ବିଚିତ୍ର ବିଏମ୍‌ସି ୧୦ ସ˚ସ୍ଥା ପାଇଁ ଦରଦ କାହିଁକି?

ଧମକ ଦେଉଛି, ଡରିଯାଉଛି, ଜରିମାନା ଆଦାୟ ହେଉନି କି କେସ୍ କରୁନାହାନ୍ତି

ଭୁବନେଶ୍ବର: ବିନା ଅନୁମତିରେ ରାଜଧାନୀରେ ହୋର୍ଡି˚ ଲଗାଇଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ˚ସ୍ଥାକୁ ଜରିମାନା ନୋଟିସ୍‌ କରାଯାଉଛି। ଏପରିକି ୭ ଦିନ ମଧୢରେ ଜରିମାନା ଅର୍ଥ ନଦେଲେ ସାର୍ଟିଫିକେଟ୍‌ କେସ୍‌ କରି ସମ୍ପତ୍ତି ଜବତ କରାଯିବ ବୋଲି ନୋଟିସ୍‌ରେ ଚେତାବନୀ ଦିଆଯାଉଛି। କିନ୍ତୁ ନୋଟିସ୍‌ କରିବାର ପ୍ରାୟ ବର୍ଷକ ପରେ ବି ନୋଟିସ୍ ପାଇଥିବା ସଂସ୍ଥା ଜରିମାନା ଦେଉନାହାନ୍ତି କି ବିଏମ୍‌ସି ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ହେଉନି। କେବଳ ଫମ୍ପା ଧମକ ଦେଇ ବିଏମ୍‌ସି ଅଧିକାରୀ ଚୁପ୍ ବସି ଯାଇଛନ୍ତି। ଯାହାର ଫାଇଦା ଏବେ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥାଠାରୁ ଆରମ୍ଭ କରି ରାଜନୈତିକ ଦଳ ଉଠାଇବାରେ ଲାଗିଛନ୍ତି। ବିଏମ୍‌ସିର ବିଜ୍ଞାପନ ନୀତି ୨୦୦୬ର ପରିଚ୍ଛେଦ ୧୦-ଇ ଅନୁସାରେ ବେଆଇନ ବିଜ୍ଞାପନ ପ୍ରଦର୍ଶନକାରୀଙ୍କଠାରୁ ପ୍ରତି ହୋର୍ଡି˚ ପିଛା ୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିୟମ ରହିଛି। ଏହି ନିୟମ ଅନୁଯାୟୀ ୭ ଦିନ ମଧୢରେ ଜରିମାନା ନଦେଲେ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆକ୍ଟ-୨୦୦୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ଜରିମାନା ଖିଲାପକାରୀଙ୍କ ଉପରେ ସାର୍ଟିଫିକେଟ୍‌ କେସ୍‌ ରୁଜୁ କରାଯିବ। ଏହାପରେ ବିଏମ୍‌ସି ପକ୍ଷରୁ ସମ୍ପତ୍ତି ବାଜ୍ୟାପ୍ତି କରାଯିବ। କିନ୍ତୁ ଏହି ନିୟମ କେବଳ ବିଏମ୍‌ସିର ରେକର୍ଡରେ ଅଛି। ଯାହାକୁ ନୋଟିସ୍ କରି ବିଏମ୍‌ସି ଜଣାଇ ଦେଉଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇପାରୁନି।

ରାଜଧାନୀରେ ମାଳମାଳ ବେଆଇନ ହୋର୍ଡି˚ ଲାଗୁଥିବା ଦେଖି ବିଏମ୍‌ସି ପକ୍ଷରୁ ବିଜ୍ଞାପନ ନୀତି ୨୦୦୬କୁ ସ˚ଶୋଧନ କରାଗଲା। ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ବାରମ୍ବାର ବୈଠକ ବି ବସିଲା। ହେଲେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଅଧିକାରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି, ସେନେଇ ଏବେ ଅନେକ ପ୍ରଶ୍ନ ଉଠିଲାଣି। ଏପରିକି ବିଏମ୍‌ସି ଅଧିକାରୀମାନେ ଜରିମାନା ନୋଟିସ୍‌ କରିଦେବା ପରେ ସ˚ସ୍ଥାଠାରୁ ଭିତିରିଆ କାରବାର କରି ଏହାକୁ ଚପାଇ ରଖୁଥିବା ଅଭିଯୋଗ ଉଠିଲାଣି। ଯେଉଁଥିପାଇଁ ଏବେ ରାଜଧାନୀରେ ବେଆଇନ ହୋର୍ଡି˚ ଛାଇ ଗଲାଣି।ଚଳିତବର୍ଷ ଜାନୁଆରି ୧୦ ତାରିଖରେ ରାଜଧାନୀରେ ୯ଟି ସ˚ସ୍ଥା ପକ୍ଷରୁ ଲାଗିଥିବା ୪୫୦ଟି ବେଆଇନ ହୋର୍ଡିଂକୁ ବିଏମ୍‌ସି ଉଚ୍ଛେଦ କରିବା ସହ ୨୪ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ନୋଟିସ୍‌ କରିଥିଲା। ହେଲେ ଏହି ୯ଟି ସ˚ସ୍ଥାରୁ ଗୋଟିଏ ସ˚ସ୍ଥା ମାତ୍ର ୫ ହଜାର ଟଙ୍କା ଜମା କରି ଚୁପ୍ ବସିଗଲା। ବାକି ସଂସ୍ଥା କେତେ ଜରିମାନା ଦେଲେ, କାହିଁକି ଦେଲେନି, ସେନେଇ ବିଏମ୍‌ସି ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ଯେଉଁମାନେ ଜରିମାନା ଦେଲେନି ସେମାନଙ୍କଠାରୁ କିପରି ଜରିମାନା ଆଦାୟ ହେବ, ସେନେଇ ପଦକ୍ଷେପ ନିଆଯାଉନି କି ସାର୍ଟିଫିକେଟ୍‌ କେସ୍‌ ହେଉନି। କେବଳ ଏତିକିରେ ବିଏମ୍‌ସିର ଅପାରଗତା ଶେଷ ହୋଇନି। ଚଳିତବର୍ଷ ଫେବ୍ରୁଆରି ୩ ତାରିଖରେ ପେଟ୍ରୋଲିୟମ ଏବ˚ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅଧୀନ ସ˚ସ୍ଥା ପେଟ୍ରୋଲିୟମ କନଜରଭେସନ୍‌ ଆଣ୍ତ ରିସର୍ଚ୍ଚ ଆସୋସିଏସନ୍‌ (ପିସିଆର‌୍‌ଏ) ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ୨ ହଜାର ହୋର୍ଡି˚ ଲଗାଯାଇଥିବା ବେଳେ ବିଏମ୍‌ସି ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଥିଲା। ବିନା ଅନୁମତିରେ ହୋର୍ଡି˚ ଲଗାଇଥିବାରୁ ହୋର୍ଡି˚ ପିଛା ୫ ହଜାର ଟଙ୍କା ହିସାବରେ ୧କୋଟି ଟଙ୍କା ଜରିମାନା ଦେବାକୁ ନୋଟିସ୍‌ ଜାରି କରାଗଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ୭ ଦିନ ଭିତରେ ଜରିମାନା ନଦେଲେ ସାର୍ଟିଫିକେଟ୍‌ କେସ୍‌ କରାଯିବ। କିନ୍ତୁ ନୋଟିସ୍‌ କରିବାର ୧୦ମାସ ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇନାହାନ୍ତି।

ବିଏମ୍‌ସିର ଏହିଭଳି ପଦକ୍ଷେପ ଏବ˚ ଫମ୍ପା ଧମକ ଦେଖି ଯେଉଁ ସ˚ସ୍ଥାମାନଙ୍କ ବେଆଇନ ହୋର୍ଡି˚ ଉଚ୍ଛେଦ ହୋଇଥିଲା ସେମାନେ ଏବେ ପୁଣି ହୋର୍ଡି˚ ଲଗାଇଲେଣି। ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗ ରାଜଧାନୀରେ ବେଆଇନ ହୋର୍ଡି˚ ଛାଇ ଦେଇଛନ୍ତି। କେବଳ ସରକାରୀ କି ବେସରକାରୀ ସ˚ସ୍ଥା ନୁହେଁ ବିଭିନ୍ନ ରାଜନୈତିକ ଦଳ ବି ବିଏମ୍‌ସିର ଅପାରଗତାକୁ ଦେଖି ବେଆଇନ ହୋର୍ଡି˚ ଲଗାଇବାକୁ ପଛାଉନାହାନ୍ତି। ଏ ସଂପର୍କରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ନୋଟିସ୍ କରିଛୁ ମାନେ ଜରିମାନା ଆଦାୟ କରିବୁ। ଜୋନାଲ ଡେପୁଟି କମିସନରମାନେ ଜରିମାନା ଖିଲାପକାରୀଙ୍କ ଉପରେ ସାର୍ଟିଫିକେଟ୍ କେସ୍ କରିବାକୁ କୁହାଯାଇଥିଲା। କିନ୍ତୁ ଜୋନାଲ ଡେପୁଟି କମିସନରସ୍ତରରେ ଅଦଳବଦଳ ହେବାରୁ, ହକି ବିଶ୍ବକପ୍‌ ପାଇଁ ଅଧିକାରୀମାନେ ବିଭିନ୍ନ ଉଚ୍ଛେଦ ଓ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟସ୍ତ ରହିବାରୁ ସେମା‌େନ ସାର୍ଟିଫିକେଟ୍ କେସ୍ କରିପାରିନାହାନ୍ତି। ଖୁବ୍ ଶୀଘ୍ର ସାର୍ଟିଫିକେଟ୍ କେସ୍ ରୁଜୁ ହେବ।

ୱେବସାଇଟ୍‌ରେ ତଥ୍ୟ ଦେଉନାହାନ୍ତି
ବିଏମ୍‌ସିର କେଉଁ ଅଞ୍ଚଳରେ କେତେ ହୋର୍ଡିଂ ଲାଗିଛି, କେଉଁ ସଂସ୍ଥା ଲଗାଇଛନ୍ତି, ତାହାର ସବିଶେଷ ତଥ୍ୟ ବିଏମ୍‌ସି ୱେବସାଇଟ୍‌ରେ ଦେବାକୁ ବିଏମ୍‌ସି ପକ୍ଷରୁ ୧୦ମାସ ତଳେ କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଏନେଇ ସୂଚନା ଦିଆଯାଇପାରୁନି। ଏପରିକି ହୋର୍ଡିଂ ଲଗାଇବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ବି ବିଏମ୍‌ସିରୁ ଅନୁମତି ନେବାକୁ କୁହାଯାଇଥିଲା। ଏନେଇ ସମସ୍ତ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରାଯାଇଥିଲା। ବୈଠକ‌ ପରେ କିଛି ବି ପରିବର୍ତ୍ତନ ହେଲାନି। ଯିଏ ଯେଝା ମନଇଚ୍ଛା ହୋର୍ଡିଂ ଲଗାଉଛନ୍ତି। ଏପରିକି ସରକାରୀ ଦଳ ନିୟମ ମାନୁନଥିବାରୁ ଅନ୍ୟ ରାଜନୈତିକ ଦଳ ବି ଏହାକୁ ଆଳ କରି ନିୟମ ମାନୁନାହାନ୍ତି।

ଏକାମ୍ର ହଲ୍‌ ପରେ ଚୁପ୍
ହକି ବିଶ୍ବକପ୍‌ ପାଇଁ ରାଜଧାନୀ ସଜେଇ ହୋଇଥିବା ବେଳେ ଏହା ଯେପରି ନଷ୍ଟ ନହେବ, ସେଥିପାଇଁ ବିଏମ୍‌ସି ପକ୍ଷରୁ କାନ୍ଥବାଡ଼ରେ ପୋଷ୍ଟର, ଲିଫ୍‌ଲେଟ୍‌ ଲଗାଇଥିବା ସଂସ୍ଥାଠାରୁ ପ୍ରଶାସନିକ ଫି’ ବାବଦରେ ୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଆଧାରରେ ଡିସେମ୍ବର ୫ରେ ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍‌ରେ ପୋଷ୍ଟର ଲଗାଇଥିବା ଏକାମ୍ର ହଲ୍‌କୁ ୫ ହଜାର ଟଙ୍କା ଜରିମାନା ନୋଟିସ୍ କରାଗଲା। ହେଲେ ଏହାପରେ କର୍ତ୍ତୃପକ୍ଷ ଚୁପ୍। ବିଏମ୍‌ସି ଧମକ ଦେଖାଇ ଚୁପ୍ ବସିଗଲା। ଆଉ ଏବେ କାନ୍ଥ, ବ୍ରିଜ୍‌ ସବୁଠି ମାଳମାଳ ପୋଷ୍ଟର, ଲିଫ୍‌ଲେଟ୍ ଛାଇଯାଇଛି।

ସମ୍ବନ୍ଧିତ ଖବର