ନଳା ଅଘଟଣ ପାଇଁ କିଏ ଦାୟୀ? ଘଟଣାସ୍ଥଳରେ ବାଡ଼ ପକାଇବାକୁ ଯାଇ ହଟହଟ୍ଟା

ଭୁବନେଶ୍ବରରେ ରୁର୍‌କି ଆଇଆଇଟି ଟିମ୍‌

ଭୁବନେଶ୍ବର: ପ୍ରତି ବର୍ଷ ବର୍ଷା ପୂର୍ବରୁ ସମୀକ୍ଷା ହୁଏ, ସମ୍ବେଦନଶୀଳ ଅଞ୍ଚଳ ଖୋଜା ହୁଏ। ଭଙ୍ଗା ସ୍ଲାବ୍‌ ପରିବର୍ତ୍ତନ ହୁଏ। ଫାଙ୍କା ଥିଲେ ନୂଆ ପଡ଼େ। ଯେଉଁଠି ସ୍ଲାବ୍‌ ପକାଇବା ଉପରେ କଟକଣା ରହିଛି ସେଠାରେ ବ୍ୟାରି‌କେଡ୍‌ ହୁଏ। ବିଏମ୍‌ସିରେ ଏହା ନୂଆ କଥା ନୁହେଁ। ହେଲେ ସ୍ଥିତିରେ କିଛି ପରିବର୍ତ୍ତନ ହୁଏ ନାହିଁ। ମୁକୁଳା ନଳାରେ ପଡ଼ି ପୁଣି ପ୍ରାଣ ଯାଏ। ପ୍ରାଣ ଯିବା ପରେ ପୁଣି ତନାଘନା ହୁଏ। ହେଲେ ଏଥିରେ ଖର୍ଚ୍ଚ ହେଉଥିବା ମୋଟା ଅଙ୍କର ଅର୍ଥ ହରିଲୁଟ୍‌ ହୁଏ। ଏବେ ପୁଣି ଅଘଟଣ ଘଟିବା ପରେ ତନାଘନା ହୋଇଛି। ଏଥିରେ ଦାୟୀ ଅଧକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ମନ୍ତ୍ରୀ ଘୋଷଣା କରିବା ପରେ କାହା ଉପରେ ଦୋଷ ଲଦାଯିବ ଖୋଜା ଚାଲିଛି। ତିନିବର୍ଷ ତଳେ ଶତାବ୍ଦୀ ନଗରରେ ନାବାଳକ ଛାତ୍ର ଭାସିଯିବା ପରେ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହେବା ସହ ବାଉଁଶବାଡ଼ ଲଗା ଯାଇଥିଲା। ସମ୍ପୃକ୍ତ ଜୋନ୍‌ର ଡ୍ରେନେଜ୍‌ ଓ ଇଞ୍ଜିନିୟରିଂ ଉପବିଭାଗ ଯନ୍ତ୍ରୀମାନେ ଏହି ଦାୟିତ୍ବ ନେଇଥିଲେ। ବିଭିନ୍ନ ସ୍ଥାନରେ ବାଡ ଲାଗିଲା, ମୋଟା ଅଙ୍କର ଅର୍ଥ ବି ଖର୍ଚ୍ଚ ହେଲା। ହେଲେ ମସଜିଦ୍‌ କଲୋନିର ଏହି ସମ୍ବେଦନଶୀଳ ଜାଗାଟି କିଭଳି ହାତଛଡ଼ା ହୋଇଗଲା? ୨୦୨୩ ମସିହା ଫେବ୍ରୁଆରି ମାସରେ ମସଜିଦ୍‌ କଲୋନି ଦେଇ ଯାଇଥିବା ଏହି ୫ ନମ୍ବର ମୁଖ୍ୟ ନାଳର ଉଭୟ ପାର୍ଶ୍ବର ପାଚେରି ନିର୍ମାଣ କାମ ଶେଷ ହୋଇଥିବା ବିଏମ୍‌ସି ରିପୋର୍ଟ କହୁଛି। ଯେଉଁ ଇଞ୍ଜିନିୟର କିମ୍ବା ସହକାରୀ ଇଞ୍ଜିନିୟର ଦାୟିତ୍ବ ନେଇଥିଲେ ସେ ଏବେ କାର୍ଯ୍ୟାନୁଷ୍ଠାନର ଶିକାର ହେବା ଥୟ ହୋଇଛି। ଅନ୍ୟପଟେ ଏହି କଲୋନି ନିକଟରେ କାହିଁକି ତାରବାଡ଼ ହେଲା ନାହିଁ ତାହାର ତର୍ଜମା ହେବା ବେଳେ ବିଚିତ୍ର ତଥ୍ୟ ପଦାକୁ ଆସିଛି।

ରେଳବାଇ କ୍ବାର୍ଟର୍ସ ପାର୍ଶ୍ବରୁ ମସଜିଦ କଲୋନି ଦେଇ ଏକ ନଳା ମୁଖ୍ୟ ନାଳ-୫ ସହ ସଂଯୁକ୍ତ ହୋଇଛି। ଏଥରେ ବର୍ଷାଜଳ ନିଷ୍କାସିତ ହେଉଛି। ଏଣୁ ଏହି ବର୍ଷା ଜଳ ମୁଖ୍ୟ ନାଳ ୫କୁ ଯିବା ପାଇଁ ମୁଖ୍ୟ ନାଳର ଗୋଟିଏ ପାର୍ଶ୍ବ ପାଚେରି ସମ୍ପୂର୍ଣ୍ଣ ହୋଇଥିବା ଏହି ପାର୍ଶ୍ବଟି ଖୋଲା ରଖାଯାଇଛି। ସେହି ବାଟ ଦେଇ ଏସ୍‌କେ ରାଜେଶ୍‌ ଏହି ନଳା ଭିତରେ ପଶିଲା ଓ ଭାସିଗଲା। ଯଦି ଏହି ବାଟଟି ବନ୍ଦ କରାଯାଇ ପାଚେରି କରାଯାଇଥା’ନ୍ତା ‌ତେବେ ମସଜିଦ କଲୋନି ପ୍ରତ୍ୟେକ ବର୍ଷାରେ ଉବୁ ଟୁବୁ ହେଉଥା’ନ୍ତା। ସେଥିପାଇଁ ଏହି ପାଚେରି କାମ ଅଧା ରଖାଯାଇଥିଲା। ବର୍ଷା ଜଳ ନିଷ୍କାସନ ହେଉଥିବା ନଳା ନିର୍ମାଣ ସହ ଏହା ଉପରେ ସ୍ଲାବ୍‌ ପକାଯାଇ ସୁରକ୍ଷିତ କରାଯାଇଥା’ନ୍ତା। ଏହା ରେଳବାଇ ଜମିରେ ଥିବାରୁ ନାଳ ନିର୍ମାଣ ସମ୍ଭବ ହୋଇ ପାରୁ ନଥିଲା। କିନ୍ତୁ ସାଧାରଣ ଜନତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ ବିଏମ୍‌ସି ନିର୍ମାଣ କରିବାକୁ ଯୋଜନା କରିଥିଲା। କିନ୍ତୁ ଇତିମଧ୍ୟରେ ଅଘଟଣ ଘଟିଗଲା।

ବିଏମ୍‌ସି ପ୍ରସ୍ତୁତ କରିଥିବା ରିପୋର୍ଟ ମୁତାବକ, ବିଏମସି ଅଞ୍ଚଳରେ ମୋଟ ୧୮୦୦ କିମି ଲମ୍ବାର ଡ୍ରେନ୍ ରହିଛି। ବିଏମସିର ୧୩୮୦ କିମିର ଡ୍ରେନ ଥିବାବେଳେ ପୂର୍ତ୍ତ ବିଭାଗର ୩୬୦ କିମି ଡ୍ରେନ୍‌ ନିକଟ ଅତୀତରେ ବିଏମ୍‌ସି ଅଧୀନକୁ ଆସିଛି। ଇଡ୍‌କୋ ଓ ଏନଏଚ୍ଏଆଇ ଅଧୀନରେ ୩୪ କିମିର ଡ୍ରେନ୍ ରହିଛି। ୭୭ କିମିଦୀର୍ଘ ୧୧ଟି ମୁଖ୍ୟ ନାଳ ରହିଛି। ୧୩୮୦ କିମି ଆଭ୍ୟନ୍ତରୀଣ ନାଳରୁ ୭୦% ସଫା ହୋଇସାରିଥିବା ବେଳେ ଇଡକୋ/ଏନଏଚ୍ଏଆଇ ଓ ପୂର୍ତ୍ତ ଡ୍ରେନ୍ ୪୦ ପ୍ରତିଶତ ହୋଇଛି। ୭୭ କିମି ମୁଖ୍ୟ ନାଳରୁ ୫୦ କିମି ସଫା ହୋଇଛି। ୧୨ ପ୍ରମୁଖ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜୁଥିବା ବେଳେ ୩୪ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି। ସପ୍ତାହକ ମଧ୍ୟରେ ଏହି ଜାଗାରେ ବ୍ୟାରିକେଡିଂ କରାଯିବାକୁ ଯୋଜାନା ହୋଇଛି। ୧୨ ଜଳବନ୍ଦୀ ସ୍ଥାନରେ ୪ଟି ସ୍ଥିତି ଗମ୍ଭୀର ରହିଛି। ଏଥିପାଇଁ ସ୍ବତନ୍ତ୍ର ପମ୍ପସେଟ୍‌ ପ୍ରସ୍ତୁତ କରାଯାଇଛି। ବାକି ୮ଟି ଜାଗା ପୂର୍ତ୍ତ, ଏନ୍‌ଏଚ୍‌ଏଆଇ ଓ ଇଡ୍‌କୋ ଅଧୀନରେ ରହିଛି।

ଘଟଣାସ୍ଥଳରେ ବାଡ଼ ପକାଇବାକୁ ଯାଇ ହଟହଟ୍ଟା

ମୁକୁଳା ନାଳରେ ନାବାଳକ ଭାସିଯିବା ପରେ ବିଏମ୍‌ସି ତତ୍ପର ହୋଇଛି। ରେଳବାଇ ସହ ଆଲୋଚନା ହେବା ପରେ ଘଟଣାସ୍ଥଳରେ ବ୍ୟାରିକେଡ୍‌ ନିର୍ମାଣ କରିବା ପାଇଁ ଯୋଜନା ହୋଇଛି। ଯୋଜନା ମୁତାବକ ଆଜି ସନ୍ଧ୍ୟାରେ ବିଏମ୍‌ସି ଠିକାଦାର ଘଟଣାସ୍ଥଳରେ ଲୁହା ବ୍ୟାରିକେଡ୍‌ ଲଗାଇବା କାମ କରିବାକୁ ଯିବା ବେଳେ ହଟହଟା ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର କିଛିଲୋକ ବିରୋଧ କରିବାରୁ କାମ ବାଧାପ୍ରାପ୍ତ ହୋଇଛି। ‘ପିଲାର ଜୀବନ ଚାଲିଯିବା ପରେ ଆଉ କାହା ଜୀବନ ବଞ୍ଚେଇବାକୁ ପଳେଇ ଆସିଲ, କୁଆଡ଼େ ଏତେ ଦିନ ଶୋଇଥିଲ?’ ଠିକାଦାରଙ୍କ ସମେତ ବିଏମ୍‌ସିର ଅଧିକାରୀଙ୍କୁ ସେମାନେ ଏଭଳି କହିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା‌। ତେବେ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ। ସେତେବେଳକୁ ରାତି ହୋଇ ଯାଇଥିବାରୁ କାମ ହୋଇ ପାରିନଥିଲା। ଆସନ୍ତା କାଲି ସେଠାରେ ଷ୍ଟିଲ୍‌ର ବ୍ୟାରିକେଡ୍‌ ଲଗାଯିବ ବୋଲି ବିଏମ୍‌ସି ସୂଚନା ଦେଇଛି।

ଭୁବନେଶ୍ବରରେ ରୁର୍‌କି ଆଇଆଇଟି ଟିମ୍‌

ସହରରୁ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିବା ପାଇଁ ଆଜି ରୁର୍‌କି ଆଇଆଇଟିର ଦୁଇ ଜଣିଆ ଟିମ୍ ଭୁବନେଶ୍ବର ପହଞ୍ଚିଛନ୍ତି। ବିଏମ୍‌ସିର ବରିଷ୍ଠ ଯନ୍ତ୍ରୀମାନଙ୍କ ସହ ଏହି ଟିମ୍‌ ୧୨ଟି ସମ୍ବେଦନଶୀଳ ଜାଗା ବୁଲି ଦେଖିଛନ୍ତି। ଗତକାଲି ଅଘଟଣ ଘଟିଥିବା ମସଜିଦ୍‌କଲୋନି ସମେତ ୩ବର୍ଷ ତଳେ ନାବାଳକ ଭାସି ଯାଇଥିବା ନଳା ମଧ୍ୟ ଦେଖିଛନ୍ତି। ଇସ୍କନ ମନ୍ଦିର ସାମ୍ନାରେ ଥିବା ନିର୍ମାଣଜନିତ ତ୍ରୁଟି ପରଖିଛନ୍ତି। ଏହି ଟିମ୍ ଆସନ୍ତାକାଲି ସକାଳେ ଆଉ ୫ଟି ଜାଗା ଦେଖିବା ପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବ ଓ ଏ ବାବଦରେ ପରାମର୍ଶ ଦେବ। ଆଉ ୧୦ ବର୍ଷ ପରେ ଭୁବନେଶ୍ବରର ଜନସଂଖ୍ୟା ଓ ଆୟତନ ଆଧାରରେ ଜଳବନ୍ଦୀ ସମସ୍ୟା ସମାଦାନ ଓ ବର୍ଜ୍ୟଜଳ ନିଷ୍କାସନ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବ ବୋଲି ବିଏମ୍‌ସି କହିଛି। ଏହି ରିପୋର୍ଟ ଆଧାରରେ ବିଏମ୍‌ସି ନଳାର ଆକାର ପରିବର୍ତ୍ତନ ବା ଆବଶ୍ୟକୟ କାର୍ଯ୍ୟପନ୍ଥା ଗ୍ରହଣ କରିବ।

ସମ୍ବନ୍ଧିତ ଖବର