ଭୁବନେଶ୍ବର : ଓଲିଉଡ୍ରେ ଲାଗିଯାଇଛି କାହାର ନଜର। ସତେ ଯେମିତି କାଳର କୋପ ଦୃଷ୍ଟି ପଡ଼ିଛି ଓଲିଉଡ୍ ଉପରେ। ଗତ କିଛି ବର୍ଷ ହେଲା ଓଲିଉଡ୍କୁ ଯେମିତି ଅକାଳ ଗ୍ରାସିଛି। ଜଣକ ପରେ ଜଣେ ପ୍ରଖ୍ୟାତ ଅଭିନେତା ଓଲିଉଡ୍କୁ ଅଧା ରାସ୍ତାରେ ଠିଆ କରେଇ ଅକାଳରେ ଇହଧାମ ଛାଡ଼ିଦେଉଛନ୍ତି। ବିଶେଷକରି ବିଶିଷ୍ଟ ଖଳନାୟକମାନଙ୍କ ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ଦୁଃଖୀରାମ ସ୍ବାଇଁ, ବିଜୟ ମହାନ୍ତିଙ୍କ ପରେ ମୀନକେତନ, ହର ପଟ୍ଟନାୟକ ଓ ରାଇମୋହନଙ୍କ ପରଲୋକ ଓଡ଼ିଆ ଫିଲ୍ମ ପାଇଁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ତାହା ପୂରଣ ହେବାକୁ ନେଇ ସଂଶୟ ସୃଷ୍ଟି ହୋଇଛି। ଖଳନାୟକ ଭୂମିକାକୁ ନେଇ ବହୁ ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଉଥିବା ବେଳେ ଏବେ ଏହି ଦୁର୍ଦ୍ଦଷ ଖଳନାୟକମାନଙ୍କ ଅବର୍ତ୍ତମାନ ଓଲିଉଡ୍ ପାଇଁ ବଡ଼ଧରଣର କ୍ଷତି ବୋଲି କୁହାଯାଉଛି।
ଆଜି ବି ଫିଲ୍ମ ପ୍ରେମୀଙ୍କ ମନରୁ ଲିଭିନି ମୀନକେତନଙ୍କ ‘ନାନି ଲୋ’। ବ୍ୟାଡ୍ ବୟ ଭାବେ ଜଣାଶୁଣା ହର ପଟ୍ଟନାୟକଙ୍କ ‘ନାଇଁ ନାଇଁ ନାଇଁ ମ’ କୁ ଲୋକେ ମନେ ରଖିଛନ୍ତି। ମିହିର ଦାସଙ୍କ ‘କାକା ଯାହା କହେ...’ ଓ ରାଇମୋହନଙ୍କ ‘ଏ ଅନାନି’ ଭଳି ସଂଳାପ ଆଜି ସିନେପ୍ରେମୀଙ୍କ ମନରେ ବସା ବାନ୍ଧି ରହିଛି। ମୀନକେତନ, ହର ପଟ୍ଟନାୟକ, ମିହିରଙ୍କ ପରେ ଓଲିଉଡ୍ର ଭରସା ଥିଲେ ରାଇମୋହନ। ମାତ୍ର ବିଧି ସହିଲା ନାହିଁ। ମାତ୍ର ଅଳ୍ପ ଦିନର ବ୍ୟବଧାନରେ ରାଇମୋହନ ଚିରନିଦ୍ରାରେ ଶୋଇଗଲେ। ନାଟକର ବହୁ ସିନ୍ ବାକି ଥିଲା। କିନ୍ତୁ ମୀନକେତନ, ହର ପଟ୍ଟନାୟକ ଓ ମିହିରଙ୍କ ଭଳି ରାଇମୋହନଙ୍କ ଜୀବନ ନାଟକର ଯବନିକା କାହାଣୀ ଅଧାରୁ ପଡ଼ିଗଲା। ଫଳରେ ଏବେ ଓଲିଉଡ୍ ଖଳନାୟକ ଶୂନ୍ୟ ହୋଇଗଲା ବୋଲି ଚର୍ଚ୍ଚା ହେଉଛି। ସେଦିନ ଫିଲ୍ମ ‘ରଣଭୂମି’ରେ ଖଳନାୟକ ଭୂମିକାରେ ରାଇମୋହନ(ଛୋଟା ରାଓ)ଙ୍କ ଅଭିନୟ ଦୁଃଖୀରାମ ସ୍ବାଇଁଙ୍କ ପାଖାପାଖି ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ସଂଳାପ ‘ଏ ଅନାନି’ ଲୋକଙ୍କ ମୁହଁରେ ରହିଗଲା। ପରେ ପରେ ବିଭିନ୍ନ ଫିଲ୍ମରେ ମହାକାଳ, ଅଘୋରି ଓ କିନ୍ନର ଭଳି ଭିନ୍ନ ଚରିତ୍ରର ଭୂମିକା ରାଇମୋହନଙ୍କୁ ଓଡ଼ିଶାର ଘରେ ଘରେ ପରିଚୟ କରାଇଥିଲା। ପରେ ପରେ ସେ ଓଡ଼ିଆ ଅପେରା ଜଗତରେ ବି ଛାଇଗଲେ। ଜଲିଉଡ୍ରେ ରାଇମୋହନଙ୍କ ନାଁରେ ଟିକେଟ୍ ବିକ୍ରି ହେଲା। କିନ୍ତୁ ଉଭୟ ଓଲିଉଡ୍ ଓ ଜଲିଉଡ୍ର ଦୁର୍ଭାଗ୍ୟ। ଆଉ ନାହାନ୍ତି ରାଇମୋହନ।
ଏବେ ଓଲିଉଡ୍ରେ ଖଳନାୟକ ଭୂମିକା ନିଭାଉଛନ୍ତି କେକେ, ଦେବ, ପିଣ୍ଟୁ ନନ୍ଦ, ସମରେଶ, ମନୋଜ ମିଶ୍ର, ବବି ମିଶ୍ରଙ୍କ ଭଳି କଳାକାରମାନେ। ସେମାନେ ନିଜ ନିଜ ସ୍ତରରେ ବେଶ୍ ଭଲ କଳାକାର। ମାତ୍ର ମୀନକେତନ, ହର ପଟ୍ଟନାୟକ ଓ ରାଇମୋହନଙ୍କ ଭଳି ଲୋକାଦୃତି ହାସଲ କରିପାରିନାହାନ୍ତି। ବଡ଼ କଥା ହେଉଛି ଆଜି ବି ଅସିତ ପତି ଓ ଚକ୍ରଧର ଜେନା ଅଛନ୍ତି। ମାତ୍ର ବୟସ ଦୃଷ୍ଟିରୁ ଖଳନାୟକ ଭୂମିକାରେ ସେମାନେ ଆଉ ବେଶି ସକ୍ରିୟ ନାହାନ୍ତି। ତେଣୁ କିଛି ସିନେପ୍ରେମୀଙ୍କ ମତରେ ଏବେ ଭଲ କାହାଣୀ ନଥିବାରୁ ଓ ଅଣଓଡ଼ିଆ ଫିଲ୍ମର କପି ପେଷ୍ଟ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଖ୍ୟାତି ହରାଇଛି। ପରିସ୍ଥିତି ଏମିତି ଯେ ଏବେ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ ପାଇଁ ସିନେମା ହଲ୍ ମିଳୁନାହିଁ। ଏଭଳି ସ୍ଥିତିରେ ପ୍ରଖ୍ୟାତ ଖଳନାୟକଙ୍କ ପରଲୋକ ଓଲିଉଡ୍ ପାଇଁ ବିପୁଳ କ୍ଷତିର କାରଣ ହେବ। ତେବେ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲିଙ୍କ କହିବା କଥା କେହି କାହାର ଶୂନ୍ୟସ୍ଥାନ ପୂରଣ କରିପାରିବେ ନାହିଁ। ମୀନକେତନ, ହର ପଟ୍ଟନାୟକ ଓ ରାଇମୋହନଙ୍କ ଶୂନ୍ୟସ୍ଥାନ ସବୁବେଳେ ରହିବ। ତେବେ ଓଲିଉଡ୍ କ୍ଷତି ଭରଣା ପାଇଁ କଳାକାର ନାହାନ୍ତି ବୋଲି କହିବା ଠିକ୍ ନୁହେଁ। ଏବେ ବି ପିଣ୍ଟୁ ନନ୍ଦ, ସମରେଶ ଓ ମନୋଜ ମିଶ୍ରଙ୍କ ଭଳି ଭଲ ଅଭିନେତାମାନେ ଅଛନ୍ତି। ସେମାନଙ୍କୁ ଖୋରାକ ଯୋଗାଇ ଦିଆଗଲେ, ସେମାନେ ବେଶ୍ ଭଲ କରିବେ। ସେମାନଙ୍କୁ ସେମିତି କଥାବସ୍ତୁ, ସଂଳାପ ଓ ନିର୍ଦ୍ଦେଶନା ଆବଶ୍ୟକ। ମାତ୍ର ପରିତାପର କଥା ଏବେ ଓଲିଉଡ୍ରେ ଏହାର ଘୋର ଅଭାବ।