କିଏ ହେ‌ବେ ଏମ୍ସର ନୂଆ ନିର୍ଦ୍ଦେଶକ?

ସେପ୍ଟେମ୍ବରରେ ସରିବ ଗୀତାଞ୍ଜଳିଙ୍କ କାର୍ଯ୍ୟକାଳ, ପୁନଃନିଯୁକ୍ତି ପାଇଁ କରିଛନ୍ତି ଆବେଦନ

ମୁହାଁମୁହିଁ ସ୍ଥିତିରେ ଅସନ୍ତୁଷ୍ଟ ଫେକଲ୍‌ଟି ଆସୋସିଏସନ୍‌-ନିର୍ଦ୍ଦେଶକ
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ସାଂସଦଙ୍କ ଆଲୋଚନା

ଭୁବନେଶ୍ବର : ସେପ୍ଟେମ୍ବର ମାସରେ ସରୁଛି ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶକ ଗୀତାଞ୍ଜଳି ବି.ଙ୍କ କାର୍ଯ୍ୟକାଳ। କାର୍ଯ୍ୟକାଳ ବୃଦ୍ଧି ଏବଂ ପୁନର୍ବାର ଦ୍ବିତୀୟ ପାଳି ପାଇଁ ସେ ଆବେଦନ କରିଛନ୍ତି। ଅନ୍ୟଦିଗରେ ୧୧ ଜଣ ଡାକ୍ତର ପଦୋନ୍ନତିରୁ ବଞ୍ଚିତ ହେବାକୁ ନେଇ ଫେକଲ୍‌ଟି ଆସୋସିଏସନ ଏବଂ ନିର୍ଦେଶକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ପଦୋନ୍ନତିକୁ ନେଇ ଆସୋସିଏସନ୍‌ ପକ୍ଷରୁ ଖୁବ ଶୀଘ୍ର ସାଧାରଣ ପରିଷଦ ବୈଠକ ହେବ। ଏହି ବୈଠକରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେବାର ସମ୍ଭାବନା ମଧ୍ୟ ରହିଛି। ଏଭଳି ସ୍ଥିତିରେ ଏମ୍ସର ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ସହିତ ଏମ୍ସ ସାଧାରଣ ପରିଷଦର ସଦସ୍ୟା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଲୋଚନା କରିଥିବା ନେଇ ଟ୍ବିଟ୍‌ କରିଛନ୍ତି। ତେବେ ଏମ୍ସର କେଉଁ ପ୍ରସଙ୍ଗ ନେଇ ସାଂସଦ ଆଲୋଚନା କରିଛନ୍ତି, ସେ ନେଇ ସାଂସଦ କିଛି ସୂଚନା ଦେଇନାହାନ୍ତି।

ଆସନ୍ତା ସେପ୍ଟେମ୍ବର ମାସରେ ଦେଶରେ ସ୍ଥିତ ୮ଟି ଏମ୍ସକୁ ମିଳିବ ନୂତନ ନିର୍ଦେଶକ। ଏଥିପାଇଁ ଗତ ଜୁଲାଇ ମାସରେ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ସୂତ୍ର ଅନୁସାରେ, ଏହିସବୁ ନିର୍ଦ୍ଦେଶକ ପଦ ପାଇଁ ମୋଟ ୧୫୦ ଜଣ ଆବେଦନ କରିଥିଲେ। ଏଥିରୁ ୪୨ ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି। ତେଣୁ ଏମ୍ସ ଭୁବନେଶ୍ବରର ଆଗାମୀ ନିର୍ଦେଶକ କିଏ ହେବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ ବର୍ତ୍ତମାନର ଏମ୍ସ ନିର୍ଦେଶକ ଗୀତାଞ୍ଜଳି ବି. ନିଜ କାର୍ଯ୍ୟକାଳ ବୃଦ୍ଧି ପାଇଁ ଆବେଦନ କରିଥିବାରୁ ଏମ୍ସର ଅସନ୍ତୁଷ୍ଟ ଫେକଲ୍‌ଟି ସମେତ ଅନେକଙ୍କ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। କାରଣ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ହିଁ ସେ ଅନେକ ବରିଷ୍ଠ ଫେକଲ୍‌ଟିଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରୁ ବିଦା କରି ଦେଇଛନ୍ତି। ଏପରିକି ଶିଶୁ ଶଲ୍ୟ ବିଭାଗ, ହୃଦରୋଗ ବିଭାଗରେ ସେହି ବିଭାଗର ବରିଷ୍ଠ ଡାକ୍ତର ଥାଇ ମଧ୍ୟ ନିଜେ ନିର୍ଦେଶକ, ଅଧୀକ୍ଷକ ଏହାର ଏଚ୍‌ଓଡି ଅଛନ୍ତି। ଏଥିଯୋଗୁଁ ନିର୍ଦେଶକଙ୍କ ବିରୋଧରେ ଚାପା ଅସନ୍ତୋଷ ଅନେକ ଦିନରୁ ରହିଛି। ନିକଟରେ ୧୧ ଡାକ୍ତର ପଦୋନ୍ନତିରୁ ବଞ୍ଚିତ ହେବା ପରେ ଫେକଲ୍‌ଟି ଆସୋସିଏସନ୍‌ ଖୋଲାଖୋଲି ଭାବେ ନିର୍ଦେଶକଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ସମାଲୋଚନା କରି ଆସୁଛି। ଖୁବଶୀଘ୍ର ଡାକ୍ତରମାନେ ଆନ୍ଦୋଳନ କରିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ସେମାନେ ଜିବି ସଦସ୍ୟା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଆଲୋଚନା କରିଥିଲେ। ଅପରାଜିତା ମଧ୍ୟ ଫେକଲ୍‌ଟିଙ୍କ ପଦୋନ୍ନତି ପ୍ରସଙ୍ଗ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଇଣ୍ଡିଆ ଟୁଡେ’ର ସର୍ଭେ ଅନୁସାରେ, ଏମ୍ସ ଭୁବନେଶ୍ବର ଦେଶର ଶ୍ରେଷ୍ଠ ୨୫ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଥିବାବେଳେ ଦେଶର ଶ୍ରେଷ୍ଠ ମେଡିକାଲ ବିଶ୍ବବିଦ୍ୟାଳୟ ମଧ୍ୟରେ ସପ୍ତମ ସ୍ଥାନରେ ରହିଛି। ଅପରପକ୍ଷରେ ଭିତ୍ତିଭୂମି ସମସ୍ୟା, ଡାକ୍ତର ଅଭାବ, ଶଯ୍ୟା ଅଭାବ, ବିଶେଷକରି କୋଭିଡ୍‌ ସମୟରେ ଓପିଡି ବନ୍ଦ, ଓପିଡିର ଲମ୍ବା ଧାଡ଼ି, ଅସ୍ତ୍ରୋପଚାର ତାରିଖ ମିଳିବାରେ ସମସ୍ୟା, ଅନୁପଯୋଗୀ ବର୍ଣ୍ଣ ୟୁନିଟ, ଆଇସିୟୁ ଶୂନ୍ୟ ହୃଦରୋଗ ବିଭାଗ ଆଦି ସମସ୍ୟାକୁ ନେଇ ରୋଗୀଙ୍କ କଷ୍ଟ ବଢିଛି। ତେଣୁ ଏହିସବୁ ପ୍ରସଙ୍ଗ ସହିତ ନିର୍ଦେଶକଙ୍କ ନିଯୁକ୍ତି ଜଡ଼ିତ ଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ସାଂସଦଙ୍କ ଆଲୋଚନା ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି।

ସମ୍ବନ୍ଧିତ ଖବର