ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ଅବଧି ଶେଷ ହୋଇଛି। ସରକାରଙ୍କ ପୂର୍ବ ଘୋଷଣା ଅନୂଯାୟୀ ମାର୍ଚ୍ଚ ୩୧ ତାରିଖ ଦିନ ଏହାର କାର୍ଯ୍ୟକାଳ ପୂରିଛି। କିନ୍ତୁ ଏ ଯାବତ୍ କେନ୍ଦ୍ର ସରକାର ବିଧିବଦ୍ଧ ଭାବରେ ସୂଚନା ଦେଇ ନଥିବାରୁ ଏହାର ଭାଗ୍ୟ ଝୁଲି ରହିଛି। ଆସନ୍ତା ୭ ତାରିଖ ଦିନ ‘ଫ୍ୟୁଚର ଅଫ୍ ଏସ୍ପିଭି’ ଶୀର୍ଷକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଦିଲ୍ଲୀରେ ହେବାକୁ ଯାଉଛି। ଏଥିରେ ଗୃହନିମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଯୋଗଦେବେ। ସେଠାରେ ହିଁ ଏହି ପ୍ରକଳ୍ପର ଭାଗ୍ୟ ନିର୍ଦ୍ଧାରଣ ହେବ। ତେବେ ସ୍ମାର୍ଟ ସିଟି ପ୍ରସ୍ତୁତ କରିଥିବା ସମସ୍ତ ଭିତ୍ତିଭୂମିର ମାଲିକ କିଏ ହେବ ବା ଏସବୁ ସମ୍ପତ୍ତି କାହାର ସେ ନେଇ ପ୍ରଶ୍ନ ଉଠିଛି।
ନିକଟ ଅତୀତରେ ଏକ ବୈଠକରେ ବିଏମ୍ସି ଏହି ସବୁ ପ୍ରକଳ୍ପର ମାଲିକ ହେବା ନେଇ ଯୋଜନା କରିଛି। ସ୍ମାର୍ଟ ସିଟି ପ୍ରକଳ୍ପ ଶେଷ ହେବା ନେଇ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ଏହି ସବୁ ପ୍ରକଳ୍ପ ବିଏମ୍ସି ଅଧୀନକୁ ଆସିବ ଓ ଆୟ ବଢ଼ିବ ବୋଲି ବିଏମ୍ସି ଆକଳନ କରିଛି। କିନ୍ତୁ ସ୍ମାର୍ଟ ସିଟି ପ୍ରକଳ୍ପର ଅବଧି ପୁଣି ବଢ଼ିବା ନେଇ ଆଶା ରହିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପଟେ ସ୍ମାର୍ଟ ସିଟି ପ୍ରକଳ୍ପ ନସରୁଣୁ ବିଏମ୍ସି ଅନେକ ଜାଗାରେ ହସ୍ତକ୍ଷେପ କରିଛି। ମାର୍ଚ୍ଚରେ ସରିଯାଉଥିବାରୁ ସବୁ ପ୍ରକଳ୍ପ ଆମର କହି ବିଏମ୍ସି ଜନପଥରେ ପାର୍କିଂ ନିଲାମ ଦେବା ସହ ହୋର୍ଡିଂ ମଧ୍ୟ ନିଲାମ୍ ଦେଇଦେଇଛି। ବିଏମ୍ସି ନିଷ୍ପତ୍ତି ମୁତାବକ, ଜନପଥରେ ଅଜନ୍ତା ଆଡ୍ଭର୍ଟାଇଜରକୁ ଆଂଶିକ ଭାବେ ଅନୁମତି ପ୍ରଦାନ କରାଯାଇଛି। ଏହି ସଂସ୍ଥାକୁ ଜନପଥରେ ୪୭ ଗୋଟି ଖୋଲା ଟ୍ରାନ୍ସଫର୍ମର ଥିବା ସ୍ଥାନରେ ଅନୁମତି ଦିଆଯାଇଛି। ୧୨ଟି ଅନ୍ୟାନ୍ୟ ସ୍ଥାନରେ ଡିଜିଟାଲ୍ ଏଲ୍ଇଡି ବୋର୍ଡ ଲଗାଇବା ପାଇଁ ଅନୁମତି ଦିଆଯାଇଛି।
ପ୍ରକଳ୍ପ ଅବଧି ଶେଷ
୭ରେ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର
ମାଡ଼ିବସିଲାଣି ବିଏମ୍ସି
ସଂସ୍ଥା ଏ ବାବଦରେ ମାସିକ ଟ ୩୧ ଲକ୍ଷ ୪ହଜାର ୨୩୦ ଟଙ୍କା ଦେବାକୁ ଚୁକ୍ତି ହୋଇଛି। ପୂର୍ବରୁ ସ୍ମାର୍ଟ ସିଟି ଜରିଆରେ ହୋର୍ଡିଂ ଲଗାଇଥିବା ମେଟ୍ରୋସାଇନ୍ ସଂସ୍ଥାକୁ ୧.୧୫କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ସଂସ୍ଥା ଏବାବଦକୁ କୌଣସି ଅର୍ଥ ଦାଖଲ କରିନାହିଁ। ସ୍ମାର୍ଟସିଟି ଠାରୁ ଅନୁମତି ପାଇଥିବା ସଂସ୍ଥାଙ୍କର କାର୍ଯ୍ୟକାଳ ମାର୍ଚ୍ଚ ମାସରେ ସରିଯାଉଥିବାରୁ ସେମାନେ ଆଉ ଲଗାଇପାରିବେ ନାହିଁ। ଯଦି ବିଜ୍ଞାପନଫଳକ ଲଗାଏ ତେବେ ଉଚ୍ଛେଦ କରାଯିବ। ସେହିଭଳି ମୋ ବସ୍ ଷ୍ଟାଣ୍ଡରେ କ୍ରୁଟ୍ ଯେଉଁ ବିଜ୍ଞାପନ ଲଗାଉଛି ତାହା ବେଆଇନ୍। ସେଠାରେ କେବଳ ବିଏମ୍ସି ବିଜ୍ଞାପନ ଲଗାଇବ। ଏନେଇ ସଂସ୍ଥାଙ୍କୁ ଅର୍ଥ ଦାଖଲ ପାଇଁ ନୋଟିସ୍ ଦିଆଯିବ। ଯଦି ଅର୍ଥ ନଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଓପିଡିଆର କେଶ୍ କରାଯିବ। ଏଭଳି ଜବରଦଖଲକୁ ନେଇ ଏବେ ସ୍ମାର୍ଟ ସିଟି ଓ ବିଏମ୍ସି ମୁହାଁମୁହିଁ ହୋଇଛନ୍ତି। ଆସନ୍ତା ୭ ତାରିଖରେ ଯଦି ସ୍ମାର୍ଟ ସିଟିର ଅବଧି ବଢ଼େ ତେବେ ବିଏମ୍ସି ମାଡ଼ିବସିଥିବା ପ୍ରକଳ୍ପଗୁଡ଼ିକର ଅବସ୍ଥା କଣ ହେବ ସେ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ସ୍ମାର୍ଟ ସିଟି ଗଠନ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିସନ ନିକଟରେ ୮୧ଟି ପ୍ରକଳ୍ପର ତାଲିକା ଉପସ୍ଥାପନ କରିଥିଲେ। ଏଥିରେ ୪୫୩୭କୋଟିର ବ୍ୟୟ ଅଟକଳ କରାଯାଇଥିଲା। ଏହି ପ୍ରକଳ୍ପ ସମଗ୍ର ଦେଶରୁ ଆସିଥିବା ୨୨ଟି ରାଜ୍ୟ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ପ୍ରସ୍ତାବ ଦାଖଲ କରାଯାଇଥିଲେ ମଧ୍ୟ ୬ ବର୍ଷରେ ୭୮୪(କେନ୍ଦ୍ର ଓ ରାଜ୍ୟର ୩୯୨ କୋଟି ଲେଖାଏ)ମିଳିଥିଲା। ୮୧ ପ୍ରକଳ୍ପରୁ ବିଏସ୍ସିଏଲ୍ ମାତ୍ର ୨୮ଟି ପ୍ରକଳ୍ପ କରିବାକୁ ଯୋଜନା କରିଥିଲା। ଏକାଧିକ ପ୍ରକଳ୍ପ ହୋଇପାରିନଥିବା ଆଜି ବି ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପ ଲଟକି ରହିଛି। ୧୯୬୮ ମସିହାରେ ‘ଲେକ୍ ଜୋନ୍-୩’ ନାମରେ କରିବାକୁ ଯୋଜନା ହୋଇଥିଲା। ୧୯୮୧ ମସିହାରେ ଏଥିପାଇଁ ଟେଣ୍ଡର ମଧ୍ୟ ହୋଇଥିଲା। ହେଲେ ଜବରଦଖଲ ଯୋଗୁଁ ସମ୍ଭବ ହୋଇ ପାରିନଥିଲା। ୨୦୧୬ ମସିହାରେ ଏହା ସ୍ମାର୍ଟ ସିଟି ଅଧୀନକୁ ଆସିବା ପରେ ୨୦୨୧ ମସିହାରେ ଟେଣ୍ଡର ହୋଇଥିଲା। କିନ୍ତୁ କାମ ଆରମ୍ଭ ହୋଇନାହିଁ। ଏଠାରେ କେବଳ ଏକ ବହୁତଳ କାର୍ପାର୍କିଂ ନିର୍ମାଣାଧୀନ ରହିଛି। କିନ୍ତୁ ଜବରଦଖଲକୁ ନେଇ କାମ ଆଗକୁ ବଢ଼ିପାରୁ ନାହିଁ। ଗୋଟିଏ ପଟେ ପ୍ରକଳ୍ପ ଅବଧି ଶେଷ ହେବାକୁ ବସିଥିବା ବେଳେ ଏଭଳି ସମସ୍ୟା ପ୍ରକଳ୍ପଗୁଡ଼ିକର ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛି। ସ୍ମାର୍ଟ କିଓସ୍କ, ‘ପ୍ରୋଜେକ୍ଟ କୁଟୁମ୍ବ’, ସ୍ମାର୍ଟ ପାର୍କ ଭଳି ପ୍ରକଳ୍ପ ଫେଲ୍ ମାରିଛି।