ବେଆଇନ କୋଠା ନିର୍ମାଣ କରି ସରକାରଙ୍କୁ ୧.୯୩ କୋଟି ଟଙ୍କା କ୍ଷତି ପହଞ୍ଚାଇଥିଲେ
ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ବିଭାଗ ତରଫରୁ ଅବଗତ କରାଯାଇଥିଲା
ନିମ୍ନମାନର କାମ ପାଇଁ ୨୦ ବର୍ଷ ତଳେ ନିଲମ୍ବିତ କରାଯାଇଥିଲା
ଦୁଇଥର ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ

Advertisment

ଭୁବନେଶ୍ୱର : ପ୍ରତାପ କୁମାର ସାମଲ। ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ(ଓପିଏଚ୍‌ଡବ୍ଲୁସି) ଏଷ୍ଟିମେଟ୍ ବିଭାଗର ଡେପୁଟି ମ୍ୟାନେଜର୍‌। କନିଷ୍ଠ ଯନ୍ତ୍ରୀରୁ ଚାକିରି ଆରମ୍ଭ କରିଥିବା ପ୍ରତାପ କୁବେର ପାଲଟି ଯାଇଥିଲେ। ଏବେ ସୁଦ୍ଧା ପ୍ରାୟ ୧୫ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତିର ଚିଠା ଭିଜିଲାନ୍ସ ହାତରେ ଲାଗିଥିବା ବେଳେ ଦୁଇଟି ଓଡ଼ିଆ ଫିଲ୍ମରେ ଲକ୍ଷାଧିକ ଟଙ୍କା ନିବେଶ କରିଥିବା ଜଣାପଡ଼ିଛି। ଆହୁରି କେତେ କଳା ଟଙ୍କା ରହିଛି, ତାହାର ମଧ୍ୟ ଖୋଳତାଡ଼ ଚାଲିଛି। ଏଭଳି ସ୍ଥିତିରେ ପ୍ରତାପଙ୍କ କଳା କାରନାମାର ଚିଠା ସାମ୍ନାକୁ ଆସିଛି। ପ୍ରତାପ କେତେ କରିତକର୍ମା ଥିଲେ ଓ ବିଭାଗରେ କେମିତି ଦବ୍‌ଦବା ଥିଲା, ତାହାର ସୂଚନା ମିଳିଛି।

ବଡ଼ କଥା ହେଲା ନିଲମ୍ବିତ ଓ ବାରମ୍ବାର ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ମଧ୍ୟ ପ୍ରତାପ କେମିତି ନିଜର ପ୍ରଭାବ ବିସ୍ତାର କରି ଚାଲିଥିଲେ, କିଏ ତାଙ୍କୁ ସୁରକ୍ଷା ଦେଉଥିଲା ଓ କାହା ଭରସାରେ ସେ ସମ୍ପତ୍ତି ଠୁଳ କରି ଚାଲିଥିଲେ? ସମସ୍ତଙ୍କ ଆଖି ସାମ୍ନାରେ ପ୍ରତାପ ସମ୍ପତ୍ତି ଠୁଳ କରି ଚାଲିଥିଲେ ମଧ୍ୟ କେମିତି କେହି ଜାଣିପାରୁ ନଥିଲେ ଓ ଏତେଗୁଡ଼ିଏ କଳା କାରନାମା ଥାଇ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରତାପ ସହକାରୀ ପ୍ରୋଜେକ୍ଟ ମ୍ୟାନେଜର(ଏପିଏମ୍) ଥିବା ବେଳେ ବାଲେଶ୍ବର ଓ ଭଦ୍ରକରେ ନିମ୍ନମାନର ବିଶ୍ରାମଗୃହ, ଶୌଚାଳୟ ନିର୍ମାଣ ହୋଇଥିବା ସାମ୍ନାକୁ ଆସିଥିଲା। ନିମ୍ନମାନର କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ିଥିଲା। ସେହିପରି ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା। ୨୦୦୧ ଜାନୁଆରି ୧୬ ତାରିଖରେ ପ୍ରତାପଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ପ୍ରତାପଙ୍କର ଆହୁରି ସାଂଘାତିକ କାରନାମା ୨୦୧୬ରେ ପଦାକୁ ଆସିଥିଲା। ଜାମୁଝରିସ୍ଥିତ କାରାଗାର ଏକାଡେମି ଛାତ୍ରୀନିବାସର ଦ୍ବିତୀୟ ମହଲାକୁ ବେଆଇନ ଭାବେ ନିର୍ମାଣ କରିଥିଲେ ପ୍ରତାପ। ଯେଉଁଥିପାଇଁ ସରକାରଙ୍କୁ ୧କୋଟି ୯୩ ଲକ୍ଷ ୭୬ ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏଥିପାଇଁ ୨୦୧୬ ଜୁନ୍ ୮ତାରିଖରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା। ଖାଲି ସେତିକି ନୁହେଁ, ୨୦୧୭ ଜୁଲାଇ ୧୨ତାରିଖରେ ନିଗମ ତରଫରୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚିଠି ଦ୍ବାରା ଘଟଣା ସଂକ୍ରାନ୍ତରେ ଅବଗତ କରାଯାଇଥିଲା।

ସେହିପରି ପ୍ରତାପ ଭବାନୀପାଟଣା ଡିଭିଜନ୍ ଅନ୍ତର୍ଗତ ବଲାଙ୍ଗିରରେ ଡେପୁଟି ମ୍ୟାନେଜର୍‌ ଥିବା ବେଳେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନାକୁ ଅଧିକ ନିର୍ମାଣ ସାମଗ୍ରୀ ଦିଆଯାଇଥିବା ଦର୍ଶାଯାଇ ୨୦୧୭ ଜୁନ୍ ୨୧ ତାରିଖରେ ପ୍ରତାପଙ୍କଠାରୁ ୨୪ ହଜାର ୮୬୦ ଟଙ୍କା ଆଦାୟ ପରିଶୋଧ କରାଯାଇଥିଲା।

ଭୁବନେଶ୍ବରଠାରେ ସହକାରୀ ପ୍ରୋଜେକ୍ଟ ମ୍ୟାନେଜର(ଏପିଏମ୍) ଥିବା ବେଳେ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପ୍ରତାପଙ୍କ ବିରୋଧରେ ୨୦୦୬ ଡିସେମ୍ବର ୮ ତାରିଖରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସରକାରୀ ଅର୍ଥ ତୋଷରପାତ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା? ଏତେ ସବୁ ପରେ ମଧ୍ୟ ପ୍ରତାପଙ୍କୁ କିଏ ସୁରକ୍ଷା ଦେଉଥିଲା ଓ ତାଙ୍କ ଗଡଫାଦର୍ କିଏ ବୋଲି ପ୍ରଶ୍ନ ଉଠିଛି।