କିଏ ପିନ୍ଧିବ ବିଜୟ ମୁକୁଟ

ଭୁବନେଶ୍ବର : ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନେ ଦିନରାତି ଏକ କରି କରିଥିବା ମାସ ମାସର ପରିଶ୍ରମର ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଇଭିଏମ୍‌ରେ ପ୍ରାର୍ଥୀମାନଙ୍କ ଭାଗ୍ୟ ବନ୍ଦ ହୋଇଯାଇଥିବାବେଳେ ଗୁରୁବାର ଏହା ଖୋଲିବ। ଭୋଟ୍‌ ଗଣତି ପରେ ଜଣା ପଡ଼ିବ କିଏ ପିନ୍ଧିବ ବିଜୟ ମୁକୁଟ। ଏଥିପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଯଦିଓ ନିଜ ଅଙ୍କ କଷିଛନ୍ତି କିନ୍ତୁ ସମସ୍ତେ ଫଳାଫଳକୁ ଚାତକ ଭଳି ଚାହିଁ ବସିଛନ୍ତି।

ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୭୭ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ଏମାନଙ୍କ ଭିତରୁ କିଏ ବିଜୟ ମୁକୁଟ ପିନ୍ଧିବ ତାହା ବିଜେବି କଲେଜରେ ହେବାକୁ ଥିବା ଭୋଟ୍‌ ଗଣତି ପରେ ଜଣାପଡ଼ିବ।

ଚଳିତ ନିର୍ବାଚନରେ ଭୁବନେଶ୍ବର ମଧ୍ୟର ୧୫ଜଣ, ଭୁବନେଶ୍ବର ଉତ୍ତରର ୧୬ଜଣ ଏବଂ ଏକାମ୍ର ଭୁବନେଶ୍ବରର ୧୪ଜଣ ପ୍ରାର୍ଥୀଙ୍କ ସମେତ ଜୟଦେବ ନିର୍ବାଚନ ମଣ୍ଡଳୀର ୧୨ଜଣ, ଜଟଣୀରେ ୭ଜଣ ଏବଂ ଭୁବନେଶ୍ବର ଲୋକସଭା ପାଇଁ ୧୫ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏହିପରି ୭୭ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା‌େବଳେ ସବୁ ନିର୍ବାଚନ ମଣ୍ଡଳୀରେ ମତଦାନ ହାର ବଢ଼ିଛି। ତେଣୁ ପ୍ରାର୍ଥୀମାନେ ନିଜ ନିଜ ବିଜୟ ନେଇ ଆଶାବାଦୀ ଅଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ସବୁଠି ବିଜୟ ହେବେ ବୋଲି କହୁଥିବା‌େବଳେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ୍‌ ମଧ୍ୟ ପ୍ରକାଶ ପାଇଛି। ହେଲେ ଚୂଡ଼ାନ୍ତ ଗଣତିକୁ ‌ସମସ୍ତଙ୍କର ଅପେକ୍ଷା।

