ବିଏମ୍‌ସିରେ ବେଆଇନ ନିଯୁକ୍ତି କିଏ ହେବ ଉତ୍ତରଦାୟୀ: ଅବସର ପରେ ନିଯୁକ୍ତିକୁ ନେଇ ତନାଘନା

ଯିଏ ଯେମିତି ପାରିଛି ନିଯୁକ୍ତି ଦେଇଛି, ୨୦୨୧ରେ ନିଯୁକ୍ତି ନ ଦେବାକୁ ମନା କରିଥିଲେ ସରକାର

ଭୁବନେଶ୍ବର: ବିଭିନ୍ନ ସରକାରୀ ସଂସ୍ଥାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତିକୁ ନେଇ ତନାଘନା ଚାଲିଛି। କିଏ କେତେ ନିଯୁକ୍ତି ଦେଇଛ ତାହାର ହିସାବ ଦେବା ପାଇଁ ଚିଠି ଆସିବା ପରେ ‘ଓଏସ୍‌ଡି’ ଭାବରେ ପୁନଃ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଚାକିରି ଚାଲିଯିବା ଭୟରେ ଥରହର ହୋଇଛନ୍ତି। ଏହି ବ୍ୟବସ୍ଥାରୁ ବିଏମ୍‌ସି, ବିଡିଏ ବାଦ୍‌ ପଡ଼ି ନାହାନ୍ତି। ଏଭଳି ସ୍ଥିତରେ ଏହି ଦୁଇ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଆଉ ଏକ ଚିନ୍ତା ଘାରିଛି। ଆଉଟ୍‌ସୋର୍ସିଂ ଏଜେନ୍‌ସି ଓ ସର୍ଭସ୍‌ ପ୍ରୋଭାଇଡରଙ୍କ ଜରିଆରେ ନିଯୁକ୍ତି ନ ଦେବା ପାଇଁ ୨୦୨୧ ମସିହାରୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍‌ସିକୁ ଚିଠି ଲେଖିଥିଲା। ଏହା କେବଳ ନିଯୁକ୍ତି ନ ଦେବାକୁ ନୁହେଁ, ବରଂ ଆବଶ୍ୟକତା ଠାରୁ ଅଧିକ ଥିଲେ ସେମାନଙ୍କୁ ବିଦା କରିବାକୁ ମଧ୍ୟ ତାଗିଦ କରିଥିଲା। ଏଭଳି ବାରଣ ସତ୍ବେ କାହାକୁ ଚାକରିରୁ ବିଦା କରିବା ତ ଦୂରର କଥା, ବିଏମ୍‌ସି ୩ ବର୍ଷରେ ୨୪୦ ଜଣଙ୍କୁ ନିଯୁକ୍ତି ଦେଇଛି। କେତେବେଳେ ଅଧିକାରୀ ନିଜ ପସନ୍ଦରେ ନିଯୁକ୍ତି ଦେଇଥିବା ବେଳେ, ଜନପ୍ରତିନିଧି ବି ନିଜ ଲୋକକୁ ଥଇଥାନ କରିଥିବା ଅଭିଯୋଗ ରହିଛି। ଏବେ ସରକାର ବଦଳି ଥିବାରୁ ଏହି ସବୁ ବେଆଇନ ନିଯୁକ୍ତି ପାଇଁ କିଏ ଉତ୍ତରଦାୟୀ ହେବ ସେ ନେଇ ମାନସମନ୍ଥନ ଚାଲି ଥିବା ଜଣାପଡ଼ିଛି।

କେତେକ ପୌରସଂସ୍ଥା ମାତ୍ରାଧିକ ନିଯୁକ୍ତି ଦେବାରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏପରିକି ନିଜ କର୍ମଚାରୀଙ୍କୁ ଦରମା ଓ ପେନ୍‌ସନ୍‌ ଧାର୍ଯ୍ୟ ସମୟରେ ଦେଇ ପାରୁନଥିଲେ। ଏଭଳି ବାରମ୍ବାର ଅଭିଯୋଗ ହେବା ପରେ ଜଣାପଡ଼ିଥିଲା କି ଏହି ପୌରସଂସ୍ଥା ଓ ନିଗମଗୁଡ଼ିକ ଆଉଟ୍‌ସୋର୍ସିଂ ଏଜେନ୍‌ସି ଓ ସର୍ଭସ୍‌ ପ୍ରୋଭାଇଡରଙ୍କ ଜରିଆରେ ଆବଶ୍ୟକତା ଠାରୁ ଅଧିକ କର୍ମଚାରୀ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସରକାରଙ୍କ ବିନାନୁମତିରେ ନିଯୁକ୍ତି ନଦେବା ପାଇଁ ଅର୍ଥ ବିଭାଗ ତାଗିଦ କରିଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧ ମସିହା ନଭେମ୍ବର ୧ ତାରିଖ ଠାରୁ ଏଭଳି ନିଯୁକ୍ତି ଉପରେ ନିଷେଦ୍ଧାଜ୍ଞା ଜାରି କରିଥିଲା। ସରକାରଙ୍କ ବିନାନୁମତିରେ ଗୋଟିଏ ବି ନିଯୁକ୍ତି କଲେ ତାହା ବେଆଇନ ବୋଲି ବିଚାର କରାଯିବ ଓ କାର୍ଯ୍ୟାନୁଷ୍ଠାନ ହେବ। ପୌର ପ୍ରଶାସନର ତତ୍‌କାଳୀନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶରେ ବଏମ୍‌ସି ସମେତ ସମସ୍ତ ପୌରସଂସ୍ଥାକୁ ଚିଠି ଲେଖିଥିଲେ।

ହେଲେ ବିଏମ୍‌ସି ଶୁଣିଲାନି। କେତେକ ନିଯୁକ୍ତି କର୍ପୋରେସନ ସ୍ବୀକୃତି ନେଇ କରିଥିବା ବେଳେ କେତେକ ବିନା ସ୍ବୀକୃତିରେ କଲା। ନିୟମିତ ଏଭଳି ନିଯୁକ୍ତି ଲାଗି ରହିଲା। ଚିଠି ହେବା ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ବିଏମ୍‌ସିରେ ଡିଇଓ(ଡାଟା ଏଣ୍ଟ୍ରି ଅପରେଟର) ଭାବେ କାମ କରୁଥିବା ୫୮ ଜଣଙ୍କର ଚୁକ୍ତି ଅବଧି ସରିବା ପରେ ବିଏମ୍‌ସି ଏମାନଙ୍କୁ ବିଦା କରି ନୂଆ ନିଯୁକ୍ତି ଦେବାକୁ ଯୋଜନା କରିଥିଲା। କିନ୍ତୁ ୨୦୨୧ ମସିହାର କଟକଣା ଆଧାରରେ ତତ୍‌କାଳୀନ କମିସନର ସଞ୍ଜୟ ସିଂହ ନୂଆ ନିଯୁକ୍ତି ପାଇଁ ସରକାରଙ୍କୁ ସ୍ବୀକୃତି ମାଗିଥିଲେ। ଟେଣ୍ଡର ଜରିଆରେ ନୂଆ ଠିକାସଂସ୍ଥା ଖୋଜିବା ସହ ନୂଆ ସଂସ୍ଥା ଜରିଆରେ ନିଯୁକ୍ତି ଦେବାକୁ ଚାହିଥିଲେ। କମିସନରଙ୍କ ଚିଠିର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନ ନି‌ର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ସେହି ଆଦେଶ ଆଧାରରେ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ କୌଣସି ନିଯୁକ୍ତି ହୋଇ ପାରିବ ନାହିଁ ସ୍ପଷ୍ଟ କରିବାରୁ ପ୍ରକ୍ରିୟା ବନ୍ଦ ରହିଥିଲା। କିନ୍ତୁ ନୂଆ କମିସନର ଭାବରେ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେବା ପରେ ଅନ୍ୟ ଏକ ଠିକା ସଂସ୍ଥା ଜରିଆରେ ପଦବୀ ନାମ ପରିବର୍ତ୍ତନ କରି ସେହି ୫୮ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା ପରେ ବିଏମ୍‌ସି ଆଉ ପଛକୁ ଚାହିନଥିଲା। ଯିଏ ଯେତେବେଳେ ପାରିଥିଲା ନିଯୁକ୍ତି ଦେଇଥିଲା। ନିଯୁକ୍ତି ପାଇଥିବା ୨୦୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ଦରମା ସମାନ ନୁହେଁ। କିନ୍ତୁ ଯଦି ସର୍ବନିମ୍ନ ଦରମା ୧୦ ହଜାର ଧରାଯାଏ ତେବେ ବର୍ଷକୁ ୨କୋଟି ୪୦ ଲକ୍ଷ ଏହି ଦରମା ବାବଦରେ ଖର୍ଚ୍ଚ ହେଉଛି। କର୍ପୋରେସନ ବୈଠକରେ ମଧ୍ୟ ଏ ନେଇ ବାରମ୍ବାର ପ୍ରତିବାଦର ସ୍ବର ଉଠିଛି। କିନ୍ତୁ ବିରୋଧୀଙ୍କ ସଂଖ୍ୟା କମ୍‌ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।

ସମ୍ବନ୍ଧିତ ଖବର