୬୦ ଇ-ଟଏଲେଟ୍‌ କଥା ବୁଝୁଛି କିଏ?

ହକି ବିଶ୍ବକପ୍ ବେଳେ ବିଏମ୍‌ସି ପାଇଖାନା ଯୋଜନା

ଭୁବନେଶ୍ବର: ୨୦୧୮ ମସିହାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା ପୁରୁଷ ହକି ବିଶ୍ବକପ୍‌। ପ୍ରଥମ ଥର ପାଇଁ ଓଡ଼ିଶା ବିଶ୍ବ କ୍ରୀଡ଼ାଜଗତର ସବୁଠୁ ଲୋକପ୍ରିୟ ଏହି ଫୁଟ୍‌ବଲ ମହାକୁମ୍ଭ ପ୍ରତିଯୋଗିତା ଆୟୋଜନ କରି ଗୌରବ ମୁଣ୍ଡାଇଥିଲା। ଏଥିରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ବଡ଼ ଭୂମିକା ଥିଲା। ରାଜଧାନୀକୁ ଦେଶ ବିଦେଶର ଫୁଟ୍‌ବଲପ୍ରେମୀଙ୍କ ନଜରରେ ପ୍ରଶଂସିତ କରିବାକୁ ବିଏମ୍‌ସି ବହୁବିଧ ଯୋଜନା କରିଥିଲା। ବିଶେଷକରି ସହରର ସୌନ୍ଦର୍ଯ୍ୟୀକରଣ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଥିଲା ବିଏମ୍‌ସି। ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଇ-ଟଏଲେଟ୍‌ ବସା ଯାଇଥିଲା।

ତରବରିଆ ଭାବେ ଟଙ୍କାଏ ସ୍ଥାନରେ ପାଞ୍ଚ ଟଙ୍କା ଖର୍ଚ୍ଚ କରି ବିଏମ୍‌ସି ୩୦ ସ୍ଥାନରେ ୬୦ ଇ-ଟଏଲେଟ୍‌ ବସାଇଥିଲା। କିନ୍ତୁ ପରିତାପର କଥା, ଏବେ ସେଗୁଡ଼ିକ ବଡ଼ ଦୟନୀୟ ଅବସ୍ଥାରେ। କେଉଁଠି ପୂରା ଅଚଳ ହୋଇପଡ଼ିଛି ତ କେଉଁଠି ଆଂଶିକ କାମ କରୁଥିବାରୁ ଥାଇ ନଥିଲା ଭଳି ଅବସ୍ଥା। ସାଢ଼େ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏସବୁ ଇ-ଟଏଲେଟ୍‌ ତଦାରଖ କରୁଥିବା ଠିକା ସଂସ୍ଥାର ମନମାନି ପାଇଁ ଏଭଳି ଅବସ୍ଥା। ସେଥିରେ ପୁଣି ରକ୍ଷଣାବେକ୍ଷଣ ପାଇଁ ହେଉଥିବା ବାର୍ଷିକ ଟେଣ୍ଡର୍‌ ଅବଧି ସରିବା ପରେ ବି ଆଉ ସେ ଦିଗରେ ପଦକ୍ଷେପ ନିଆଯାଉନାହିଁ। ଗତ ଅଗଷ୍ଟ ମାସରୁ ଏସବୁ ଇ-ଟଏଲେଟେ୍‌ କାହା ଦାୟିତ୍ବରେ ରହିଛି, ବୁଝା ପଡ଼ୁନାହିଁ।

ସୂଚନାନୁସାରେ, ୨୦୧୮ ମସିହା ହକି ବିଶ୍ବକପ୍‌ ବେଳେ ରାଜଧାନୀର ବଡ଼ବଡ଼ ଛକ, ମୋ’ ବସ୍‌ଷ୍ଟାଣ୍ଡ ଓ ପାର୍କରେ ଇ-ଟଏଲେଟ୍‌ଗୁଡ଼ିକ ପ୍ରତିଷ୍ଠା କରାଯାଇଥିଲା। ଏସବୁ ପାଇଖାନା ଯେତିକି ସୁନ୍ଦର ଦେଖାଯାଉଥିଲା, ବ୍ୟବହାର ପାଇଁ ସେତିକି ପସନ୍ଦଯୋଗ୍ୟ ଥିଲା। ପାଣି କମ୍‌ ଖର୍ଚ୍ଚ ହେଉଥିଲା, ଦୁର୍ଗନ୍ଧ ହେଉନଥିଲା ଏବଂ ଭିତରେ କେହି ଥିଲେ ବାହାରୁ ନାଲି ଲାଇଟ୍‌ ଜଳୁଥିଲା। ତେଣୁ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥାଯୁକ୍ତ ପାଇଖାନା ରାଜଧାନୀବାସୀଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇଥିଲା। ହକି ବିଶ୍ବକପ୍‌ ପରେ ଏସବୁ ବେଶ୍‌ କାମରେ ଆସୁଥିଲା। ଏଥିପାଇଁ ସେତେବେଳେ ୫ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା।

