ଭୁବନେଶ୍ବର, (ବିଶ୍ବଜିତ ଦାଶ): ଭୁବନେଶ୍ବରରେ କିଏ ବିଧାୟକ ଜିତିବ, କିଏ କର୍ପୋରେଟର୍ ହେବ ତାହା ବସ୍ତିବାସିନ୍ଦାଙ୍କ ଭୋଟର ଉପରେ ନିର୍ଭର କରେ। କହିବାକୁ ଗଲେ ଭୁବନେଶ୍ବରର ଲୋକ ପ୍ରତିନିଧି କିଏ ହେବେ ରାଜଧାନୀର ପ୍ରାୟ ୫୦୦ ବସ୍ତିର ପ୍ରାୟ ଅଢ଼େଇ ଲକ୍ଷ ଭୋଟର ହିଁ ନିଷ୍ପତ୍ତି ନିଅନ୍ତି। ସେଇଥିପାଇଁ ତ ଭୋଟ୍ ସମୟ ଆସୁ କି ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ ଅଧିକ ଜନସମାବେଶ କରିବାକୁ ହେଉ ବସ୍ତିବାସିନ୍ଦାଙ୍କୁ ଖୋଜାପଡ଼େ। ଗୁରୁବାର ନୂଆ ସରକାର କିଏ ଗଢ଼ିବ ତାହା ନିଷ୍ପତ୍ତି ହେବାକୁ ଥିବାବେଳେ ଏବେ ଏହି ବସ୍ତିବାସିନ୍ଦାଙ୍କୁ ନିଜ ଘର ଗଢ଼ିବା ଚିନ୍ତା ଘାରିଛି।
ବାତ୍ୟାରେ ରାଜଧାନୀରେ ଶହଶହ ଘର ଭାଙ୍ଗି ମାଟିରେ ମିଶିଯାଇଛି। ହେଲେ ଘର ସଜାଡ଼ିବାକୁ ବହୁ ଲୋକଙ୍କ ପାଖରେ ସମ୍ବଳ ନାହିଁ। ପ୍ରଶାସନ ବି ବେଫିକର। ଉପରଠାଉରିଆ ଭାବେ ଘୋଷଣା କରିଦେଲେ ରାଜଧାନୀରେ ରାସନ୍ କାର୍ଡ ଥିଲେ ଦୁଇ ହଜାର ଟଙ୍କା, ପଲିଥିନ୍ ନଚେତ୍ ୫୦୦ଟଙ୍କା, ୫୦କେଜି ଚାଉଳ ମିଳିବ। ପ୍ରାୟ ୯୦% ହିତାଧିକାରୀ ଏହା ବି ପାଇଲେ। ହେଲେ ସରକାର ବୁଝିପାରିଲେନି ୨ହଜାର ଟଙ୍କାରେ କିପରି ଜଣେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ କରିବ। ଯେଉଁ ପଲିଥିନ୍ ଦେଲେ ତାକୁ ପକାଇବାକୁ ସେ ୬ଖଣ୍ଡ ବାଉଁଶ ଏତିକି ଟଙ୍କାରେ କିଣିପାରିବ ତ! ବାତ୍ୟାରେ ଘର ଭାଙ୍ଗିଯିବା ପରେ ପଲିଥିନ୍ ପକାଇ ଘର କରିବାକୁ ଜାଗା ଅଛି ତ? ଯଦି ଏତିକି ଟଙ୍କାରେ କଷ୍ଟମଷ୍ଟେ ଘର କରିଦେବ ତେବେ ଖାଇବ କ’ଣ? ଖାଲି ଭାତ କେତେ ଦିନ ଜଣେ ଖାଇପାରିବ। ଏହା ବୁଝିବାକୁ ନା ସରକାର ଚିନ୍ତା କଲେ ନା ବିଏମ୍ସି କର୍ତ୍ତୃପକ୍ଷ। ସମସ୍ତେ ପୂରା ବେଫିକର ହୋଇଗଲେ। ଆଉ ଏବେ ଭୋଟ୍ ଦେଇଥିବା ବସ୍ତିର ଲୋକଟି କହୁଛି କ’ଣ ଆମେ ଭୋଟ୍ ଦେଇଥିଲୁ ସରକାରଙ୍କର ଏହିଭଳି ସହାୟତା ପାଇବାକୁ। ବାତ୍ୟାର ୧୯ଦିନ ପରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ଛିଡ଼ା କରିପାରୁନୁ।
ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଆମେ ଚିନ୍ତାମଣିଶ୍ବର ଅଞ୍ଚଳରେ ଥିବା ଚମ୍ପା ପୋଖରୀ ବସ୍ତିର କୁନି ଦାସଙ୍କୁ ଭେଟିଥିଲୁ। ବାତ୍ୟାର ୧୯ଦିନ ପରେ ବି ସେ ୪ଛୁଆଙ୍କୁ ନେଇ ଚିନ୍ତାମଣିଶ୍ବର ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି। ବସ୍ତିରେ ଯେଉଁ ଘରଟି ଥିଲା ତାହା ଉପରେ ଗଛ ପଡ଼ି ଯାଇଥିବାରୁ ଘର ମାଟିରେ ପୂରା ମିଶିଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଗଛ କାଟିଦେଲେ। ହେଲେ ଗଛ ଗଣ୍ଡି ଉଠାଇଲେନି। ଏବେବି ଗଛ ତଳେ ଘର ଚାପି ହୋଇ ରହିଛି। ଏମିତି ଅବସ୍ଥାରେ ଅଛି ଯେ, ସରକାରଙ୍କ ତରଫରୁ ମିଳିଥିବା ଚାଉଳକୁ ରୋଷେଇ କରିବାକୁ ଡେକ୍ଚିଟିଏ ବି ଏହା ଭିତରୁ ସେ ଆଣିପାରୁନାହାନ୍ତି। ଲୁଗାପଟାରୁ ଆରମ୍ଭ କରି ବାସନକୁସନ, ତେଲ, ଲୁଣ ସବୁ ଏହାରି ତଳେ ମାଡ଼ି ହୋଇ ରହିଛି। ଗେରସ୍ତ ମରି ଯାଇଥିବାରୁ ଘରେ କେହି ବି ପୁରୁଷ ଲୋକ ନାହାନ୍ତି। ତେଣୁ ଅପେକ୍ଷା କରିଛି ସରକାର ନହେଲେ ନାହିଁ କେହି ସହୃଦୟ ବ୍ୟକ୍ତି ଆସି ତାଙ୍କ ଘର ଉପରୁ ଗଛ କାଢ଼ିବେ। ଘରଟିଏ କରିଦେବ। ହେଲେ କୁନିଙ୍କ ଏହି ସ୍ବପ୍ନ କେବେ ସତ ହେବ ସିଏ କ’ଣ କେହି ଜାଣିନାହାନ୍ତି। ଆଉ ୨୫ଦିନ ପରେ ସ୍କୁଲ ଖୋଲିବ। ଏହାପରେ ସେ କ’ଣ କରିବେ?
କୁନିଙ୍କ ଦୁଃଖ ଏତିକିରେ ସରିନି। ବର୍ଷକର ଛୁଆ ଗୁରୁଣ୍ଡୁ ଥିବାବେଳେ ସେ ବି ସବୁଦିନ ରନ୍ଧା ହେଉଥିବା ଭାତ ଆଉ ଲୁଣ ଖାଉଛି। ଏପଟେ ରେଡକ୍ରସ୍ ଓ ବିଏମ୍ସି କୁନି ପିଲାଙ୍କୁ ସ୍ବତନ୍ତ୍ର ଖାଦ୍ୟ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ଏପରିକି କେତେ ଖର୍ଚ୍ଚ କରିସାରିଲେଣି ତା’ର ଖର୍ଚ୍ଚ ତାଲିକା ବି ପ୍ରସ୍ତୁତି କରିସାରିଲେଣି। ହେଲେ କୁନିଙ୍କ ବର୍ଷକର ଛୁଆକୁ ବାତ୍ୟା ପୂର୍ବ ଦିନ ଓ ବାତ୍ୟା ଦିନ ମିଳିଥିଲା ଗୋଟିଏ ପ୍ୟାକେଟ୍ ଅମୁଲ୍। ଏହାପରେ ରେଡକ୍ରସ୍ କର୍ତ୍ତୃପକ୍ଷ ଆସି ଦେଇଥିଲେ ଗୋଟିଏ କିଟକ୍ୟାଟ୍ ଚକଲେଟ୍ ଓ ଗୋଟିଏ ପ୍ୟାକେଟ୍ ମ୍ୟାଗି। ଯେଉଁ ଛୁଆର ପେଟ ଭୋକରେ ଗୁରୁଣ୍ଡି ଯାଉଥିବ ତା’ର ପେଟ କ’ଣ ଏହି ୧୯ଦିନରେ ଗୋଟିଏ କିଟକ୍ୟାଟ୍ ଚକଲେଟ୍ ଓ ମ୍ୟାଗିରେ ପୂରିଯାଇଛି? ବର୍ଷକର ଛୁଆ କ’ଣ ଏହାକୁ ଖାଇ ପାରିବ? ଖୋଦ୍ ରାଜଧାନୀରେ ଏହି ବିକଳ ଚିତ୍ର ଦେଖିଲେ ଯେକୌଣସି ଲୋକର ଆଖିରେ ବି ଲୁହ ଆସିଯିବ। ହେଲେ ବିଏମ୍ସିର ବାବୁମାନେ ସବୁ ଜାଣି ହାତ ବାନ୍ଧି ବସିଛନ୍ତି। କହୁଛନ୍ତି ଯାହା ନିୟମ ଅଛି ତାହା କରୁଛୁ।
କୁନିଙ୍କର ରାସନ୍ କାର୍ଡ ଥାଇ ବି ଏହି ଅବସ୍ଥା। ରାଜଧାନୀର ବହୁ ଲୋକଙ୍କର ରାସନ୍ କାର୍ଡ ଅଛି, ସେମାନଙ୍କୁ ଅଢ଼େଇ ହଜାର ଟଙ୍କା, ଚାଉଳ ମିଳିଛି। କିନ୍ତୁ ସରକାର ଚିନ୍ତା କଲେନି ଏମାନଙ୍କ ଭାଙ୍ଗି ଯାଇଥିବା ଘର କେମିତି ଛିଡ଼ା ହେବ। ବଜାରରେ ବାଉଁଶ ଗୋଟିକର ଦାମ୍ ୪୦୦ଟଙ୍କାରୁ କମ୍ ନଥିବାବେଳେ ପଲିଥିନ୍ ପକାଇବାକୁ ଯେତିକି ବାଉଁଶ ଦରକାର ସେତିକି ଏତିକି ଟଙ୍କାରେ ହୋଇଯିବ ତ’। ଯଦି ବାଉଁଶ କିଣି ଦେଲା ତେବେ ଖାଇବ କ’ଣ। କ’ଣ ଚାଉଳ ରାନ୍ଧିକି ଖାଲି ଖାଇବ।
ଆକଳନ କହୁଛି ରାଜଧାନୀରେ ଏମିତି ୮୦୦ରୁ ହଜାରେ ପରିବାର ଅଛନ୍ତି। ଯେଉଁମାନେ ଏବେବି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ କରିପାରିନାହାନ୍ତି। ଏବେବି ଦିନରେ ଖରାରେ ସିଝୁଛନ୍ତି। ରାତିରେ ତାରା ଗଣି ଶୋଉଛନ୍ତି।
ଏନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ଉତ୍ତର ମିଳିଲା ଯେ, ସରକାରଙ୍କ ନିୟମ ଅନୁଯାୟୀ, ରାସନ୍ କାର୍ଡଧାରୀଙ୍କୁ ଅଢେଇ ହଜାର ଟଙ୍କା ଓ ୫୦କେଜି ଚାଉଳ ଦେଲୁ। ସରକାରୀ ଜମି ଜବରଦଖଲ କରି ଘର କରିଛନ୍ତି। ତେଣୁ ସେମାନଙ୍କୁ ଘରଭଙ୍ଗା ବାବଦକୁ ଅର୍ଥ ମିଳିବନି।
ଯଦି ବିଏମ୍ସିର ଏହି ନିଷ୍ପତ୍ତି ତେବେ ଏହି ମଉକାରେ କାହିଁକି ସବୁ ବସ୍ତି ଭାଙ୍ଗି ଦିଆଯାଉନି। ବିଏମ୍ସି ତ ବସ୍ତି ଭାଙ୍ଗି ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘର କରିବାକୁ ଯୋଜନା କରୁଛି। ଯାହାକୁ ଘର ଦେଉନି ତାଙ୍କୁ ମାସକୁ ମାସ ଘର ଭଡ଼ା ଦେଇ ଅନ୍ୟତ୍ର ସ୍ଥାନାନ୍ତର କରୁଛି। ଏହି ସବୁ ଯୋଜନା ଥାଇକି ଏହାକୁ ଏବେ କାହିଁକି ଲାଗୁ କରାଯାଉନି। ବିଏମ୍ସିର ଏହି ଦୋମୁହାଁ ନୀତି ଏବେ ବସ୍ତିବାସିନ୍ଦାଙ୍କ ଜୀବନ ଦୁର୍ବିସହ କରିଦେଇଛି।