ଜଳବନ୍ଦୀରୁ ବଞ୍ଚାଇବ କିଏ?

ଜାଗା ଦେଲାନି ଜିଏ. କଳି ମଞ୍ଜି ପୋତିଛି ପୂର୍ତ୍ତ ବିଭାଗ

ଭୁବନେଶ୍ବର: ଭୁବନେଶ୍ବରର ଜଳବନ୍ଦୀ ସମସ୍ୟା ସମାଧାନ ନାଁରେ ବିଏମ୍‌ସି ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଅସରାଏ ବର୍ଷାରେ ବି ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା ଉପୁଜୁଛି। କେତେକ ଜାଗାରେ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ବିଏମ୍‌ସି ସାଧାରଣ ପ୍ରଶାସନ(ଜିଏ) ବିଭାଗକୁ ଜମି ମାଗିଥିଲେ ମଧ୍ୟ ମିଳିନାହିଁ। କେଉଁଠି ନଳା ଉପରୁ ଜବରଦଖଲ ହଟିପାରୁନଥିବାରୁ ପୁନରୁଦ୍ଧାର କାମ ଅଟକି ରହିଛି। ୪୪ ନମ୍ବର ୱାର୍ଡରେ ପୂର୍ତ୍ତ ବିଭାଗ କଳି ମଞ୍ଜି ପୋତିଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭାଗ ନଳା ତିଆରି କରୁଥିଲେ ମଧ୍ୟ ଏହା କୌଣସି କାମରେ ଲାଗିବ ନାହିଁ। ଏହି ନୂଆ ନଳାକୁ ନେଇ ବିଏମ୍‌ସିର ଅଣଓସାରିଆ ନଳାରେ ସଂ‌ଯୁକ୍ତ କରିଦେବାକୁ ବସିଛି। ଏଣୁ ଜଳ ନିଷ୍କାସନ ହୋଇନପାରିବା ଥୟ ହୋଇଛି। ଜିଏ, ପୂର୍ତ୍ତ ଓ ବିଏମ୍‌ସି ମଧ୍ୟଷର ସମନ୍ବୟ ଅଭାବରୁ ଏହି ଅଞ୍ଚଳ ବାସିନ୍ଦା ପୁଣି ବର୍ଷା ପାଣିରେ ଉବୁଟୁବୁ ହେବା ଆଶଙ୍କା ପ୍ରକାଶ ପାଇଛି।

ପଟିଆ ଅହଲ୍ୟାନଗରରେ ବର୍ଷ ବର୍ଷ ଧରି ଜଳବନ୍ଦୀ ସମସ୍ୟା ଲାଗି ରହିଛି। ଏହା ଏକ ଖାଲୁଆ ଅଞ୍ଚଳ ହୋଇଥିବାରୁ ଲଗାଣ ବର୍ଷା ହେଲେ ତୁରନ୍ତ ଜଳ ଖାଲି ହୋଇ ପାରେନାହିଁ। ତେଣୁ ହଜାର ହଜାର ବାସିନ୍ଦା ଜଳବନ୍ଦୀ ହୋଇଯାଆନ୍ତି। ଏନେଇ ବିଏମ୍‌ସି ଏକ ବାଟ ବାହାର କରିଥିଲା। ଖାଲୁଆ ଅଞ୍ଚଳରେ ଏକ ପୋଖରୀ ଖୋଳି ବର୍ଷା ଜଳକୁ କିଛି ସମୟ ଧରି ରଖିବାକୁ ଯୋଜନା କରିଥିଲା। ଯେଉଁ ପାଣି ଘର ଭିତରେ ପଶି ଯାଉଥିଲା ଏଣୁ ଏଠାରେ ଜିଏ ବିଭାଗର ପଟିଆ ମୌଜା ଖାତା ନମ୍ବର ୪୯୨ରେ ଥିବା ଗୋଦଣ୍ଡା କିସମର ୧୧ଏକର ୧୧୦ ଡିସିମିଲି ଓ ୪୯୩ ଖାତାରେ ଥିବା ଜଳାଶୟ କିସମର ୫୨୦ ଡିସିମିଲି, ଏଭଳି ୧୧ଏକର ୬୩୦ ଡିସିମିଲି ଜମି ପାଇଁ ବିଏମ୍‌ସି ଗତ ବର୍ଷ ନଭେମ୍ବର ମାସରେ ଚିଠି ଲେଖିଥିଲା। କିନ୍ତୁ ଜିଏ ବିଭାଗ ବିଏମ୍‌ସିକୁ ଜମି ଦେଲା ନାହିଁ। ବରଂ ଏହି ଜମି ଏକ ଘରୋଇ ସଂସ୍ଥାକୁ ଦେଇଦେଲା। ଫଳରେ ବିଏମ୍‌ସିର ଯୋଜନା ଫସର ଫାଟିଲା। ଏବେ ବିଏମ୍‌ସି ହାତ ଟେକି ଦେଇଛି।