ଏସବୁର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ହିସାବରେ ଟେଣ୍ଡର୍‌ କରି ଏକ ବେସରକାରୀ ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ଠିକା ସଂସ୍ଥା ଇରାମ୍‌ ସାଇଣ୍ଟିଫିକ୍‌ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ନେଉଥିଲା। ମାତ୍ର ବିଶ୍ବକପ୍‌ ସରିବାର କିଛି ମାସ ପରେ ବହୁ ପାଇଖାନା ଅଚଳ ଅବସ୍ଥାକୁ ଚାଲିଗଲା। କେଉଁଠି ଡୋର୍‌ ଲକ୍‌ ଖୋଲିଲା ନାହିଁ ତ କେଉଁଠି ପାଣି ଆସିଲା ନାହିଁ। ପ୍ରାୟ ସବୁ ପାଇଖାନାରେ ଅତ୍ୟାଧୁନିକ ବ୍ୟବସ୍ଥା ସବୁରୁ କିଛି ନା କିଛି ଖରାପ ହୋଇଗଲା। ରାଜ୍ୟ ବାହାରର ଏହି ଠିକା ସଂସ୍ଥା ଇ-ଟଏଲେଟ୍‌ ସବୁର ରକ୍ଷଣାବେକ୍ଷଣ ଠିକ୍‌ରେ କଲା ନାହିଁ ବୋଲି ଅଭିଯୋଗ ହେଲା।

ପାଣିରେ ପଡ଼ିଛି ସାଢ଼େ ୫ କୋଟି
ପୁଣି ବରାଦ ସା‌ଢ଼େ ୧୪ ଲକ୍ଷ

ପୂରା ସହରରେ ୩୦ଟି ଜାଗାରେ ୬୦ ଟଏଲେଟ୍‌ ପାଇଁ ମାତ୍ର ଜଣେ ଟେକ୍ନିସିଆନ୍‌ ଥିବାରୁ ଠିକଣା ସମୟରେ ମରାମତି ହୋଇପାରିଲା ନାହିଁ। ବିଏମ୍‌ସି ପକ୍ଷରୁ ଏନେଇ ତାଗିଦ୍ କରାଯାଇଥିଲେ ବି ଠିକାସଂସ୍ଥା ତାହାକୁ ଫୁ’ କରି ଦେଇଥିଲା। ତଥାପି ଉକ୍ତ ଠିକା ସଂସ୍ଥା ଗତ ୪ ବର୍ଷ ହେଲା ଟେଣ୍ଡର୍‌ ଜରିଆରେ ରକ୍ଷଣାବେକ୍ଷଣ ଦାୟିତ୍ବ ପାଉଛି ଏବଂ ବିଏମ୍‌ସି ବି କାନମୁଣ୍ଡା ଆଉଁସି ଲକ୍ଷ ଲକ୍ଷ ଟଙ୍କା ଗଣୁଛି। ଅଥଚ ରାଜଧାନୀବାସୀ ଏ ସବୁରୁ ଫାଇଦା ପାଉନାହାନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି।

ଏବେ ପୁଣି ଆସୁଛି ହକି ବିଶ୍ବକପ୍‌। ପୁଣି ଓଡ଼ିଶା ଆୟୋଜନ କରୁଛି। ୨୦୨୩ ଜାନୁଆରିରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତା ହେବ। ଏଥିପାଇଁ ପୁଣି ବିଏମ୍‌ସି ପ୍ରସ୍ତୁତ ହେଲାଣି। ମିଳିଥିବା ସୂଚନାନୁସାରେ ଏଥର ବିଏମ୍‌ସି ପାଇଖାନା ବାବଦରେ ସାଢ଼େ ୧୪ଲକ୍ଷ ଟଙ୍କାରୁ ଅଧିକ ବ୍ୟୟବରାଦ କରିଛି। ତେବେ ଏଥର ସର୍ବସାଧାରଣ ପାଇଖାନା ନିର୍ମାଣ ହେବ ଓ ପ୍ରତି ପାଇଖାନାକୁ ଏକାଥରକେ ୫ଜଣ ବ୍ୟବହାର କରିପାରିବେ। ଏସବୁ ପାଇଖାନା କେବଳ ପରିସ୍ରାଗାର ଭାବେ ବ୍ୟବହାର କରାଯିବ। ବିଏମ୍‌ସି ଏହି ନୂଆ ଯୋଜନା କରିଥିବା ବେଳେ ପୁରୁଣା ଇ-ଟଏଲେଟ୍‌ କଥାକୁ ଭୁଲି ଯାଇଛି ବୋଲି ଚର୍ଚ୍ଚା ହେଉଛି। ଗତ ଅଗଷ୍ଟରୁ ଏହି ପାଇଖାନାର ରକ୍ଷଣାବେକ୍ଷଣ ଦାୟିତ୍ବ କାହା ହାତରେ ନାହିଁ। ଠିକାସଂସ୍ଥାର ଟେଣ୍ଡର୍‌ ସରିଥିବା ବେଳେ ସାନି ଟେଣ୍ଡର୍‌ ହୋଇନାହିଁ।

ତେଣୁ ନୂଆ ଟେଣ୍ଡର୍‌ ନହେବା ପର୍ଯ୍ୟନ୍ତ ସେମାନେ ମରାମତି ଦାୟିତ୍ବ ନେବେ ନାହିଁ ବୋଲି ରୋକ୍‌ଠୋକ କହିଛନ୍ତି ଇରାମ୍‌ ସାଇଣ୍ଟିଫିକ୍‌ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧିକାରୀ ସୁରେଶ। ଏନେଇ ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁସାରେ, ଇ-ଟଏଲେଟ୍‌ ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍‌ସି ସୂଚନାନୁସାରେ ଏବେ ୨୧ଟି ଇ-ଟ‌ଏଲେଟ୍‌ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି ଏବଂ ୩୪ଟି ସିଟ୍‌ ବ୍ୟବହାର ଉପଯୋଗୀ ଅଛି।

ସମ୍ବନ୍ଧିତ ଖବର