ନିରଞ୍ଜନଙ୍କୁ ସୁରକ୍ଷା ଦେଉଥିଲା କିଏ? ଅଭିଯୋଗ ସତ୍ତ୍ବେ ୨ ବର୍ଷ ହେଲା ଗିରଫ କରୁ ନ ଥିଲା ପୁଲିସ

ଭୁବନେଶ୍ବର : ଠକଙ୍କ ବିରୋଧରେ କମିସନରେଟ୍‌ ପୁଲିସର ଆଭିମୁଖ୍ୟ କେତେ କଠୋର, ତାହାର ଗୋଟିଏ ପରେ ଗୋଟିଏ ଉଦାହରଣ ଦେଖିବାକୁ ମିଳୁଛି। ଗାଡ଼ି ବିକ୍ରି ନାଁରେ ଲୋକଙ୍କୁ ଲକ୍ଷଲକ୍ଷ ଟଙ୍କା ଚୂନ ଲଗାଇଥିବା କୁଖ୍ୟାତ ଠକ ତୃପ୍ତିରଞ୍ଜନ ଦାସ ସହ ପୁଲିସର ସମ୍ପର୍କ ଥିବା ଗତ କିଛି ମାସ ତଳେ ପଦାକୁ ଆସିଥିଲା। ବହୁ ବର୍ଷ ତଳର ଅଭିଯୋଗକୁ ପୁଲିସ ଚାପି ରଖିଥିଲା। ପୁଲିସ ଅଫିସରଙ୍କ ଛତ୍ରଛାୟା ତଳେ ରହି ତୃପ୍ତି ଠକେଇ କରୁଥିବା ମଧ୍ୟ ଅଭିଯୋଗକାରୀମାନେ କହିଥିଲେ। ଆଉ ଏବେ ବିଲ୍ଡର ନିରଞ୍ଜନ ରଣା ଗିରଫ ହେବା ପରେ ସେହି ଧରଣର କିଛି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବର୍ଷ ବର୍ଷ ଧରି ଏକାଧିକ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ନିରଞ୍ଜନକୁ ଗିରଫ କରୁ ନଥିଲା ପୁଲିସ। ଏବେ ଠକେଇ ସଂକ୍ରାନ୍ତରେ ଏକାଧିକ ଅଭିଯୋଗ ପହଞ୍ଚିବା ପରେ ପୁଲିସ ତତ୍ପର ହୋଇଉଠିଲା। ଏହାକୁ ନେଇ କମିସନରେଟ ପୁଲିସର ଭୂମିକା ପୁଣି ସନ୍ଦେହ ଘେରକୁ ଟାଣି ହୋଇ ଆସିଛି।

ମିଳିଥିବା ସୂଚନା ଅନୁସାରେ, ହାଇପ୍ରୋଫାଇଲ ଠକ ନିରଞ୍ଜନ ରଣାଙ୍କୁ ଅଭିମନ୍ୟୁ ବେହୁରିଆଙ୍କ ଅଭିଯୋଗ ଆଧାରରେ ସହିଦନଗର ଥାନା ପୁଲିସ ଗିରଫ କରିଛି। ୨୦୨୦ ଫେବ୍ରୁଆରି ୧୮ ତାରିଖରେ ନିରଞ୍ଜନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ। ତାଙ୍କ ବିରୋଧରେ ଆଇପିସି ଦଫା-୪୨୦,୪୬୭,୪୬୮,୪୭୧, ୨୯୪, ୫୦୬ରେ ମାମଲା ରୁଜୁ ହୋଇଥିଲା। ପାହାଳ ମୌଜାରେ ଜମି ଦେବାକୁ କହି ଅଭିମନ୍ୟୁଙ୍କଠାରୁ ନିରଞ୍ଜନ ୩ ଲକ୍ଷ ୬୭ ହଜାର ୫ ଶହ ଟଙ୍କା ଠକି ନେଇଥିଲେ। ଜମି ଦେଇ ନ ଥିଲେ କିମ୍ବା ଟଙ୍କା ମଧ୍ୟ ଫେରସ୍ତ କରି ନ ଥିଲେ। ଅଭିମନ୍ୟୁ ଟଙ୍କା ଫେରସ୍ତ ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯିବା ପରେ ନିରଞ୍ଜନ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ହତ୍ୟା ଧମକ ଭଳି ସଙ୍ଗିନ ଦଫା ଲାଗିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଖାଲି ଏହି ଗୋଟିଏ ମାମଲା ନୁହେଁ, ୨୦୧୮ରେ ନିରଞ୍ଜନଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଜମି ବିକ୍ରି ନାଁରେ ୧୫ଲକ୍ଷ ଟଙ୍କା ଠକେଇ ନେଇ ମାମଲା ରୁଜୁ ହୋଇଥିଲା। ଦୁଇ ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା। ଏହି ଦୁଇଟି ଘଟଣା କିମ୍ବା ଦୁଇଟି ଅଭିଯୋଗ ନୁହେଁ, ଏମିତି ଶହ ଶହ ଠକଙ୍କ ବିରୋଧରେ କମିସନରେଟ ପୁଲିସର ଏକାଧିକ ଥାନାରେ ବର୍ଷ ବର୍ଷ ଧରି ମାମଲା ପଡ଼ି ରହିଥିଲେ ବି ନିର୍ଭୟରେ ବୁଲୁଛନ୍ତି।

