ଭୁବନେଶ୍ବର: ଭୁବନେଶ୍ବରରୁ ପୁରୀକୁ ଲମ୍ବିଥିବା ୩୧୬ ନମ୍ବର ଜାତୀୟ ରାଜପଥ ରାଜ୍ୟର ଏକ ପ୍ରମୁଖ ରାସ୍ତା। ଶ୍ରୀକ୍ଷେତ୍ର ଭଳି ବିଶ୍ବବିଖ୍ୟାତ ପର୍ଯ୍ୟଟନସ୍ଥଳୀକୁ ପଡ଼ିଥିବା ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡ଼ି ଚଳାଚଳ କରୁଛି। କେବଳ ପୁରୀ ନୁହେଁ, ଅର୍କ କ୍ଷେତ୍ର କୋଣାର୍କ, ଚିଲିକା ସାତପଡ଼ା ବାଲିହରଚଣ୍ଡୀ, ରାମଚଣ୍ଡୀ, ମେରାଇନ୍‌ ଡ୍ରାଇଭ୍‌ ଭଳି ସ୍ଥାନ ବୁଲିବାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ମାତ୍ର ଦୁର୍ଭାଗ୍ୟର କଥା ଏହି ଜାତୀୟ ରାଜପଥର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ପର୍ଯ୍ୟଟକମାନେ ସମସ୍ୟାରେ ପଡ଼ୁଛନ୍ତି। ରକ୍ଷଣାବେକ୍ଷଣ ପାଇଁ ଠିକା ସଂସ୍ଥାକୁ କୋଟି କୋଟି ଟଙ୍କା ଅନୁଦାନ ମିଳୁଥିଲେ ବି ସବୁ ପାଣିରେ ପଡ଼ିବା ଅଭିଯୋଗ ହୋଇଆସୁଛି। ଏନେଇ ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ଏମିତିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହି ସମସ୍ୟାକୁ ନେଇ ଖବର ପ୍ରସାରଣ ହେବା ପରେ ବି କର୍ତ୍ତୃପକ୍ଷ ଚେତୁନାହାନ୍ତି।

Advertisment

ସୂଚନାନୁସାରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଆଇ) ପକ୍ଷରୁ ଗତ ତିନି ବର୍ଷ ଧରି ଏକ ଠିକା ସଂସ୍ଥାକୁ ଏହି ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ତିନି ବର୍ଷ ଭିତରେ ଠିକା ସଂସ୍ଥାକୁ ପ୍ରାୟ ୧୮କୋଟି ଟଙ୍କା ଦିଆଯାଇଛି। କିନ୍ତୁ ଏତେ ଗୁଡ଼ାଏ ଅର୍ଥ ବିନିଯୋଗ ହେବା ପରେ ବି ତାହା ଲୋକଙ୍କ କାମରେ ଲାଗୁନାହିଁ ବୋଲି ଅଭି‌ଯୋଗ ହୋଇଆସୁଛି। ପ୍ରଥମ କଥା ହେଉଛି, ଏହି ରାସ୍ତାରୁ ନିୟମିତ ବ୍ୟବଧାନରେ ବାଲି ସଫା କରାଯାଉନି। ରାସ୍ତା କଡ଼ରେ ଜମି ରହିଥିବା ବାଲି ପାଇଁ ସଡ଼କ ଦୁର୍ଘଟଣା ଘଟୁଛି। ବାଇକ୍‌ ଓ ଅନ୍ୟାନ୍ୟ ଛୋଟ ଛୋଟ ଯାନବାହାନ ବାଲିରେ ଫସି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ସେହିଭଳି ବିଭିନ୍ନ ପ୍ରକାର ସତର୍କତା ବାର୍ତ୍ତା ବହନ କରୁଥିବା ସୂଚନା ଫଳକ ଲଗାଯାଉନାହିଁ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଛକରେ ସୂଚନା ବୋର୍ଡ, ହାଜାର୍ଡ ମାର୍କର, ହୋମ୍‌ ଜୋନ୍‌ ପେଟ୍ରୋଲ୍‌ ପମ୍ପ, ଦିଗସୂଚକ ବୋର୍ଡ, ସାବଧାନ ସୂଚକ ବୋର୍ଡ, ତ୍ରିକୋଣୀୟ ସାବଧାନ ସୂଚକ ବୋର୍ଡ, ଷ୍ଟପ୍‌ ସାଇନ୍‌ ବୋର୍ଡ, କ୍ୟାଟ୍‌ ଆଇ ରେଡିୟମ୍‌, ରୋଟ୍ରୋ ରିଫ୍ଲେକ୍ଟିଭ୍‌ ଷ୍ଟିକର୍‌ ଆଦି ଲଗାଯାଉନାହିଁ।

ଫଳରେ ରାତିରେ ଯାଉଥିବା ଲୋକମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଗାଡ଼ିଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକା ସଂସ୍ଥା ଏସବୁ କରିବା ପାଇଁ ପଇସା ନେଉଥିବା ବେଳେ କିଛି କରୁନାହିଁ। କର୍ତ୍ତୃପକ୍ଷ ଏସବୁର ତଦନ୍ତ କରିବା ତ ଦୂରର କଥା କୌଣସି ପ‌ଦକ୍ଷେପ ନେଉନାହାନ୍ତି। ଠିକା ସଂସ୍ଥା କୋଟି କୋଟଇ ଟଙ୍କା ଆତ୍ମସାତ୍‌ କରୁଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ କାହିଁକି ଚୁପ୍‌ ରହୁଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଏନ୍‌ଏଚ୍‌ଆଇ ଓଡ଼ିଶା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ସିଂହଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ।