ଭୁବନେଶ୍ବର: ବିଏମ୍ସିର ଧାର୍ଯ୍ୟ ରାଜସ୍ବ ଲକ୍ଷ୍ୟ କୌଣସି ବର୍ଷରେ ମଧ୍ୟ ପୂରଣ ହେଉନି। ରାଜସ୍ବ ଆଦାୟ ପାଇଁ ଯାବତୀୟ ଉତ୍ସ ରହିଥିଲେ ମଧ୍ୟ ଏଥିପ୍ରତି ଅଧିକାରୀ ଓ ଲୋକପ୍ରତିନିଧି ଉଭୟ ଆଖି ବୁଜି ଦେଇଛନ୍ତି। ଏଭଳି ରାଜସ୍ବ ଉତ୍ସ ତାଲିକାର ଆଗରେ ରହିଛି କଲ୍ୟାଣମଣ୍ଡପ। ହେଲେ ଏହି ଉତ୍ସ ସବୁଠାରୁ ଅବହେଳିତ ଅବସ୍ଥାରେ ଅଛି। ଅନ୍ଲାଇନ୍ରେ ବୁକିଂ ହେଉଥିବାରୁ ଆୟୋଜକ ଏହାର ଅବସ୍ଥା ବାବଦରେ ଜାଣି ପାରୁ ନାହାନ୍ତି, ବୁକିଂ କରିଦେବା ପରେ ଫସି ଯାଉଛନ୍ତି। ଥରେ ବୁକିଂ ପରେ ଆଉ ଦ୍ବିତୀୟବାର ଚାହୁନାହାନ୍ତି। ମରାମତି ନାଁରେ ଅନ୍ଲାଇନ୍ ବୁକିଂ ବନ୍ଦ କରି କେତେକ ତଳତଳିଆ କର୍ମଚାରୀଙ୍କ ଜରିଆରେ ଅଧିକାରୀ ଓ ଲୋକପ୍ରତିନିଧି ପକେଟ୍ ଗରମ କରୁଥିବା ଅଭିଯୋଗ ମଧ୍ୟ ବିଏମ୍ସିକୁ ବଦନାମ କରି ରଖିଛି। ସର୍ବସାଧାରଣଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ନିର୍ମିତ କଲ୍ୟାଣମଣ୍ଡପ କାହାର କଲ୍ୟାଣ କରୁଛି ସେ ନେଇ ପ୍ରଶ୍ନ ଉଠିଛି।
ନିକଟ ଅତୀତରେ ବୁଦ୍ଧେଶ୍ବରୀ କଲୋନିରେ ଥିବା କଲ୍ୟାଣମଣ୍ଡପର ମରାମତି ନାଁରେ ଅନ୍ଲାଇନ୍ ବୁକିଂ ବନ୍ଦ ରଖି ହାତଗୁଞ୍ଜା ନେଇ ବେପାର ଚାଲିଥିବା ଅଭିଯୋଗର ତଦନ୍ତ ହୋଇଥିଲା। ଏବେ ଭିଏସ୍ଏସ୍ ନଗର କଲ୍ୟାଣମଣ୍ଡପକୁ ନେଇ ଗଦା ଗଦା ଅଭିଯୋଗ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି। ଏହାର ଦର(ଦିନକୁ) ରହିଛି ୨୯, ୫୦୦ଟଙ୍କା। କିନ୍ତୁ ଏଠାରେ ଥିବା ସର୍ବନିମ୍ନ ମୌଳିକ ସେବାରେ ଘୋର ସମସ୍ୟା ରହିଛି। ଏଠାରେ ଥରେ ଭୋଜି ଭାତ ହେବା ପରେ ଆବର୍ଜନା ଉଠୁ ନାହିଁ। ଏହା ଠାରୁ ବଡ଼ ସମସ୍ୟା ହେଉଛି ପାଇଖାନା। ଏଠାରେ ଥିବା ପାଇଖାନା ବସିବା ଯୋଗ୍ୟ ନୁହେଁ। ବର୍ଷେ ହେବ ଏହି ପାଇଖାନା ଭାଙ୍ଗି ଯାଇଥିଲେ ମଧ୍ୟ ମରାମତି ହେଉନାହିଁ, ସଫା ମଧ୍ୟ ହେଉନାହିଁ। ମୁଖ୍ୟ ଫାଟକରୁ ମଣ୍ଡପ ପର୍ଯ୍ୟନ୍ତ ଯିବାକୁ ଥିବା ରାସ୍ତାରେ ଖରା, ବର୍ଷା ଓ ଶୀତରେ ମଧ୍ୟ ପାଣି ଜମି ରହୁଛି। କାଦୁଅ ପଚପଚ ହେଉଛି। ବେସିନ୍ ଓ ଟାଙ୍କି ପୂର୍ଣ୍ଣ ହେବା ପରେ ମଧ୍ୟ ମଟର ଚାଲୁଥିବାରୁ ବଳକା ପାଣି ବୋହି ଆସି ଏଭଳି ଅବସ୍ଥା କରିଛି। ଏଥିରେ ଖାଦ୍ୟପଦାର୍ଥ ପଡ଼ୁଥିବାରୁ ଦୁର୍ଗନ୍ଧରେ ରହି ହେଉ ନାହିଁ। ଏହା ଛଡ଼ା ମଣ୍ଡପ ସାରା ଖାଦ୍ୟପଦାର୍ଥ ପଡ଼ି ରହି ପଚ ଯିବା ପରେ ଅଞ୍ଚଳବାସୀଙ୍କୁ ଅତିଷ୍ଠ କରିଛି। ରାତି ହେଲେ ସମସ୍ୟା ତିନିଗୁଣା ହୋଇଯାଉଛି। ଯେତିକି ଲାଇଟ୍ ଲାଗିଛି ତାହାର ଅଧା ଜଳୁଛି। ମଣ୍ଡପର ପ୍ରବେଶ ପଥ କଡ଼ରେ ଶହ ଶହ ସ୍ଲାବ୍ ୨ ବର୍ଷ ହେଲା ଜମା ହୋଇଛି। ଅନ୍ଧାରରେ ଟିକିଏ ଅନ୍ୟମନସ୍କ ହେଲେ କାଦୁଅ କିମ୍ବା ଏହି ସ୍ଲାବ୍ରେ ପଡ଼ି ଆହତ ହେବା ଥୟ। ବାହାଘର ସିଜନ୍ ଆରମ୍ଭ ହୋଇଥିବାରୁ ଭଲ ବେପାର ହେବା କଥା। କିନ୍ତୁ ହେଉ ନାହିଁ।
ଭିଏସ୍ଏସ୍ନଗର କଲ୍ୟାଣମଣ୍ଡପର ଭୟଙ୍କର ସ୍ଥିତି
ସବୁ ଋତୁରେ ପଚପଚ8ଅତିଷ୍ଠ କଲାଣି ପଚା ଖାଦ୍ୟ ଗନ୍ଧ
ବିଏମ୍ସି ସୂଚନା ମୁତାବକ, ମୋଟ ୧୧ଟି କଲ୍ୟାଣମଣ୍ଡପ ରହିଛି। ଭିଏସ୍ଏସ୍ନଗର କଲ୍ୟାଣମଣ୍ଡପ ୨୦୦୭ ମସିହାରେ ତିଆରି ହୋଇଥିଲା। ଗତ ଜାନୁଆରି ମାସରେ ଏହି ମଣ୍ଡପ ୩ ଦିନ ବୁକିଂ ହୋଇଥିବା ବେଳେ ଫେବ୍ରୁଆରିରେ ୬, ମାର୍ଚ୍ଚରେ ୭, ଏପ୍ରିଲ୍ରେ ୪, ଜୁନ୍ରେ ୧, ଜୁଲାଇରେ ୭, ଅଗଷ୍ଟରେ ୨, ସେପ୍ଟେମ୍ବରରେ ୨, ଅକ୍ଟୋବରରେ ୧ ଓ ଚଳିତ ମାସରେ ୬ ଦିନ ବୁକିଂ ହୋଇଛି। ମେ ମାସରେ ଦିନେ ହେଲେ ବୁକିଂ ହୋଇନାହିଁ। ଅର୍ଥାତ୍ ଚଳିତ ବର୍ଷ(ଆଜି ପର୍ଯ୍ୟନ୍ତ) ୩୯ ବୁକିଂ ପାଇଁ ବିଏମ୍ସି ୧୧ଲକ୍ଷ ୫୦ ହଜାର ୫୦୦ ଟଙ୍କା ରାଜସ୍ବ ବାବଦକୁ ପାଇଛି। ସ୍ଥାନୀୟ ବାସିନ୍ଦା ଶୁଭ୍ରଜିତ ରାଉତ କହିଛନ୍ତି, ବିଏମ୍ସି ଅଧିକା ରାଜସ୍ବ ପାଇଛି। ବୁକିଂ ବାଦ୍ ୧ ହଜାର ଟଙ୍କା ଅନ୍ୟାନ୍ୟ ଦେୟ ବାବଦକୁ ବିଏମ୍ସି ସଂଗ୍ରହ କରୁଛି। ୩୯ ବୁକିଂ ପାଇଁ ୩୯ ହଜାର ଟଙ୍କା ପାଇଛି। ମରାମତି ନାମରେ ୧୦ ଦିନ ବୁକିଂ ବନ୍ଦ ରଖିଛି। ହେଲେ କଣ ମରାମତି ହୋଇଛି ତାହା ମା’ ଗଙ୍ଗେଇ ଜାଣନ୍ତି। ବାହାଘର ସିଜନ ଥିବାରୁ ଡିସେମ୍ବରରେ ୬ ଦିନ, ଜାନୁଆରିରେ ୪ଦିନ ଓ ଫେବ୍ରୁଆରିରେ ୩ ଦିନ ଅଗ୍ରିମ ବୁକିଂ ହୋଇଛି। ଗରିବ ବା ନିମ୍ନ ମଧ୍ୟବିତ ପରିବାର ଲୋକେ ଏଠାରେ ଶସ୍ତା ବୋଲି ବୁକିଂ କରନ୍ତି। କିନ୍ତୁ ଏଭଳି ସ୍ଥିତି ପାଇଁ ସେମାନେ ଘରୋଇ ମଣ୍ଡପରେ ଖର୍ଚ୍ଚାନ୍ତ ହେଉଛନ୍ତି, ବିଏମ୍ସି ରାଜସ୍ବ ହରାଉଛି। ବିଏମ୍ସି ପକ୍ଷରୁ କୁହାଯାଇଛି କି ଯାତ୍ରୀ ନିବାସ ସହ ପ୍ରତ୍ୟେକ କଲ୍ୟାଣମଣ୍ଡପକୁ ନୂଆ ରୂପ ଦେବାପାଇଁ ଯୋଜନା ହୋଇଛି। ଏଥିପାଇଁ ଡିପିଆର ପ୍ରସ୍ତୁତ ହେଉଛି। ନୟମିତ ମରାମତି ମଧ୍ୟ ହେଉଛି।