ପୁଲିସ ଅଫିସରଙ୍କୁ ଠକିବା ମହଙ୍ଗା ପଡ଼ିଲା!
ବିଲ୍ଡର୍‌ ନିରଞ୍ଜନ ରଣାଙ୍କ ବିରୋଧରେ ଏକାଧିକ ଠକେଇ ମାମଲା ରହିଥିଲେ ମଧ୍ୟ ବର୍ଷ ବର୍ଷ ଧରି ତାଙ୍କୁ ପୁଲିସ ଗିରଫ କରୁ ନ ଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ପୁଲିସ ଅଧିକାରୀଙ୍କଠାରୁ ବାଲିଅନ୍ତା ଅଞ୍ଚଳରେ ଫ୍ଲାଟ୍ ଦେବା ପାଇଁ ନିରଞ୍ଜନ ୨୦ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଫ୍ଲାଟ୍ ଦେବାରେ ବିଳମ୍ବ କରୁଥିଲେ। ସମ୍ପୃକ୍ତ ପୁଲିସ ଅଧିକାରୀ ଥାନାରେ ଏକଥା ଜଣାଇବା ପରେ ନିରଞ୍ଜନଙ୍କୁ ପୁଲିସ ଥାନାକୁ ଆଣିଥିଲା। ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଘଟଣାର ଆପୋସ ସମାଧାନ ହୋଇ ଯାଇଥିଲା। ତେବେ ଏହା ଶେଷରେ ତାଙ୍କୁ ମହଙ୍ଗା ପଡ଼ିଲା ବୋଲି କୁହାଯାଉଛି।

ଜେଲ୍‌ ଗଲେ, ସୋମବାର ରିମାଣ୍ଡ ଆବେଦନ, ପୁଣି ପହଞ୍ଚିଲା ୧୨ ଠକେଇ ଅଭିଯୋଗ
ଠକେଇ ମାମଲାରେ ଗିରଫ ହୋଇଥିବା ନିରଞ୍ଜନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଆଜି ନିରଞ୍ଜନଙ୍କ ବିରୋଧରେ ପୁଣି ୧୨ଟି ଠକେଇ ଅଭିଯୋଗ ଥାନାରେ ପହଞ୍ଚିଛି। ଏବେ ସୁଦ୍ଧା ୨୦ରୁ ଅଧିକ ଠକେଇ ଅଭିଯୋଗ କେବଳ ସହିଦନଗର ଥାନାରେ ପହଞ୍ଚିଛି। ଏ ସଂକ୍ରାନ୍ତରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଠକେଇ ସଂକ୍ରାନ୍ତରେ ଅଧିକ ଖୋଳତାଡ଼ ପାଇଁ ଆସନ୍ତା ସୋମବାର ପୁଲିସ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ। ରିମାଣ୍ଡରେ ଆସିବା ପରେ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର