ବିଷ ବଳୟରେ ପୂରା ରାଜଧାନୀ, ତିଆରି ହେଉଛି ମାଳମାଳ ନକଲି ସାମଗ୍ରୀ

କୋଲକାତାରୁ ବସ୍‌ରେ ଆସୁଛି ସିନ୍ଥେଟିକ୍ ପନିର
ବିନା ଗାଈରେ ଗୁଆ ଘିଅ, ଦେଶୀ କହି ବିକୁଛନ୍ତି
ମଙ୍ଗ ଧରିଛନ୍ତି ବଙ୍ଗୀୟ ବେପାରୀ
ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ସସ୍, ମସଲା
ତିଆରି ଚାଲିଛି ନକଲି ଇଞ୍ଜିନ୍ ଅଏଲ

ଭୁବନେଶ୍ବର, (ଶୁଭକାନ୍ତ ପଢ଼ିଆରୀ) : କେବଳ କଟକ ନୁହେଁ, ଭୁବନେଶ୍ବରରେ ମଧ୍ୟ ତିଆରି ଓ ବିକ୍ରି ହେଉଛି ମାଳମାଳ ନକଲି ଖାଦ୍ୟ ସାମଗ୍ରୀ। ମଙ୍ଗଳବାର ସୁନ୍ଦରପଦାରେ ନକଲି ଘିଅ କାରଖାନା ଠାବ ହୋଇଥିଲା। ତେବେ ଖାଲି ସୁନ୍ଦରପଦା ନୁହେଁ; ରାଜଧାନୀର ବିଭିନ୍ନ ଅଞ୍ଚଳରେ ମାଡ଼ିଛି ନକଲି ଚେର। ଏମିତି କେଉଁ ଥାନା ନାହିଁ, ଯେଉଁଠି ନକଲି ସାମଗ୍ରୀ ତିଆରି ହେଉନାହିଁ। ଦିନ କି ମାସ ନୁହେଁ; ବର୍ଷ ବର୍ଷ ଧରି ଚାଲିଛି ଏ ସବୁ କାରବାର। ହାତଗଣତି କେତେକ ନକଲି କାରଖାନା ଠାବ ହୋଇଥିବା ବେଳେ ଆହୁରି ଅନେକ ସାମଗ୍ରୀର ନକଲି କାରବାର ଚଳାଇଛନ୍ତି ମାଫିଆ। ଟମାଟୋ ସସ୍‌ଠାରୁ ଆରମ୍ଭ କରି ମସଲା ଗୁଣ୍ଡ, ହଳଦୀ, ଜିରା, ପନିର୍, ଦହି, ଘିଅ ସବୁ ନକଲି। ଏ ସବୁ ନକଲି କାରବାରର ମଙ୍ଗ ଧରିଛନ୍ତି ଅଣଓଡ଼ିଆ ବେପାରୀ ଓ ମାଫିଆ। କିନ୍ତୁ ରାଜଧାନୀରେ ସେମିତି ଆଖିଦୃଶିଆ ଚଢ଼ଉ ହୋଇପାରି ନାହିଁ। କେଉଁ ସାମଗ୍ରୀ କେଉଁଠି ମିଳିଛି ତାହା ଅନୁସନ୍ଧାନରୁ ଜଣାପଡ଼ିଛି।

ରାଜଧାନୀରେ ଦିନକୁ ୧୦ କ୍ବିଣ୍ଟାଲରୁ ଅଧିକ ପନିର୍ ବିକ୍ରି ହେଉଛି। ପନିର୍ ଚାହିଦାକୁ ମେଣ୍ଟାଇବା ଲାଗି ନକଲି ବିକୁଛନ୍ତି ମାଫିଆ। ପ୍ରତ୍ୟେକ ଦିନ ବସ୍‌ ଯୋଗେ କୋଲକାତାରୁ ଆସୁଛି ନକଲି ବା ସିନ୍ଥେଟିକ୍ ପନିର। ଡିଟରଜେଣ୍ଟ ପାଉଡର ଫେଣ, ଅଟା, ୟୁରିଆ, ଅପମିଶ୍ରିତ ଦୁଗ୍ଧ ବା ପାଉଡର, ଗ୍ଲିସେରିନ୍ ଭଳି କେମିକାଲ ବ୍ୟବହାର କରାଯାଇ ଏହା ତିଆରି କରାଯାଉଛି। କମ୍ ଖର୍ଚ୍ଚରେ କ୍ବିଣ୍ଟାର କ୍ବିଣ୍ଟାର ପନିର ଉତ୍ପାଦନ ହୋଇପାରୁଛି। ବସ୍ ଯୋଗେ ଆସୁଥିବା ଏହି ପନିର ସହରରେ ପ୍ରବେଶ ପୂର୍ବରୁ ଉପକଣ୍ଠ ଅଞ୍ଚଳ ହଂସପାଳ, ପାହାଳ, ଫୁଲନଖରା ନିକଟରେ ଅନଲୋଡ଼ିଂ କରାଯାଉଛି। କିଛି ପରିମାଣର ପନିର ବରମୁଣ୍ଡା ବସଷ୍ଟାଣ୍ଡକୁ ମଧ୍ୟ ଆସୁଛି। ଏହି ସବୁ ଅଞ୍ଚଳରେ ପୂର୍ବରୁ ପ୍ରସ୍ତୁତ ରହିଥିବା ବେପାରୀ ପନିର ସଂଗ୍ରହ କରି ନେଉଛନ୍ତି। ଏହି ନକଲି ପନିରକୁ କେତେକ ନିର୍ଦ୍ଦିଷ୍ଟ ଦୋକାନ, ହୋଟେଲରେ ବିକ୍ରି କରାଯାଉଛି। ଗତ ଡିସେମ୍ବର ୩୧ ତାରିଖରେ ଏକ ବସ୍‌ରୁ ଚାଉଳିଆଗଞ୍ଜ ପୁଲିସ ଏବଂ କଟକ ମହାନଗର ନିଗମ(ସିଏମସି) ମିଳିତ ଭାବେ ଚଢ଼ଉ କରିବା ପରେ ଏହି ନକଲି କାରବାର ପଦାକୁ ଆସିଥିଲା। କେବଳ କୋଲକାତା ନୁହେଁ; ଭୁବନେଶ୍ବର, କଟକ ଆଖପାଖ ଅଞ୍ଚଳରେ ମଧ୍ୟ ନକଲି ପନିର୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

IndiaMART

ସେହିପରି ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଅଞ୍ଚଳରେ ଥିବା କେତେକ ନିର୍ଦ୍ଦିଷ୍ଟ ବସ୍ତିରେ ଚାଲିଛି ନକଲି ଗୁଆଘିଅ ପ୍ରସ୍ତୁତି। ଏହାର ମଙ୍ଗ ଧରିଛନ୍ତି ବସ୍ତିରେ ରହୁଥିବା କିଛି ବଙ୍ଗୀୟ। ଚାଉଳ ଚୁନା ଭଳି ଗୁଣ୍ଡ, କେମିକାଲ୍ ଓ ଗୁଆ ଘିଅ ସେଣ୍ଟ୍ ବ୍ୟବହାର କରି ପ୍ରସ୍ତୁତ କରାଯାଉଛି ନକଲି ଘିଅ। ଏହି ଘିଅକୁ କାଚ ବୋତଲରେ ପୂରାଇ ସାଇକେଲରେ ଧରି ସେମାନେ ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ବିକ୍ରି କରନ୍ତି। ଯେଉଁମାନେ କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି ସେମାନଙ୍କୁ ପ୍ରଥମେ ବୋତଲ ଖୋଲି ଘିଅ ବାସ୍ନାକୁ ବାରିବାକୁ ଦିଅନ୍ତି। ଏହା ଖାଣ୍ଟି କ୍ଷୀରରେ ପ୍ରସ୍ତୁତ ବୋଲି ଲୋକଙ୍କ ମନରେ ବିଶ୍ବାସ ଜନ୍ମାନ୍ତି। ଏହା ପରେ ଚଢ଼ା ଦାମରେ ବିକ୍ରି କରନ୍ତି। କେବଳ ଘିଅ ନୁହେଁ; ଏମାନେ ଦହି ମଧ୍ୟ ବିକ୍ରି କରିଥାନ୍ତି। ଯେଉଁମାନେ ଏ ସବୁ ସାମଗ୍ରୀ ବିକ୍ରି କରନ୍ତି ସେମାନେ ବସ୍ତି ଅଞ୍ଚଳରେ ରୁହନ୍ତି। ସେମାନଙ୍କ ପାଖରେ ଗାଈ ମଧ୍ୟ ନାହିଁ। କିନ୍ତୁ ସବୁ ଅସଲି କହି ବିକ୍ରି କରନ୍ତି।

Pinterest

ଗୋଟିଏ କି ଦୁଇଟି ନୁହେଁ; ମାଳମାଳ ନକଲି ଟମାଟୋ ସସ୍ କାରଖାନା ମଧ୍ୟ ରହିଛି। ମଞ୍ଚେଶ୍ବର ଶି​ଳ୍ପାଞ୍ଚଳ, ଚନ୍ଦ୍ରଶେଖରପୁର, ଚନ୍ଦକା, ହଂସପାଳ ଅଞ୍ଚଳରେ ଏ ସବୁ ନକଲି କାରଖାନା ଚାଲୁଛି। ପଚାସଢା କଖାରୁ, ରଙ୍ଗ, କେମିକାଲ ମିଶାଇ ଏହି ସସ୍ ପ୍ରସ୍ତୁତ କରାଯାଉଛି। ଯାହାକୁ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଉଛି। ନା ଏହି କମ୍ପାନିର ଫୁଡ୍ ଲାଇସେନ୍ସ କି କିଛି କାଗଜପତ୍ର ନ‌ାହିଁ। କିଛି ଦୋକାନ ଓ ବିଶେଷ କରି ରାସ୍ତାକଡ଼ରେ ଥିବା ଶହ ଶହ ସଂଖ୍ୟାରେ ଫାଷ୍ଟଫୁଡ୍ ଦୋକାନକୁ ଏହି ସସ୍ କମ୍ ଦାମ୍‌ରେ ଯୋଗାଇ ଦିଆଯାଏ। ଅଳ୍ପ ଦାମରେ ମିଳୁଥିବାରୁ ଏହାକୁ ଫାଷ୍ଟଫୁଡ ଦୋକାନୀ ବ୍ୟବହାର କରିଥାନ୍ତି। ଏହା ବାଦ୍ ନକଲି ଖାଦ୍ୟ ମସଲା, ଜିରା ମଧ୍ୟ ସହରର ବିଭିନ୍ନ ଅଞ୍ଚଳରେ ତିଆରି ହେଉଛି। କେବଳ ଏହି ସାମଗ୍ରୀ ନୁହେଁ, ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ଇଞ୍ଜିନ୍ ଅଏଲ ମଧ୍ୟ ତିଆରି ଚାଲିଛି। ପୋଡ଼ା ମୋବିଲରେ ରିଫାଇନ ତେଲ ଓ ରଙ୍ଗ ମିଶାଇ ଏହି ଇଞ୍ଜିନ୍ ଅଏଲ ପ୍ରସ୍ତୁତ କରାଯାଉଛି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡରେ ଇଞ୍ଜିନ ଅଏଲ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଉଛି। ସହର ଓ ସହର ତଳି ଅଞ୍ଚଳରେ ଛୋଟ ଛୋଟ ଗ୍ୟାରେଜକୁ ଟାର୍ଗେଟ କରି ଏହି ଇଞ୍ଜିନ ଅଏଲ ଯୋଗାଇ ଦିଆଯାଉଛି। ଯାହା ସହଜରେ ଜଣାପଡ଼ି ନ ଥାଏ। ପୂର୍ବରୁ ଦୁଇ ଥର ଧରାପଡ଼ିଥିଲେ ମଧ୍ୟ ଏବେ ବି ନକଲି କାରବାର ଚାଲୁଥିବା ଜଣାପଡ଼ିଛି। ନକଲି କାରବାର ସମ୍ପର୍କରେ ସୂଚନା ମିଳିବା ପରେ ଚଢ଼ଉ କରାଯିବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ। ସୂଚନାଯୋଗ୍ୟ, ରାଜଧାନୀରେ ପୂର୍ବରୁ ନକଲି ସସ୍, ଘିଅ, ଗୁଟଖା, ମଦ, ପିଇବା ପାଣି, ଇଞ୍ଜିନ୍ ଅଏଲ କାରଖାନା ଧରାପଡ଼ିଛି।

ସମ୍ବନ୍ଧିତ ଖବର