ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ: କିଏ ହାତେଇବ ମହିଳାଙ୍କ ଭୋଟ୍‌?

ନିର୍ବାଚନରେ ନେବେ ନିର୍ଣ୍ଣାୟକ ଭୂମିକା; ବସ୍ତି, କଲୋନି, ଆପାର୍ଟମେଣ୍ଟ୍‌ ସବୁଠି ଫୋକସ୍‌ରେ ମହିଳା

ଭୁବନେଶ୍ବର : ସରଗରମ ପ୍ରଚାର ମଇଦାନ। ହାତରେ ଆଉ ମାତ୍ର ୩୬ ଘଣ୍ଟା। ଏତେ କମ୍‌ ସମୟ ମଧ୍ୟରେ ୱାର୍ଡର ସବୁ ବର୍ଗର ଭୋଟରଙ୍କୁ ଭେଟିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ମେୟର ଓ କର୍ପୋରେଟର ପ୍ରାର୍ଥୀ ଗଳିକନ୍ଦି, କଲୋନି, ବସ୍ତିରେ ସଭା, ସମିତି କରି ଭୋଟରଙ୍କ ନିକଟତର ହେଉଛନ୍ତି। ବସ୍ତିବାସିନ୍ଦାଙ୍କ ମନ ଜିଣୁଛନ୍ତି। ପାର୍କରେ ବୁଲି ଭୋଟ ମାଗୁଛନ୍ତି। ମେୟର ପ୍ରାର୍ଥିନୀମାନେ ଭିନ୍ନ ତରିକା ଆପଣାଇଥିବା ବେଳେ କର୍ପୋରେଟର ପ୍ରାର୍ଥୀ ସ୍ଥାନୀୟ ପ୍ରସଙ୍ଗଙ୍କୁ ପ୍ରାଥମିକତା ଦେଉଛନ୍ତି। ବିଶେଷକରି ମହିଳାଙ୍କ ଭୋଟ ହାତେଇବାକୁ ପ୍ରାର୍ଥୀମାନେ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ମହିଳା ଭୋଟରଙ୍କ ପାଦ ତଳେ ପଡ଼ି ଯାଉଛନ୍ତି ତ ଆଉ କେଉଁଠି ଭୋଟରଙ୍କ ବୋଝ ନିଜ କାନ୍ଧକୁ ନେବାକୁ ପଛାଉ ନାହାନ୍ତି। ବସ୍ତି ହେଉ କି କଲୋନି, ଆପାର୍ଟମେଣ୍ଟ୍‌, ସବୁଠି ମହିଳାମାନେ ‌ପ୍ରାର୍ଥୀଙ୍କ ଫୋକସ୍‌ରେ ରହୁଥିବା ଦେଖିବାକୁ ମିଳୁଛି।

ବିଗତ ବର୍ଷଗୁଡ଼ିକରେ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ବିଧାନସଭା, ଲୋକସଭା ହେଉ କି ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନ। ସବୁଥିରେ ମହିଳା ଭୋଟର ପ୍ରାର୍ଥୀଙ୍କୁ ଜିତା‌ଇବାରେ ସହାୟକ ହୋଇଛନ୍ତି। ମତଦାନ ସମୟରେ ମହିଳାଙ୍କ ମତଦାନ ହାର ଭଲ ରହିଥାଏ। ତେଣୁ ଏଥର ବିଏମ୍‌ସି ନିର୍ବାଚନରେ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ମହିଳା ଭୋଟର। ସେମାନଙ୍କ ଭୋଟ ଯେଉଁ ପ୍ରାର୍ଥୀ ଓ ଦଳକୁ ଯିବ ତାଙ୍କୁ ହିଁ ବିଏମ୍‌ସି ଦଖଲ କରିବା ସହଜ ହେବ। ବିଏମ୍‌ସିର ୬୭ ୱାର୍ଡରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୧୦ ଜଣ ପୁରୁଷ ଥିବା ବେଳେ ୩ ଲକ୍ଷ ୩୦ ହଜାର ୮୧୫ ଜଣ ମହିଳା ଭୋଟର ରହିଛନ୍ତି। ଅନ୍ୟ ବର୍ଗର ୪୪୦ ଜଣ ରହିଛନ୍ତି। ଭୋଟ ହାତେଇବା କ୍ଷେତ୍ରରେ ବିଜେଡିର ଦବଦବା ରହିଆସିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ଭୋଟ ହାତେଇବାରେ ଅନ୍ୟମାନଙ୍କ ତୁଳନାରେ ବିଜେଡି ଆଗରେ ରହିଛି। ମିସନ ଶକ୍ତି ପରି ଜନହିତକାରୀ ଯୋଜନା ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାର ଅନ୍ୟତମ କାରଣ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଭୁବନେଶ୍ବରରେ ପ୍ରଚାରର ମଙ୍ଗ ଧରିଥିବା ତିନି ବିଧାୟକ ଯଥା ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ରାଉତ ଓ ଅନନ୍ତ ନାରାୟଣ ଜେନା ଏବେ ମହିଳା ଭୋଟରଙ୍କ ଉପରେ ଫୋକସ୍‌ କରିଛନ୍ତି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ସାଙ୍ଗରେ ଧରି ବସ୍ତି, କଲୋନି ଆଦି ଅଞ୍ଚଳରେ ମହିଳାଙ୍କୁ ନିଜ ଆଡ଼କୁ ଟାଣୁଛନ୍ତି। ବିଜେଡି କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ଶେଷ ସମୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ଭୋଟ ଭିକ୍ଷା କରୁଛନ୍ତି।

