ଖଣ୍ଡଗିରି: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ଖଣ୍ଡଗିରି-ଉଦୟଗିରିକୁ ଲମ୍ବିଛି ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍। ରାଜ୍ୟ ସମେତ ଦେଶ, ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଛୁଟିଆସୁଛନ୍ତି। ଶନିବାର ଓ ରବିବାର ଛୁଟି ଦିନରେ ଅଧିକ ଭିଡ଼। ଦୈନିକ ଖଣ୍ଡଗିରିକୁ ୫ ହଜାରରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ହେଲେ ପର୍ଯ୍ୟଟକଙ୍କ ଲାଗି ଏପର୍ଯ୍ୟନ୍ତ ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ମୌଳିକ ସୁବିଧା କରାଯାଇପାରିନାହିଁ। ସୁରକ୍ଷା କଥା ନ କହିବା ଭଲ। ପର୍ଯ୍ୟଟକଙ୍କ ଲାଗି ଆବଶ୍ୟକ ପରିମାଣରେ ଶୌଚାଳୟ ଆଜି ପର୍ଯ୍ୟନ୍ତ ହୋଇନାହିଁ। ପାନୀୟ ଜଳ ସମସ୍ୟା ବି ଲାଗିରହିଛି। ଯେଉଁଥିପାଇଁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) କେହି ବି ଏଦିଗରେ ଗୁରୁତ୍ବ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଆସୁଛି।
ଖଣ୍ଡଗିରି-ଉଦୟଗିରି ଗୋଟିଏ ଐତିହ୍ୟ ସ୍ଥଳୀ ହୋଇଥିଲେ ମଧ୍ୟ ବିକାଶ ଦିଗରେ ପାତରଅନ୍ତର ଦେଖିବାକୁ ମିଳୁଛି। ଏଏସ୍ଆଇ ଅଧୀନରେ ଉଭୟ ଖଣ୍ଡଗିରି ଉଦୟଗିରି ପାହାଡ଼ ରହିଛି। ହେଲେ ଉଦୟଗିରିରୁ କେବଳ ଏଏସ୍ଆଇ ଅର୍ଥ ପାଉଛି। ସେଠାରେ ପର୍ଯ୍ୟଟକଙ୍କ ଠାରୁ ଫି’ ଆଦାୟ କରାଯାଉଛି।
ଉଦୟଗିରିରୁ ପଇସା ପାଉଛି ଏଏସ୍ଆଇ, ବିକାଶ କରୁଛି
ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା
ଯେଉଁଥିପାଇଁ ଏଏସ୍ଆଇ ଉଦୟଗିରିର ବିକାଶ କରିବା ସହ ସୌନ୍ଦର୍ଯ୍ୟୀକରଣ କରୁଛି। ହେଲେ ଖଣ୍ଡଗିରି କ୍ଷେତ୍ରରେ ତାହା ସମ୍ଭବ ହେଉ ନାହିଁ। ଏଏସ୍ଆଇ ଅଧୀନରେ ଖଣ୍ଡଗିରି ପାହାଡ଼ ରହିଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦ ହେତୁ ବିକାଶ କାର୍ଯ୍ୟ ଆଗେଇପାରୁନାହିଁ। ଟିକେଟ୍ ବ୍ୟବସ୍ଥା ହେଉ ନ ଥିବାରୁ ଏଏସ୍ଆଇ ବିକାଶ ଉପରେ ସେତେଟା ଗୁରୁତ୍ବ ଦେଉନି। ସେଠାରେ ଥିବା ଶୌଚାଳୟରେ ତାଲା ଝୁଲୁଛି। ଐତିହ୍ୟକୁ ସୁରକ୍ଷିତ ରଖାଯାଇପାରୁନାହିଁ। କେଉଁଠି ପଥର ଖୋଦେଇ ଲିଭିଗଲାଣି ତ ଆଉ କେଉଁଠି ଅବର୍ଜନାର ପାହାଡ଼। ପାନୀୟ ଜଳ ସୁବିଧା ଉପଲବ୍ଧ ହୋଇନାହିଁ। କେବଳ ଦୁଇ ପାହାଡ଼ରେ ସମସ୍ୟା ନାହିଁ। ବରଂ ପର୍ଯ୍ୟଟକଙ୍କ ଲାଗି ଐତିହ୍ୟ ସ୍ଥଳୀ ନିକଟରେ ସାମାନ୍ୟତମ ସୁବିଧା ଉପଲବ୍ଧ ହୋଇନି। ପାଖରେ ବସ୍ଷ୍ଟାଣ୍ଡ୍ ହୋଇଥିଲେ ମଧ୍ୟ ସେଠାରୁ ପାହାଡ଼ ପର୍ଯ୍ୟନ୍ତ ଆସିବା ଲାଗି କୌଣସି ଗାଡ଼ିର ବ୍ୟବସ୍ଥା କରାଯାଇ ନାହିଁ। ବୟସ୍କ ପର୍ଯ୍ୟଟକମାନେ ଚାଲିଚାଲି ଆସୁଛନ୍ତି। ଏଠାରେ କାଫେଟେରିଆ ଘୋଷଣାରେ ରହିଗଲା।
ଯେଉଁଥିପାଇଁ ଉଠାଦୋକାନୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ପର୍ଯ୍ୟଟକମାନେ ଶୋଷଣର ଶିକାର ହେଉଛନ୍ତି। ଦୁଇଚକିଆ ଯାନ ରାସ୍ତା ପାର୍ଶ୍ବରେ ରଖାଯାଉଥିବାରୁ ବହୁ ସମୟରେ ଭିଡ଼ ପରିଲକ୍ଷିତ ହେଉଛି। ଭିକାରୀଙ୍କ କବଳରୁ ମଧ୍ୟ ମୁକ୍ତ ହୋଇନି ଭୁବନେଶ୍ବରର ଏହି ପର୍ଯ୍ୟଟନ ସ୍ଥଳୀ। ସେହିଭଳି ଏହି ରାସ୍ତାରେ ଭାରୀଯାନ ଚଳାଚଳ ରୋକିବା ଦିଗରେ ବି ସଫଳ ହୋଇନାହାନ୍ତି ରାଜ୍ୟ ସରକାର। କାରଣ ଏହି ରାସ୍ତାରେ ପ୍ରବେଶ ପଥରେ ପ୍ରତିବନ୍ଧକ ଲଗାଯାଇଥିବା ଓଭରହେଡ୍ ବାରିକେଡ୍କୁ ବାରମ୍ବାର ଭାଙ୍ଗି ଦିଆଯାଉଛି। ଏନେଇ ‘ସମ୍ବାଦ’ରେ ଖବର ବାହାରିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ବାରିକେଡ୍ ଲାଗିଥିଲା। ମାତ୍ର ତାହା ବେଶିଦିନ ଯାଇ ନାହିଁ। ଏବେ ପୁଣି ବାରିକେଡ୍ ଭାଙ୍ଗି ଦେଇଛନ୍ତି।
ଏଏସ୍ଆଇ ଅଧିକ୍ଷକ ଅରୁଣ ମଲ୍ଲିକଙ୍କ କହିବାନୁଯାୟୀ କେବଳ ଉଦୟଗିରିରୁ ଟିକେଟ ବାବଦକୁ ଟଙ୍କା ଆଦାୟ ହେଉଛି। ଖଣ୍ଡଗିରିରେ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଇପାରି ପାରିନାହିଁ। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ବାଟ ବାହାର କରିବାକୁ ନୀଳନକ୍ସା ପ୍ରସ୍ତୁତ କରାଯାଇଛି।
୧୦ ମାସରେ ୧.୭୮ ଲକ୍ଷ ପର୍ଯ୍ୟଟକ ବୁଲିଛନ୍ତି
ଏଏସ୍ଆଇ ତଥ୍ୟ ଅନୁଯାୟୀ ଗତ ଜାନୁଆରିରୁ ଅକ୍ଟୋବର ମାସ ମଧ୍ୟରେ ଏହି ପର୍ଯ୍ୟଟନ ସ୍ଥଳୀକୁ ୧ ଲକ୍ଷ ୭୮ ହଜାର ୬୯୧ଜଣ ପର୍ଯ୍ୟଟକ ବୁଲିଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟ ୧ ଲକ୍ଷ ୭୮ ହଜାର ୩୬୫ ଓ ୩,୨୬୬ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ଭାରତୀୟଙ୍କଠାରୁ ୪୪ଲକ୍ଷ ୩୯ ହଜାର ୫୮୦ ଟଙ୍କା ଓ ବିଦେଶୀଙ୍କଠାରୁ ୯ ଲକ୍ଷ ୬୬ହଜାର ୫୦ ଟଙ୍କା ଆୟ ହୋଇଛି। ଉଦୟଗିରିକୁ ଆସିଥିବା ପର୍ଯ୍ୟଟକଙ୍କଠାରୁ ଏହି ଅର୍ଥ ମିଳିଛି। କେବଳ ସେପ୍ଟେମ୍ବର ମାସରେ ୨୫ ହଜାର ୬୧୭ ଓ ଆକ୍ଟୋବରରେ ୩୬ ହଜାର ୯୪ଜଣ ଆସିଥିଲେ। ପଶ୍ଚିମବଙ୍ଗରୁ ଅଧିକ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଆଗକୁ ଆହୁରି ପର୍ଯ୍ୟଟକ ଆସିବା ନେଇ ଆକଳନ କରାଯାଇଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ଏକ୍ଷେତ୍ରରେ ପଦକ୍ଷେପ ନେବାକୁ ଦାବି ହୋଇଛି।