ଖୋର୍ଦ୍ଧା ଜିଲ୍ଲାରୁ କିଏ ହେବ ମନ୍ତ୍ରୀ?

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାର ୮ଟି ଆସନରୁ ବିଜେଡିର ୭ଜଣ ବିଧାୟକ ଜିତିଛନ୍ତି। କେବଳ ଜଟଣୀ କଂଗ୍ରେସ ଦଖଲରେ ଅଛି। ୭ଟି ଆସନରୁ ୪ଟିରେ ପୁରୁଣା ବିଧାୟକ ଥିବାବେଳେ ୨ଜଣ ନୂଆ ବିଧାୟକ ଅଛନ୍ତି। ଜଣେ ବିଜେପିରୁ ଆସି ବିଜେଡିରେ ଯୋଗଦେଇଛନ୍ତି। ତେଣୁ ଖୋର୍ଦ୍ଧା ଜିଲ୍ଲାରୁ ନୂଆ ମନ୍ତ୍ରୀମଣ୍ଡଳରେ କିଏ ସାମିଲ୍‌ ହେବେ ସେନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ଆରମ୍ଭରୁ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହୋଇଥିଲେ। ତେବେ ଏହିପାଳିର ତିନି ବର୍ଷ ପରେ ଅର୍ଥାତ୍ ୨୦୧୭ରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଖୋର୍ଦ୍ଧା ଜିଲ୍ଲାର ଆଉ ଜଣେ ବିଧାୟକ ଶଶିଭୂଷଣ ବେହେରା ସାମିଲ୍‌ ହୋଇଥିଲେ। ତେବେ ‌୫ବର୍ଷ ପର୍ଯ୍ୟନ୍ତ ଅଶୋକ ତାଙ୍କ ମନ୍ତ୍ରୀ ପଦ ବଜାୟ ରଖିଥିଲେ।

ଭୁବନେଶ୍ବର ଏକାମ୍ରରେ ତିନି ଥର ବିଧାୟକ ହୋଇଥିବା ଶ୍ରୀ ପଣ୍ଡା ଏଥର ମଧ୍ୟ ମନ୍ତ୍ରୀ ଚର୍ଚ୍ଚାରେ ଆଗରେ ଅଛନ୍ତି। ଏଥର ସେ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ତେଣୁ ପୂର୍ବରୁ ମନ୍ତ୍ରୀ ରହିଥିବାରୁ ଏବଂ ବରିଷ୍ଠତା ଭିତ୍ତିରେ ତାଙ୍କୁ ନୂଆ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ମିଳିପାରେ।

ସେହିପରି ଏଥର ଜୟଦେବରୁ ଦ୍ବିତୀୟ ଥର ପାଇଁ ଜିତିଥିବା ଅରବିନ୍ଦ ଢାଲିଙ୍କ ନାମ ମଧ୍ୟ ମନ୍ତ୍ରୀ ଚର୍ଚ୍ଚାରେ ରହିଛି। ଢାଲି ପୂର୍ବରୁ ମାଲକାନଗିରିରେ ବିଜେପି ବିଧାୟକ ଥିବାବେଳେ ନବୀନଙ୍କ ପ୍ରଥମ ପାଳିରେ ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ। ପରେ ‌େସ ବିଜେଡିରେ ଯୋଗଦେଇ ୨୦୦୯ରେ ଜୟଦେବରୁ ଜିତିଥିଲେ ମଧ୍ୟ ମନ୍ତ୍ରୀ ହେବାର ସୁଯୋଗ ପାଇ ନଥିଲେ। ଆହୁରି ମଧ୍ୟ ଏହି ସମୟରେ ସେ ପାରିବାରିକ ବିବାଦରେ ଛନ୍ଦି ହୋଇଥିଲେ।

ଅପରପକ୍ଷେ ବେଗୁନିଆରୁ ଏଥର ଜିତିଥିବା ରା‌ଜେନ୍ଦ୍ର ସାହୁ ଲଗାତର ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ୨୦୦୯ ମସିହାରେ ସେ ସ୍ବାଧୀନ ଭାବେ ଖୋର୍ଦ୍ଧାରୁ ଲଢ଼ି ଜିତିଥିଲେ। ୨୦୧୪ରେ‌ ଖୋର୍ଦ୍ଧାରୁ ବିଜେଡି ‌ଟିକେଟରେ ଜିତିଥିବାବେଳେ ଏଥର ବେଗୁନିଆରୁ ଜିତିଛନ୍ତି। ତାଙ୍କ ନାମ ମଧ୍ୟ ମନ୍ତ୍ରୀ ଚର୍ଚ୍ଚାରେ ଅଛି।

ଏଥର ଖୋର୍ଦ୍ଧାରୁ ଜିତିଥିବା ଜ୍ୟୋତିରିନ୍ଦ୍ର ନାଥ ମିତ୍ର ତିନି ଥରିଆ ବିଧାୟକ ହୋଇଥିଲେ ମଧ୍ୟ ମଝିରେ ବିଜେପିକୁ ଡେଇଁ ଏଥର ନିର୍ବାଚନ ବେଳେ ବିଜେଡିକୁ ଫେରିଛନ୍ତି। ଯେହେତୁ ଏବେ ଦଳକୁ ଆସିଛନ୍ତି ତେଣୁ ବରିଷ୍ଠ ‌ହୋଇଥିଲେ ମଧ୍ୟ ନିକଟରେ ବିଜେଡିରେ ସାମିଲ୍‌ ହୋଇଥିବାରୁ ତାଙ୍କ ନାମ ସୁପ୍ରିମୋ ବିଚାରକୁ ନେବେ କି ନାହିଁ ସେନେଇ ଚର୍ଚ୍ଚା ଚାଲିଛି।

ଖୋର୍ଦ୍ଧା ଜିଲ୍ଲାର ଆଉ ତିନି ବିଧାୟକଙ୍କ ମଧ୍ୟରୁ ପ୍ରଶାନ୍ତ ଜଗଦ୍ଦେବ ଦୁଇଥର ଜିତିଥିବାବେଳେ (ଥରେ ବେଗୁନିଆରୁ, ଥରେ ଚିଲିକାରୁ) ଭୁବନେଶ୍ବର ମଧ୍ୟରୁ ଅନନ୍ତ ନାରାୟଣ ଜେନା ଓ ଭୁବ‌େନଶ୍ବର ଉତ୍ତରରୁ ସୁଶାନ୍ତ କୁମାର ରାଉତ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଆଗକୁ ବିଏମ୍‌ସି ନିର୍ବାଚନ ଥିବାରୁ ଭୁବନେଶ୍ବରର କୌଣସି ବିଧାୟକଙ୍କୁ ସୁପ୍ରିମୋ ମନ୍ତ୍ରୀ ପଦ ଦେବେ ନା ଅନ୍ୟ ନିର୍ବାଚନମଣ୍ଡଳୀରୁ କାହାକୁ ମନ୍ତ୍ରୀ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର