ଅନନ୍ତ ଓ ପ୍ରିୟଦର୍ଶୀ ବି ଭେଟିଲେ, ବିଜେଡିକୁ ଅପେକ୍ଷା କରିଛି ବିଜେପି

ଭୁବନେଶ୍ବର: ରାଜ୍ୟର ୧୨୮ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଲାଣି। ହେଲେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଭୁବନେଶ୍ବରର ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରୁନି। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ପ୍ରାୟ ସପ୍ତାହେ ହେଲା ବିଜେଡି ଅଶୋକ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। କିନ୍ତୁ ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତରରେ କିଏ ପ୍ରାର୍ଥୀ ହେବ ଦଳ ନିଷ୍ପତ୍ତି ଶୁଣାଇନି। ତୃତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଏପ୍ରିଲ ୪ତାରିଖ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ। ହାତରେ ଆଉ ମାତ୍ର ୭୨ଘଣ୍ଟା ଥିବା ବେଳେ ବିଜେଡିର ପ୍ରାର୍ଥୀ ଘୋଷଣା କାହିଁକି ଅଟକିଛି, ସେନେଇ ଏବେ ସବୁଠି ଚର୍ଚ୍ଚା। କେବଳ ବିଜେଡି ନୁହେଁ। କଂଗ୍ରେସ ବି ଏହି ଦୁଇଟି ଆସନରେ ପ୍ରାର୍ଥୀ ଘୋଷଣା କରିନି। ବିଜେପି ଭୁବନେଶ୍ବର ଉତ୍ତର ପାଇଁ ‌ପ୍ରାର୍ଥୀ ଘୋଷଣା କରିବା ବାକି ଅଛି। ଉଭୟ ବିଜେପି ଓ କଂଗ୍ରେସ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣାକୁ ଅପେକ୍ଷା କରିଥିବାରୁ ସେମାନେ ପ୍ରାର୍ଥୀ ଘୋଷଣା କରୁନାହାନ୍ତି ବୋଲି ଦଳର କିଛି ନେତା ସଫେଇ ଦେଉଛନ୍ତି।

Advertisment

ଭୁବନେଶ୍ବର ମଧ୍ୟ ଓ ଉତ୍ତରରେ ଟିକେଟ୍‌ ବାଣ୍ଟିବା ନେଇ ବିଜେଡି ଅକଳରେ ପଡ଼ିଯାଇଛି। ଏବେକାର ବିଧାୟକଙ୍କୁ ପୁଣି ସୁଯୋଗ ଦେବେ ନା ନୂଆ ମୁହଁ ଦେବେ ସେନେଇ ଶୀର୍ଷସ୍ତରରେ ଅଙ୍କ କଷା ଚାଲିଛି। ଏପଟେ ଏହି ଦୁଇଟି ଆସନ‌େର ବର୍ତ୍ତମାନର ବିଧାୟକ ଏବଂ ଆଶାୟୀ ପ୍ରାର୍ଥୀ ମୁଖିଆଙ୍କ ସମ୍ମୁଖରେ ଗତ କିଛି ଦିନ ହେଲା ଶକ୍ତି ପ୍ରଦର୍ଶନ କରୁଛନ୍ତି। ଆଜି ସଂଧ୍ୟାରେ ଭୁବନେଶ୍ବର ମଧ୍ୟ ଓ ଉତ୍ତର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ନେତାମାନେ ଆଶା ବାନ୍ଧିଥି‌େଲ। କିନ୍ତୁ ନବୀନଙ୍କ ଘୋଷଣା ପ‌େର ଆଶାୟୀମାନଙ୍କ ଦ୍ବନ୍ଦ୍ବ ବଢ଼ିଯାଇଛି। ସୋମବାର ସଂଧ୍ୟାରେ ଘୋଷଣା ହୋଇପାରେ ବୋଲି ନେତାମାନେ କର୍ମୀଙ୍କୁ ଆଶ୍ବାସନା ଦେଉଛନ୍ତି। ଭୁବନେଶ୍ବରର ଦୁଇଟି ଆସନରେ ତିନିଟି ନାମକୁ ନେଇ ଚର୍ଚ୍ଚା ଚାଲିଥିଲେ ହେଁ ବର୍ତ୍ତମାନର ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କ ମଧ୍ୟରୁ କାହାକୁ ବାଦ୍‌ ଦେଇ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ୍‌ ଦିଆଯିବ ସେନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିଗଲାଣି। ବିଜେଡିର ‌େଗାଟିଏ ମହଲର ଖବରକୁ ବିଶ୍ବାସ କରାଗଲେ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଭୁବନେଶ୍ବର ଉତ୍ତରରେ ବିଧାୟକ ପ୍ରାର୍ଥୀ ହେବାକୁ ଦାବି କରୁଛନ୍ତି। କିନ୍ତୁ ଦଳର କ୍ଷମତାଶାଳୀ ଗୋଷ୍ଠୀ ପ୍ରିୟଦର୍ଶୀଙ୍କ ଟିକେଟ୍‌ କାଟିବାକୁ ଚାହୁନାହାନ୍ତି। ଏହି ଗୋଷ୍ଠୀ ଅନନ୍ତଙ୍କୁ ଭୁବନେଶ୍ବର ମଧ୍ୟର ବିଧାୟକ ପ୍ରାର୍ଥୀ କରିବାକୁ ଚାପ ସୃଷ୍ଟି କରୁଛନ୍ତି। ହେଲେ ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କୁ ଟିକେଟ୍‌ ଦେବାକୁ ୨୦ ପୂର୍ବତନ କର୍ପୋରେଟର ନବୀନଙ୍କୁ ଭେଟି ଆଜି ଜଣାଇବା ପରେ ସ୍ଥିତି ଅଧିକ ଗମ୍ଭୀର ହୋଇଛି। କେବଳ ସେତିକି ନୁହେଁ, ବିଜୟଙ୍କ ସହ ବସ୍ତି ଭୋଟ୍‌ ରହିଛି। କାଳେ ତାଙ୍କୁ ଅସନ୍ତୁଷ୍ଟ କଲେ ଏହି ଭୋଟ୍‌ ବ୍ୟାଙ୍କ ହାତଛଡ଼ା ହେବ ଏବଂ ସେମାନେ ବିଜେପି ଆଡ଼କୁ ଢଳିବେ ତାହା ଏବେ ଚିନ୍ତାର ବିଷୟ ହୋଇଛି।

ଅନନ୍ତଙ୍କର ଭୁବନେଶ୍ବରରେ ତିନି ବିଧାୟକଙ୍କ ତୁଳନାରେ ଅଧିକ ସଂଗଠନ ରହିଛି। ତାଙ୍କ ସପକ୍ଷରେ ଅଧିକ କର୍ପୋରେଟର ଅଛନ୍ତି, ଜଣେ ବିଧାୟକଙ୍କ ପୂର୍ଣ୍ଣ ସମର୍ଥନ ବି ରହିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ ସବୁଠି ତାଙ୍କର ଭୋଟ୍‌ ବ୍ୟାଙ୍କ ଅଛି। ଭୁବନେଶ୍ବରରେ ବିଜେଡିର ‌େଯକୌଣସି କାର୍ଯ୍ୟକ୍ରମକୁ ସଫଳ କରିବାରେ ସେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ହେଲେ ତାଙ୍କ ନାମରେ ପୂର୍ବରୁ ଉଠିଥିବା ଅଭିଯୋଗକୁ ବିରୋଧୀ ପ୍ରସଙ୍ଗ କଲେ ଦଳ ଅଡ଼ୁଆରେ ପଡ଼ିଯିବାର ଆଶଙ୍କା କରି ତାଙ୍କୁ ପ୍ରାର୍ଥୀ କରିବାକୁ ପଛଘୁଞ୍ଚା ଦେଉଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା। ପ୍ରିୟଦର୍ଶୀଙ୍କର ପଞ୍ଚାୟତ ସଂଗଠନ ବେଶ୍‌ ‌ଭଲ ଅଛି। ଦୁଇ ଦିନ ତଳେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ନିଜେ ଯାଇ ପ୍ରିୟଦର୍ଶୀଙ୍କ ସପକ୍ଷରେ ନବୀନଙ୍କୁ ଜଣାଇଥିଲେ। ଆଜି ପ୍ରିୟଦର୍ଶୀ ନିଜେ ନବୀନ ନିବାସ ଯାଇ ନିଜ ପାଇଁ ଲବି କରିଛନ୍ତି। ପ୍ରିୟଦର୍ଶୀଙ୍କୁ ଅସନ୍ତୁଷ୍ଟ କଲେ କାଳେ ପ୍ରସନ୍ନ ବିଗିଡ଼ି ଯିବେ, ତାହା ମଧ୍ୟ ନେତୃତ୍ବଙ୍କର ଅଡ଼ୁଆ ବଢ଼ାଇଛି। ଯେହେତୁ ଉତ୍ତର ଆସନରେ ଏଯାଏଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ, ଯିଏ ବିଜେଡିରେ ଅସନ୍ତୁଷ୍ଟ ହେବେ ତାଙ୍କୁ ବିଜେପି ସେଠାକୁ ଟାଣି ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି। ଏମିତି ପରିସ୍ଥିତିରେ ଭୁବନେଶ୍ବରର ଦୁଇଟି ଆସନର ଗୁରୁତ୍ବ ବଢ଼ିଯାଇଛି ଓ ଆଶାୟୀ ନେତାଙ୍କର ବି।