ସଂସଦୀୟ ବ୍ୟାପାର ବିଭାଗ ଫାଇଲ୍ ଫେରାଇଦେଲା
ବିଧାୟକଙ୍କ ଫ୍ଳାଟ୍ ନିର୍ମାଣ ଯୋଜନାରେ କେଳେଙ୍କାରୀ ଗନ୍ଧ
ଭୁବନେଶ୍ୱର : ବିଧାନସଭା ନିକଟରେ ୟୁନିଟ-୪ରେ ଥିବା ବିଧାୟକ କ୍ବାର୍ଟର୍ସ ଭାଙ୍ଗି ସେଠାରେ ବହୁତଳ କୋଠା ନିର୍ମାଣ କରିବାକୁ ରାଜ୍ୟ ସରକାର ଦୁଇ ବର୍ଷ ତଳେ ନିଷ୍ପତ୍ତି ନେଇଥିଲେ। ୪୦ଟି କ୍ବାର୍ଟର୍ସ ଭଙ୍ଗା ହୋଇଥାନ୍ତା ଆଉ ସେଠାରେ ଗୋଟିଏ ୯ମହଲା ଓ ଗୋଟିଏ ୧୦ମହଲା ବିଶିଷ୍ଟ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ହୋଇଥାନ୍ତା। ଏଠାରେ ୧୦୫ଜଣ ବିଧାୟକଙ୍କ ପାଇଁ ଟାଇପ୍ ୭ଫ୍ଲାଟ୍, ଅତିଥିଙ୍କ ପାଇଁ ୨୫ଟି ଟାଇପ୍-୬ ଫ୍ଲାଟ୍ ରହିଥାନ୍ତା। ଏଥିପାଇଁ ପ୍ରାୟ ୨୦ଟି କ୍ବାର୍ଟର୍ସ ବି ଭଙ୍ଗା ହୋଇଥିଲା। ଆଉ ୨୦ଟି କ୍ବାର୍ଟର୍ସ ଭଙ୍ଗା ହେବା ପୂର୍ବରୁ ହଠାତ୍ ଉଚ୍ଛେଦ ବନ୍ଦ ହୋଇଗଲା। ପ୍ରାୟ ଦୁଇ ବର୍ଷ ପରେ ପୁଣି ଏବେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଆଲୋଚନା ଆରମ୍ଭ ହୋଇଛି। କିନ୍ତୁ ଏହାର ନିର୍ମାଣ ପାଇଁ କେଉଁ ବିଭାଗ ଅର୍ଥ ଦେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରୁନି।
ଏହି ପ୍ରକଳ୍ପ ହେବ କି ନହେବ ତାହା ଦୂରର କଥା; ଏବେ ଏହାର ଖର୍ଚ୍ଚ ଆକଳନକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏହି ଦୁଇଟି ଅଟ୍ଟାଳିକା ନିର୍ମାଣ ପାଇଁ ୪୦୦କୋଟି ଖର୍ଚ୍ଚ ହେବ ବୋଲି ପୂର୍ତ୍ତ ବିଭାଗ ପ୍ରଥମେ ହିସାବ ଦେଇଥିଲା। ଏହାପରେ ବାଚସ୍ପତି ବି ୪୦୦କୋଟି ଖର୍ଚ୍ଚ ହେବ ବୋଲି ବିଭିନ୍ନ ବୈଠକରେ କହି ଆସୁଛନ୍ତି। କିନ୍ତୁ ଏହି ପ୍ରକଳ୍ପ ପାଇଁ ୨୭୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ତ୍ତ ବିଭାଗ ଖର୍ଚ୍ଚ ଆକଳନ କରି ସଂସଦୀୟ ବ୍ୟାପାର ବିଭାଗକୁ ପଠାଇଥିଲା। ଯାହାକୁ ଏବେ ସଂସଦୀୟ ବ୍ୟାପାର ବିଭାଗ ପ୍ରତ୍ୟାଖ୍ୟାନ କରିଦେଇଛି।
ଯଦି ୨୫୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି ତେବେ ବାଚସ୍ପତି କାହିଁକି ୪୦୦କୋଟି ଖର୍ଚ୍ଚ ହେବ ବୋଲି କହୁଛନ୍ତି? କେବଳ ଏତିକି ନୁହେଁ, ଟଙ୍କା କେଉଁ ବିଭାଗ ଦେବ ଯଦି ସ୍ଥିର ହୋଇନଥିଲା ତେବେ ବିଧାୟକଙ୍କ କ୍ବାର୍ଟର୍ସ କାହିଁକି ଭଙ୍ଗା ହେଉଥିଲା? ୪୦ଜଣ ବିଧାୟକଙ୍କୁ କାହିଁକି ଘର ଛାଡ଼ିବାକୁ କୁହାଯାଇଥିଲା?
/sambad/media/post_attachments/wp-content/uploads/2021/10/mla-colony-demolition.jpg)
ମିଳିଥିବା ସୂଚନା ଅନୁଯାୟୀ, ୧୦୫ଟି ଟାଇପ୍-୭ ଏବଂ ୨୫ଟି ଟାଇପ୍ ୬ କ୍ବାର୍ଟର୍ସ ପାଇଁ ୨୭୫କୋଟି ଖର୍ଚ୍ଚ ହେବ ବୋଲି ପୂର୍ତ୍ତ ବିଭାଗ ଯେଉଁ ଖର୍ଚ୍ଚ ଆକଳନ କରି ସଂସଦୀୟ ବ୍ୟାପାର ବିଭାଗକୁ ଟଙ୍କା ମାଗିଥିଲା ତାହାକୁ ବିଭାଗ ଫେରାଇ ଦେଇଛି। ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଏନେଇ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (କୋଠା)ଙ୍କୁ ଚିଠି ଲେଖି କହିଛନ୍ତି ଯେ ଆମେ ଏହି ଟଙ୍କା ଦେଇପାରିବୁନି। ଓଡ଼ିଶା ବିଧାନସଭା ସ୍ତରରେ ଏନେଇ ପ୍ରଶାସନିକ ଅନୁମତି ଆଣିବାକୁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।
ଏପଟେ ଏହି ବହୁତଳ କୋଠା ନିର୍ମାଣ ପାଇଁ ୨୭୫କୋଟି ଖର୍ଚ୍ଚ ଅଟକଳ ହୋଇଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ତ୍ତ ବିଭାଗକୁ ୭୦କୋଟି ଦିଆଯାଇଛି। ବାକି ଟଙ୍କା ନମିଳିଲେ କାମ ହେବା ସମ୍ଭବ ନଥିବାରୁ ପୂର୍ତ୍ତ ବିଭାଗର ଅଧିକାରୀମାନେ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାପରେ ବାଚସ୍ପତି ବୈଠକ ଡାକି କାମ ଆରମ୍ଭ କରିବାକୁ କହିବା ସହ ଖୁବ୍ ଶୀଘ୍ର ଆଉ ୫୦କୋଟି ଅଲଗା ଏକ ହେଡ୍ ଅଫ୍ ଆକାଉଣ୍ଟରେ ଦିଆଯିବ ବୋଲି କହିଛନ୍ତି। ହେଲେ କେଉଁ ବିଭାଗ ଟଙ୍କା ଦେବ ତାହା ସ୍ଥିର ହୋଇନି। ଅପରପକ୍ଷେ ଏହି ବୈଠକରେ ବି ବିଭାଗୀୟ ଅଧିକାରୀମାନେ ବାଚସ୍ପତିଙ୍କ ଆଗରେ ସେଇ ପୁରୁଣା ୪୦୦କୋଟି କଥା କହିଛନ୍ତି। ଯଦି ୪୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି ତେବେ ପୂର୍ତ୍ତ ବିଭାଗ କାହିଁକି ସଂସଦୀୟ ବ୍ୟାପାର ବିଭାଗକୁ ୨୭୫କୋଟି ମାଗିଥିଲା, ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି।
ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଏହି କୋଠା ନିର୍ମାଣ ପାଇଁ ଯଦି ୨୭୫କୋଟି ଖର୍ଚ୍ଚ ହୁଏ ତେବେ ଗୋଟେ ଫ୍ଲାଟ୍ ପିଛା ୨କୋଟି ୧୧ଲକ୍ଷ ୫୩ହଜାର ୮୪୬ଟଙ୍କା ପଡ଼ିବ। ଏହି କୋଠାରେ ଏମିତି କ’ଣ ସାମଗ୍ରୀ ବ୍ୟବହାର ହେବ ଯେ ଗୋଟିଏ ୭ଟି ରୁମ୍ ବିଶିଷ୍ଟ ଫ୍ଲାଟ୍ ପାଇଁ ୨କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ? ଯଦି ବାଚସ୍ପତିଙ୍କ କହିବାନୁଯାୟୀ ୪୦୦କୋଟି ଖର୍ଚ୍ଚ ହୁଏ ତେବେ ଗୋଟିଏ ଫ୍ଲାଟ୍ ପିଛା ୩କୋଟି ୭ଲକ୍ଷ ୬୯ହଜାର ୨୩୦ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ଆକଳନକୁ ଦେଖିଲେ ବୁଝାପଡ଼ୁନି ଯେ ରାଜ୍ୟ ସରକାର ବିଧାୟକଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କରିବେ ନା ଫ୍ଲାଟ୍ ବିଲଡର୍ସ ଠାରୁ କିଣିବେ। ଗୋଟିଏ ଘର ନିର୍ମାଣ ପାଇଁ ବର୍ଗଫୁଟ ପିଛା ସର୍ବାଧିକ ୧୫୦୦ରୁ ୧୮୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଠାରେ କ’ଣ ଲାଗିବ, କେତେ ବର୍ଗଫୁଟର ଘର ହେବ ଯେ, ଫ୍ଲାଟ୍ ପିଛା ୨ରୁ ୩କୋଟି ଖର୍ଚ୍ଚ ହେବ।
ସରକାରଙ୍କ ଯୋଜନା ଅନୁଯାୟୀ, ଏଠାରେ କାର୍ ପାର୍କିଂ, ସୁଇମିଂ ପୁଲ୍, ଜଗିଂ ଟ୍ରାକ୍, ଡ୍ରାଇଭରଙ୍କ ପାଇଁ ବିଶ୍ରାମ କକ୍ଷ, ଟେନିସ୍ କୋର୍ଟ, ବ୍ୟାଡମିଣ୍ଟନ୍ କୋର୍ଟ, ପାର୍କ ଆଦି ରହିବ। ଅପରପକ୍ଷେ ଏହି ସୁବିଧା ଦେଇ ରାଜଧାନୀରେ ବିଲଡର୍ସମାନେ ବର୍ଗଫୁଟ ପିଛା ୪ରୁ ୫ହଜାର ଟଙ୍କାରେ ଫ୍ଲାଟ୍ ବିକ୍ରି କରୁଥିବାବେଳେ ଗୋଟିଏ ଗୋଟିଏ ପ୍ରକଳ୍ପରୁ କୋଟିକୋଟି ଟଙ୍କା ଲାଭ କରୁଛନ୍ତି। ଏପରିକି ବିଲଡର୍ସମାନେ ଫ୍ଲାଟ୍ ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଦେଇ ଜମି କିଣୁଛନ୍ତି। ହେଲେ ଏଠାରେ ତ ଜମି ମାଗଣାରେ ମିଳୁଛି। ମାଗଣା ଜମିରେ ଏଠାରେ ବର୍ଗଫୁଟ ପିଛା କେତେ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି ଯେ, ଗୋଟିଏ ଫ୍ଲାଟ୍ ପାଇଁ ପ୍ରାୟ ୩କୋଟି ଖର୍ଚ୍ଚ କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାହା ଜଣାପଡ଼ୁନି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାନସଭାରେ ଯେଉଁ ଅର୍ଥ ଖର୍ଚ୍ଚ ହୁଏ ତାହାର ଅଡିଟ୍ ହେଉନଥିବାରୁ କିଛି ଅଧିକାରୀ ଏହାର ଫାଇଦା ଉଠାଇବାକୁ ଚାହିଁ ବସିଛନ୍ତି।