ଏମିତିକି କି କିଛି ଦିନ ତଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଏହା ସ୍ବୀକାର କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ବିଜେଡି ହାତେଇଥିବା ସିଟ୍ ଏବଂ ପୌର ନିର୍ବାଚନରେ ମିଳିଥିବା ମହିଳାଙ୍କୁ ଟିକେଟ୍‌କୁ ନେଇ ପ୍ରତିକ୍ରିୟା ରଖି ଶ୍ରୀ ରାଉତରାୟ କହିଥିଲେ ଯେ ମହିଳା ଭୋଟ ସବୁ ନବୀନ ବାବୁଙ୍କ ପକେଟରେ। ମହିଳାମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି। ଯୁବ‌ ଗୋଷ୍ଠୀଙ୍କୁ ଗୁରୁତ୍ବ ଦେଉଥିବା କହି ମହିଳାଙ୍କୁ ୭୦% ଜିଲ୍ଲା ପରିଷଦ ସଭାପତି ପଦରେ ବସାଇଲେ। ମିଠା, ପିଠା, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନାଁରେ ମହିଳାମାନଙ୍କୁ ଅର୍ଥ ଦିଆଯାଉଛି। ଭୁବନେଶ୍ବରରେ ବି ମହିଳାଙ୍କୁ ବିଭିନ୍ନ ସୁ‌ବି‌ଧା ଦେଇ ବିଜେଡି ଭୋଟ ହାତେବାକୁ ଉଦ୍ୟମ କରୁଥିବା ସେ କହିଥିଲେ। ଜବାବରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଛି। ସବୁ କ୍ଷେତ୍ରରେ ସେମାନେ ଆଗକୁ ବଢ଼ୁଛନ୍ତି। ଏବେ ରାଜନୀତିରେ ମହିଳାଙ୍କୁ ପ୍ରାଥମିକତା ମିଳୁଛି। ଜନହିତକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ବିରୋଧୀ ସାଧାରଣ ଲୋକଙ୍କ ନିକଟରେ ନାହାନ୍ତି। ତେଣୁ ଏଭଳି ଅଭିଯୋଗ କରୁଛନ୍ତି। ବିଜେଡି ପୌର ନିର୍ବାଚନରେ ପୁଣିଥରେ ବାଜି ମାରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ବିଜେପି ମଧ୍ୟ ମହିଳା ଭୋଟ ପଛରେ ପଡ଼ିନି। ଯେକୌଣସି ପ୍ରକାରରେ ସହରର ସଚେତନ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ମଙ୍ଗ ଧରିଛନ୍ତି। ପଦଯାତ୍ରା କରି ମହିଳାଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଭୋଟ ଦାନ ହାର ଅଧିକ ରହିଥିଲା। ମହିଳାଙ୍କର ଭୋଟ ପ୍ରତିଶତ ୫୮.୯୪% ଥିବା ବେଳେ ପୁରୁଷଙ୍କ ଭୋଟ ପ୍ରତିଶତ ୫୭.୯୦% ଥିଲା। ତେଣୁ ଅପରାଜିତା ଏବେ ମହିଳାଙ୍କ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ୨୦୧୯ ସାଧାରଣ ନିର୍ବାଚନ ପରି ଏଥର ତାଙ୍କର କ୍ରେଜ୍‌ ନାହିଁ। ସାଂସଦଙ୍କ ସାଙ୍ଗ‌ରେ ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ୍‌ ବୁଲୁଛନ୍ତି। ଖୋଲା ଜିପ୍‌, ବାଇକ୍‌ ଶୋଭାଯାତ୍ରା କରି ମହିଳା ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ ବିଜେପି ପ୍ରାର୍ଥୀଙ୍କ ସହ ମହିଳା କର୍ମୀଙ୍କ ସଂଖ୍ୟା ବହୁତ ନଗଣ୍ୟ ରହୁଛି।
କଂଗ୍ରେସ ବି କିଛି ୱାର୍ଡରେ ମହିଳା ଭୋଟରଙ୍କ ଉପରେ ନଜର ରଖିଛି। ଯେଉଁଥିପାଇଁ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଉକ୍ତ ୱାର୍ଡଗୁଡ଼ିକୁ ଘନ ଘନ ଗସ୍ତ କରୁଛନ୍ତି। କର୍ପୋରେଟର ପ୍ରାର୍ଥୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ମହିଳାଙ୍କ ଭୋଟ ହାତେଇବାରେ କିଏ କେତେ ସଫଳ ହେଉଛନ୍ତି ତାହା ଭୋଟ ଗଣନା ପରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର