ଭୁବନେଶ୍ବର: ପବିତ୍ର କାର୍ତ୍ତିକ ମାସ ପାଇଁ ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରେ ଅନନ୍ତ ବାସୁଦେବ ମନ୍ଦିରରେ ଲାଗିଛି ଗହଳଚହଳ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଏଠି ଭକ୍ତଙ୍କ ପାଇଁ ଅବଢ଼ା ପ୍ରସାଦ ରନ୍ଧା ହେବା ବିଧି ରହିଛି। ଯେଉଁମାନେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିପାରୁନାହାନ୍ତି, ସେମାନେ ଏଠାରେ ଅନନ୍ତ ବାସୁଦେବଙ୍କ ଦର୍ଶନ କରୁଛନ୍ତି ଓ ଅବଢ଼ା ସେବନ କରୁଛନ୍ତି। ତେଣୁ ସ୍ବାଭାବିକ ଭାବେ ପବିତ୍ର କାର୍ତ୍ତିକ ମାସରେ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ନାହିଁ ନଥିବା ଭିଡ଼ ଲାଗୁଛି। ଏହାପର ଫାଇଦା ନେଉଛନ୍ତି କିଛି ବ୍ୟକ୍ତି। ଗାଡ଼ି ପାର୍କିଂ ଓ ଜୋତା ଷ୍ଟାଣ୍ଡ ନାମରେ ସେମାନେ ଭକ୍ତଙ୍କୁ ଲୁଟୁଛନ୍ତି।

Advertisment

ସବୁ ଜାଣି ଅଜଣା ମନ୍ଦିର ପ୍ରଶାସନ
ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛି ଟ୍ରଷ୍ଟ

ମନ୍ଦିରର ଉତ୍ତର ପାଖରେ ଥିବା ଖାଲି ସ୍ଥାନରେ କିଛି ବ୍ୟକ୍ତି ବର୍ଷ ବର୍ଷ ଧରି ଭକ୍ତଙ୍କଠାରୁ ପାର୍କିଂ ଫି’ ଆଦାୟ କରୁଥିଲେ। ଏନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ବିଏମ୍‌ସି କିମ୍ବା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଟାନ ନିଆଗଲା ନାହିଁ। ଏବେ ଏହି ସ୍ଥାନରେ ଏକାମ୍ର ପ୍ରକଳ୍ପ ଅଧୀନ ଅନନ୍ତ ବାସୁଦେବ ପ୍ଲାଜା ନିର୍ମାଣ କରାଯାଉଛି। ଫଳରେ ଏଠାରେ ଆଉ ଗାଡ଼ି ପାର୍କିଂ କରି ହେଉନାହିଁ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଉତ୍ତର ପାଖ ବିନ୍ଦୁସାଗର କୂଳରେ ରାସ୍ତା ଉପରେ ଗାଡ଼ି ରଖୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଏଠି ମଧ୍ୟ ପାର୍କିଂ ଫି’ ଆଦାୟ କରାଯାଉଛି। ସେହିପରି ଅନନ୍ତ ବାସୁ‌ଦେବ ମନ୍ଦିରର ଦୁଇଟି ପ୍ରବେଶ ଦ୍ବାରରେ ଜୋତା ଷ୍ଟାଣ୍ଡ କରାଯାଇଛି। ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଠାରୁ ହଳେ ଜୋତା ପିଛା ୫ରୁ ୧୦ ଟଙ୍କା ନିଆଯାଉଛି। ହେଲେ ପ୍ରଶ୍ନ ଉଠିଛି, ଏ ଟଙ୍କା ନେଉଛି କିଏ? କାରଣ ଲିଙ୍ଗରାଜ ମନ୍ଦିରରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜୋତା ଷ୍ଟାଣ୍ଡ କରାଯାଇଛି। ଏଠାରେ ଜୋତା ସହ ମୋବାଇଲ୍‌, ବ୍ୟାଗ୍‌, କ୍ୟାମେରା, ଚମଡ଼ା ବେଲ୍ଟ ରଖା ଯାଉଛି। ଏହି ବାବଦକୁ ଆଦାୟ ହେଉଥିବା ଅର୍ଥ ମନ୍ଦିର ପ୍ରଶାସନକୁ ଯାଉଛି। ତେବେ ଟ୍ରଷ୍ଟ ଅଧୀନରେ ରହିଛି ଅନନ୍ତ ବାସୁଦେବ ମନ୍ଦିର। ହେଲେ ଏଠି ମନ୍ଦିର ପ୍ରଶାସନ ପକ୍ଷରୁ ଜୋତା ଷ୍ଟାଣ୍ଡ କରାଯାଇନାହିଁ। ଏହାର ସୁଯୋଗ ନେଇ କିଛି ବ୍ୟକ୍ତି ବେଆଇନ ଭାବେ ଜୋତା ଷ୍ଟାଣ୍ଡ କରି ଶ୍ରଦ୍ଧାଳୁଙ୍କୁ ଲୁଟୁଛନ୍ତି। ବଡ଼ କଥା ହେଲା ଏବାବଦରେ ଟ୍ରଷ୍ଟର ରାଜସ୍ବ ମଧ୍ୟ ହାନି ହେଉଛି। ଏନେଇ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ମହାନ୍ତି କହିଛନ୍ତି, ଅନନ୍ତ ବାସୁଦେବ ମନ୍ଦିର ଆମ କାର୍ଯ୍ୟାଳୟ ଅଧୀନରେ ରହିଛି। ଏଠି ଆମ ତରଫରୁ କୌଣସି ଜୋତା ଷ୍ଟାଣ୍ଡ କିମ୍ବା ପାର୍କିଂ ଫି’ ଆଦାୟ କରାଯାଉନାହିଁ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।