ସ୍ଲଟ୍ କିଏ ପାଇଲା? ୬ଟାରେ ସ୍ଲଟ୍ ଆସିଲା, ବୁକିଂ ହେଲାନି, ସାଢେ ୫ଲକ୍ଷ ଆଶାୟୀ ହନ୍ତସନ୍ତ

୧୮ରୁ ୪୪ବର୍ଷ ବୟସ୍କଙ୍କ ସ୍ଲଟ୍ ବୁକିଂ ହୋଇଛି: କମିସନର

ଭୁବନେଶ୍ବର : ରାଜଧାନୀରେ ଟିକାକରଣରେ ଥିବା ଅବ୍ୟବସ୍ଥା ଆଜି ସବୁ ସୀମା ଟପିଛି। ଲକ୍ଷ ଲକ୍ଷ ଲୋକ ଟିକା ନେବାକୁ ଅପେକ୍ଷା କରିଥିବାବେଳେ ବିଏମ୍‌ସି ପ୍ରାୟ ୭୦ରୁ ୮୦ହଜାର ଲୋକଙ୍କୁ ଟିକା ଦେବା ପାଇଁ ସ୍ଲଟ୍ ବୁକିଂ ଆରମ୍ଭ କରିଥିଲା। ହେ‌ଲା କୋୱିନ୍‌ ୱେବସାଇଟ୍‌ରେ ବିଏମ୍‌ସି ଏପରି ଢଙ୍ଗରେ ସ୍ଲଟ୍ ଛାଡ଼ିଥିଲା ଯେ, କାହାର ବୁକିଂ ହେଲାନି। କିନ୍ତୁ ସବୁ ବୁକିଂ ଦେଖାଉଥିବାରୁ ସମସ୍ତଙ୍କ ପ୍ରଶ୍ନ ଥିଲା ଯେ, ସ୍ଲଟ୍ କିଏ ପାଇଲା?

ବୁଧବାର ସଂଧ୍ୟା ୬ଟାରୁ ୧୮ରୁ ୪୪ବର୍ଷ ବୟସ୍କ ଏବଂ ୪୫ବ‌ର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଟିକାକରଣ ପାଇଁ କୋୱିନ୍‌ ଆପ୍‌ରେ ନାମ ପଞ୍ଜୀକରଣ ଓ ସ୍ଲଟ୍ ବୁକିଂ ଥିଲା। ଏନେଇ ଅପରାହ୍ନ ୪ଟାବେଳେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ରରେ ସୂଚନା ଦିଆଯାଇଥିଲା। ଏହାପରେ ଲୋକମାନେ ଅପରାହ୍ନ ୫ଟା ୩୦ରୁ କମ୍ପୁଟର ଆଗରେ ଚାତକ ଭଳି ଚାହିଁ ବସିଥିଲେ। ପୂର୍ବରୁ ବହୁବାର ଚେଷ୍ଟା କରି ସ୍ଲଟ୍ ପାଇନଥିବା ଲୋକମାନେ ଏଥର ଯେମିତି ହେଲେ ସ୍ଲଟ୍ ପାଇ‌ଯିବେ ବୋଲି ଆଶା ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସ୍ଲଟ୍ ମିଳିଲାନି। ସ୍ଲଟ୍‌ ଏମିତି ଲୁଚକାଳି ଖେଳିଲା ଯେ, ଲୋକ ସ୍ଲଟ୍ ଖାଲି ଅଛି ବୋଲି ଦେଖିଲେ, କିନ୍ତୁ ବୁକିଂ କଲା ବେଳକୁ ସବୁ ସ୍ଲଟ୍ ବୁକିଂ ହୋଇଯାଇଥିବା ଦେଖାଇଥିଲା। ବିଏମ୍‌ସି ପକ୍ଷରୁ ଆଜି ୨୦ରୁ ୨୮ତାରିଖ ପର୍ଯ୍ୟନ୍ତ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ହୋଇଥିଲା। ସଂଧ୍ୟା ୬ଟାରୁ କୋୱିନ୍‌ ଆପ୍‌ରେ ସ୍ଲଟ୍ ବୁକିଂ ଅପ୍ସନ ଆସିଥିଲା। ହେଲେ ‌ୱେବସାଇଟ୍‌ ଖୋଲୁଖୋଲୁ ସବୁ ବୁକିଂ ହୋଇଯାଇଥିବା ଦେଖାଇଥିଲା। ୧୮ବର୍ଷରୁ ଉର୍ଦ୍ଧ୍ବ ଓ ୪୫ବର୍ଷରୁ ଉର୍ଦ୍ଧ୍ବ କାହାର ବି ବୁକିଂ ହୋଇପାରିନଥିଲା।