ଭୁବନେଶ୍ବର ସବ୍‌ଡିଭିଜନ ଅଧୀନସ୍ଥ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଲୋକସଭା ଆସନ ପାଇଁ ମୋଟ୍‌ ୧୧୫୬ଟି ବୁଥ୍‌ ହୋଇଥିବାବେଳେ ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀକୁ ଛାଡ଼ିଦେଲେ ସବୁଠି ମତଦାନ ହାର ୫୫% ଉପରେ ରହିଥିଲା। ଏକଜିଟ୍‌ ପୋଲ୍‌ ଅନୁଯାୟୀ, ଭୁବନେଶ୍ବରର ତିନିଟି ଆସନରେ ବିଜେଡି ବିଜୟ ଲାଭ କରିବାକୁ ଥିବାବେଳେ ଜଟଣୀରେ କଂଗ୍ରେସ ଏବଂ ଜୟଦେବରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି କୁହାଯାଉଛି। ଭୁବନେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ ବୋଲି କୁହାଯାଉଥିଲେ ହେଁ ଏମାନଙ୍କର ବିରୋଧୀ କିନ୍ତୁ ଏହାକୁ ସ୍ବୀକାର କରିବାକୁ ନାରାଜ। ଏକଜିଟ୍‌ ପୋଲ୍‌ରେ ଯେଉଁମାନେ ହାରିବେ ବୋଲି କୁହାଯାଉଛି ସେମାନେ ଏହାକୁ ଭୁଲ୍‌ କହିବା ସହ ମେ ୨୩ ଫଳକୁ ଅପେକ୍ଷା କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତଥର ଏକାମ୍ର ଭୁବନେଶ୍ବରରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅଶୋକ ଚନ୍ଦ୍ର ପଣ୍ଡା ୨୦୧୪ରେ ଏଠାରେ ୨୬୪୭୬ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିଲେ। ଅଶୋକ ୬୬,୩୭୬ଖଣ୍ଡ ଭୋଟ୍‌ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅମିୟ ଦାଶ ୨୯୯୦୦ ଖଣ୍ଡ ଭୋଟ୍‌ ପାଇଥିଲେ। ଏଥର ବିଜେପିରୁ ବାବୁ ସିଂହ ଲଢ଼ୁଥିବାବେଳେ ‌ଅଶୋକ ଓ ବାବୁଙ୍କ ମଧ୍ୟରେ କେତେ ଭୋଟ୍‌ ବ୍ୟବଧାନ ରହୁଛି ତାହାକୁ ଅପେକ୍ଷା।

ସେହିପରି ଭୁବନେଶ୍ବର ମଧ୍ୟରେ ୨୦୧୪ରେ ୨୨,୩୮୯ଖଣ୍ଡ ଭୋଟ୍‌ରେ ହାରିଥିବା ବି‌େଜପିର ଜଗନ୍ନାଥ ପ୍ରଧାନ ଏଥର ନିର୍ବାଚନ ଲଢ଼ୁଥିବାବେଳେ ବିଜୟ ହାସଲ କରିବେ ବୋଲି ଆଶା ରଖିଛନ୍ତି। ଏଥର ସେ ବିଜେଡିର ଅନନ୍ତ ନାରାୟଣ ଜେନାଙ୍କ ସହ ଲଢ଼ୁଥିବାବେଳେ ଭୁବନେଶ୍ବରର ସବୁଠୁ ଅଧିକ କଡ଼ା ଟକ୍କର ଏଠାରେ ହେଉଛି। ଏଠାରେ ବିଜୟ ମହାନ୍ତି ୫୦,୧୦୭ଖଣ୍ଡ ଭୋଟ୍‌ ପାଇଥିବାବେଳେ ଜଗନ୍ନାଥ ୨୭,୭୧୮ଖଣ୍ଡ ଭୋଟ୍‌ ପାଇଥିଲେ।

ଭୁବନେଶ୍ବର ଉତ୍ତରରେ ବିଜେଡିର ପ୍ରିୟଦର୍ଶୀ ମିଶ୍ର ସବୁଠୁ ଅଧିକ ୪୮,୭୫୭ଖଣ୍ଡ ଭୋଟ୍‌ ବ୍ୟବଧାନରେ ଜିିତିଥିଲେ ହେଁ ଏଥର ‌େସ ପ୍ରାର୍ଥୀ ହୋଇନାହାନ୍ତି। ବିଜେଡି ଓ ବିଜେପି ପ୍ରାର୍ଥୀ ବଦଳିଥିବାବେଳେ ଏଥର କିଏ କେତେ ଭୋଟ୍‌ ବ୍ୟବଧାନରେ ଜିତୁଛନ୍ତି ତାହା ଉପରେ ନଜର। ବିଜେଡି ଭୁବନେଶ୍ବରରେ ଏହି ଆସନରେ ସବୁଠୁ ଅଧିକ ଭୋଟ୍‌ରେ ଜିତୁଛି ନା ନାହିଁ ତାହା ବି ଦେଖିବାକୁ ସମସ୍ତଙ୍କ ଅପେକ୍ଷା। ଏଠାରେ ପ୍ରିୟଦର୍ଶୀ ୭୩୭୨୮ଖଣ୍ଡ ଭୋଟ୍‌ ପାଇଥିବାବେଳେ ବିଜେପିର ଦିଲ୍ଲୀପ ମହାନ୍ତି ୨୪,୯୭୧ଖଣ୍ଡ ଭୋଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର