ଭୁବନେଶ୍ୱର: କେହି ‘ଜେବ୍ରା କ୍ରସିଂ’ ମାଡ଼ିବେନି। ମାଡ଼ିଲେ, କଡ଼ାଗଣ୍ଡା କରି ଜରିମାନା ଗଣିବେ। ଜେଲ୍‌ଦଣ୍ଡ ବି ମିଳିବ। କିନ୍ତୁ ଟ୍ରାଫିକ୍‌ ପୁଲିସ୍‌ର ହୁଗୁଳାପଣ ପାଇଁ ପଥଚାରୀଙ୍କ ଉଦ୍ଦିଷ୍ଟ ଏହି ‘ଜେବ୍ରା କ୍ରସିଂ’ ଉପରେ ଗାଡ଼ିମୋଟର ଠିଆ ହେଉଛି। ଅମାନିଆ ଚାଳକମାନେ କେହି ବି ‘ଜେବ୍ରା କ୍ରସିଂ’ ପାଇଁ ରହିଥିବା ଟ୍ରାଫିକ୍ ନିୟମ ମାନୁନାହାନ୍ତି। ଫଳସ୍ବରୂପ ପଥଚାରୀମାନେ ରାସ୍ତାପାର ବେଳେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି, ଦୁର୍ଘଟଣାର ଶିକାର ହେଉଛନ୍ତି।

Advertisment

ସେପଟେ ଏହି ନିୟମ କଡ଼ାକଡ଼ା ଅନୁପାଳନ କରିବା ଦାୟିତ୍ବ ଟ୍ରାଫିକ୍ ପୁଲିସ୍‌ର। ଟ୍ରାଫିକ୍‌ ପୁଲିସ୍‌ ଏହି ନିୟମ ପାଳନ ହେଉଛି କି ନାହିଁ, ଅନୁଧ୍ୟାନ କରିବେ ଓ ଅମାନିଆ ଚାଳକଙ୍କୁ ଜରିମାନା କରିବେ। କିନ୍ତୁ ଏହାକୁ ଯାଞ୍ଚ କରାଯାଉନାହିଁ। ଫଳସ୍ବରୂପ ସହରର ପ୍ରମୁଖ ଛକମାନଙ୍କରେ ଗାଡ଼ିଚାଳକମାନେ ଜେବ୍ରା କ୍ରସିଂ ଉପରେ ଅବାଧରେ ଛିଡ଼ା ହେଉଛନ୍ତି। ଅନ୍ୟପକ୍ଷରେ ଅନେକ ସ୍ଥାନରେ ଜେବ୍ରା କ୍ରସିଂ (ଧଳା ଗାର) ବି ଲିଭିଗଲାଣି। ଏହା ଉଭୟ ଚାଳକ ଓ ପଥଚାରୀଙ୍କୁ ଦ୍ବନ୍ଦ୍ବରେ ପକାଇବା ସହ ଦୁର୍ଘଟଣାର କାରଣ ସାଜିଛି। ଟ୍ରାଫିକ୍ ଛକରେ ପଥଚାରୀମାନେ ଦୁର୍ଘଟଣାମୁକ୍ତ ପରିବେଶରେ ରାସ୍ତା ପାର ହେବା ପାଇଁ ‘ଜେବ୍ରା କ୍ରସିଂ’ର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମୋଟର ଯାନ ଆଇନ ଧାରା ୧୮୪ରେ ବି ଜେବ୍ରା କ୍ରସିଂର ଉଦ୍ଦେଶ୍ୟ, ନିୟମବଳୀ ଓ ଜରିମାନା କଥା ସ୍ପଷ୍ଟ ଉଲ୍ଲେଖ ରହିଛି। ନିୟମ ଅନୁଯାୟୀ, ଜେବ୍ରା କ୍ରସିଂ କଳା, ଧଳା ଅବା ହଳଦିଆ ରଙ୍ଗର ହୋଇପାରିବ। ପ୍ରତି ଗାରର ଓସାର ୫ ସେଣ୍ଟିମିଟର ରହିବ। କିନ୍ତୁ ଓଡ଼ିଶାରେ ଏହା କଳା ଓ ଧଳା ରଙ୍ଗରେ କରାଯାଉଛି। ପୂର୍ବରୁ ଜେବ୍ରା କ୍ରସିଂ ନିୟମ ଉଲ୍ଲଘଂନ କଲେ, ୧୦୦ ଟଙ୍କା ଓ ପରେ ୫୦୦ ଟଙ୍କାରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବାର ନିୟମ ରହିଥିଲା। ନିକଟରେ ସଂଶୋଧିତ ଓଡ଼ିଶା ମୋଟର ଯାନ ଆଇନ ଅନୁଯାୟୀ,ଜେବ୍ରା କ୍ରସିଂ ନିୟମ ଉଲ୍ଲଂଘନ କଲେ ପ୍ରଥମେ ୫ହଜାର ଟଙ୍କା ଅବା ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି। ଏକାଧିକ ଥର ଏଭଳି ଭୁଲ୍ ହେଲେ ୧୦ହଜାର ଟଙ୍କା ଜରିମାନା, ନଚେତ୍ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି। ପଥଚାରୀଙ୍କ ଦୁର୍ଘଟଣା ରୋକିବାକୁ କୋର୍ଟଙ୍କ ଆଦେଶକ୍ରମେ ସ୍ବତନ୍ତ୍ର ଭାବେ ଏହି ଜେବ୍ରା କ୍ରସିଂ ସବୁ ଟ୍ରାଫିକ୍ ଛକରେ କରାଯାଇଛି।

ଅମାନିଆ ଚାଳକ, ବେଫିକର ପୁଲିସ
ଲିଭିଗଲାଣି ଜେବ୍ରା ଲାଇନ୍

ରାଜଧାନୀ ଭୁବନେଶ୍ବରରେ ବି ପ୍ରତି ଛକରେ ଜେବ୍ରା କ୍ରସିଂ ପାଇଁ ଧଳାଗାର ପଡ଼ିଛି। ଏହାକୁ ନ ମାଡ଼ିବାକୁ ଷ୍ଟପ୍ ଚିହ୍ନ ରହିଛି ଓ ଏଥିପାଇଁ ଭିନ୍ନ ଏକ ଗାର ଟଣାଯାଇଛି। କିନ୍ତୁ ସେ ରାମମନ୍ଦିର ଛକ ହେଉ କି ଆଇଡିବିଆଇ ଛକ, ନିକୋ ପାର୍କ ଛକ ହେଉ କି ରବୀନ୍ଦ୍ର ମଣ୍ଡପ ଛକ, କେହି ବି ଏହି ନିୟମ ମାନୁନାହାନ୍ତି। ସମାନ ସ୍ଥିତି ବି କଳ୍ପନା ଛକ, ରବି ଟକିଜ୍ ଛକ, ରାଜମହଲ ଛକ, ଏଜି ଛକ, ପାୱାର ହାଉସ୍ ଛକ ଓ ଅନ୍ୟ ପ୍ରମୁଖ ଛକରେ। କେହି ବି ଜେବ୍ରା କ୍ରସିଂ ପାଇଁ ଚିହ୍ନିତ ଷ୍ଟପ୍‌ ଗାର ପଛକୁ ରହୁନାହାନ୍ତି। ଟ୍ରାଫିକ୍‌ରେ ଅଟକିବା ବେଳେ ସମସ୍ତ ଚାଳକ ଜେବ୍ରା କ୍ରସିଂ ଉପରେ ଗାଡ଼ି ରଖି ଛିଡ଼ା ହେଉଛନ୍ତି। ଏଣୁ ପଥଚାରୀମାନେ ରାସ୍ତା ମଝିରେ ଇତଃସ୍ତତ ହୋଇ ଯାଆସ କରୁଛନ୍ତି। ବେଳେ ଦୌଡ଼ିବାକୁ ପଡ଼ୁଛି। ମହିଳା, ଛାତ୍ରଛାତ୍ରୀ, ଶିଶୁମାନେ ବି ଏଭଳି ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଅନୁପାଳନ କରାଯାଏ ବୋଲି ରାଜ୍ୟବାସୀଙ୍କ ଧାରଣା ରହିଛି। ଭୁବନେଶ୍ବର ବି ହେଲ୍‌ମେଟ୍ ଓ ଅନ୍ୟ ମୋଟର ଯାନ ନିୟମ ଅନୁପାଳନ ଓ ଏହାକୁ ନେଇ ଜରିମାନାରେ ସର୍ବଦା ଚର୍ଚ୍ଚାରେ ରହିଆସିଛି। କିନ୍ତୁ ଜେବ୍ରା କ୍ରସିଂ ନିୟମ ଅନୁପାଳନରେ ଟ୍ରାଫିକ୍ ପୁଲିସର ହୁଗୁଳାପଣ କେବଳ ଦୁର୍ଘଟଣାକୁ ଆମନ୍ତ୍ରଣ କରୁନି, ଟ୍ରାଫିକ୍ ନିୟମ ପାଳନ ନେଇ ଲୋକଙ୍କ ମନରେ ଯେଉଁ ଭୟ ରହିଥିଲା, ତାହା ବି ଦୂର ହେବାରେ ଲାଗିଲାଣି।