ବଡ଼ଗଡ଼ ଜଗନ୍ନାଥ ଆଶ୍ରମ କଡ଼ରେ ପୂର୍ତ୍ତ ବିଭାଗ ଏକ ଡ୍ରେନ୍‌ ନିର୍ମାଣ କରୁଛି। କିନ୍ତୁ ନିଷ୍କାସନ ପାଇଁ ବାଟ ନାହିଁ। ବିଏମ୍‌ସିର ଅଣଓସାରିଆ ନଳାରେ ଏହାକୁ ସଂଯୋଗ କରିବା ଯୋଜନା କରାଯାଇଛି। ତେଣୁ ଜଳ ନିଷ୍କାସନ ହେବ ନାହିଁ। ବଡ଼ଗଡ଼ ଚାରିଛକ ଅଞ୍ଚଳରୁ ଏବଂ ଚିଲି ପୋଖରୀ କେନାଲ ଠାରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ଦୁଇଟି ମୁଖ୍ୟ ନଳାକୁ ଏକାଠି କରି ପୂର୍ତ୍ତ ବିଭାଗ ବିଏମ୍‌ସିର ଅଣଓସାରିଆ ନଳାରେ ମିଶାଇ ଦେବା ପାଇଁ ଯୋଜନା କରିଛି। ଦୁଇଟି ନଳାର ପ୍ରଚୁର ପାଣିକୁ ପୂର୍ତ୍ତ ବିଭାଗ ଯଦି ଏକ ଓସାରିଆ ନାଳ ତିଆରି କରି ଗଙ୍ଗୁଆ ପର୍ଯ୍ୟନ୍ତ ନିଏ, ତେବେ ଜଳବନ୍ଦୀ ସମସ୍ୟା ସମାଧାନ ହୋଇ ପାରିବ। କିନ୍ତୁ ପୂର୍ତ୍ତ ବିଭାଗ ଏହା କରିବାକୁ ରାଜି ହୋଇନାହିଁ। ବିଏମ୍‌ସି ୧୦ ନମ୍ବର ଡ୍ରେନ୍‌ ଉପରେ ଏକ ଘରକୁ ଉଚ୍ଛେଦ କରିପାରୁନଥିବାରୁ କାମ ଅଧାରେ ଅଟକିଛି। ଏଣୁ ଚଳିତ ବର୍ଷ ମଧ୍ୟ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବ। ପୂର୍ବବତ୍‌ ଝାରପଡ଼ା ଓ ବୈରାଗୀନଗର ଅଞ୍ଚଳ ଜଳମଗ୍ନ ହେବ। ସରକାରୀ ଜାଗାରେ ନିର୍ମାଣ ହୋଇଥିଲେ ମଧ୍ୟ କାହା ସ୍ବାର୍ଥରେ ଏହା ଉଚ୍ଛେଦ ହେଉ ନାହିଁ, ସେନେଇ ପ୍ରଶ୍ନ ଉଠିଛି।

ଜଗନ୍ନାଥ ଆଶ୍ରମ ନିକଟରେ ମେୟରଙ୍କ ତନାଘନା

ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ଚାଲିଥିବା ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ତଦାରଖ କରିଛନ୍ତି ମେୟର ସୁଲୋଚନା ଦାସ। ଆଜି ସେ ୪୪ ଓ ୫୭ ନମ୍ବର ୱାର୍ଡ ଅନ୍ତର୍ଗତ ବିଭିନ୍ନ ଅଂଚଳ ପରିଦର୍ଶନ କରିବା ସହ ୱାର୍ଡ ନଂ୪୪ରୁ ବଡ଼ଗଡ଼ କଳିଙ୍ଗ ବସ୍ତି, ଝରଣା ସାହି ଓ ଚାରିଛକ ଅଂଚଳରେ ଚାଲୁଥିବା ଡ୍ରେନ କାର୍ଯ୍ୟ ବୁଲି ଦେଖିଛନ୍ତି। ୱାର୍ଡ ନଂ ୪୪ ଓ ୫୭ର ଜଳ ଏହି ନାଳ ଦେଇ ନିଷ୍କାସିତ ହୋଇଥାଏ। ନାଳଟି ସଂପୂର୍ଣ୍ଣ ହେଲେ କଳିଙ୍ଗବସ୍ତି, ଝରଣାସାହି, ଭାସ୍କରେଶ୍ୱର କଲୋନି, ବଡ଼ଗଡ଼ ବ୍ରିଟ୍‌ କଲୋନି, ବଡ଼ଗଡ଼ ଗ୍ରାମର ପ୍ରାୟ ୧୦ ହଜାର ନାଗରିକ ଜଳବନ୍ଦୀ ସମସ୍ୟାରୁ ମୁକ୍ତ ହେବେ। ଏଣୁ ଧାର୍ଯ୍ୟ ସମୟରେ ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ ସାରିବାକୁ ସେ ତାଗିଦ୍‌ କରିଛନ୍ତି। ସେହିଭଳି ଜଗନ୍ନାଥ ଆଶ୍ରମ ନିକଟରେ ପୂର୍ତ୍ତ ବିଭାଗର ନିର୍ମାଣାଧୀନ ନଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଓସାରିଆ ନାଳ ତିଆରି କରି ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗକୁ ଅନୁରୋଧ କରିଛନ୍ତି। ନାଳରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରିବା ସହ ବିଭିନ୍ନ ନାଳରୁ ପଙ୍କୋଦ୍ଧାର ପାଇଁ ବିଏମ୍‌ସି ଯୋଜନା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର