କ୍ୟାପିଟାଲ ହସ୍ପିଟାଲରେ‘ହୁ’ ଟିମ୍‌, କୋଭିଡ ସ୍ଥିତିର କଲେ ସମୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲର ସମୀକ୍ଷା କରାଯାଉଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରେ ଏକ ମିଳିତ ଟିମ୍ ଏହାର ମୂଲ୍ୟାୟନ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ, ୟୁନ୍ଏପିଏ ଓ ରାଜ୍ୟ ସରକାରଙ୍କ ମିଳିତ ଟିମ୍ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କୋଭିଡ୍‌ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ଯଦିଓ କ୍ୟାପିଟାଲ ହସ୍ପିଟାଲ ଏବେ କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟ କରୁନାହିଁ, ତେବେ ଏଠାରେ କରୋନା ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ରହିଛି। ତେବେ ରାଜଧାନୀର ବମିଖାଲ ଅଞ୍ଚଳରେ କରୋନା ସଂକ୍ରମଣ ଦେଖାଦେବା ପରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏହାକୁ ଯେଉଁଭଳି ଭାବେ ପରିଚାଳନା କରିଥିଲେ ତାହାକୁ ନେଇ ମିଳିତ ଟିମ୍‌ ସନ୍ତୋଷ ପ୍ରକଟ କରିଛନ୍ତି।

ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ଭାବେ ୩୪ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ କରେନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଥିଲା। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୧ଟି କୋଭିଡ ହସ୍ପିଟାଲରେ ମୂଲ୍ୟାୟନ କରାଯାଇଥିବା ବେଳେ ଏବେ ବଳକା ୨୩ଟି ହସ୍ପିଟାଲର କରାଯାଉଛି। ଏହି ଭିତ୍ତିରେ ଆଜି ଡବ୍ଲୁଏଚ୍‌ଓର ଟିମ୍ ଲିଡର ଡା. ନିହାର ରାୟ ଓ ୟୁଏନ୍‌ଏଫ୍‌ପିଏର ଡା. ଦୀପା କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ। କରୋନା ମହାମାରୀ ପରିସ୍ଥିତିରେ ରାଜ୍ୟର ଯେ କୌଣସି ହସ୍ପିଟାଲ କରୋନା ପାଇଁ ପ୍ରସ୍ତୁତ ରହିବା ଜରୁରୀ। କରୋନା ସଂକ୍ରମିତ ବ୍ୟକ୍ତି ଯେ କୌଣସି ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇପାରନ୍ତି ବୋଲି ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ କରୋନା ସଂକ୍ରମିତଙ୍କୁ କିଭଳି ଚିହ୍ନଟ କରାଯିବ ଓ ସେମାନଙ୍କୁ ଅଲଗା ରଖାଯିବ ତାହାର ଏକ ପ୍ରୋଟୋକଲ ରହିବା ଜରୁରୀ। ଯଦି ହସ୍ପିଟାଲରେ ଏଭଳି ବ୍ୟବସ୍ଥା ନ ରହେ, ତାହାଲେ ଅନ୍ୟ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବା ସହିତ ସମାଜ ପାଇଁ ବିପଦ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର