍ତୁ ଯେଉଁମାନେ କେବଳ ଥିଏଟର୍‌ ଉପରେ ନିର୍ଭରଶୀଳ, ବର୍ତ୍ତମାନ ସେ କଳାକାର କରିବ କ’ଣ। ଘୋଷିତ ବଜେଟ୍‌ରେ ତ ଆମ ପାଇଁ କୌଣସି ସୁବିଧା କରାଗଲା ନାହିଁ।
- ରଜତ ପାଢ଼ୀ, ଥିଏଟର କଳାକାର