ଲେଡି ଡନ୍ ବାନୋ ପଛରେ କିଏ? ଖୋଲୁଛି କଳା କାରନାମାର ପେଡ଼ି

ଭୁବନେଶ୍ବର : ରାଜଧାନୀରେ ଲେଡି ଡନ୍ କଥା ଉଠିଲେ ପ୍ରଥମେ ହଳଦୀପଡ଼ିଆର ଶୈଳ ରଣସିଂର ନାଁ ଆସେ। ଏବେ ପୁଣି ଜଣେ ଲେଡି ଡନ୍‌କୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ବସ୍ତିରେ ଆତଙ୍କ ସୃଷ୍ଟି କରୁଥିବା ଏହି ଲେଡି ଡନ୍ ପଛରେ କିଏ? ଏବେ ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

ଏୟାରଫିଲ୍‌ଡ ଥାନା ଆଜାଦନଗର ଅଭିରାମ ବସ୍ତିରେ ରହୁଥିବା ଏହି ଲେଡି ଡନ୍‌ ହେଉଛି ଆସମା ବିବି ଓରଫ୍ ବାନୋ। ଗତ ପ୍ରାୟ ୫ ବର୍ଷ ହେଲା ବାନୋକୁ ନେଇ ଏୟାର୍‌ଫିଲ୍‌ଡ ଥାନା ଅଞ୍ଚଳ ପଡ଼ୁଥିଲା ଉଠୁଥିଲା। ଥାନାକୁ ଆସିଲେ ପୁଲିସ ପ୍ରମାଦ ଗଣୁଥିଲା। ଆଖପାଖ ହାଟ ବଜାରରେ ବି ବାନୋ ନାଁ ଥିଲା ଆତଙ୍କର ପ୍ରତୀକ। ପୂର୍ବରୁ ଥାନାରେ ପଶି ପୁଲିସ କର୍ମଚାରୀଙ୍କ ଉପରକୁ ହାତ ଉଠାଇଥିଲେ ବି ସେ ଗିରଫ ହୋଇନଥିଲା। ତେଣୁ ସେଠାରେ ବେଧଡ଼କ ଚାଲିଥିଲା ବାନୋ ରାଜ୍‌। କେହି ମୁହଁ ଖୋଲିବାକୁ ସାହସ କରୁନଥିଲେ। କିନ୍ତୁ ଗତକାଲି ତାକୁ ଏୟାର୍‌ଫିଲ୍‌ଡ ଥାନା ପୁଲିସ ଗିରଫ କରିବା ପରେ ବାନୋ ବିରୋଧ‌ରେ ‌ମୁହଁ ଖୋଲୁନଥିବା ଲୋକେ ଏବେ ଗୁମର ଖୋଲିବାରେ ଲାଗିଛନ୍ତି।

ବସ୍ତିରୁ ଛେଳି ଚୋରି କରୁଥିବା ଅଭିଯୋଗରେ ଜଣେ ନାବାଳକ ଓ ଜଣେ ଯୁବକଙ୍କୁ ବାନୋ ଦଉଡ଼ିରେ ବାନ୍ଧି ନିସ୍ତୁକ ପିଟିଥିଲା। ଜରିମାନା ବାବଦରେ ସେମାନଙ୍କଠାରୁ ଲକ୍ଷେ ଟଙ୍କା ଦାବି କରିଥିଲା। ଏମିତିକି ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ଆସିଥିବା ପୁଲିସ କର୍ମଚାରୀମାନେ ବି ବାନୋ ଆକ୍ରମଣରୁ ବାଦ୍‌ ପଡ଼ିନଥିଲେ। ତେବେ ଆଇନକୁ ହାତକୁ ନେବା ଓ ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏଆରଫିଲ୍ଡ୍‌ ଥାନା ପୁଲିସ ତାକୁ ଗିରଫ କରିଥିଲା। ବଡ଼ କଥା ହେଉଛି; ଯେଉଁ ବସ୍ତିରେ ଦିନେ କେହି ବି ବାନୋ ମୁହଁରେ ପାଟି ଫିଟାଇବାକୁ ସାହସ କରୁନଥିଲେ, ସେହିଠାରୁ କେହି ଜଣେ ବାନୋ କାରନାମାର ଚିତ୍ର ଭିଡିଓ କରି ଭାଇରାଲ୍‌ କରି ଦେଇଥିଲା। ଫଳରେ ପୁଲିସ ତାକୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା। ନଚେତ୍ ପୂର୍ବରୁ ବାନୋକୁ ଭୟ କରୁଥିବା ପୁଲିସ ଏହି ମାମଲାରେ ବି ନିରବ ରହିବା ସମ୍ଭାବନା ଥିଲା ବୋଲି ଚର୍ଚ୍ଚା ହେଉଛି।

ଅଣ୍ଡା ଦୋକାନରୁ ଲେଡି ଡନ୍
ଦୀର୍ଘ ବର୍ଷ ତଳେ ଲିଙ୍ଗରାଜ ଷ୍ଟେସନ ନିକଟରେ ବାନୋର ସ୍ବାମୀ ଏକ ଅଣ୍ଡା ଦୋକାନ କରିଥିଲେ। ବାନୋ ସେହି ଦୋକାନରେ ବସି ଅଣ୍ଡା ବିକୁଥିଲା। ସ୍ବାମୀ ଅସୁସ୍ଥ ହେବା ପରେ ବାନୋ ଦୋକାନ ଚଳାଉଥିଲା। ତେବେ କିଛି ବର୍ଷ ହେଲା ବସ୍ତିରେ ଛେଳି, କୁକୁଡା ପାଳି ବାନୋର ଦବ୍‌ଦବା ବଢ଼ି ଯାଇଛି। ବସ୍ତିରେ କାହାର କ’ଣ ସମସ୍ୟା ହେଲେ ବାନୋ ବିନା ଜ୍ଞାତସାରରେ ସମାଧାନ ହୋଇପାରେନା। ବାନୋ କୋର୍ଟରେ ହିଁ ସବୁ ଫଇସଲା ହୁଏ। ତା ମୁହଁରୁ ବା‌ହାରିଥିବା କଥା ହିଁ ବେଦର ଗାର। କେହି ଯଦି ନ ମାନିଲେ, ବସ୍ତିରୁ ତଡ଼ା ଖାଇବା ନିଶ୍ଚିତ। ନାନା ପ୍ରକାର ନିର୍ଯାତନାର ଶିକାର ହେବା ଥୟ। ଏମିତି ଭାବେ ବାନୋ ସମସ୍ତଙ୍କୁ ଡରାଇ ଧମକାଇ ରଖିଥିବାରୁ ବାନୋ କାଳକ୍ରମେ ବସ୍ତିର ଲେଡି ଡନ୍ ପାଲଟି ଯାଇଛି।

ବାନୋର କାୟା ବଢ଼ିଲା କେମିତି?
ଛୋଟମୋଟ ଗଣ୍ଡଗୋଳରେ ବାନୋ ନିଜ ଆଡ଼ୁ ହସ୍ତକ୍ଷେପ କରେ। ଖାଲି ହସ୍ତକ୍ଷେପ କରେ ନାହିଁ, ତାର ଦବ୍‌ଦବା ଜାହିର୍‌ କରେ। କେହି ବାନୋ ବିରୋଧରେ ମୁହଁ ଖୋଲିଲା ତ, ତା’ର ବେଳା ଖରାପ ପଡ଼ିଲା ବୋଲି ଧରିନେବାକୁ ହୁଏ। ସେହିଭଳି ଯଦି ସେ କେବେ ଥାନାରେ ପହଞ୍ଚିଲା ତ, ସେଦିନ ପୁଲିସ କର୍ମଚାରୀ ତ୍ରାହି ତ୍ରାହି ଡାକନ୍ତି। କେମିତି ସେ ତୁରନ୍ତ ଥାନା ଛାଡ଼ିବ, ସେହି ବ୍ୟବସ୍ଥାରେ ଲାଗି ପଡ଼ନ୍ତି ପୁଲିସ କର୍ମଚାରୀ। କାରଣ ବାନୋର ଅଶ୍ରାବ୍ୟ ଭାଷା ଗାଳି ସମସ୍ତଙ୍କ ଇଜ୍ଜତ ମହତ ସାରିଦିଏ। ସମସ୍ତଙ୍କୁ ଅତିଷ୍ଠ କରିଦିଏ। ବାନୋକୁ ପୁଲିସ ଭୟ କରୁଥିବା ଧାରଣା ହିଁ ତାକୁ ଡନ୍‌ ବନାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସେହିଭଳି କିଛି ଲୋକ ବାନୋକୁ ବ୍ୟବହାର କରି ଫାଇଦା ହାସଲ କରନ୍ତି। ଜଣେ ମହିଳା ହୋଇଥିବାରୁ ସେ ସହଜରେ ଅନ୍ୟମାନଙ୍କୁ ଚାପରେ ରଖିପାରେ। ଆଇନ ଓ ଲୋକଲଜ୍ଜା ଭୟରେ କେହି ତା ମୁହଁ ଲାଗନ୍ତି ନାହିଁ।

ଥାନାରେ ପଶି ହାବିଲଦାରଙ୍କୁ ଥାପଡ଼ ମାରିଥିଲା
୨୦୧୭ ମସିହାର କଥା। କୌଣସି ଏକ କାମରେ ବାନୋ ଏୟାରଫିଲ୍‌ଡ ଥାନାକୁ ଯାଇଥିଲା। ଜଣେ ହାବିଲଦାର ବାନୋକୁ କ’ଣ ପାଇଁ ଥାନାକୁ ଆସିଛ ବୋଲି ପଚାରି ଦେଇଥିଲେ। ଏତିକିରେ ବା ନୋର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଅଫିସରଙ୍କ ସହ କଥା ହେବାକୁ ଆସିଥିବା ବାନୋକୁ ଜଣେ ସାମାନ୍ୟ ହାବିଲଦାର ପଚାରି ଦେଇଥିବାରୁ ତା’ ସମ୍ମାନରେ ଆଞ୍ଚ ଆସିଥିଲା। ତେଣୁ ସେ ହାବିଲଦାରଙ୍କୁ ଗାଳିଗୁଲଜ କରିବା ସହ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ତେବେ ଏତିକିରେ ବାନୋର ରାଗ ଥମିନଥିଲା। ପୁଲିସକୁ ଗାଳି କରି ଥାନା କମ୍ପାଇଥିଲା। ଫଳରେ ପୁଲିସ ତାକୁ ବୁଝାସୁଝା କରି ଥାନାରୁ ବିଦା କରି ଦେଇଥିଲା ଓ ମାମଲାକୁ ଆଉ ଆଗକୁ ବଢ଼ାଇବାକୁ ଦେଇନଥିଲା। ବିଚରା ହାବିଲଦାର କାନମୁଣ୍ଡା ଆଉଁଷି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ।

ଯୁବକଙ୍କୁ ବାନ୍ଧି ବିଚ୍ ରାସ୍ତା‌ରେ ୨ କିମି ଚଲାଇଥିଲା
୨୦୧୬ ମସିହାରେ ମଧ୍ୟ ଆଉ ଏକ ସାଂଘାତିକ ଘଟଣା ଘଟାଇଥିଲା ବାନୋ। ସେଥର ବାନୋର ରୋଷର ଶିକାର ହୋଇଥିଲା ଜଣେ ଯୁବକ। ଭୁଲବଶତଃ ଯୁବକର ଫୋନ୍‌ କଲ୍ ବାନୋ ପାଖକୁ ଚାଲି ଯାଇଥିଲା। ଏହା ପରେ ବାନୋ କୌଶଳକ୍ରମେ ଦୁଇ ତିନି ଥର ସେହି ଯୁବକଙ୍କୁ ଫୋନ୍ କରି କଥାବାର୍ତ୍ତା ହୋଇଥିଲା। ଦିନେ ଯୁବକଙ୍କୁ ପଳାସପଲ୍ଲୀ ନିକଟକୁ ଡକାଇଥିଲା। ଯୁବକ ଜଣକ ପଳାସପଲ୍ଲୀ ନିକଟରେ ପହଞ୍ଚିବା ପରେ ବାନୋ ତାଙ୍କୁ କାବୁ କରି ନେଇଥିଲା। ତା’ ହାତକୁ ବାନ୍ଧି ପକାଇବା ସହ ମାଡ଼ ମାରି ରାସ୍ତାରେ ପ୍ରାୟ ୨ କିଲୋମିଟର ଚଲାଇ ଚଲାଇ ଏୟାରଫିଲ୍‌ଡ ଥାନାକୁ ନେଇଥିଲା। ସେଠାରେ ଯୁବକଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗ ଆଣିଥିଲା ଏବଂ ୫୦ ହଜାର ଟଙ୍କା ଦେଲେ ମାମଲାର ଆପୋସ ସମାଧାନ ହେବ ବୋଲି ଧମକ ଦେଇଥିଲା। ଶେଷରେ ବାଧ୍ୟ ହୋଇ ଯୁବକ ୩୦ ହଜାର ଟଙ୍କା ଗଣି ମୁକ୍ତି ପାଇଥିଲେ।

ଭାଇରାଲ୍ ଭିଡିଓ ଦେଲା ପ୍ରମାଣ
ବାନୋ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ଥିଲା। କିନ୍ତୁ ପ୍ରମାଣ ଅଭାବରୁ ପୁଲିସ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏହା ଛଡ଼ା ସେ ଅଭିଯୋଗକାରୀଙ୍କ ଉପରେ ଚାପ ପକାଇ ମାମଲାକୁ ଆପୋସ ସମାଧାନ କରି ଦେଉଥିଲା। କିନ୍ତୁ ଏଥର ଆଉ ଖସିବା ସମ୍ଭବ ନଥିଲା। ଛେଳି ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରି ଆଇନକୁ ନିଜ ହାତକୁ ନେଇଥିଲା। ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲା। ଏସବୁର ଭିଡିଓ ଭାଇରାଲ୍‌ ହୋଇଯିବାରୁ ପୁଲିସ ବାନୋ ବିରୋଧରେ ପ୍ରମାଣ ପାଇଯାଇଥିଲା। ତେଣୁ ବାନୋକୁ ବାନ୍ଧିବା ପାଇଁ ପୁଲିସକୁ କଷ୍ଟ କରିବାକୁ ପଡ଼ିନଥିଲା।

ସମ୍ବନ୍ଧିତ ଖବର