ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସରେ ରହୁଛନ୍ତି ନିଶା ବ୍ୟବସାୟୀ। ହଷ୍ଟେଲ ଛାତ୍ରଙ୍କୁ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ଯୋଗାଉଛନ୍ତି। କେତେବେଳେ ବ୍ରାଉନ୍ସୁଗାର୍ ତ ଆଉ କେବେ ସିଗାରେଟ୍। ରାତି ହେଉ କି ଦିନ ଯେତେବେଳେ ଯାହା ନିଶାଦ୍ରବ୍ୟ ଆବଶ୍ୟକ ହେଉଛି, ତାହା ପହଞ୍ଚାଇ ଦେଉଛନ୍ତି। ତିନିଦିନ ତଳେ ବାଣୀବିହାର ଅଞ୍ଚଳରୁ ଦୁଇଜଣ ବ୍ରାଉନ୍ସୁଗାର୍ ବେପାରୀ ଧରାପଡ଼ିବା ପରେ ଏଭଳି ସନ୍ଦେହ ଉପୁଜିଛି। ଧରାପଡ଼ିଥିବା ସୌରଭ ଟୁଡୁ ଓ ଭବାନୀ ଶଙ୍କର ଗୋଚ୍ଛାୟତଙ୍କ ନିକଟରୁ ୮୦ ଗ୍ରାମ ଓଜନର ବ୍ରାଉନ୍ସୁଗାର୍ ଜବତ ହୋଇଥିଲା। ସେମାନେ ଜଟଣୀରୁ ବ୍ରାଉନ୍ସୁଗାର୍ ଆଣି ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରମାନଙ୍କୁ ବିକୁଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭବାନୀ ବାଣୀବିହାର କ୍ୟାମ୍ପସ୍ରେ ହିଁ ରହୁଥିଲା। କ୍ୟାମ୍ପସ୍ର ଏକ କ୍ବାଟର୍ସରେ ରହୁଥିବା କମିସନରେଟ୍ ପୁଲିସ ସୂଚନା ଦେବା ପରେ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯୁକ୍ତ୨ ପାସ୍ କରିଥିବା ଭବାନୀ କେଉଁଭଳି ଭାବେ କ୍ୟାମ୍ପସ୍ରେ ରହୁଥିଲା? କାହା ଛତ୍ରଛାୟା ତଳେ ଅଭିଯୁକ୍ତ କ୍ୟାମ୍ପସରେ ବ୍ରାଉନ୍ସୁଗାର୍ ଚଳାଇଥିଲା? ଏହା ପଛରେ କ୍ୟାମ୍ପସ୍ର ଆଉ କୌଣସି ଛାତ୍ରଙ୍କ ହାତ ନାହିଁ ତ? ଭବାନୀ ଗିରଫ ପରେ ଏଭଳି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଏବେ ଉଙ୍କି ମାରିଛି।
ଅସହାୟତା ପ୍ରକାଶ କଲେ କୁଳପତି
୪୦୦ ଏକର କ୍ୟାମ୍ପସରେ ଜଗିବା ସମ୍ଭବ ନୁହେଁ
କ୍ୟାମ୍ପସକୁ ଅପରାଧୀ ଓ ନିଶାମୁକ୍ତ କରିବାକୁ ଛାତ୍ରଛାତ୍ରୀଙ୍କ ଦାବି
ତେବେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଅଭିଯୁକ୍ତ ଧରାପଡ଼ିବା ପରେ ସୁରକ୍ଷାକର୍ମୀ ତାଙ୍କୁ ଜଣାଇଥିଲେ। ୪ଶହ ଏକରର କ୍ୟାମ୍ପସ୍ରେ ସିଏ କେଉଁଠି ରହୁଥିଲା ଆମେ କେମିତି ଜାଣିବୁ। କାହା କ୍ବାର୍ଟର୍ସରେ ରହୁଥିଲା ମୁଁ ଜାଣି ନାହିଁ। କ୍ୟାମ୍ପସ୍୍ରେ କିଭଳି ଅପରାଧୀ ରହୁଛନ୍ତି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ଅପରାଧକୁ ରୋକିବାକୁ ଗୋଟିଏ ଗେଟ୍ ବନ୍ଦ କରି ଦିଆଯାଇଥିଲା। ତାହାର ପ୍ରତିବାଦ ଏବେ ବି ହେଉଛି। ଅପରାଧୀମାନେ ଗେଟ୍ ଖୋଲି କ୍ୟାମ୍ପସ୍ ଭିତରକୁ ଆସିବାକୁ ସର୍ବଦା ଚାହୁଛନ୍ତି। ତା’ସତ୍ତ୍ବେ ମଧ୍ୟ ଆମେ ପଦକ୍ଷେପ ନେଉଛୁ। ତେବେ ୪୦୦ ଏକର ଜମିରେ ଯେତିକି ସୁରକ୍ଷା କର୍ମୀ ରହିବା କଥା ସେତିକି ନାହାନ୍ତି। ଆମେ ସବୁ ଜିନିଷ ଜାଣିବା ସମ୍ଭବପର ନୁହେଁ। ଯଦି କୌଣସି ସ୍ଥାନରେ ଆପରାଧିକ କାର୍ଯ୍ୟକଳାପ ହେଉଥିବା ନଜରକୁ ଆସୁଛି ଆମେ ସଙ୍ଗେ ସଙ୍ଗେ ପୁଲିସକୁ ଜଣାଉଛୁ।
କ୍ୟାମ୍ପସ୍ରେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଛାତ୍ରମାନେ ଉଦ୍ବେଗ ପ୍ରକାଶ କରି କହିଛନ୍ତି, ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍କୁ ବସ୍ତି କରିସାରିଲେଣି। ହଷ୍ଟେଲ୍ରୁ ବାରମ୍ବାର ଚୋରି ହେଉଛି। ବସ୍ତିରେ ବେଧଡ଼କ ଭାବେ ଚାଲିଥିବା ନିଶା କାରବାର ଏବେ କ୍ୟାମ୍ପସ୍ ଭିତରକୁ ପଶିଲାଣି। ଏହାଦ୍ବାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଅପରାଧୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ ହେଉନାହିଁ କିଂବା ବସ୍ତି ହଟାଯାଉନାହିଁ। ବରଂ ସେମାନଙ୍କ ଯାତାୟାତ ପାଇଁ ଗଳାବାଟ ଖୋଲିଦିଆଯାଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।