ଭୁବନେଶ୍ବର: କିଏ, କେଉଁଠି, କେତେ ପ୍ରାପ୍ୟ ପାଇବା କଥା, ତାହା ବିଏମ୍‌ସି ଦେଉନାହିଁ। ମାମଲା କୋର୍ଟକୁ ଯାଉଛି। ବିଏମ୍‌ସି ହାରୁଛି। ଚ୍ୟାଲେଞ୍ଜ କରି ପୁଣି ହାରୁଛି। ଶେଷରେ ସୁଧ ସହ ମୋଟା ଅଙ୍କର ରାଶି ପ୍ରଦାନ କରିବାକୁ ବାଧ୍ୟ ହେଉଛି। କେବଳ ସେତିକି ନୁହେଁ, ଦାୟିତ୍ବରେ ଥିବା ଅଧିକାରୀଙ୍କ ତ୍ରୁଟି ପାଇଁ କମିସନର ବି କୋର୍ଟରେ ବ୍ୟକ୍ତିଗତ ହାଜର ହୋଇ ଭର୍ତ୍ସନାର ଶିକାର ହୋଇଛନ୍ତି। ଗୋଟିଏ ପଟେ ବିଏମ୍‌ସି ନିନ୍ଦିତ ହେଉଥିବା ବେଳେ ଅର୍ଥ ସୁଧ ସହ ପ୍ରଦାନ କରୁଥିବାରୁ ଖର୍ଚ୍ଚାନ୍ତ ମଧ୍ୟ ହେଉଛି। ଏଣେ ହିତାଧିକାରୀ ମଧ୍ୟ ବର୍ଷବର୍ଷ ଧରି ପ୍ରାପ୍ୟ ପାଉ ନାହିଁ। ଅନେକ ଘଟଣାରେ ଉଚିତ ସମୟରେ ବିଏମ୍‌ସି କୋର୍ଟରେ ଯୁକ୍ତିଯୁକ୍ତ ଜବାବ ରଖିପାରୁ ନଥିବାରୁ ଜିତିବା ମାମଲା ବି ହାରି ଯାଉଛି। କିନ୍ତୁ ଯେଉଁ କର୍ମଚାରୀ ବା ଅଧିକାରୀଙ୍କ ପାଇଁ ଏହି ସ୍ଥିତି ହେଉଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ବିଏମ୍‌ସି ଇତିହାସରେ ନାହିଁ। ବିଏମ୍‌ସିରେ ମୁଖ୍ୟ ସହାୟକ ଭାବରେ କାମ କରୁଥିବା ବିଶ୍ବନାଥ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଆଶା ମଞ୍ଜରୀ ମହାପାତ୍ରଙ୍କ ନାମରେ ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୧୦ ମସିହାରେ ୯୯ହଜାର ୮୨୫ ଟଙ୍କା ମଞ୍ଜୁର କରିଥିଲା। ହେଲେ ବିଏମ୍‌ସି ବିଭିନ୍ନ ବାହାନା କରି ତାଙ୍କୁ ଏହି ପ୍ରାପ୍ୟ ପ୍ରଦାନ କରୁ ନଥିଲା। ଏଣୁ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ବିଏମ୍‌ସି ଏହି ପ୍ରାପ୍ୟ ନ ଦେଇ ଚ୍ୟାଲେଞ୍ଜ କଲା ଓ ହାରିଲା। ଏବେ ସମ୍ପୂର୍ଣ୍ଣ ଅର୍ଥ ବିଏମ୍‌ସି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ବର୍ଷ ବର୍ଷ ଧରି ବିଏମ୍‌ସି ପାଇଁ କାମ କରିବା ପରେ ନିଜ ପରିଜନ ପ୍ରାପ୍ୟ ପାଇବା ପାଇଁ ୧୪ ବର୍ଷ ଲାଗିଯିବା ଘଟଣାକୁ ନେଇ ବିଏମ୍‌ସି ନିନ୍ଦିତ ହୋଇଛି।

Advertisment

୨୦୦୮ ମସିହାରେ ବିଏମ୍‌ସିର ବିଭିନ୍ନ ହସ୍‌ପିଟାଲ୍‌ରେ କାମ କରୁଥିବା ୭୬ ଜଣ କର୍ମଚାରୀଙ୍କୁ ବିଏମ୍‌ସି ଛୁଟି ଆଲାଉନ୍ସ ନଦେବାରୁ ସେମାନେ ଶ୍ରମ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଦୁଇ ବର୍ଷ ପରେ ରାୟ ଏହି କର୍ମଚାରୀଙ୍କ ସପକ୍ଷରେ ଯାଇଥିଲା। ବିଏମ୍‌ସି କାର୍ଯ୍ୟକାରୀ ନକରିବାରୁ କର୍ମଚାରୀମାନେ ୨୦୧୭ରେ ପୁଣି ଥରେ ଶ୍ରମ ଅଦାଲତ ଯାଇଥିଲେ ଓ ଜିତିଥିଲେ। ଏହାକୁ ଚାଲେଞ୍ଜ କରି ବିଏମ୍‌ସି ହାଇକୋର୍ଟ ଗଲା। ସେଠାରେ ବି ବିଏମ୍‌ସି ହାରିଲା। କର୍ମଚାରୀମାନେ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଯାଇଥିଲେ। ସେଠାରେ ୨୦୨୨ ମସିହାରେ କର୍ମଚାରୀଙ୍କ ସପକ୍ଷରେ ରାୟ ଗଲା। ଏହାକୁ ଚାଲେଞ୍ଜ କରି ବିଏମ୍‌ସି ୨୦୨୩ରେ ଜିଲ୍ଲା ଜଜ୍‌ଙ୍କ କୋର୍ଟର ଦ୍ବାରସ୍ଥ ହେଲା। ଗତ ମେ’ ମାସରେ ବିଏମ୍‌ସି ହାରିଲା। ଶେଷରେ ୧୬ ବର୍ଷ ପରେ ୭୬ କର୍ମଚାରୀଙ୍କୁ ବିଏମ୍‌ସି ୨୭ ଲକ୍ଷ ୪୫ ହଜାର ୩୮୩ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

୨୦୨୧ ମସିହାରେ ପଟିଆ ମୌଜାରେ ବିଏମ୍‌ସି ଏକ ଘରୋଇ ଜମିରେ ରାସ୍ତା ତିଆରି କରିଦେଲା। ରାସ୍ତା ନିର୍ମାଣ ବେ‌ଳେ ମାଲିକ ଅନିତା ଚୌଧୁରୀ ବାରଣ କରିଥିଲେ। କିନ୍ତୁ ବିଏମ୍‌ସି କିଛି ନଶୁଣି ରାସ୍ତା କଲା। ଏ ନେଇ ସେ ହାଇକୋର୍ଟର ଦ୍ବାରସ୍ଥ ହେଲେ। କୋର୍ଟଙ୍କ ଆଦେଶ ବଳରେ ବିଏମ୍‌ସି ଏହି ଜମିର ମୂଲ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ହେଲା। ହେଲେ ତାହା ମଧ୍ୟ ବିଏମ୍‌ସି ଶୁଣିଲାନି। ଏଭଳି ଦୁଇ ଦୁଇ ଥର ଅଦାଲତ ଅବମାନନା ଆଦେଶ ହେବା ସହ ତତ୍‌କାଳୀନ କମିସନର କୋର୍ଟରେ ବ୍ୟକ୍ତିଗତ ହାଜର ବି ହେଲେ। ଶେଷରେ ଆଇନଜୀବୀ ବିଭୂପ୍ରସାଦ ତ୍ରିପାଠୀଙ୍କ ଆଇନଗତ ମତାମତ ଲୋଡ଼ାଗଲା। ମାମଲାର ତିନିବର୍ଷ ପରେ ତାଙ୍କ ପରାମର୍ଶରେ ବିଏମ୍‌ସି ଜମି ମାଲିକଙ୍କୁ ୫କୋଟି ୫୫ଲକ୍ଷ ୬୩୦ ଟଙ୍କା ପ୍ରଦାନ କରିବ।
ଏଭଳି ଗଦାଗଦା ଅଭିଯୋଗ ରହିଛି। ଏ ନେଇ ବିଏମ୍‌ସି କହିଛି, ମାନବସମ୍ବଳ ଅଭାବ ହେତୁ କୋର୍ଟ କଚେରି ମାମଲା ସମାଧାନ ହୋଇ ପାରୁନାହିଁ। ବିଏମ୍‌ସିକୁ ଏଭଳି ଅପ୍ରୀତିକର ପରିସ୍ଥିତି ସାମ୍ନା କରିବାକୁ ପଡ଼ୁଛି। ଏଣୁ ତିନିଟି ଜୋନ୍‌ ଓ ମୁଖ୍ୟାଳୟ ପାଇଁ ମୋଟ ୫ ଜଣ ଆଇନ ପରାମର୍ଶଦାତା ତଥା ସଂଯୋଜକ ନିଯୁକ୍ତି ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।