ରାସ୍ତାରେ ପଡ଼ିଥିବା ଦେଢ଼ ଲକ୍ଷ ଟଙ୍କା କାହାର? ପୁଲିସ ନେଲା ୩ ବିଡ଼ା ୫ ଶହ ଟଙ୍କିଆ

ଭୁବନେଶ୍ୱର: ଆଜି ଅପରାହ୍ଣରେ ଗଙ୍ଗନଗର ଛକରେ ବିଡ଼ା ବିଡ଼ା ୫ ଶହ ଟଙ୍କିଆ ପଡ଼ିଥିଲା। ମାତ୍ର କେହି ଉଠାଇବାକୁ ସାହସ କରି ନଥିଲେ। ରାସ୍ତାରେ ଯାଉଥିବା ବହୁ ଲୋକ ଓ ସ୍ଥାନୀୟ ବଜାରର ଲୋକମାନେ ରାସ୍ତା ଉପରେ ପଡ଼ିଥିବା ନୂଆ ନୋଟ୍‌ ବିଡ଼ା ଦେଖୁଥିଲେ ବି ଭୟରେ ଉଠାଇ ନଥିଲେ। ଶେଷରେ ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିଥିଲା। ମାତ୍ର କେହି ଦାବିଦାର ନଥିବାରୁ ଏବେ ବି ଟଙ୍କା ପୁଲିସ ହେପାଜତରେ ରହିଛି।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳେ ଏହି ଛକରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ବାଇକ୍‌ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିବା ପରେ ନିଜେ ନିଜେ ଉଠି ଚାଲି ଯାଇଥିଲେ। ବୋଧହୁଏ ଗୋଟିଏ ଗାଡ଼ିରୁ ଏହି ତିନି ବିଡ଼ା ନୋଟ୍‌ ଖସି ପଡ଼ିଥିଲା। ହେଲେ ତରବର ହୋଇ ବାଇକ୍‌ ଚାଳକ ସେଠାରୁ ପଳାଇଥିଲେ। ଅବଶ୍ୟ ଦୁର୍ଘଟଣାର କିଛି ସମୟ ପରେ ଏହି ନୋଟ୍‌ ବିଡ଼ା ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେହି ଛକ ଦେଇ ବହୁ ଲୋକ ଯାଉଥିଲେ, ମାତ୍ର କେହି ଟଙ୍କା ଉଠାଇବାକୁ ସାହସ କରି ପାରିନଥିଲେ। ବହୁ ଲୋକ ଦେଖୁଥିବାରୁ କେହି ବି ଟଙ୍କା ଉଠାଇବାକୁ ଇଚ୍ଛା କରିନଥିଲେ। ଶେଷରେ ପୁଲିସ ଆସି ଟଙ୍କା ଜବତ କରିଥିଲା। ଟଙ୍କା ଜବତ ହେବାର ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ କେହି ପୁଲିସ ନିକଟରେ ପହଞ୍ଚି ଦାବି କରିନଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ କେହି ଟଙ୍କା ନେବାକୁ ଆସିନଥିଲେ। ଦେଢ଼ ଲକ୍ଷ ଟଙ୍କା କେହି କେମିତି ଛାଡ଼ିଲା ବୋଲି ପ୍ରଶ୍ନ ଉଠୁଛି। ତେଣୁ ଉକ୍ତ ଟଙ୍କା କଳା ଧନ ବୋଲି ସାଧାରଣରେ ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର