ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଛି। ୱାର୍ଡ ସୀମା ଓ ସଂରକ୍ଷଣ ତାଲିକା ପ୍ରକାଶ ସରିଛି। ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିସନର ସର୍ବଦଳୀୟ ବୈଠକ ଡାକିଥିବାରୁ ନିର୍ବାଚନ ତାରିଖ ଯେକୌଣସି ମୂହୁର୍ତ୍ତରେ ଘୋଷଣା ହୋଇପାରେ। ଯଦି ସବୁ କିଛି ଠିକ୍ ଚାଲେ ତେବେ ଏପ୍ରିଲ ମାସରେ ପୌର ଓ ମହାନଗର ନିଗମ ପାଇଁ ନିର୍ବାଚନ ହେବାର ସମ୍ଭାବନା ଅଧିକ ରହିଛି। ତାହାକୁ ନଜରରେ ରଖି ଏବେ ପ୍ରସ୍ତୁତି ଆରମ୍ଭ କଲେଣି ଆଶାୟୀ ପ୍ରାର୍ଥୀ। ଭୋଟରଙ୍କ ପାଖରେ ପହଞ୍ଚିବା ସହ ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ପ୍ରତି ୱାର୍ଡରେ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଥିବା ବେଳେ ମେୟର ପଦକୁ ନେଇ ଏବେ ଭୁବନେଶ୍ବର ରାଜନୀତିରେ ଅଙ୍କକଷା ଚାଲିଛି। ଏହି ପଦ ଏଥର ମହିଳାଙ୍କ ଲାଗି ସଂରକ୍ଷଣ ରହିଥିବାରୁ ପ୍ରାର୍ଥୀଙ୍କୁ ନେଇ ସବୁଠି ଚର୍ଚ୍ଚା। ବିଜେଡିରୁ କିଏ ହେବ ମେୟର ପ୍ରାର୍ଥୀ? ଦଳ ଭୁବନେଶ୍ବର ନେତ୍ରୀଙ୍କୁ ପ୍ରାର୍ଥୀ କରିବ ନା ବାହାରୁ ଆଣି ଥୋଇବ? ବିଜେପି କାହାକୁ ମଇଦାନକୁ ଓହ୍ଲାଇବ? କଂଗ୍ରେସର ଚିହ୍ନା ମୁହଁ ମେୟର ଦୌଡ଼ରେ ସାମିଲ ହେବେ ନା ଅଚିହ୍ନା।
ପଞ୍ଚାୟତ ନିର୍ବାଚନ ଭିତରେ ଏଭଳି କଳ୍ପନାଜଳ୍ପନା ରାଜଧାନୀର ରାଜନୈତିକ ପାଣିପାଗକୁ ଉଷ୍ମ କରିବାରେ ଲାଗିଛି। ବିଶେଷ କରି ବିଜେଡିରେ ଉଷ୍ମତା ଅଧିକ ରହିଛି। କାରଣ ଦଳ କାହାକୁ ମେୟର ପଦବି ଲାଗି ଆଗକୁ ଛାଡ଼ିବ ତାହା ଏବେ ସବୁଠାରୁ ଅଧିକ ଆଲୋଚନାର ବିଷୟ। କାରଣ ୨୦୧୯ ଲୋକସଭା ନିର୍ବାଚନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁଭଳି ଭାବେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଏଠାରେ ମାତ୍ ଦେଲେ ତାହା ଏବେ ବି ଦଳୀୟ ନେତାଙ୍କ ମନରୁ ଲିଭି ନାହିଁ। ବିଏମ୍ସି ଅଞ୍ଚଳରେ ଆସୁଥିବା ତିନିଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିଲେ ମଧ୍ୟ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଲୋକସଭାରେ ଅଧିକ ଭୋଟ ହାତେଇଥିଲେ। ମହାନଗର ନିଗମ ନିର୍ବାଚନରେ ଯଦି ସେମିତି କିଛି ହୁଏ ତେବେ ବିଜେଡିକୁ ଲଜ୍ଜା ହେବ। ବିଜେଡିର ସବୁ ୱାର୍ଡ ପ୍ରାର୍ଥୀ ଜିତିଲେ ମଧ୍ୟ ଯଦି ମେୟର ପଦ ବିଜେପି ହାତେଇ ନିଏ ତେବେ କଥା ସରିଲା। ତେଣୁ ବିଜେଡି ୨୦୧୯ ସାଧାରଣ ନିର୍ବାଚନର ପୁନରାବୃତ୍ତି କରିବାକୁ ଚାହୁଁ ନାହିଁ। ଏଥର ମେୟର ପ୍ରାର୍ଥୀ ଚୟନ ବିଜେଡି ପାଇଁ ସବୁଠାରୁ ବଡ଼ କାମ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ କୁହାଯାଉଛି।
ତେଣୁ ବିଜେଡି କେଉଁ ନେତ୍ରୀଙ୍କୁ ଏଠାରେ ମେୟର ପ୍ରାର୍ଥୀ କରିବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମେୟର ପଦବି ପାଇଁ ପୂର୍ବରୁ ବହୁ ସଂଖ୍ୟାରେ ନେତା ଆଶାୟୀ ଥିଲେ। ଜଣଙ୍କୁ ପ୍ରାର୍ଥୀ କରାଗଲେ ଦଳରେ ବିଦ୍ରୋହ ଉଗ୍ର ରୂପ ନେବାର ଆଶଙ୍କା ରହିଥିଲା। ଏହି ପଦବିକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖି ଆଶଙ୍କାକୁ ଟାଳିବାରେ ବିଜେଡି କର୍ତ୍ତୃପକ୍ଷ ସଫଳ ହେଲେ। କିନ୍ତୁ ଏବେ ଜଣେ ମହିଳା ପ୍ରାର୍ଥୀଙ୍କୁ ଚୟନ ଆଉ ଏକ କାଠିକର ପାଠ ହୋଇପଡ଼ିଛି। ବର୍ତ୍ତମାନ ଯେଉଁ କିଛି ମହିଳା ନେତ୍ରୀଙ୍କ ନାଁ ମେୟର ପଦ ଲାଗି ଚର୍ଚ୍ଚାର ପରିସରକୁ ଆସୁଛି ସେଥିରେ ଭୁବନେଶ୍ବରର ବିଜେଡି ସଂଗଠନ ସହ ଜଡ଼ିତ ଥିବା ମହିଳାଙ୍କ ନାମ ଆଦୌ ନାହିଁ। ହାତରେ ଆଉ କମ୍ ସମୟ ରହିଥିଲେ ମଧ୍ୟ ତିନି ବିଧାୟକ ଏବେ ରହସ୍ୟଜନକ ନିରବତା ଅବଲମ୍ବନ କରୁଛନ୍ତି। ଏପର୍ଯ୍ୟନ୍ତ କେହି କିଛି ମୁହଁ ଖୋଲୁନାହାନ୍ତି। ଠିକ୍ ସମୟରେ ଦଳ ନିଷ୍ପତ୍ତି ନେବ ବୋଲି ନିଜ ଅନୁଗତମାନଙ୍କୁ କହୁଛନ୍ତି। ଏଥି ପାଇଁ ସ୍ଥାନୀୟ ବିଜେଡି ନେତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଗଲାଣି। ବିଜେଡି ଯଦି ଜିଲ୍ଲା ସଂଗଠନ ବାହାରର ନେତ୍ରୀଙ୍କୁ ମେୟର ପ୍ରାର୍ଥୀ କରିବ ତେବେ ସ୍ଥାନୀୟ ନେତ୍ରୀ ତାଙ୍କୁ ସମର୍ଥନ କରିବେ କି ନାହିଁ ତାହା ମଧ୍ୟ ଏବେ ସନ୍ଦେହ ସୃଷ୍ଟି କରିଛି। ତେଣୁ ଦଳର ଆଭ୍ୟନ୍ତରୀଣ କନ୍ଦଳ ଯେପରି ସୃଷ୍ଟି ନ ହୁଏ, ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ନଜର ରଖିଛନ୍ତି।
ଏଥର ମେୟର ପଦ ଲାଗି ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ଲଢ଼େଇ ହେବା ଏକପ୍ରକାର ଥୟ। ବିଜେଡି ଯାହାକୁ ବି ପ୍ରାର୍ଥୀ କରୁ ନା କାହିଁକି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ହିଁ ମଇଦାନକୁ ଓହ୍ଲାଇବ। କାରଣ ସେ ଏବେ କେବଳ ଭୁବନେଶ୍ବରର ମଙ୍ଗ ଧରିଛନ୍ତି। ବିଭିନ୍ନ ୱାର୍ଡରେ ବୁଦ୍ଧୀଜୀବୀ ଓ ଯୁବଗୋଷ୍ଠୀଙ୍କୁ ନେଇ ନିଜ ସଂଗଠନ ଜାରି ରଖିଛନ୍ତି। ତେଣୁ ସେ ଯାହାକୁ ପ୍ରାର୍ଥୀ ଭାବେ ଘୋଷଣା କରିବେ ଦଳ ସେଥିରେ ହିଁ ମୋହର ମାରିବାର ସମ୍ଭାବନା ରହିଛି। ଏମିତିରେ ବି ଏକାମ୍ର ନିର୍ବାଚନମଣ୍ଡଳୀକୁ ଛାଡ଼ି ଦେଲେ ବିଜେପିର ଅନ୍ୟ ଦୁଇ ନିର୍ବାଚନମଣ୍ଡଳୀରେ ସେଭଳି ଟାଣୁଆ ନେତା ନାହାନ୍ତି। ମଧ୍ୟ ଭୁବନେଶ୍ବରରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବେ ସମ୍ପୂର୍ଣ୍ଣ ନିରବ। ସେ ବିଜେପିରେ ରହିବେ କି ନାହିଁ, ତାହା ତାଙ୍କ ସମର୍ଥକମାନେ ଜାଣିପାରୁ ନାହାନ୍ତି। ଉତ୍ତର ଭୁବନେଶ୍ବରରେ ବି ଆଗଧାଡ଼ିରେ ସେଭଳି ନେତା ନାହାନ୍ତି। ତେଣୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ହିଁ କେବଳ ବିଜେପି ପାଇଁ ସହା ଭରସା ପାଲଟିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।
କଂଗ୍ରେସ ଦଳରେ ମେୟର ପଦବି ପାଇଁ ଅଧିକ ଦାବିଦାର ନାହାନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ରଶ୍ମୀ ମହାପାତ୍ରଙ୍କ ନାମ ହିଁ ଚର୍ଚ୍ଚାରେ ରହିଛି। ଏମିତିରେ କଂଗ୍ରେସର ଭୋଟ ହାର ଭୁବନେଶ୍ବରରେ ଧୀରେ ଧୀରେ କମିବାରେ ଲାଗିଛି। ୨୦୧୯ ବିଧାନସଭା ନିର୍ବାଚନରେ ଭୁବନେଶ୍ବର ମଧ୍ୟ ଆସନରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୨୭୪୬(୨.୭୧%) ଭୋଟ୍ ପାଇଥିଲେ। ଭୁବନେଶ୍ବର ଉତ୍ତରରେ କଂଗ୍ରେସ ପ୍ରାର୍ଥୀ ୫୧୮୯(୪%) ଭୋଟ୍ ହାତେଇଥିବା ବେଳେ ଏକାମ୍ର ଭୁବନେଶ୍ବରରେ କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ରଙ୍କୁ ୬୭୮୦ (୫.୧୬%) ଭୋଟ୍ ମିଳିଥିଲା। ତେଣୁ ଏଥର ଦଳ ନିଜର ସ୍ଥିତି ବଞ୍ଚାଇବା ଲାଗି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/5s465fs4hhf654sf4f65h.jpg)