ଭୁବନେଶ୍ବର: ରାସ୍ତା ଅବସ୍ଥା ଶୋଚନୀୟ। ଡ୍ରେନେଜ୍ ଭାଙ୍ଗିଗଲାଣି। ବାରମ୍ବାର ଅନୁରୋଧ ସତ୍ତ୍ବେ ୱାର୍ଡରେ ଥିବା ବସ୍ଷ୍ଟାଣ୍ଡ ମରାମତି ହେଉ ନାହିଁ। ଗୋଟିଏ କି ଦୁଇଟି ନୁହେଁ, ଭୁବନେଶ୍ବର ମହାନଗର ନିଗମ ଅଧୀନ ୱାର୍ଡଗୁଡ଼ିକରେ ଏବେ ଏମିତି ମାଳମାଳ ସମସ୍ୟା। ସମାଧାନ ପାଇଁ କର୍ପୋରେଟରମାନେ ବିଏମ୍ସି ବୈଠକରେ ସ୍ବର ଉଠାଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସମସ୍ୟାର ସମାଧାନ କଥା ଦୂରେ ଥାଉ। କର୍ପୋରେଟରଙ୍କ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ବିଏମ୍ସି ଆଦୌ ଗୁରୁତ୍ବ ଦେଉ ନାହିଁ। ପରିଣାମ ସ୍ବରୂପ ଏବେ କର୍ପୋରେଟରମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି। ପୂର୍ବରୁ ୨ରୁ ୩ ଜଣ କର୍ପୋରେଟର ଏନେଇ ମୁହଁ ଖୋଲିଥିବା ବେଳେ ଏବେ ୧୧ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରଭାସିନୀ ମହାନ୍ତିଙ୍କ ଚିଠିକୁ ନେଇ ସହରରେ ଚର୍ଚ୍ଚା। ଲୋକଙ୍କ କାମ ହେଉ ନ ଥିବାରୁ ସୋମବାରଠାରୁ ନିଜ ୱାର୍ଡରେ ଅମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି। ସହରରେ ବିକାଶମୂଳକ କାର୍ଯ୍ୟ କରିବା ଦିଗରେ କିଏ ବାଟ ଓଗାଳୁଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଏମ୍ସି ପକ୍ଷରୁ ଏହି ୱାର୍ଡକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଶ୍ରୀମତୀ ମହାନ୍ତି ମେୟର ସୁଲୋଚନା ଦାସଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ବିଜେଡି ଟିକେଟ୍ ପାଇବା ସହ ଲୋକଙ୍କ ଆଶିର୍ବାଦରେ ଜିତିଛନ୍ତି। ହେଲେ ୱାର୍ଡବାସୀଙ୍କ ଉନ୍ନତିମୂଳକ ପ୍ରସ୍ତାବଗୁଡ଼ିକୁ ଜାଣିଶୁଣି ଅଣଦେଖା କରାଯାଉଛି। ବାରମ୍ବାର ଅନୁରୋଧ ସତ୍ତ୍ବେ ରାସ୍ତା ମରାମତି ହେଉ ନାହିଁ। ଭଙ୍ଗାରୁଜା ହୋଇ ପଡ଼ିଥିବା ପାର୍କ ଓ ଓପନ୍ ଜିମ୍ର ମରାମତି କରାଯାଉ ନାହିଁ। ହସ୍ପିଟାଲକୁ ଆସୁଥିବା ଶତାଧିକ ରୋଗୀଙ୍କୁ ସୁବିଧା ମିଳୁନି। କଲ୍ୟାଣ ମଣ୍ଡପ ଭାଙ୍ଗିଯାଇଥିଲେ ମଧ୍ୟ ମରାମତି କରାଯାଉନି। ବସ୍ତିବାସିନ୍ଦାଙ୍କ ସମସ୍ୟାର ସମାଧାନ ହେଉ ନାହିଁ। ୱାର୍ଡ ଅଫିସ୍ ପାଇଁ ଜାଗା ଯୋଗାଇବା, ଟିଟିଏସ୍ରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବା, ଜବରଦଖଲକାରୀଙ୍କୁ ହଟାଇବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ବିଏମ୍ସିର କିଛି କର୍ମଚାରୀ ସହଯୋଗ କରୁ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ୧୦ ହଜାରରୁ ଅଧିକ ଲୋକ ନିର୍ଭର କରୁଥିବା ଗଡେଶ୍ବର ହାଟରୁ ବିଏମ୍ସି ଭଡ଼ା ନେଉଥିଲେ ମଧ୍ୟ ଏଠାରେ ସମସ୍ୟା ଚିନ୍ତାଜନକ ହୋଇଛି। କାଦୁଅ ପଚପଚ ରାସ୍ତା ହୋଇଥିବା ବେଳେ ଗାଡି ପାର୍କିଂ ବ୍ୟବସ୍ଥା ନାହିଁ, ବସ୍ଷ୍ଟପ୍ କରାଯାଇ ନାହିଁ। ତିନି ବର୍ଷ ହେଲା ବାରମ୍ବାର ଏନେଇ ବିଏମ୍ସିର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିବାରୁ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବାକୁ ସେ ଚେତାବନୀ ଦେଇଛନ୍ତି।
କେବଳ ୧୧ ନମ୍ବର ୱାର୍ଡ ନୁହେଁ, ସହରର ସମସ୍ତ ୱାର୍ଡରେ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଉନ୍ନତିମୂଳକ କାମ ଏକପ୍ରକାର ଠପ୍ ହୋଇଯାଇଛି। ୱାର୍ଡରେ କାମ କରିବାକୁ ଟେଣ୍ଡର ହେଉଛି। ମାତ୍ର ୱାର୍କ ଅର୍ଡର(କାର୍ଯ୍ୟାଦେଶ) ମିଳୁ ନ ଥିବାରୁ କାମ ଆଗେଇପାରୁ ନାହିଁ। ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ଅର୍ଥାଭାବ ଏବେ ପ୍ରମୁଖ ସମସ୍ୟା ସାଜିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ କାମଗୁଡ଼ିକ ପାଇଁ ଅର୍ଥ ଅନୁମୋଦିତ ହୋଇଥିଲା ସେହି କାମ ଏବେ ହେଉଛି। କର୍ପୋରେଟରମାନେ ଦେଉଥିବା ନୂଆ ପ୍ରସ୍ତାବଗୁଡ଼ିକ ଏବେ କାର୍ଯ୍ୟକାରୀ ହେଉ ନାହିଁ। ୱାର୍ଡ ସ୍ତରରେ ଏବେ କାମ ବଣ୍ଟନକୁ ନେଇ ଟଣାଓଟଣରା ପରିସ୍ଥିତି ଉପୁଜିଛି। କେତେଜଣ କର୍ପୋରେଟର ନିଜ ସମ୍ପର୍କୀୟଙ୍କୁ କାମ ଦେବାକୁ ଅଡ଼ି ବସୁଥିବା ବେଳେ ଆଉ କିଛି ସ୍ଥାନରେ ରାଜ୍ୟ ସରକାରଙ୍କ ଚାପ ପଡ଼ୁଛି। ବିଜେପି ପାଇଁ କାମ କରିଥିବା କିମ୍ବା ନିର୍ବାଚନ ସମୟରେ ପାଣ୍ଠି ଯୋଗାଇ ଦେଇଥିବା ବ୍ୟକ୍ତିଙ୍କୁ କାମ ଦେବାକୁ ଚାପ ପକାଉଛନ୍ତି। ତେଣୁ କାର୍ଯ୍ୟାଦେଶ ବଣ୍ଟନ ସମ୍ଭବପର ହେଉ ନାହିଁ।
ଆହୁରି ଜଣାପଡ଼ିଛି ଯେ ପୂର୍ବ ସରକାରରେ ମୁକ୍ତା, ଜାଗା ମିସନ୍, କଚ୍ଚା ପକ୍କା ଯୋଜନାରେ ଯେଉଁ ଠିକାଦାରମାନେ କାମ କରିଥିଲେ ସେମାନେ ଏବେ ସୁଦ୍ଧା ଅର୍ଥ ପାଇ ନାହାନ୍ତି। ବିଏମ୍ସିର ବଜେଟ୍ ନ ଥିବାରୁ ସେମାନଙ୍କ ପ୍ରାପ୍ୟ ମିଳୁ ନ ଥିବାରୁ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁଭଳି ଭାବେ କାମ କରିବା କଥା ସେଥିରେ ଢିଲା ମାରୁଛନ୍ତି। କର୍ପୋରେଟର ଦେଉଥିବା ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଉ ନ ଥିବାରୁ ଆଗକୁ ଅନେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ଆଗକୁ ବର୍ଷା ଋତୁ ଆସୁଥିବାରୁ ରାସ୍ତାଘାଟ ମରାମତି, ଡ୍ରେନେଜ୍ କାମ ଆଦି ବିଏମ୍ସି ପାଇଁ ବଡ଼ ଆହ୍ବାନ ଭାବେ ଛିଡ଼ା ହୋଇଛି।