କାହିଁକି କମିଲା ବିଏମ୍‌ସି ରାଜସ୍ବ

ବିଏମ୍‌ସି ଅଧିକାରୀମାନେ ଏଥର ରାଜସ୍ବ ଆଦାୟକୁ ଅଧିକ ଗୁରୁତ୍ବ ନଦେବା ପଛରେ ପ୍ରମୁଖ କାରଣ ହେଉଛି ଏବେ ବିଏମ୍‌ସିର କାଉନସିଲ୍‌ ନଥିବାବେଳେ ନିକଟରେ ବି ନିର୍ବାଚନ ହେବାର ସମ୍ଭାବନା କମ୍‌। ତେଣୁ ଏଥର ୱାର୍ଡ ବଜେଟ୍‌ ନେଇ ଆସନ୍ତା ୬ମାସ ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କୁ ଚିନ୍ତା କରିବାକୁ ନଥିବାରୁ କେହି ବି ଏନେଇ ବେଶି ତତ୍ପରତା ଦେଖାଇ ନାହାନ୍ତି। କର୍ପୋରେଟରଙ୍କ କାର୍ଯ୍ୟକାଳ ସରିଥିବାରୁ ୱାର୍ଡ ସ୍ତରରେ ବି ବିଶେଷ କିଛି କାର୍ଯ୍ୟ ହେବାର ନାହିଁ। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଯେତିକି ଅନୁଦାନ ମିଳୁଛି ସେଥିରେ ବିଏମ୍‌ସି ରାଜସ୍ବ ମିଶାଇ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ବିଏମ୍‌ସି ରାଜସ୍ବ ଆଦାୟକୁ ଚଳିତବର୍ଷ ଗୁରୁତ୍ବ ଦେଇ ନଥିବାରୁ ବହୁ ଲୋକ/ବ୍ୟବସାୟୀ ଟିକସ ଫାଙ୍କିଦେଲେ।

ଏଥର ରାଜସ୍ବ କମିବା ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,  ବର୍ଷା ବିତ୍ପାତର ମୁକାବିଲା, ଡ୍ରେନ୍‌ରୁ ଜବରଦଖଲ ଉଚ୍ଛେଦ କରୁକରୁ ଜୁଲାଇ,ଅଗଷ୍ଟ ମାସ ସରିଗଲା। ସେପ୍ଟେମ୍ବର ଓ ଅକ୍ଟୋବରରେ ପୂଜା ପୂର୍ବରୁ ରାସ୍ତା ମରାମତି, ଛାତ ଉପରୁ ହୋର୍ଡିଂ ଉଚ୍ଛେଦ, ଅଳିଆ ଉଠାଇବା ଉପରେ ଅଧିକ ଧ୍ୟାନ ଦିଆଗଲା। ଆଉ ଅକ୍ଟୋବର-ନଭେମ୍ବର-ଡିସେମ୍ବର ହକି ବିଶ୍ବକପ୍‌ ପ୍ରସ୍ତୁତିରେ ଗଲା। ଏହି ସମୟରେ ଓଡ଼ିଆ ନାମ ଫଳକ ପାଇଁ ଉଚ୍ଛେଦ, ପଲିଥିନ୍ କଟକଣା ଲାଗୁ କରିବାରେ ଅଧିକାରୀମାନେ ବ୍ୟସ୍ତ ରହିବାରୁ ରାଜସ୍ବ ଆଦାୟ ଫୋକସ୍‌ରେ ରହିଲାନି। ଏହି ସମୟରେ ମୁଖ୍ୟତଃ ଅଧିକ ରାଜସ୍ବ ଆଦାୟ ହୁଏ। ଏହା ହୋଇପାରିଲାନି। ଏହାବାଦ୍‌ ଗତ ବର୍ଷ ଆମେ ବସ୍‌ ସେଲ୍‌ଟର ବାବଦକୁ ପ୍ରାୟ ୧କୋଟି ପାଇଥିବାବେଳେ ଏଥର ଏହା ପାଇଲୁନି। କ୍ରୁଟ୍‌ ଅଧୀନକୁ ବସ୍‌ ସେଲ୍‌ଟର ଚାଲିଯାଇଥିବାରୁ କ୍ରୁଟ୍‌ ଆମକୁ ଅର୍ଥ ଦେବ। ଆସନ୍ତା ବର୍ଷଠୁ ଆମେ ପୂର୍ବାପେକ୍ଷା ଏହି ବାବଦକୁ ବହୁ ଅଧିକ ରାଜସ୍ବ ପାଇବୁ। ସେହିପରି ଛାତ ଉପରେ ହୋର୍ଡିଂ ନଲଗାଇବାକୁ ନିଷ୍ପତ୍ତି ହୋଇଥିବାରୁ ଆମେ ଗତ କିଛି ମାସ ମଧ୍ୟରେ ସବୁ ହୋର୍ଡିଂ କାଟି ଦେଲୁ। ସେ ବାବଦକୁ ବି ଅର୍ଥ ପାଇଲୁନି। ତେଣୁ ଏବାବଦକୁ ଆମେ ପ୍ରାୟ ୩କୋଟି ରାଜସ୍ବ ହରାଇଲୁ। ଗତବର୍ଷ ପୂର୍ବବର୍ଷଗୁଡ଼ିକର ବକେୟା ଫି’ବାବଦକୁ ୧୦କୋଟି ରାଜସ୍ବ ଆଦାୟ କରିଥିଲୁ। ଏଥର ବି ତାହା ହେଲାନି।

ସେହିପରି ହକି ବିଶ୍ବକପ୍‌ ସରୁ ସରୁ ବିଏମ୍‌ସିର ତିନିରୁ ଚାରିଜଣ ଡେପୁଟି କମିସନରଙ୍କ ବଦଳି ହୋଇଗଲା। ଏହାପରେ ଦୁଇ ଜଣ କମିସନର ବଦଳିଗଲେ। ରାଜସ୍ବ ଆଦାୟ ଦାୟିତ୍ବରେ ଥିବା ଡେପୁଟି କମିସନର ବି ବଦଳି‌ଗଲେ। ପୂର୍ବତନ କମିସନର ଲୋକଙ୍କ ସମସ୍ୟା ଦୂର କରିବା‌କୁ ଯୋଜନାରେ ଲାଗିବାରୁ ରାଜସ୍ବ ଆଦାୟକୁ ଫୋକସ୍ କରିପାରିଲେନି। ବିଏମ୍‌ସି ପ୍ରଶାସକ ଓ କମିସନର ବି ନୂଆ ଆସିଲେ। ତେଣୁ ସବୁ ନୂଆ ଅଧିକାରୀ ହୋଇଯିବାରୁ କେହି ରାଜସ୍ବ ଆଦାୟକୁ ଫୋକସ୍‌ କରିପାରିଲେନି। ଟ୍ୟାକ୍ସ କଲେକ୍ଟରମାନଙ୍କୁ ତାଗିଦ୍‌ କରିବାରେ ଏବଂ ବାରମ୍ବାର ସମୀକ୍ଷା କରିବାରେ ଉଚ୍ଚ କର୍ତ୍ତୃପକ୍ଷ ବିଫଳ ହେବାରୁ ରାଜସ୍ବ ଆଦାୟ ଟାର୍ଗେଟ୍‌ ଛୁଇଁଲାନି। ଏହାପରେ ନିର୍ବାଚନ ପ୍ରସ୍ତୁତି ହେଲା। ବିଏମ୍‌ସିର ବହୁ ଅଧିକାରୀ ନିର୍ବାଚନ ପାଇଁ ତାଲିମ୍‌ ନେବା ଏବଂ ଡ୍ୟୁଟିରେ ଯିବାରୁ ସବୁ ଓଲଟପାଲଟ ହୋଇଗଲା।

ସମ୍ବନ୍ଧିତ ଖବର