ହଠାତ୍ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର/ଟିକାକରଣ କେନ୍ଦ୍ରରେ କେଉଁଠି ୨୦୦ ତ କେଉଁଠି ୧୦ଟା ସ୍ଲଟ୍ ଥିବା ଦେଖାଇଥିଲା। ଏହାପରେ ତାହା ଉପରେ କ୍ଲିକ୍ କରି ବୁକିଂ କଲାବେଳକୁ କାପ୍‌ଚା ଟାଇପ୍ କରିବାକୁ କହୁଥିଲା। କିନ୍ତୁ କାପ୍‌ଚା ଟାଇପ୍ କରିବା ପରେ ଲେଖୁଥିଲା ସବୁ ସ୍ଲଟ୍ ବୁକିଂ ହୋଇଯାଇଛି। କିନ୍ତୁ ୨୦୦ ସ୍ଳଟ୍ ଥିବା ଟିକାକରଣ କେନ୍ଦ୍ରରେ କିଛି ସମୟ ପରେ ପୁଣି ୧୯୫କି ୧୯୦ ସ୍ଲଟ୍ ଥିବା ଦେଖାଉଥିଲା। ହେଲେ ବୁକିଂ ନେଉନଥିଲା। ଏହିପରି ଆଜି ଲକ୍ଷାଧିକ ଟିକା ଆଶାୟୀ ହଇରାଣ ହୋଇଛନ୍ତି। ଏନେଇ ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ, ୧୮ରୁ ୪୪ବର୍ଷ ବୟସ୍କ ଲୋକଙ୍କର ସ୍ଲଟ୍ ସବୁ ବହୁତ କମ୍‌ ସମୟରେ ବୁକିଂ ହୋଇଯାଇଥିଲା। ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କର କିଛି ସ୍ଳଟ୍ ଖାଲି ଅଛି। ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ କମ୍‌ ଟିକା ଥିବାବେଳେ ଅଧିକ ଲୋକ ବୁକିଂ କରିବାରୁ କମ୍‌ ସମୟରେ ବୁକିଂ ହୋଇଯାଇଥିଲା। କେତେକ ଟିକାକରଣ କେନ୍ଦ୍ରରେ ସବୁ ସ୍ଲଟ୍ ବୁକିଂ ହେବା ପରେ ପୁଣି ସ୍ଲଟ୍ ଦେଖାଇବା କୋୱିନ୍ ଆପ୍ଲିକେସନ୍‌ରେ ତ୍ରୁଟି ଥିବା ଅନୁମାନ କରୁଛୁ। ତେଣୁ ଏହାକୁ ଆମେ ଧ୍ୟାନ ଦେବୁ।

ଟୋକନ୍ ଟିକା ବ୍ୟବସ୍ଥା ବଦଳିଲା
କୋ ୱିନ୍‌ ୱେବସାଇଟ୍‌ରେ ବୁକିଂ କରିପାରୁନଥିବା ଲୋକଙ୍କୁ ଟୋକନ୍ ଦେଇ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଟିକା ବାଣ୍ଟୁଥିବା ଲୋକମାନେ ମନମାନି କରିବା ଅଭିଯୋଗ ଆସିବା ପରେ ଆଜି ଏଥିରେ ପରବର୍ତ୍ତନ ଅଣାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବସ୍ତି ଏବଂ ବିଭିନ୍ନ ଅଞ୍ଚଳର ଭିନ୍ନକ୍ଷମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୋକନ୍ ଦିଆଯିବ। ଏହାପରେ ବରିଷ୍ଠ ନାଗରିକ, ଏକାକି ରହୁଥିବା ନାଗରିକ, ବିଧବା ମହିଳା, ଅସହାୟ ଲୋକଙ୍କୁ ଟିକା ପାଇଁ ଟୋକନ୍ ଦିଆଯିବ। ତା’ପରେ ଅନ୍ୟମାନଙ୍କୁ ଟୋକନ୍ ବଣ୍ଟାଯିବ। କମ୍ୟୁନିଟି ଅର୍ଗାନାଇଜରମାନେ ଏହାର ତାଲିକା କରିବେ। ଅପରପକ୍ଷେ ବିଏମ୍‌ସିର ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ଗୁରୁବାର ଠାରୁ ନୂଆ ବ୍ୟବସ୍ଥାରେ ଟିକା ଦିଆଯିବ। ପ୍ରତି ୱାର୍ଡର ୱାର୍ଡ ଅଫିସର ଓ କମ୍ୟୁନିଟି ଅର୍ଗାନାଇଜରମାନେ କାହାକୁ ଟିକା ଦିଆଯିବ ତା’ର ତାଲିକା ପ୍ରସ୍ତୁତ କରିବେ। ସ୍ଥାନୀୟ ନାଗରିକ କମିଟି ସହ ଆଲୋଚନା କରି ଏହି ତାଲିକା ପ୍ରସ୍ତୁତ ହେବ। ଏଥିରେ ସମସ୍ତେ ଦସ୍ତଖତ କରିବେ। ସେହି ଅନୁଯାୟୀ ଟୋକନ୍ ଆବଣ୍ଟନ ହେବ ଏବଂ ଟିକାକରଣ ହେବ।

ଶନିବାର ପରେ ଡ୍ରାଇଭ୍ ଇନ୍ ଟିକା ବନ୍ଦ
ଡ୍ରାଇଭ୍‌ ଇନ୍ ଟିକା ଅଭିଯାନ ରାଜଧାନୀରେ ବେଶ୍ ସଫଳ ହୋଇଥିଲା। ଲୋକମାନେ ଗାଡ଼ିରେ ଆସି, ଗାଡ଼ିରେ ବସି ଟିକା ନେଉଥିଲେ। ଗାଡ଼ିରୁ ଓହ୍ଲାଇବାକୁ ପଡ଼ୁନଥିବାରୁ କି କାହା ସଂସ୍ପର୍ଶରେ ଆସିବାର ଆଶଙ୍କା ନଥିବାରୁ ଲୋକମାନେ ଏହାକୁ ଅଧିକ ପସନ୍ଦ କରୁଥିଲେ। ଯେଉଁଥିପାଇଁ ଦିନକୁ ପ୍ରାୟ ୧୫୦୦ରୁ ୧୬ଶହ ଲୋକ ଏଥିରେ ଟିକା ନେଉଥିଲେ। ବିଏମ୍‌ସି ପକ୍ଷରୁ ୫ଟି ସ୍ଥାନରେ ଏହି ଡ୍ରାଇଭ୍‌ ଇନ୍ ଟିକା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ହେଲେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡ୍ରାଇଭ୍‌ ଇନ୍ ଟିକା ଉପରେ ରୋକ୍‌ ଲାଗିଛି। ଗାଡ଼ିରେ ବସି ଟିକା ନେବା ଏବଂ ୩୦ମିନିଟ ଅପେକ୍ଷା ନକରି ଲୋକ ପଳାଉଥିବାରୁ ଏହା କୋଭିଡ୍‌ ଟିକାକରଣ ନିୟମକୁ ଉଲ୍ଲଂଘନ କରୁଛି। ତେଣୁ ଏହାକୁ ବନ୍ଦ କରାଯାଉ ବୋଲି କୁହାଯାଇଥିଲା। ଏହାପରେ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି ଯେ, ଆସନ୍ତା ଶନିବାର ପର୍ଯ୍ୟନ୍ତ ଯେଉଁମାନେ ଡ୍ରାଇଭ୍ ଇନ୍ ଟିକା ପାଇଁ ସ୍ଲଟ୍ ବୁକିଂ କରିଛନ୍ତି ସେମାନେ ଟିକା ନେଇପାରିବେ। ଏହାପରେ ଆଉ ଡ୍ରାଇଭ୍ ଇନ୍ ଟିକା ପାଇଁ ସ୍ଲଟ୍ ବୁକିଂ ହେବନି। ଏହାବଦଳରେ ଆମେ ଅଧିକ ଟିକାକରଣ କେନ୍ଦ୍ର ଖୋଲିବୁ।

ସମ୍ବନ୍ଧିତ ଖବର