ଓଏସ୍‌ଏସ୍‌ସି ନିଯୁକ୍ତି ଦୁର୍ନୀତିର ତଦନ୍ତ କିଏ କରିବ?

ବିରଞ୍ଚିଙ୍କ ସଂପତ୍ତିର ଉତ୍ସ ଖୋଜୁଛି ଭିଜିଲାନ୍ସ, ଇଡି

ଦୁଇ ସପ୍ତାହ ପରେ ବି ପ୍ରଶାସନ ଚୁପ୍‌
ଆଉ କେତେ ପ୍ରମାଣକୁ ଅପେକ୍ଷା?

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି)ର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଅମାପ ସଂପତ୍ତିର ପର୍ଦ୍ଦାଫାସ ହେବା ପରେ ତାଙ୍କ ଆୟର ଉତ୍ସ ଖୋଜିବାରେ ଲାଗି ପଡ଼ିଛି ଦୁର୍ନୀତି ନିବାରଣ ବିଭାଗ। ଏହାସହ ବିରଞ୍ଚି ଓଏସ୍‌ଏସ୍‌ସି ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷାର ପରୀକ୍ଷାର୍ଥୀଙ୍କୁ ଚାକିରି କରାଇଦେବାକୁ କହି ଲାଞ୍ଚ କାରବାର କରିଛନ୍ତି ନା ନାହିଁ; ତା’ର ତଦନ୍ତ ମଧ୍ୟ ଭିଜିଲାନ୍ସ କରୁଛି। ଅପରପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ବିରଞ୍ଚିଙ୍କ ବିରୋଧରେ ବେଆଇନ ଅର୍ଥ କାରବାରର ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମାତ୍ର ବିରଞ୍ଚିଙ୍କ ଆୟର ମୁଖ୍ୟ ଉତ୍ସ କୁହାଯାଉଥିବା ଓଏସ୍‌ଏସ୍‌ସି ନିଯୁକ୍ତି ଦୁର୍ନୀତିର ତଦନ୍ତ କିଏ କରିବ ତା’ର ଉତ୍ତର ଏବେ ବି ସାଧାରଣ ଲୋକଙ୍କୁ ମିଳିପାରି ନାହିଁ। ଓଏସ୍‌ଏସ୍‌ସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚିଙ୍କ ଘର ଖୋଳତାଡ଼ ସମୟରେ ଓଏସ୍‌ଏସ୍‌ସିର ବିଭିନ୍ନ ପରୀକ୍ଷା ପାଇଁ ୧୧୪ଟି ଆଡମିଟ୍ କାର୍ଡ ବାହାରିବା; ୨୧ଜଣ ପରୀକ୍ଷାର୍ଥୀ ବିରଞ୍ଚିଙ୍କ ପତ୍ନୀଙ୍କ ପାଖରେ ବୀମା ପଲିସି କରିବାର ପ୍ରମାଣପତ୍ର ଭଳି ଏତେ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ସାମ୍‌ନାକୁ ଆସିବା ପରେ ବି ଓଏସ୍‌ଏସ୍‌ସି ନିଯୁକ୍ତିରେ ଜାଲିଆତିର ତଦନ୍ତ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସରକାର ଏହି ଦିଗକୁ ଗୁରୁତ୍ବ ଦେବା ପରିବର୍ତ୍ତେ ଦୀର୍ଘ ଦୁଇ ସପ୍ତାହ କାଳ ସ୍ଥାଣୁ ପାଲଟିବା ଲୋକଙ୍କ ମନରେ ସଂଶୟ ସୃଷ୍ଟି କରିଛି। କାରଣ ନିଯୁକ୍ତିରେ ଜାଲିଆତି ହୋଇଥିବା ଜଳଜଳ ଦେଖାଯାଉଥିବା ବେଳେ ମେଧାବୀଙ୍କୁ ମନୋନୀତ ତାଲିକାରୁ ବାଦ୍ ଦିଆଯିବା ଭଳି ଏତେବଡ଼ ଦୁର୍ନୀତି ଯେ କେବଳ ବିରଞ୍ଚିଙ୍କ ଦ୍ବାରା ସମ୍ଭବ ନୁହେଁ। ଏଥିରେ ଓଏସ୍‌ଏସ୍‌ସିର ଅନ୍ୟ କେହି ବଡ଼ମୁଣ୍ଡ ତଥା ଅନ୍ୟ କର୍ମଚାରୀ ସଂପୃକ୍ତି ନେଇ ପ୍ରମାଣ ଯୋଗାଡ଼ କରିବାକୁ ଭିଜିଲାନ୍ସ ବା ସରକାରଙ୍କ ଅନ୍ୟ କୌଣସି ବିଭାଗ କାହିଁକି କୁଣ୍ଠାବୋଧ କରୁଛନ୍ତି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ବ୍ୟତୀତ ବିରଞ୍ଚି ଯେହେତୁ ଏହି ଓଏସ୍‌ଏସ୍‌ସିରେ ନିରବଚ୍ଛିନ୍ନ ଭାବେ ୨୮ବର୍ଷ ରହିବା ତଥା ରୋଟେସନାଲ୍ ଟ୍ରାନ୍ସଫର୍ ପଲିସିରେ ତାଙ୍କ ବଦଳି ନ ହେବା ମଧ୍ୟ ପୂରା ଓଏସ୍‌ଏସ୍‌ସିକୁ ସନ୍ଦେହବଳୟ ଭିତରକୁ ଟାଣି ଆଣିଛି।

