କୁଆଖାଇ ନଦୀରୁ ବାଲି ଉଠାଣ ପାଇଁ ଭ୍ୟାକୁମ୍‌ ମେସିନ୍‌ ବ୍ୟବହାରକୁ ଅନୁମତି ଦେଲା କିଏ?

ବେଆଇନ ବାଲି ଉଠାଣ ନେଲାଣି ୧୦ରୁ ଅଧିକ ମୁଣ୍ଡ, ଚେତିବନି ପ୍ରଶାସନ!

ଭୁବନେଶ୍ବର: ଆଉ କେବେ ଚେତିବ ପ୍ରଶାସନ। ଆଉ କେତେ ନିରୀହ ଜୀବନ ଗଲେ ସରକାରୀ ବାବୁଙ୍କ ନିଦ ଭାଙ୍ଗିବ। ଲୋକଙ୍କ ପାଇଁ, ନା ଲୋକଙ୍କ ଜୀବନକୁ ବିପଦ ମୁହଁକୁ ‌ଠେଲି ଦେବାକୁ ଏ ସରକାର? ରାଜସ୍ବ ଆଗରେ ଲୋକଙ୍କ ଜୀବନ କ’ଣ ଏତେ ମୂଲ୍ୟହୀନ? ଭ୍ୟାକୁମ୍‌ ମେସିନ୍ ଯୋଗେ ବେଆଇନ ଭାବେ କୁଆଖାଇ ନଦୀରୁ ବାଲି ଉଠାଣକୁ ନେଇ ଭୁବନେଶ୍ବର ଉପକଣ୍ଠର ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ଏଭଳି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଜଣେ ବରିଷ୍ଠ ରାଜସ୍ବ ଅଧିକାରୀଙ୍କ କହିବା ଅନୁସାରେ, ଖଣିଜ ସମ୍ପଦ ନିଲାମରେ ପରିବେଶ ମଞ୍ଜୁରିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ବିଶେଷକରି ବାଲିଘାଟ ନିଲାମ ପୂର୍ବରୁ ପରିବେଶ ମଞ୍ଜୁର ବାଧ୍ୟତାମୂଳକ। ପରିବେଶ ମଞ୍ଜୁର ନ ମିଳିଲେ ନିଲାମଧାରୀ ମୁଠାଏ ବି ବାଲି ଉଠାଇ ପାରିବେ ନାହିଁ। ବାଲି ଖୋଳାଗଲେ ଯେମିତି ପାଣି, ପବନ ଓ ମୃତ୍ତିକା ପ୍ରଦୂଷଣ ନହେବ, ପରିବେଶ ଉପରେ କୌଣସି କୁ-ପ୍ରଭାବ ନ ପଡ଼ିବ, ସେଥିପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇ ବାଲିଘାଟକୁ ମଞ୍ଜୁରି ଦିଆଯାଏ। ନିୟମାନୁସାରେ ପ୍ରଶାସନ ପକ୍ଷରୁ ନିଲାମଧାରୀଙ୍କୁ ଅଧିକ ପରିପାଣରେ ବାଲିଥିବା ସ୍ଥାନ(ବାଲି ସୌରାତ)କୁ ଚିହ୍ନଟ କରାଯାଇ ଖନନ ପାଇଁ ଦିଆଯାଇଥାଏ।

ଓଡ଼ିଶା ମାଇନର୍‌ ମିନେରାଲ୍‌ କନ୍‌ସେସନ୍‌ ରୁଲ୍‌ର୍ସ ଅନୁସାରେ ବାଲିଘାଟରେ ୨ ମିଟର ଗଭୀର ଯାଏ ବାଲି ଖୋଳାଯିବା କଥା। ୨ ମିଟର ଭିତରେ ଯଦି ପାଣି ପଡ଼େ, ତେବେ ସେତିକିରେ ହିଁ ଖନନ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଲମଧାରୀ, ଶ୍ରମିକ କିମ୍ବା ସାଧାରଣ ଖୋଳିବା ମେସିନ୍‌ ଲଗାଇ ନିର୍ଦ୍ଧିଷ୍ଟ ସ୍ତର ଯାଏ ବାଲି ଖୋଳି ପାରିବେ। କିନ୍ତୁ ଭ୍ୟାକୁମ୍‌ ଲଗାଇ ପାଣି ଭିତରୁ ବାଲି ଖୋଳିବାର କୌଣସି ନିୟମ ନାହିଁ। ହେଲେ ଟଙ୍କପାଣି ବ୍ରିଜ୍‌ ପାଖରେ ଥିବା ବାଲିଘାଟରେ ଏକାଧିକ ଭ୍ୟାକୁମ୍‌ ମେସିନ୍‌ ଲଗାଯାଇ ପାଣି ଭିତରୁ ବାଲି ଖୋ‌ଳାଯାଉଛି। ଭ୍ୟାକୁମ୍‌ ଯୋଗେ ଏଠାରେ ସର୍ବନିମ୍ନ ୪୦ରୁ ୫୦ ମିଟର ତଳୁ ପାଣି ଭିତରକୁ ବାଲି ଉଠାଯାଉଛି। କିଛି ସ୍ଥାନରେ ୧୦୦ ମିଟର ଯାଏ ମଧ୍ୟ ବାଲି ଖୋଳା ଯାଉଥିବା ସୂଚନା ମିଳିଛି। ଟଙ୍କପାଣି ବ୍ରିଜ୍‌ ପିଲାର୍‌ ନିକଟ ଓ ନଦୀ ବନ୍ଧ ନିକଟରୁ ହିଁ ଭ୍ୟାକୁମ୍‌ ଯୋଗେ ବାଲି ଖୋଳା ଯାଉଛି। ଫଳରେ ବ୍ରିଜ୍‌ ଓ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି।

ଭ୍ୟାକୁମ୍‌ ମେସିନ୍‌ ଚାଲିବା ଦ୍ବାରା ବ୍ରିଜ୍‌ ନିକଟରେ ଭାଇବ୍ରେସନ୍‌ ସୃଷ୍ଟି ହେଉଛି। ବ୍ରିଜ୍‌ ଦୁର୍ବଳ ହେବାରେ ଲାଗିଛି। ବ୍ରିଜ୍‌ ଉପରେ ଓଭରଲୋଡିଂ ବାଲି ହାଇୱା ଯିବା ବେଳକୁ ବ୍ରିଜ୍‌ ଦୋହଲୁଛି। ଲାଗୁଛି ଯେମିତି ବ୍ରିଜ୍‌ ଭୁଶୁଡ଼ିଯିବ! ଗୁରୁତ୍ବପୂର୍ଣ୍ଣ କଥା ହେଲା ଟଙ୍କପାଣି ଓ ଏହାର ଆଖପାଖ ଅଞ୍ଚଳର ଲୋକ ନଦୀ ଉପରେ ନିର୍ଭର କରନ୍ତି। ଶୌଚ ହେବା ପାଇଁ ମଧ୍ୟ ନଦୀକୁ ଆସିଥାନ୍ତି। ଭ୍ୟାକୁମ୍‌ ଯୋଗେ ବାଲି ଉଠାଯିବା ଫଳରେ ନଦୀ ଗଭୀର ହେଉଛି।

ନଦୀରସ୍ତର ସମତୁଲ ରହୁ ନାହିଁ। ନଦୀରେ ପୂର୍ବପରି ଆଖି ଦୃଶିଆ ବଢ଼ି ପାଣି ଆସୁନଥିବାରୁ ଉକ୍ତ ସ୍ଥାନଗୁଡ଼ିକ ପୂରଣ ହୋଇ ପାରୁନାହିଁ। ନଦୀରେ ଭଉଁରୀ ସୃଷ୍ଟି ହେଉଛି। ନଦୀକୁ ଆସୁଥିବା ଲୋକମାନେ ହଠାତ୍‌ ଖାଲରେ ପଡ଼ି ମୃତ୍ୟୁବରଣ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଏଠାରେ ୧୦ ଜଣରୁ ଅଧିକ ଲୋକଙ୍କ ସଲିଳ ସମାଧି ହୋଇସାରିଲାଣି। ଏହାପରେ ବି ପ୍ରଶାସନର କୌଣସି ଚିନ୍ତା ନାହିଁ। ନଦୀରୁ ଚାଲିଛି ଆଖିବୁଜା ବେଆଇନ ବାଲି ଉଠାଣ ଚାଲିଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ପରିବେଶ ସହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଭ୍ୟାକୁମ୍‌ ମେସିନ୍ ବାଲିଘାଟରେ ବ୍ୟବହାର କରିବାକୁ କିଏ ଅନୁମତି ଦେଲା? କାହିଁକି ଏଥିପ୍ରତି ରୋକ୍‌ ଲଗାଉନାହିଁ ପ୍ରଶାସନ? ଆଉ କେତେ ମୁଣ୍ଡ ଗଡ଼ିଲେ ସରକାରଙ୍କ ନିଦ ଭାଙ୍ଗିବ ‌ବୋଲି ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର