ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠରେ ବୁଲୁଛନ୍ତି ମାଳମାଳ ଯାଯାବର। ପୂର୍ବରୁ ସହର ଭିତରେ ବୁଲୁଥିବା ଏହି ଯାଯାବରମାନେ ସହରରୁ ତଡ଼ା ଖାଇବା ପରେ ଏବେ ଉପକଣ୍ଠରେ ଗଢ଼ି ସାରିଲେଣି ଅସ୍ଥାୟୀ ବସ୍ତି। କିନ୍ତୁ ଏମାନଙ୍କ ପାଇଁ କରୋନା କଟକଣା ବୋଲି କିଛି ନାହିଁ। ନା ଏମାନଙ୍କୁ କେହି ସଙ୍ଗରୋଧରେ ରଖୁଛି ନା ଏମାନଙ୍କ କୋଭିଡ୍ ପରୀକ୍ଷା ପାଇଁ କିଛି ବ୍ୟବସ୍ଥା ରହିଛି। ଏବେ ବି ସହରରେ ଚଳପ୍ରଚଳ ହେଉଥିବା ଏହି ମଣିଷମାନଙ୍କ ହିସାବ ସରକାରୀ ରେକର୍ଡରେ ନାହିଁ। ତେଣୁ କୌଣସି କଟକଣାରେ ନଥିବା ଏମାନଙ୍କ ଜରିଆରେ କରୋନା ସଂକ୍ରମଣ ହେବା ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଏବେ ବିଭିନ୍ନ ସ୍ଥାନରେ ଏମାନଙ୍କୁ ଲୋକେ ଗାଳିମନ୍ଦ କରୁଥିବା ବେଳେ କିଛି କିଛି ସ୍ଥାନରେ ଲୋକେ ମାଡ଼ ମାରି ତଡ଼ୁଥିବା ଦେଖିବାକୁ ମିଳୁଛି। ଫଳରେ ଏହି ନିରାଶ୍ରିତ ମଣିଷମାନେ ଏବେ ଗୋଟିଏ ସହରରେ ବି ମୁଣ୍ଡ ଗୁଞ୍ଜିବା ପାଇଁ ହନ୍ତସନ୍ତ ଯାଇଛନ୍ତି।
ସୂଚନାନୁସାରେ, ଚନ୍ଦ୍ରଶେଖରପୁର, ପଟିଆ, ଇନ୍ଫୋସିଟି, ମଞ୍ଚେଶ୍ବର ଓ ରସୁଲଗଡ଼ ଅଞ୍ଚଳରେ ଏବେ ଏମାନଙ୍କ ଅସ୍ଥାୟୀ ବସ୍ତି ଦେଖିବାକୁ ମିଳୁଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ ଏମାନେ ବୁଲିବୁଲି ଭିକ୍ଷା ମାଗି ଚଳୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକ ଘର ଘର ବୁଲି ଚେରମୂଳି ଔଷଧ ଓ ପଥର ମୁଦି ବିକ୍ରି କରୁଛନ୍ତି। କିଛି ଲୋକ କାନରୁ ମଇଳା ସଫା କରୁଛନ୍ତି ଓ ମାଲିସ୍ କାମ ମଧ୍ୟ କରୁଛନ୍ତି। ତେବେ ବିସ୍ମୟର କଥା ହେଉଛି ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନେଇ କାହାର ନିଘା ନାହିଁ। ବିଏମ୍ସି କର୍ତ୍ତୃପକ୍ଷ ଏମାନଙ୍କ ହିସାବ ରଖି ନାହିଁ। ଏମାନେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରହି ପାରୁ ନଥିବାରୁ ଏମାନଙ୍କୁ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଠାବ କରି ପାରୁନାହାନ୍ତି। ଏମାନଙ୍କ ବସ୍ତିରେ ଅନେକ ବୃଦ୍ଧ ଓ ଶିଶୁ ଜ୍ବରରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳିଛି। ତେଣୁ ସେମାନେ ବିନା ଡାକ୍ତରଙ୍କ ପରାମର୍ଶରେ ନିକଟସ୍ଥ ଔଷଧ ଦୋକାନରୁ ଓୗଷଧ କିଣି ଖାଇ ଦେଉଛନ୍ତି ଓ ବହୁ ସମୟରେ ନିଜର ଦେଶୀ ଚିକିତ୍ସାରେ କାମ ଚଳାଇ ନେଉଛନ୍ତି। ଏଭଳି ସ୍ଥିତିରେ ସେମାନେ ବାହାରେ ଚଳପ୍ରଚଳ ହେଉଥିବାରୁ ଏମାନଙ୍କଠାରୁ କୋରାନା ସଂକ୍ରମଣ ହେବା ସମ୍ଭାବନା ରହିଛି। ତେଣୁ ରାଜଧାନୀ ଉପକଣ୍ଠର ବିଭିନ୍ନ ଗାଁମାନଙ୍କରେ ଏମାନଙ୍କୁ ଲୋକେ ବିରୋଧ କରୁଛନ୍ତି। ଫଳରେ ଏବେ ଏହି ଯାଯାବରମାନେ ଖୋଲା ପଡ଼ିଆ ଓ ବିଲ ଭିତରେ ଅସ୍ଥାୟୀ ଝୁମ୍ପୁଡ଼ି କରି ରହୁଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ କିମ୍ବା ଗ୍ରାମାଞ୍ଚଳରେ ବ୍ଲକ୍ ପ୍ରଶାସନ ଏମାନଙ୍କ ହିସାବ ରଖିବା ଆବଶ୍ୟକ ବୋଲି ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fg87dj98dg7j8d9gjdjggjgjgjdgjdgjj.jpg)