ଭୁବନେଶ୍ବର: ଦୟାୱେଷ୍ଟ କେନାଲ କିଏ ସଫା କରିବ? ଏହାକୁ ନେଇ ଜଳସେଚନ ବିଭାଗ ଓ ବିଏମ୍ସି ମଧ୍ୟରେ ଟଣାଓଟରା ଚାଲିଛି। ବିଏମ୍ସି କହୁଛି, ଜଳସମ୍ପଦ ବିଭାଗର କେନାଲ, ଜଳସମ୍ପଦ ବିଭାଗ ହିଁ ସଫା କରିବ। ସେପଟେ ଜଳସମ୍ପଦ ବିଭାଗ ବିଏମ୍ସିକୁ ଦୋଷ ଠେଲିଛି। ଜଳସମ୍ପଦ ବିଭାଗର ଦୟାୱେଷ୍ଟ କେନାଲ କିନ୍ତୁ ବିଏମ୍ସି ସେଥିରେ ଡ୍ରେନ୍ ପାଣି ଛାଡ଼ୁଛି ବୋଲି ଜଳସମ୍ପଦ ବିଭାଗ ଅଭିଯୋଗ କରିଛି। ଅନ୍ୟପଟେ ଏହି ଦୁଇ ବିଭାଗର ସମନ୍ବୟ ଅଭାବରୁ ବର୍ଷ ବର୍ଷ ଧରି କେନାଲ ସଫା ହେଉନାହିଁ। ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ଦୟାୱେଷ୍ଟ କେନାଲ।
ବାରଙ୍ଗଠାରୁ ବାହାରି ଜଟଣୀ ରଥିପୁରଠାରେ ଶେଷ ହୋଇଥିବା ଏହି କେନାଲ ଦିନେ ରାଜଧାନୀର ଜଳକଷ୍ଟ ଦୂର କରୁଥିଲା। ୩୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି କେନାଲରୁ ୧୪ କିଲୋମିଟର ଭୁବନେଶ୍ବର ଚକେଇସିଆଣି, ପଳାସୁଣି, ଜିଜିପି କଲୋନି, ଝାରପଡ଼ା, ଲକ୍ଷ୍ମୀସାଗର, ବଡ଼ଗଡ଼, ବ୍ରହ୍ମେଶ୍ୱରପାଟଣା, ଗ୍ୟାରେଜ୍ ଛକ, ସାମନ୍ତରାପୁର ଅଞ୍ଚଳ ଦେଇ ପ୍ରବାହିତ ହୋଇଛି। ପୂର୍ବରୁ ଏହି ୧୪ କିମି ଅଂଶ ଅଞ୍ଚଳରେ ଲୋକେ ଚାଷ କାର୍ଯ୍ୟ ଲାଗି ଏହି କେନାଲ ଉପରେ ନିର୍ଭର କରୁଥିଲେ। କିନ୍ତୁ କିଛି ବର୍ଷ ହେବ, ରାଜଧାନୀ କଳେବରର ଦ୍ରୁତ ଅଭିବୃଦ୍ଧି ଯୋଗୁଁ କେନାଲ ଆବର୍ଜନାରେ ପୂର୍ଣ୍ଣ ହୋଇଗଲାଣି। କେନାଲର ଦୁଇପାର୍ଶ୍ୱରେ ଗଢ଼ିଉଠିଛି ମାଳମାଳ ଘର। ଚକେଇସିଆଣି, ଜିଜିପି, ବଡ଼ଗଡ଼, ଚିଲିପୋଖରୀ, ସୁନ୍ଦରପଦା ଅଞ୍ଚଳରେ କେନାଲ କୂଳରେ ବସ୍ତି ଗଢ଼ିଉଠିଛି। ବେଧଡ଼କ ଭାବେ ପୋତା ଚାଲିଛି କେନାଲ। କେତେକ ସ୍ଥାନରେ ଲୋକେ ନିଜ ଘର ସମ୍ମୁଖ ସମ୍ପ୍ରସାରଣ କରିବା ଲାଗି କେନାଲ ପୋତୁଛନ୍ତି। ଫଳରେ ୫୦ ଫୁଟ୍ ଓସାରର କେନାଲ ଏବେ ମାତ୍ର ୧୫ଫୁଟ୍ ରହିଛି।
କେନାଲରେ ସହରର ବଡ଼ ବଡ଼ ଡ୍ରେନ୍କୁ ସଂଯୋଗ କରାଯାଇଛି। ୧ ନମ୍ବରୁ ୭ ନମ୍ବର ପର୍ଯ୍ୟନ୍ତ ସମସ୍ତ ବଡ଼ ଡ୍ରେନ୍ର ପାଣି ଏହି କେନାଲରେ ଯାଉଛି। ଏଥିସହ ବିଭିନ୍ନ କଲୋନି, ବସ୍ତିର ମଇଳା ପାଣି କେନାଲକୁ ଛଡ଼ାଯାଇଛି। ଘରର ଆବର୍ଜନା ମଧ୍ୟ କେନାଲରେ ଫିଙ୍ଗାଯାଉଛି। ରାଜଧାନୀ ଭିତରେ ଥିବା ୧୪ କିଲୋମିଟର କେନାଲ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି। ସଫା ହେଉନଥିବାରୁ କେନାଲରେ ଦଳ ଭର୍ତ୍ତି। ବିଭିନ୍ନ ସ୍ଥାନରେ କରାଯାଇଥିବା ସାଇଫନ୍, ବ୍ରିଜ୍ ମୁହଁରେ ଆବର୍ଜନା ଲାଗି ରହିଥିବାରୁ ପାଣି ପ୍ରବାହିତ ହୋଇପାରୁନାହିଁ। ହେଲେ ଏହାକୁ ସଫା କରିବାକୁ ଜଳସମ୍ପଦ ବିଭାଗ ତତ୍ପର ହେଉନାହିଁ। ପ୍ରାଚୀ ଡିଭିଜନ ଅଧୀନରେ ଥିବା ଏହି କେନାଲ ପାଇଁ ବର୍ଷା ଦିନେ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶୁଛି।
ଏନେଇ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତି କହିଛନ୍ତି, ପୂର୍ବରୁ ସମ୍ପୂର୍ଣ୍ଣ କେନାଲକୁ ସଫା କରାଯାଇ ଆବଶ୍ୟକ ଅନୁସାରେ ପାଣି ଛଡ଼ା ଯାଉଥିଲା। କିନ୍ତୁ ସହରର ଛୋଟ ବଡ଼ ୧୬ଟି ଡ୍ରେନ୍ର ମଇଳା ଓ ଆବର୍ଜନା ପାଣି କେନାଲରେ ଛଡ଼ା ଯିବାରୁ ଏହା ଆବର୍ଜନାମୟ ହୋଇଯାଇଛି। ତଥାପି ଆବଶ୍ୟକ ମୁତାବକ କିଛି କିଛି ସ୍ଥାନରେ ସଫା ହେଉଛି। ଯଦି ବିଏମ୍ସି ଡ୍ରେନ୍ ପାଣି କେନାଲରେ ଛାଡ଼ୁଛି, ତେବେ ବିଏମ୍ସି ଏହାକୁ ସଫା କରୁ। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଜଳସମ୍ପଦ ଅଧିକାରୀ କେବଳ ମୁହଁରେ କହିଦେଲେ ହେବ ନାହିଁ। ଯଦି ବିଏମ୍ସି ଦୟାୱେଷ୍ଟ କେନାଲ ସଫା କରିବ, ତେବେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ବିଏମ୍ସିକୁ ଲିଖିତ ଭାବେ ଜଣାନ୍ତୁ। ରାଜଧାନୀରେ ଥିବା ପୂର୍ତ୍ତ ବିଭାଗର ଡ୍ରେନ୍କୁ ଏବେ ବିଏମ୍ସି ସଫା କରୁଛି। ଏଥିପାଇଁ ପୂର୍ତ୍ତ ବିଭାଗ ଲିଖିତ ଭାବେ ଜଣାଇଛନ୍ତି। ସେଥିପାଇଁ ଅର୍ଥ ଓ ମାନବସମ୍ବଳ ବ୍ୟବସ୍ଥା କରାଯାଇଛି। ଠିକ୍ ସେମିତି ଜଳସମ୍ପଦ ବିଭାଗ ବିଏମ୍ସିକୁ ଦୟାୱେଷ୍ଟ କେନାଲକୁ ହସ୍ତାନ୍ତର କରିବାକୁ ପ୍ରଥମେ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଉ। ଏଥିପାଇଁ ଅର୍ଥ ବ୍ୟବସ୍ଥା ଓ ମାନବ ସମ୍ବଳ ଦିଆଯାଉ। ଗଙ୍ଗୁଆ ଓ ଦୟାୱେଷ୍ଟ କେନାଲକୁ ସଫା କରିବା ପାଇଁ ପୂର୍ବରୁ ବିଏମ୍ସି ପକ୍ଷରୁ ସରକାରଙ୍କୁ ଲିଖିତ ଭାବେ ଜଣାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ସମନ୍ବୟ ବୈଠକରେ ଏସମସ୍ତ ଘଟଣା ଆଲୋଚନା କରାଯାଇ ସମାଧାନ କରାଗଲେ ଜନସାଧାରଣ ଉପକୃତ ହେବେ। କିନ୍ତୁ ହସ୍ତାନ୍ତର ନକରି କେନାଲ ସଫା କରିବାକୁ କହିଲେ କେମିତି ହେବ ବୋଲି ମେୟର ଶ୍ରୀମତୀ ଦାସ ପ୍ରଶ୍ନ କରିଛନ୍ତି।
ଦୟାୱେଷ୍ଟ କେନାଲ ସଫା କରିବ କିଏ?, ଜଳସମ୍ପଦ ବିଭାଗ-ବିଏମ୍ସି ଟଣାଓଟରା
ଦୟାୱେଷ୍ଟ କେନାଲ କିଏ ସଫା କରିବ? ଏହାକୁ ନେଇ ଜଳସେଚନ ବିଭାଗ ଓ ବିଏମ୍ସି ମଧ୍ୟରେ ଟଣାଓଟରା ଚାଲିଛି। ବିଏମ୍ସି କହୁଛି, ଜଳସମ୍ପଦ ବିଭାଗର କେନାଲ, ଜଳସମ୍ପଦ ବିଭାଗ ହିଁ ସଫା କରିବ।
/sambad/media/media_files/2025/07/06/rsaqzvbn-2025-07-06-06-37-20.jpg)