୨୦୧୯ରେ ଆସାମରେ ସବ୍‌ଇନ୍ସପେକ୍ଟର ପଦ ପାଇଁ ଯେତେବେଳେ ଦୁର୍ନୀତି ଅଭିଯୋଗ ଆସିଥିଲା, ତତ୍କାଳୀନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଵାଲ୍ ମାତ୍ର ୧୫ମିନିଟ୍ ମଧ୍ୟରେ ଜଣେ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଢ଼ି ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କେବଳ ଆସାମ ନୁହେଁ, ୨୦୧୩ରେ ମଧ୍ୟପ୍ରଦେଶରେ ହୋଇଥିବା ବହୁଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିରେ ମଧ୍ୟ ସରକାର ଏକ କମିଟି ଗଠନ କରି ନିଯୁକ୍ତି ଦୁର୍ନୀତିର ତଦନ୍ତ ପାଇଁ କହିଥିଲେ। ତେଣୁ ଓଡ଼ିଶାରେ ସମାନ ଢଙ୍ଗରେ ହୋଇଥିବା ନିଯୁକ୍ତି ଦୁର୍ନୀତି ଏବଂ ମେଧାବୀଙ୍କ ପ୍ରତି ହୋଇଥିବା ଅନ୍ୟାୟର ତଦନ୍ତ କରିବା ପାଇଁ ସରକାର କାହିଁକି ଏତେ କୁଣ୍ଠିତ ସେ ନେଇ ପ୍ରଶ୍ନ ଉଠିଛି।

ଏ ନେଇ ଜଣେ ଭିଜିଲାନ୍ସର ଜଣେ ପୂର୍ବତନ ନିର୍ଦ୍ଦେଶକ କହିଛନ୍ତି, ବିରଞ୍ଚିଙ୍କ ଆୟ ବହିର୍ଭୂତ ସଂପତ୍ତି ମାମଲାକୁ ସରକାର ଯେତିକି ଗୁରୁତ୍ବ ଦେଉଛନ୍ତି; ନିଯୁକ୍ତି ଜାଲିଆତିରେ ମଧ୍ୟ ସମାନ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। କାରଣ ଅନେକ ମେଧାବୀ ଏହି ଲାଞ୍ଚ କାରବାର ପାଇଁ ଆଜି ଚାକିରିରୁ ବଞ୍ଚିତ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଏସ୍‌ଏସ୍‌ସିରେ ଚାକିରି ଦୁର୍ନୀତି କେବଳ ବିରଞ୍ଚିଙ୍କ ଦ୍ବାରା ସମ୍ଭବ; ତାହା ଭାବିବା ଭୁଲ୍ ହେବ। ତେଣୁ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନ୍‌ଆଇଏ) ବା ଷ୍ଟେଟ୍ ଇନଭେଷ୍ଟିଗେସନ୍ ଏଜେନ୍ସିକୁ ଏହାର ତଦନ୍ତଭାର ଦେବା କଥା। ଏହା ଦ୍ବାରା ନିଯୁକ୍ତି ଦୁର୍ନୀତିରେ ସଂପୃକ୍ତ ସମସ୍ତ ବଡ଼ବଡ଼ିଆଙ୍କ ପର୍ଦ୍ଦାଫାସ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର